୭ଶହରୁ ଉର୍ଦ୍ଧ୍ବ ଗାଈଗୋରୁ ଉଦ୍ଧାର, ବ୍ୟବସାୟୀ ଫେରାର
ଆଠଗଡ଼,ତିଗିରିଆ: ତିଗିରିଆ ଅଞ୍ଚଳରୁ ଡିସେମ୍ବର 10 ତାରିଖ ଦିନ ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଉଦ୍ଧାର ହୋଇଛନ୍ତି ୭୦୦ରୁ ଉର୍ଦ୍ଧ ଗାଈଗୋରୁ ଓ ଷଣ୍ଢ । ଖବର ନେବାରେ ଜଣାଯାଏ ତିଗିରିଆ ଥାନା ଅନ୍ତର୍ଗତ ବାରମାଣବନ୍ଧ ଓ କରଡ଼ପଲ୍ଲୀ ସନ୍ନିକଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବର୍ଷ ବର୍ଷ ଧରି ଗୋ-ଚାଲାଣ ଓ ଗୋ ମାଂସ ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଥିଲା । ଗୋ ଚାଲାଣ ଓ ଗୋ ମାଂସ ଚାଲାଣ ନେଇ ପୁଲିସ ଗୋ ଚାଲାଣକାରୀ ମଧ୍ୟରେ ବହୁବାର ସଂଘର୍ଷ ହେବା ଘଟଣାର ବହୁ ନଜିର ରହିଛି। 10 ତାରିଖ ଦିନ ଅଚାନକ ଭାବେ ଏହି ଗୋ ଚାଲାଣ ହେଉଥିବା ଆଡ୍ଡା ଉପରେ କଟକ ଜିଲ୍ଲା ପୁଲିସ ଅତର୍କିତ ଚଢ଼ାଉ କରି ପ୍ରାୟ ୭ଶହରୁ ଊର୍ଦ୍ଧ୍ବ ଗାଈ, ଗୋରୁ, ବଳଦ ଓ ଷଣ୍ଡ ଉଦ୍ଧାର କରିଛନ୍ତି । କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଚଢାଉରେ ଆଠଗଡ ଡିଏସ୍ ରବୀନ୍ଦ୍ର କୁମାର ମଲ୍ଲିକ ତଥା ବିଭିନ୍ନ ଥାନାର କର୍ମଚାରୀ ଓ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଆଡ୍ଡାରେ ଗୋରୁ ରଖି ବ୍ୟବସାୟୀମାନେ ଆଡ୍ଡା ଛାଡ଼ି ଫେରାର ହୋଇଯାଇଥିବାରୁ ଏଥିନେଇ କାହାରିକୁ ଗିରଫ କରାଯାଇପାରି ନାହିଁ। ସୁଚନା ମୁତାବକ କଟକ ଜିଲ୍ଲା ତିଗିରିଆ ବ୍ଲକ ଅନ୍ତର୍ଗତ କରଡାପଲ୍ଲୀ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ଓ ସହିତ ବାରମାଣ ବନ୍ଧ ନିକଟସ୍ଥ ଜଙ୍ଗଲ ମଧ୍ୟରେ ବର୍ଷବର୍ଷ ଧରି ଚାଲିଆସିଥିବା ଗୋ-ଚାଲାଣ ଆଡ୍ଡା ଉପରେ 10 ତାରିଖ ଦିନ କଟକ ଜିଲ୍ଲା ପୁଲିସ ଚଢାଉ କରିଥିଲା। ନରସିଂହପୁରରୁ ଆରମ୍ଭକରି ପଡ଼ୋଶୀ ଢେଙ୍କାନାଳ ତଥା ବାଙ୍କି ଆଦି ଅଞ୍ଚଳରୁ ବ୍ୟବସାୟୀମାନେ ଗାଇଗୋରୁ କିଣିବା ତଥା କେତେକ ସ୍ଥାନରେ ଗାଈଗୋରୁ ମାଲିକମାନେ ଗାଈଗୋରୁ ବିକ୍ରୀ କରିବା ପାଇଁ ଅମଙ୍ଗ ହେଲେ ବିଳମ୍ବିତ ରାତିରେ ଅସାମାଜିକ ଯୁବକମାନଙ୍କ ସହାୟତାରେ ଗୁହାଳରୁ ଗାଈଗୋରୁ ଖୋଲିଆଣି ଏଠାରେ ହତ୍ୟା କରାଯିବା ସହ ଏହାରକୁ ମାଂସରେ ପରିବର୍ତ୍ତନ କରି ଏସି ବ୍ୟବସ୍ଥା ଥିବା କଂଟେନର ତଥା ବରଫ ଖୋଡାଇ ଗୋ-ବ୍ୟବସାୟୀମାନେ ସୁଦୂର କଲିକତାକୁ ପଠାଇ ବେଶ୍ ଅର୍ଥ ଉପାର୍ଜନ କରିଆସୁଥିଲେ। ଏଥିନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ସହିତ ନିକଟରେ ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଓ ବଡମ୍ବା ଠାରେ କଂଟେନର ବୋଝେଇ ଗୋମାଂସ ଜବତ ପରେ ଏହି ଘଟଣାକୁ କେନ୍ଦ୍ରକରି ଉଷ୍ମତା ଦେଖାଦେଇଥିଲା । ଜବତ ଗାଈଗୋରୁଙ୍କୁ ରାଜ୍ୟର ବିଭିନ୍ନ ଗୋଶାଳାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଥିବା ବେଳେ ଆସନ୍ତା ଦିନରେ ଏହି ଚଢାଉକୁ ଆହୁରି ବ୍ୟାପକ କରାଯିବ ଓ ନିରିହ ଗାଈଗୋରୁଙ୍କୁ ହତ୍ୟା କରୁଥିବା ଅସାମାଜିକ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମାଞ୍ଚଳ ଏସପି ଶ୍ରୀ ସିଂ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି।