୮ଶହ ବର୍ଷ ପ୍ରାଚୀନ ଚଉରାର ପୁନରୁଦ୍ଧାର

୮ଶହ ବର୍ଷ ପ୍ରାଚୀନ ଚଉରାର ପୁନରୁଦ୍ଧାର
ପୁରୀ, ୧୫/୧୨ : ଶଙ୍କରାନନ୍ଦ ମଠ ପରିସରସ୍ଥ ୮ଶହ ବର୍ଷର ପ୍ରାଚୀନ ଚଉରାର ପୁନରୁଦ୍ଧାର କରାଯାଇଛି। ଶ୍ରୀମନ୍ଦିରର ପ୍ରତିକୃତି ସଦୃଶ ଏହି ଭାସ୍କର୍ଯ୍ୟପୂର୍ଣ୍ଣ ଚଉରାଟି ଚୂନ ଆସ୍ତରଣରେ ଲୁଚି ଯାଇଥିବା ବେଳେ ଏହାକୁ ପୁନରୁଦ୍ଧାର କରାଯାଇଛି। ଦଶନାମୀ ସଂପ୍ରଦାୟର ସର୍ବପ୍ରାଚୀନ ମଠ ଶଙ୍କରାନନ୍ଦ ମଠ ପରିସରରେ ଏହି ଚଉରାକୁ କିଛିଦିନ ତଳେ ଆବିଷ୍କାର କରାଯାଇଥିଲା । ପୁନରୁଦ୍ଧାର ପରେ ଉତ୍ତରକାଶୀର ସ୍ଵାମୀ ଗୁରୁଦେବ, ସ୍ଵାମୀ ଶୁଦ୍ଧାନନ୍ଦ ସରସ୍ଵତୀ, ଦିବ୍ୟାନନ୍ଦ ସରସ୍ଵତୀ, ସ୍ଵାମୀ ଶାଶ୍ବତାନନ୍ଦ ସରସ୍ବତୀ, ମହୀପ୍ରକାଶ ମଠର ସ୍ଵାମୀ ଶୁଭାନନ୍ଦ ପୁରୀ, ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ଓ ବ୍ରହ୍ମଚାରୀ ସୁବୋଧ ଚୈତନ୍ୟ ଶାସ୍ତ୍ରୀୟ ପରମ୍ପରା ଆଧାରେ ଏହାର ଲୋକାର୍ପଣ କରିଛନ୍ତି।
ଶ୍ରୀଜଗନ୍ନାଥ ଓ ଶ୍ରୀଲୋକନାଥଙ୍କଠାରୁ ସନ୍ଥମାନେ ଅନୁମତି ଭିକ୍ଷା କରିଥିଲେ। ସନ୍ଥମାନେ ମଠ ଟ୍ରଷ୍ଟ ବୋର୍ଡର ସଭ୍ୟମାନଙ୍କ ସହିତ ଶୋଭାଯାତ୍ରାରେ ଯାଇ ବିଧି ବିଧାନ ସହିତ ଲୋକାର୍ପଣ କରିଥିଲେ। ଚୂନ ଆସ୍ତରଣ ଭିତରେ ଏହା ଲୁଚି ଯାଇଥିବାରୁ ପ୍ରାଚୀନ ଭାସ୍କର୍ଯ୍ୟ ଦୃଷ୍ଟିଗୋଚର ହେଉନଥିଲା। ପୁନଃ ଏହା ଉପରେ ଚୂନ ଆସ୍ତରଣ ଦେବା ବେଳେ କାରୁକାର୍ଯ୍ୟ ନଜରକୁ ଆସିଥିଲା। ତେଣୁ ସମ୍ପୂର୍ଣ୍ଣ ରୂପେ ଚୂନ ଛଡ଼ାଇବାକୁ ଶଙ୍କରାନନ୍ଦ ମଠ ଟ୍ରଷ୍ଟବୋର୍ଡ ନିଷ୍ପତ୍ତ ନେଇଥିଲେ। ଦୁଇଦିନ ଧରି ଚୂନ ଛଡ଼ାଇବା ପରେ ଭାସ୍କର୍ଯ୍ୟ ଦୃଷ୍ଟିକୁ ଆସିଥିଲା। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ଏହି କାରୁକାର୍ଯ୍ୟପୂର୍ଣ୍ଣ ଚଉରାଟି ୮ଶହ ବର୍ଷର ପୁରୁଣା। ଚଉରାର ଉଚ୍ଚତା ୭ଫୁଟ ୬ ଇଞ୍ଚ ଉତ୍ତର ଦିଗରେ ୩ ଫୁଟ ଉଚ୍ଚତାର ସୂର୍ଯ୍ୟ ନାରାୟଣ ମନ୍ଦିର ରହିଛି। ଚତୁର୍ଭୁଜ ବିଶିଷ୍ଟ ସୂର୍ଯ୍ୟ ନାରାୟଣଙ୍କ ଦୁଇ ପାର୍ଶ୍ଵରେ ଲକ୍ଷ୍ମୀ ଓ ସରସ୍ଵତୀ ରହିଛନ୍ତି। ଏହାର ଦଧିନଉତି କିଛି ଅଂଶ ଭାଙ୍ଗି ଯାଇଥିଲେ ହେଁ ଏହାକୁ ମରାମତି କରାଯାଇଛି। ଚଉରାର ଦକ୍ଷିଣ ପାର୍ଶ୍ଵରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଗ୍ରହ ରହିଛି। ରାହୁ ମୁଣ୍ଡ ଓ ସିଂହମୂର୍ତ୍ତି ମଧ୍ୟ ରହିଛି। ଚଉରାର ପୂର୍ବ ଦିଗରେ ୪ ଫୁଟ ଉଚ୍ଚରେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ରହିଛି। ରାଧାକୃଷ୍ଣଙ୍କ ଉଭୟ ପାର୍ଶ୍ଵରେ ଦୁଇଟି ସଖୀ ରହିଛନ୍ତି। ଚଉରାର ପଶ୍ଚିମ ଦିଗରେ ଶ୍ରୀକୃଷ୍ଣଙ୍କ ବିଗ୍ରହ ଅଛି।
ପ୍ରାଚୀନ ଭାସ୍କର୍ଯ୍ୟ ଲୋକାର୍ପଣ ପରିପ୍ରେକ୍ଷୀରେ ଡ.ମିଶ୍ରଙ୍କ ସଂଯୋଜନାରେ ଟ୍ରଷ୍ଟବୋର୍ଡର ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ଏ ସମ୍ପର୍କିତ ଏକ ଆଲୋଚନା ସଭା କରାଯାଇଥିଲା। ଉତ୍ତରକାଶୀର ସନ୍ଥ ଏହି ଭାସ୍କର୍ଯ୍ୟମୟ.ପ୍ରତିକୃତିକୁ ଦେଖି ବିସ୍ମୟ ପ୍ରକାଶ କରିଥିଲେ। ପ୍ରଫେସର କୃଷ୍ଣଚନ୍ଦ୍ର ମିଶ୍ର ଏହି ଭାସ୍କର୍ଯ୍ୟର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଟ୍ରଷ୍ଟବୋର୍ଡ ସଦସ୍ୟ ମିହିର କୁମାର, ଆଦିତ୍ୟ ମିଶ୍ର, ସଦାଶିବ ସାହୁ, ଯାମିନୀକାନ୍ତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଭଜନ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *