ଗୋଟିଏ ରାତିରେ କପ୍ତିପଦା ଥାନା ଅଧୀନ ୪ଟି ମନ୍ଦିରରୁ ଚୋରି

କପ୍ତିପଦା: ଗୋଟିଏ ରାତିରେ କପ୍ତିପଦା ଥାନା ଅଧୀନ ୪ଟି ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ । କପ୍ତିପଦା ସଦର ପଞ୍ଚାୟତ ୧୦ ନଂ ୱାର୍ଡର ପ୍ରଭୁ ଦଧିବାମନ ଜୀଉ ମନ୍ଦିର ପରିସରରେ ନବନିର୍ମିତ ଲକ୍ଷ୍ମୀ ମନ୍ଦିର, ମଙ୍ଗଳା ମନ୍ଦିର ଓ ପାର୍ବତୀ ମନ୍ଦିର ଏବଂ ମାଟିଆଳିସାହିରେ ଥିବା ମା’ଚଣ୍ଡୀ ମନ୍ଦିରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ବେଳେ ଆଚୀ ପୁଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଛନ୍ତି। ଡିସେମ୍ବର ୨୭ ସକାଳେ ଦଧିବାମନ ଜୀଉ ମନ୍ଦିରର ପୂଜକ ମଙ୍ଗଳ ଆଳତୀ ପାଇଁ ଆସିଥିବା ବେଳେ ମନ୍ଦିର ଗ୍ରୀଲ୍ ଭଙ୍ଗା ହୋଇଥିବାର ଦେଖିବାକୁ ପାଇଥିଲେ। ଏ ସଂପର୍କରେ ମନ୍ଦିର କମିଟିକୁ ଜଣାଇବା ପରେ ପରିଚାଳନା କମିଟିର ସଦସ୍ୟ ଯାଇ ଦେଖିବା ବେଳକୁ ମା’ ଲକ୍ଷ୍ମୀଙ୍କର ରୂପା ମୁକୁଟ, ସୁନା ଚିତା, ହୁଣ୍ଡିରେ ଥିବା ସମସ୍ତ ଟଙ୍କା, ମା’ ପାର୍ବତୀଙ୍କ ସୁନା ଲକେଟ୍ ଚୋରି ହୋଇଯାଇଥିଲା। ମା’ ମଙ୍ଗଳାଙ୍କର ମନ୍ଦିର ପ୍ରତିଷ୍ଠା ହୋଇନଥିଲେ ହେଁ ଉକ୍ତ ମନ୍ଦିରର କବାଟକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ସେହିପରି ମାଟିଆଳିସାହିରେ ଥିବା ମା’ ଚଣ୍ଡୀ ମନ୍ଦିରରେ ମା’ଙ୍କ ରୂପା ତ୍ରିଶୂଳ ଓ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଚୋରି ହୋଇଯାଇଛି । ଏହି ଚୋରି ପଛରେ କିଛି ସ୍ଥାନୀୟ ଯୁବକଙ୍କ ସହିତ ଫେରିବାଲାଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *