ସିଡ୍ନି, ୨୮/୧୧: ସାମାଜିକ ଗଣମାଧ୍ୟମର କୁପ୍ରଭାବରେ ବିଶେଷତଃ କମ୍ ବୟସର ଶିଶୁ ଓ କିଶୋରମାନେ ପ୍ରଭାବିତ ହେଉଛନ୍ତି। ଏହି କଥାର ଗୁରୁତ୍ବ ବିଶ୍ୱବ୍ୟାପୀ ଅନୁଭୂତ ହେଉଛି, କିନ୍ତୁ ଅଷ୍ଟ୍ରେଲିଆ ଏ ଦିଗରେ ପ୍ରଥମ ବଳିଷ୍ଠ ପଦକ୍ଷେପ ନେଇଛି। ୧୬ବର୍ଷରୁ କମ୍ କିଶୋରକିଶୋରୀଙ୍କ ନିମନ୍ତେ ଦେଶରେ ସାମାଜିକ ଗଣମାଧ୍ୟମର ବ୍ୟବହାର ନିଷିଦ୍ଧ କରାଯାଇଛି। ଆଜି ଅଷ୍ଟ୍ରେଲିଆରେ ‘ସାମାଜିକ ଗଣମାଧ୍ୟମ ସର୍ବନିମ୍ନ ବୟସ’ ଆଇନ ଲାଗୁ ହୋଇଛି। ଏହି ଆଇନ ୨୦୨୫ ଜାନୁଆରିରୁ ପରକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ ଓ ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଲାଗୁ ହେବ।
ଆଇନାନୁସାରେ, କୌଣସି ସାମାଜିକ ଗଣମାଧ୍ୟମ ସଂସ୍ଥା ୧୬ବର୍ଷରୁ କମ୍ କିଶୋରକିଶୋରୀଙ୍କୁ ସେମାନଙ୍କ ପ୍ଲାଟଫର୍ମ ବ୍ୟବହାର କରିବାକୁ ଦେବେନାହିଁ । ଏହି ଆଇନର ଉଲଂଘନ କଲେ ୩୨ ନିୟୁତ ଡଲାର ଜୋରିମାନା ଦେବାକୁ ପଡ଼ିବ। ଏହା ପୂର୍ବରୁ ଫ୍ରାନ୍ସ ଓ ଫ୍ଲୋରିଡା ଭଳି କେତେକ ଆମେରିକୀୟ ରାଜ୍ୟରେ ସାମାଜିକ ଗଣମାଧ୍ୟମ ବ୍ୟବହାର ନେଇ କଟକଣା ରହିଛି। କଟକଣା ଅନୁସାରେ, ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କ ବ୍ୟବହାର ନିମନ୍ତେ ଅଭିଭାବକ ଓ ପିତାମାତାଙ୍କ ଅନୁମତି ଆବଶ୍ୟକ।