ବାଂଲାଦେଶରେ ହିନ୍ଦୁ ଅତ୍ୟାଚାର ବିରୋଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ରାଉରକେଲା: ସାମ୍ପ୍ରତିକ ପରିସ୍ଥିତିରେ ବଙ୍ଗଳାଦେଶରେ ରାଜନୈତିକ ଅସ୍ଥିରତା ଯୋଗୁଁ ହିନ୍ଦୁ ତଥା ଅଳ୍ପ ସଂଖ୍ୟକ ସମୁଦାୟଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ନିର୍ଯାତନା ଏବଂ ସର୍ବୋପରି ଦେଶଦ୍ରୋହ ଅପରାଧରେ ଛନ୍ଦିବା ଯୋଗୁଁ ଭାରତରେ ଏହାକୁ ବିରୋଧ କରାଯିବା ସହିତ ବିଭିନ୍ନ ହିନ୍ଦୁ ସମାଜ ପକ୍ଷରୁ ଭାରତ ସରକାରଙ୍କୁ ଏଦିଗରେ ପଦକ୍ଷେପ ନେବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଉଛି । ରାଉରକେଲା, ଓଡିଶା ପଶ୍ଚିମ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବାଙ୍ଗଲାଦେଶର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଇସ୍କନ ମନ୍ଦିରର ମୁଖ୍ୟ ପୂଜକ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅପରାଧରେ ଜେଲରେ ବନ୍ଦ୍ ରଖିବା ଏବଂ ସେଠାକାର ଅଳ୍ପ ସଂଖ୍ୟକ ହିନ୍ଦୁ ସମାଜ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ଉତ୍ପୀଡ଼ନ, ମହିଳାଙ୍କ ଉପରେ ଅତ୍ୟାଚାର, ଗଣଦୁଷ୍କର୍ମ, ହିନ୍ଦୁ ମନ୍ଦିର ଭାଙ୍ଗିବା, ଲୁଟ୍ କରାଯିବା ସହ ହିନ୍ଦୁଙ୍କ ବ୍ୟବସାୟ ବନ୍ଦ କରାଯିବା ଏବଂ ଏଥିଯୋଗୁଁ ହିନ୍ଦୁ ବ୍ୟବସାୟୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା, ସରକାରୀ ଚାକିରୀ ଓ ସରକାରୀ ପଦପଦବୀରେ ଅବସ୍ଥାପିତ ହିନ୍ଦୁଙ୍କୁ ଚାକିରୀ ଛାଡିବା ପାଇଁ ବାଧ୍ୟ କରାଯିବା ଏବଂ ତାଙ୍କ ସମ୍ପତ୍ତିକୁ କବ୍‌ଜା କରାଯିବା ଇତ୍ୟାଦି ଯୋଗୁଁ ସେଠାରେ ହିନ୍ଦୁ ସମାଜ ଭୟଭୀତ ଅବସ୍ଥାରେ ଅଛନ୍ତି । ଭାରତୀୟ ନିବେଶକ ଓ ଉଦ୍‌ଯୋଗୀମାନଙ୍କୁ ଏଭଳି ପରିସ୍ଥିତିରେ ବାଧ୍ୟ ହୋଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ପଡୁଛି । ଏଭଳି ପରିସ୍ଥିତିରେ ବଙ୍ଗଳାଦେଶର ୟୁନୁସ୍ ସରକାର ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଏହି ପରିସ୍ଥିତିର ଦୁଷ୍ପ୍ରଭାବ ଭାରତର ସୀମାବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ମଣିପୁର, ଆସାମ, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଉପରେ ପଡିବା ସହିତ ଆମ ଦେଶର ଆନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ବଙ୍ଗଳାଦେଶରେ ହିନ୍ଦୁ ସମାଜ ପ୍ରତି ଘଟୁଥିବା ଅତ୍ୟାଚାର ଓ ନିର୍ଯାତନାକୁ ବିରୋଧ କରାଯିବା ସହିତ ତାହା ତତକ୍ଷଣାତ୍ ବନ୍ଦ କରାଯିବାକୁ ଭାରତ ସରକାର ସମେତ ସମଗ୍ର ବିଶ୍ୱ ଦୃଢତାର ସହ ପ୍ରତିବାଦ କରାଯିବାକୁ ଆହ୍ୱାନ ଦିଆଯାଇଛି । ଏଥିସହିତ ମାନବାଧିକାର ପାଇଁ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ସଂସ୍ଥା, ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ଆୟୋଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବଙ୍ଗଳାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବନ୍ଦ କରାଯିବାକୁ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏଥିସହିତ ବାଙ୍ଗଲାଦେଶ ଜେଲରେ ବନ୍ଦୀ ଥିବା ଇସ୍କନ ମନ୍ଦିରର ପୂଜକ ଚିନ୍ମୟକୃଷ୍ଣ ଦାସଙ୍କୁ ମୁକ୍ତି କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଉପଲକ୍ଷେ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଉରକେଲାର ବିର୍ସା ଛକ ଠାରୁ ବାହାରିଥିବା ବିରାଟ ଶୋଭାଯାତ୍ରାରେ ସୁରକ୍ଷା ମଞ୍ଚର ଶିବ ପ୍ରସାଦ ମହାପାତ୍ର, ପ୍ରମୋଦ କୁମାର ସାହୁ, ନିରଞ୍ଜନ ପାତ୍ର, ସନ୍ତୋଷ ରାଉତ, ବୈଷ୍ଣବ ଚରଣ ମହାପାତ୍ର, ହେମନ୍ତ ଜେନା, ସୁଜନପଣ୍ଡା, ଅଖଣ୍ଡମଣ୍ଡଳ ପଣ୍ଡା, ପଙ୍କଜ ଦାସ, ଲଖନ ଲୋହାର, ବିଦ୍‌ଯା ପ୍ରସାଦ, ସନ୍ଦୀପ ମୁଖାର୍ଜୀ, ସୁଶୀଲ ସେଠୀ, ହିମାଂଶୁ ଶେଖର କଲ୍ୟାଣ, ଅବିନାଶ ସାମଲ ପ୍ରମୁଖଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକ, ସମାଜସେବୀ ପଦ୍ମୀନୀ ପାଣିଗ୍ରାହୀ, ପ୍ରମିଳା ସୁନା, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପ୍ରମିଳା ଦାସ, ସୁବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ରକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କୁ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *