କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
କେନ୍ଦୁଝର: ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା | ପିଲାଙ୍କ ଭବିଷ୍ୟତ ନିର୍ମାଣର ପ୍ଲାଟଫର୍ମ ଏହି ବିଦ୍ୟାଳୟରୁ ଯେଉଁ ଛାତ୍ରଛାତ୍ରୀ ବାହାରିବେ, ସେମାନେ ଆଗାମୀ ଦିନରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବେ ବୋଲି କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ସେଲ୍ ଅଡିଟୋରିଅମରେ ଆୟୋଜିତ ୩୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଶିଶୁ ବିଦ୍ୟାମନ୍ଦିରର ପାଠପଢ଼ା ଶୈଳୀ ଜାଣିଛି। ସରସ୍ଵତୀ । ସରସ୍ଵତୀ ଶିଶୁମନ୍ଦିରରେ ଶିକ୍ଷକ ଥିଲି। ଏଠାରେ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ବ ଦିଆଯାଏ। ପିତାମାତା, ଗୁରୁଜନମାନଙ୍କ ସମ୍ମାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଏ। ଶିଶୁମନ୍ଦିରରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀ ପ୍ରାୟତଃ ବିପଥଗାମୀ ହୁଅନ୍ତି ନାହିଁ। ଭାରତୀୟ ପରମ୍ପରାକୁ ଅନୁସରଣ କରି ଜୀବନରେ ଅଗ୍ରଣୀ ହେବା ହେଉଛି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିକ୍ଷାର ମୂଳଭିତ୍ତି। ଏଭଳି ଶିକ୍ଷା ଓ ସଂସ୍କାର ଅନ୍ୟ ସ୍ଥାନରେ ପାଇବା ସହଜ ନୁହେଁ। ସେହି ଦୃଷ୍ଟିରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ଭାଗ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ସେହିପରି ପିଏମ୍ ଯୋଜନାରେ ଜିଲ୍ଲାର ଅଧିକାଂଶ ବିଦ୍ୟାଳୟର ଉନ୍ନତି ପାଇଁ ନିଷ୍ପତ୍ତି ନିଆଯାଇଛି। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିକ୍ଷାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ପ୍ରାଥମିକ ତଥା ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବାପାଇଁ ଆମ ସରକାର ବଦ୍ଧ ପରିକର ବୋଲି ସେ କହିଥିଲେ।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପଣ୍ଡିତ ମହେଶ ସାହୁ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ନିକୁ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମାଜ ବିକାଶରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟର ଉପସଭାପତି ପ୍ରିୟବ୍ରତ ସାମଲଙ୍କ ଅଧ୍ୟକ୍ଷତାରେ ସଂପାଦକ ସୁଧାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ । ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।