ନିମାପଡ଼ା ଭୁବନେଶ୍ଵର ରାସ୍ତାରେ ପିକ୍‌ଅପ୍ ଭ୍ୟାନ୍‌ରୁ ଦେଢ଼ କ୍ୱିଣ୍ଟାଲ୍ ଗୋମାଂସ ଜବତ

ପିକ୍‌ଅପ୍ ଭ୍ୟାନ୍‌ରୁ ଦେଢ଼ କ୍ୱିଣ୍ଟାଲ୍ ଗୋମାଂସ ଜବତ
ବାଲିପାଟଣା: ନିମାପଡ଼ା ଭୁବନେଶ୍ଵର ରାସ୍ତାରେ ସ୍ଥାନୀୟ ନରଦା ଷ୍ଟେଟ୍ ବ୍ୟାଙ୍କ୍ ନିକଟରୁ ଅକ୍ଟୋବର ୩୦ ତାରିଖ ଦିନ ଏକ ଗୋମାଂସ ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ କରାଯାଇଛି। ଏହି ଗାଡ଼ିରେ ୩ଟି ବସ୍ତାରେ ଦେଢ଼ କ୍ୱିଣ୍ଟାଲ ମାଂସ ଥିବା ଜଣାପଡ଼ିଛି । କିନ୍ତୁ ନିମାପଡ଼ାରୁ ବାଇକ୍ ଯୋଗେ ପିଛା କରୁଥିବା ଯୁବକମାନଙ୍କୁ ଚକ୍ରମା ଦେଇ ପିକଅପ୍ ଭ୍ୟାନ୍ ଚାଳକ ଚମ୍ପଟ ମାରିବାରେ ସଫଳ ହୋଇଛି। ବାଲିପାଟଣା ଥାନା ପୁଲିସ ଗାଡ଼ିକୁ ଜବତ କରିବା ସହ ଗୋମାଂସକୁ ପୋତିଦେଇଛି ଏବଂ ଗୋମାଂସ ଚାଲାଣର ଚେର ଠାବ କରିବାକୁ ଛାନ୍‌ଭିନ୍‌ ଚଳାଇଛି। ନିମାପଡ଼ା ଅଞ୍ଚଳରୁ ଏହି ଗୋମାଂସ ଭୁବନେଶ୍ଵରର କେଉଁ ଅଞ୍ଚଳକୁ, କେଉଁ ଉଦ୍ଦେଶ୍ୟରେ ଚାଲାଣ ହେଉଥିଲା, ତାହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି। ଆଜି ଭୋର୍ ପ୍ରାୟ ୫ଟା ବେଳେ ନିମାପଡ଼ା ସରଦେଇପୁର ରାସ୍ତାରେ ଏକ ପିକ୍‌ଅପ୍ ଭ୍ୟାନ୍(ଓଡି ୦୨ ସିଏମ୍ ୭୧୮୨) ଦ୍ରୁତବେଗରେ ଯାଉଥିଲା ଏବଂ କିଛି ବାଇକ୍ ତାକୁ ପିଛା କରୁଥିଲା । ପିଛା କରୁଥିବା ଯୁବକମାନେ ନରଦା ଷ୍ଟେଟ୍ ବ୍ୟାଙ୍କ୍ ସମ୍ମୁଖରେ ଗାଡ଼ିକୁ ଅତିକ୍ରମ କରିଥିଲେ ଏବଂ ଅଟକିବାକୁ ଚାଳକକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଖସିବା ବାଟ ନ ଦେଖି ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ିକୁ ରାସ୍ତା କଡ଼କୁ ସାଇଡ୍ କରୁଛି ବୋଲି ଠାରିଥିଲା ଏବଂ ହଠାତ୍ ଗାଡ଼ିରୁ ଡେଇଁ ଦୌଡ଼ିଥିଲା। ପିଛା କରୁଥିବା ଯୁବକମାନେ ତାକୁ ଗୋଡ଼ାଇବାକୁ ସାହସ କରିନଥିଲେ । ଖବର ପାଇ ବାଲିପାଟଣା ଥାନା ପୁଲିସ ସେଠାରେ ପହଞ୍ଚି ଗାଡ଼ିକୁ ଜବତ କରିଥିଲା। ଉଭୟ ଗାଡ଼ି ମାଲିକ ଓ ଚାଳକକୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *