ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାରେ ଗୋଶାଳାକୁ ସହାୟତା ପ୍ରଦାନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ପ୍ରାଣୀକଲ୍ୟାଣ ଯୋଜନାରେ ରାଜ୍ୟରେ ଥିବା ଗୋଶାଳାଗୁଡ଼ିକୁ ଅସହାୟ ଗୋରୁଙ୍କ ଯତ୍ନ ପାଇଁ ସହାୟତା ପ୍ରଦାନ କରାଯାଇଛି । ଆମ ସମାଜରେ ଗାଈଗୋରୁଙ୍କ ମୂଲ୍ୟବାନ ଅବଦାନକୁ ବିଚାରକୁ ନେଇ ସେମାନଙ୍କ ପାଇଁ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଇଛି । ଗୋଶାଳାରେ ଅସହାୟ ଗୋରୁଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଗୋବର ବ୍ୟବହାର କ୍ରମେ ଜିଆଖତ ଉତ୍ପାଦନ ପାଇଁ ଗୋଧନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସହାୟତା ପ୍ରଦାନ କରାଯାଉଛି । ଗୋଶାଳା ଓ ଗୋଧନ କେନ୍ଦ୍ରଗୁଡ଼ିକ ରାଜ୍ୟରେ ପ୍ରାଣୀକଲ୍ୟାଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବୀ କରିବ ବୋଲି ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଲ୍ଲେଖ କରିଛନ୍ତି । ନଭେମ୍ବର 22 ତାରିଖ ଦିନ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସ୍ୱାମୀନାଥନ୍ ହଲ୍ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଯୋଗଦେଇ ପଞ୍ଜିକୃତ ଗୋଶାଳା ଗୁଡ଼ିକୁ ସହାୟତା ରାଶି ବିତରଣ କରିଛନ୍ତି । କାର୍ଯ୍ୟକ୍ରମରେ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ପଞ୍ଜିକୃତ ୬୬ଟି ଗୋ-ଶାଳାକୁ ପ୍ରଥମ ପର୍ଯ୍ୟାୟ ସହାୟତା ରୂପେ ୮.୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତି ବୟସ୍କ ଗୋରୁ ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ସହାୟତା ଭାବରେ ପ୍ରାୟ ୨୦ ହଜାର ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ କରାଯାଇ ପାରିବ ।
ସେହିପରି ନୂତନ ଗୋ-ଶାଳା ପ୍ରତିଷ୍ଠା ନିମନ୍ତେ ୧୩ଟି ପ୍ରାଣୀକଲ୍ୟାଣ ସଂସ୍ଥାଙ୍କୁ ପ୍ରାୟ ୧୩୦୦ ଅସହାୟ ଗୋରୁଙ୍କ ଥଇଥାନ ପାଇଁ ଗୋଶାଳା ନିର୍ମାଣ ସକାଶେ କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଛି । ଏହି ନୂତନ ଗୋ-ଶାଳାଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେମାନଙ୍କୁ ପ୍ରାୟ ୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । ସେହିପରି ୪୭ଟି ଗୋଧନ କେନ୍ଦ୍ର ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି ୪୭ଟି ଗୋଧନ କେନ୍ଦ୍ର ପ୍ରତିଷ୍ଠା ହେବା ପରେ ୨.୧୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ । ବାର୍ଷିକ ପ୍ରାୟ ୩ ହଜାର ଟନ ଜିଆଖତ ଉତ୍ପାଦନ ହୋଇପାରିବ। ଏହା ମାଧ୍ୟମରେ ରାଜ୍ୟର ଗୋ-ଶାଳା ଏବଂ ଗୋପାଳକମାନେ ଲାଭବାନ ହୋଇପାରିବେ ।
କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜର, ରାଜ୍ୟର ବିଭିନ୍ନ ପ୍ରାଣୀକଲ୍ୟାଣ ଅନୁ ଷ୍ଠାନର କାର୍ଯ୍ୟକର୍ତ୍ତା ଏବଂ ସରକାରୀ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।-22