ପେପର ପ୍ଲେଟ ୟୁନିଟ ସ୍ଥାପନ କରି ମହିଳା ହୋଇଛନ୍ତି ସ୍ବାବଲମ୍ବୀ


ଗୁଣପୁର: ପେପର ପ୍ଲେଟ ୟୁନିଟ ସ୍ଥାପନ କରି ମହିଳା ହୋଇଛନ୍ତି ସ୍ବାବଲମ୍ବୀ । ଅନ୍ୟମାନଙ୍କୁ ମଧ୍ୟ ଦେଇଛନ୍ତି ରୋଜଗାର। ଏହି ମହିଳାମାନେ ହେଲେ ରାୟଗଡ଼ା ଜିଲ୍ଲାର ଆଦିବାସୀବହୁଳ ଗୁଣପୁର ମ୍ୟୁନିସପାଲଟି ଅନ୍ତର୍ଗତ ହାଉସିଂ ବୋର୍ଡ ୱାର୍ଡ ନଂ-୧୯ ର ମା’ ତାରିଣୀ ସ୍ବୟଂସହାୟିକା ଗୋଷ୍ଠୀ ସଦସ୍ୟା। ଏମାନେ ଦିନଥିଲା ଦିନ ମଜୁରିଆ କାମ କରି ପରିବାର ପୋଷଣ କରୁଥିଲେ। ଏବେ ସେମାନଙ୍କ ଆର୍ଥିକ ସ୍ଥିତି ଉତ୍ତମ ରହିଛି।
ଅଙ୍ଗନବାଡ଼ି ଦିଦିଙ୍କ ପ୍ରେରଣା ଓ ସହଯୋଗରେ ୨୦୦୨ରେ ୧୦ଜଣ ମହିଳା ମିଶନଶକ୍ତି ଜରିଆରେ ଉକ୍ତ ଗୋଷ୍ଠୀ ଗଠନ କରିଥିଲେ । ମିଶନଶକ୍ତି ବ୍ଳକ ପ୍ରକଳ୍ପ ସଂଯୋଜକ ଜୟନ୍ତ କୁମାର ସେଠୀଙ୍କ ପରାମର୍ଶ ଓ ତତ୍ତ୍ବାବଧାନରେ ଗୋଷ୍ଠୀ ସଭାପତି ସାଇବାଣୀ ଶବର ଏବଂ ସମ୍ପାଦିକା ତାଡିଙ୍ଗି ବୁଡୁ ଅନ୍ୟମାନଙ୍କ ସହମତିରେ ପେପର ପ୍ଲେଟ ୟୁନିଟ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଥିଲେ। ବ୍ୟାଙ୍କରୁ ତିନିଲକ୍ଷ ଟଙ୍କା ଋଣ ନେଇ ଡିସେମ୍ବର ୪, ୨୦୨୩ରେ ୟୁନିଟ ସ୍ଥାପନ କରିଥିଲେ। ସେବେଠାରୁ ମହିଳାମାନେ ପଛକୁ ଫେରି ଚାହିଁନାହାନ୍ତି | ଏବେ ସୁଦ୍ଧା ପ୍ରାୟ ୮୦ହଜାର ପେପର ପ୍ଲେଟ ପ୍ରସ୍ତୁତ କରି ପାଖ ବଜାରରେ ବିକ୍ରି କରି ବେଶ୍ ଲାଭବାନ ହୋଇଛନ୍ତି। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବାରୁ ବ୍ୟାଙ୍କ ଆଉ ୫ଲକ୍ଷ ଟଙ୍କା ଋଣ ଦେଇଛି। ଖାଲି ପେପର ପ୍ଲେଟ ନୁହେଁ ମାଣ୍ଡିଆ ଚାଷକରି କୃଷି ବିଭାଗ ଦ୍ଵାରା ମହିଳାମାନେ ପ୍ରଶଂସିତ ହୋଇଛନ୍ତି।
4

Leave a Reply

Your email address will not be published. Required fields are marked *