ଲକ୍ଷ୍ନୌ,୨୭।୧୧: ଉତ୍ତରପ୍ରଦେଶର ସମ୍ଭଲ ହିଂସା ମାମଲାରେ ପୁଲିସ ବୁଧବାର ପଥରମାଡ଼ କରିଥିବା ୧୦୦ଜଣଙ୍କର ପୋଷ୍ଟର ଜାରି କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତଙ୍କର ହାତରେ ପଥର ରହିଥିବାବେଳେ ମୁହଁ ବନ୍ଧାଯାଇଥିବା ଦେଖିବାକୁ ମିଳୁଛି। ପୁଲିସ ଅନୁସାରେ, ଆହୁରି କିଛି ଭିଡିଓ, ସିସିଟିଭି ଓ ଡ୍ରୋନ୍ ଫୁଟେଜ୍ର ଯାଞ୍ଚ କରାଯାଉଛି । ଆଗକୁ ଆହୁରି ପୋଷ୍ଟର ଜାରି ହେବ। ଏଥିସହିତ ରାସ୍ତାରେ ପଥରମାଡ଼ କାରୀଙ୍କ ପୋଷ୍ଟର ଓ ହୋର୍ଡି ମଧ୍ଯ ଲଗାଯିବ । ପୁଲିସ ଏହି ମାମଲାରେ ଅଦ୍ୟାବଧି ୪ ଜଣ ମହିଳାଙ୍କ ସମେତ ୨୭ ଜଣ ଉପଦ୍ରବୀଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଜେଲ୍ ପଠାଇଛନ୍ତି। ଇତିମଧ୍ୟରେ ସମ୍ଭଲ ହିଂସାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ସେଥିରେ ସପା ସାଂସଦ ଜିୟାଉର ହମାନ୍ ବର୍କଙ୍କ ଘର ନିକଟରେ କିଛି ମହିଳା ଛାତ ଉପରୁ ପୁଲିସ ଉପରକୁ ପଥରମାଡ଼ କରୁଥିବା ଦେଖିବାକୁ ମିଳିଛି। ସେହିପରି ପଥରମାଡ଼ରେ ସାମିଲ ଅରାଜକ ତତ୍ତ୍ଵଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଆଞ୍ଜନେୟ ସିଂହ କହିଛନ୍ତି। ସମ୍ଭଲରେ ନଭେମ୍ବର ୨୪ ତାରିଖରେ ଶାହି ଜାମା ମସଜିଦ୍ ସର୍ଭେ ସମୟରେ ପଥରମାଡ଼ ଓ ହିଂସା ଘଟଣା ଘଟିଥିଲା। ସେଥିଯୋଗୁ ୪ ଜଣ ଲୋକ ପ୍ରାଣ ହରାଇଥିଲେ । ତା’ ପରଠାରୁ ଅଦ୍ୟାବଧି ମଧ୍ୟ ସେ ହି ଅଞ୍ଚଳରେ ଉତ୍ତେଜନାମୂଳକ ସ୍ଥି ତି ରହିଛି। ବିଭିନ୍ନ ସ୍ଥାନରେ ପୁଲିସବଳ ମୁତୟନ ଅଛନ୍ତି। ଇତିମଧ୍ୟରେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।