ଅଟୋ ଚାଳକଙ୍କ ମହନୀୟତା

ଅଟୋ ଚାଳକଙ୍କ ମହନୀୟତା
ଚନ୍ଦ୍ରଶେଖରପୁର: ଏବେବି ବଞ୍ଚିରହିଛି ମାନବିକତା। ଅନେକ ସମୟରେ ଅଟୋରେ ଯାଉଥିବା ସମୟରେ ଜିନିଷ ଚୋରି ହେବାର ନଜିର ରହିଛି। ହେଲେ ଏମିତି କିଛି ଅଟୋ ଚାଳକ ଅଛନ୍ତି ଯିଏ ରାସ୍ତାରୁ ପାଇଥିବା ଅନ୍ୟର ଟଙ୍କା ଫେରାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏପରି ଏକ ଘଟଣା ଘଟିଛି । ଚନ୍ଦ୍ରଶେଖରପୁର ଥାନା ପଟିଆ ଅଞ୍ଚଳରେ। ରାସ୍ତାରୁ ପାଇଥିବା ୧ ଲକ୍ଷ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି ଅଟୋ ଚାଳକ ବାବୁଲା ମାଝୀ।
ଘଟଣାଟି ଏହିପରି, ଘର ଛାତ ପକାଇବା ପାଇଁ ଖୋର୍ଦ୍ଧା ବେଗୁନିଆର ସୁବୋଧ କୁମାର ବରାଳ ଭୁବନେଶ୍ୱରରେ ରହୁଥିବା ଭଉଣୀଙ୍କ ଘରକୁ ଟଙ୍କା ପାଇଁ ଆସିଥିଲେ। ଭଉଣୀଙ୍କ ଠାରୁ ପାଞ୍ଚ ଶହ ଟଙ୍କିଆ ଦୁଇଟି ବଣ୍ଡଲରେ ୧ ଲକ୍ଷ ଟଙ୍କା ନେଇ ବାଇକରେ ଗାଁକୁ ଫେରୁଥିଲେ। ପଟିଆ ଟ୍ରାଫିକ୍ ଛକ ରାସ୍ତାରେ ତାଙ୍କ ଟଙ୍କା ବ୍ୟାଗଟି ପଡ଼ି ଯାଇଥଲା। କିଛିବାଟ ଯିବା ପରେ ସେ ଟଙ୍କା ନପାଇ ଚନ୍ଦ୍ରଶେଖରପୁର ଥାନାରେ ଆସି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ସେହି ରାସ୍ତାରେ ବାବୁଲା ଅଟୋ ନେଇ ଯାଉଥିଲେ। ତାଙ୍କ ନଜର ପଡିଥିଲା ଉକ୍ତ ଟଙ୍କା ବ୍ୟାଗ୍ ଉପରେ। ବ୍ୟାଗ୍ ଖୋଲି ଦେଖନ୍ତି ସେଥିରେ ୧ ଲକ୍ଷ ଟଙ୍କା ଥିଲା। ତେଣୁ ବ୍ୟାଗକୁ ଧରି ଚାରିଆଡ଼େ ଖୋଜାଖୋଜି କରିବା ସହ ଆଖପାଖ ଲୋକଙ୍କୁ ପଚାରି ବୁଝିଥିଲେ । ମାତ୍ର କୌଣସି ସୂଚନା ପାଇନଥିଲେ । ପରେ ପୁଲିସ ସହଯୋଗରେ ୧ ଲକ୍ଷ ଟଙ୍କା ଧରି ଥାନାରେ ପହଞ୍ଚି ଥିଲେ। ସେଠାରେ ସୁବୋଧଙ୍କୁ ଟଙ୍କା ହସ୍ତାନ୍ତର କରିଥିଲେ। ଚନ୍ଦ୍ରଶେଖରପୁର ଥାନାରେ ଅଟୋ ଚାଳକ ବାବୁଲା ମାଝୀ (ଡାହାଣ) ପୁଲିସକୁ ଏକ ଲକ୍ଷ ଟଙ୍କା ଫେରାଉଛନ୍ତି।

Leave a Reply

Your email address will not be published. Required fields are marked *