ବାଂଲାଦେଶକୁ ଭାରତର ତାଗିଦ-‘ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କର


ନୂଆଦିଲ୍ଲୀ, ୨୮/୧୧: ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଏବଂ ସାତଖିରାସ୍ଥିତ ଯଶୋରେଶ୍ଵରୀ ଉପରେ କ୍ରମାଗତ ଆକ୍ରମଣକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଉଦ୍‌ବେଗ ପ୍ରକାଶ କରିବା ସହ ବାଂଲାଦେଶ ସରକାର ଏହାର ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛି। ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କାର୍ତିବର୍ଦ୍ଧନ ସିଂହ କହିଛନ୍ତି, ଗତ କିଛି ମାସ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଓ ଦେବଦେବୀଙ୍କୁ ଅପମାନିତ କରିବା ଓ କ୍ଷତି ପହଞ୍ଚାଇବାର ଅନେକ ଘଟଣା ସାମ୍ନାକୁ ଆସିଛି। ୨୦୨୪ ଦୁର୍ଗାପୂଜା ସମୟରେ ତାନ୍ତିବଜାରରେ ଥିବା ପୂଜାମଣ୍ଡପ କାଳୀ ମନ୍ଦିରରେ ହୋଇଥିବା ଚୋରି ଭଳି ଘଟଣାକୁ ନେଇ ଭାରତ ସରକାର ଚିନ୍ତା ପ୍ରକଟ କରିଛନ୍ତି। ମନ୍ତ୍ରୀ ଭାରତର ଆଭିମୁଖ୍ୟକୁ ଦୋହରାଇ ବାଂଲାଦେଶକୁ ତା’ର ସମସ୍ତ ନାଗରିକ, ବିଶେଷ କରି ସଂଖ୍ୟାଲଘୁଙ୍କ ଜୀବନ ଓ ସ୍ଵାଧୀନତାର ସୁରକ୍ଷାବଜାୟ ରଖିବାକୁ ଅନୁରୋଧ କରିଥିଲେ। ହିନ୍ଦୁ ଓ ସମସ୍ତ ସଂଖ୍ୟାଲଘୁ ଏବଂ ସେମାନଙ୍କ ଉପାସନାସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବାକୁ ବାଂଲାଦେଶ ସରକାରଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସରକାର ସଂଖ୍ୟାଲଘୁଙ୍କ ସମେତ ବାଂଲାଦେଶର ସମସ୍ତ ନାଗରିକଙ୍କ ଜୀବନ ଓ ସ୍ଵାଧୀନତାର ସୁରକ୍ଷା କରିବା ବାଂଲାଦେଶ ସରକାରଙ୍କ ପ୍ରାଥମିକ ଦାୟିତ୍ଵ ବୋଲି ଭାରତ ଚେତାଇ ଦେଇଛି।

Leave a Reply

Your email address will not be published. Required fields are marked *