ଆଉ ଦେଖିବାକୁ ମିଳିବନି ତେଜରାତି ଦୋକାନ ! ବର୍ଷକରେ ବନ୍ଦ ହେଲାଣି ୨ ଲକ୍ଷ ଷ୍ଟୋର୍



ନୂଆଦିଲ୍ଲୀ: ଫଟାଫଟ୍ ଡେଲିଭରି ଦେଶର ଲକ୍ଷ ଲକ୍ଷ କିରାନା ଦୋକାନ ଲାଗି ଘାତକ ସାବ୍ୟସ୍ତ ହୋଇଛି। ଅନ୍‌ଲାଇନ୍‌ରେ ବରାଦ କରାଯାଉଥିବା ସାମଗ୍ରୀ ଆଖିପିଛୁଳାକେ ଘରେ ପହଞ୍ଚି ଯାଉଥିବାରୁ ପ୍ରାୟ ୨ ଲକ୍ଷ ତେଜରାତି ଦୋକାନ ବନ୍ଦ ହୋଇଯାଇଛି ବୋଲି ସର୍ବଭାରତୀୟ ଉପଭୋକ୍ତା ଉତ୍ପାଦ ବଣ୍ଟନ ମହାସଂଘ ଦାବି କରିଛି। ଦେଶରେ ୧.୩ କୋଟିରୁ ଅଧିକ ତେଜରାତି ଦୋକାନ ଥିବା ବେଳେ ସେଥିରୁ ଦ୍ଵିତୀୟ ଶ୍ରେଣୀ ଓ ଛୋଟ ସହଗୁଡ଼ିକରେ ୧ କୋଟି ପାଖାପାଖି ଦୋକାନ ରହିଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ କ୍ଳିକ୍ କମର୍ସ ପ୍ରଭାବରେ ମେଟ୍ରୋ ସହରଗୁଡ଼ିକରେ ଥିବା ତେଜରାତି ଦୋକାନଗୁଡ଼ିକ ଅଧିକ ପ୍ରଭାବିତ ହୋଇଛନ୍ତି। କେବଳ ବଡ଼ ସହରଗୁଡ଼ିକରେ ୯୦ ହଜାର ଦୋକାନ ବନ୍ଦ ହୋଇଯାଇଛି। ପ୍ରଥମ ଶ୍ରେଣୀ ସହରଗୁଡ଼ିକରେ ୬୦ ହଜାରା ଓ ଦ୍ବିତୀୟ ତଥା ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ୫୦ ହଜାର ପାଖାପାଖି ତେଜରାତି ଦୋକାନ ବନ୍ଦ ହୋଇଥିବା ମହାସଂଘ ପକ୍ଷରୁ କୁହାଯାଇଛି। ମହାସଂଘର ଜାତୀୟ ସଭାପତି ଧୈର୍ଯ୍ୟଶୀଳ ପାଟିଲ କହିଛନ୍ତି ଯେ କ୍ଳିକ୍ କମର୍ସ ପାଇଁ ତେଜରାତି ଦୋକାନଗୁଡ଼ିକର ଗ୍ରାହକ କମ୍ ହେଉଥିବା ବେଳେ ସେମାନଙ୍କ ବେପାର ଓ ଲାଭ ଉଭୟ ହ୍ରାସ ପାଇଛି। ଅନ୍‌ଲାଇନ୍ ପ୍ଲାଟଫର୍ମ ବଡ଼ ଧରଣର ରିହାତି ଦେଉଥିବାରୁ ଗ୍ରାହକମାନେ ଦୋକାନ ଆସିବାକୁ ଚାହୁନାହାନ୍ତି। ଗତ ୨-୩ ବର୍ଷ ତୁଳନାରେ ଚଳିତ ବର୍ଷ ତେଜରାତି ଦୋକାନର ଗ୍ରାହକ ବହୁତ ହ୍ରାସ ପାଇଛି।
ତେଜରାତି ଦୋକାନ ଉପରେ ଦେଶର ହଜାର ହଜାର ପରିବାର ନିର୍ଭରଶୀଳ ସେମାନଙ୍କ ଜୀବିକାର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ କ୍ଳିକ୍ କମର୍ସ କମ୍ପାନିଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଆଇନ୍ ଆସିବା ଦରକାର ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ବ୍ଲାଙ୍କଇଟ୍‌, ସ୍ନିଗି ଓ କେପ୍‌ ପ୍ରଦାନ କରୁଥିବା ଦାମର ତଦନ୍ତ କରିବା ଲାଗି ମହାସଂଘ ପକ୍ଷରୁ ଭାରତୀୟ ପ୍ରତିଯୋଗିତା କମିସନଙ୍କୁ ଚିଠି ଲେଖାଯାଇଛି। ଗୋଟିଏ ପଟେ କ୍ଳିକ୍ କମର୍ସ ତେଜରାତି ଦୋକାନଗୁଡ଼ିକ ଲାଗି ଘାତକ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟପଟେ ତେଲ ଓ ସାବୁନ୍ ଭଳି ସାମଗ୍ରୀ ଉତ୍ପାଦନ ଓ ବିକ୍ରି କରୁଥିବା ଏଫ୍ଏମ୍‌ଜି କମ୍ପାନିଗୁଡ଼ିକ ଲାଗି ବରଦାନ ହୋଇଛି। ଏହି ଉତ୍ସବ ଋତୁରେ ଅନ୍‌ଲାଇନ୍‌ରେ ସେମାନଙ୍କ ବିକ୍ରି ୨୫୦ ପ୍ରତିଶତ ବଢ଼ିଛି।

Leave a Reply

Your email address will not be published. Required fields are marked *