ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବ୍ରହ୍ମପୁର ତରଫରୁ ସଂଘର ପ୍ରତିଷ୍ଠା ଦିବସ ତଥା ବିଜୟା ଦଶମୀ ଉତ୍ସବ

ବ୍ରହ୍ମପୁର, ୧୦ ।୧୦ :ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ତଥା ପବିତ୍ର ବିଜୟା ଦଶମୀ ଉତ୍ସବ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଛି । ମହାନଗରର ୪ଟି ସ୍ଥାନରୁ ୪ଟି ପଥ ସଞ୍ଚଳନ ସକାଳ ୭ଟାରେ ବାହାରିଥିଲା। ଗୋସାଇଁନୂଆଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କୋର୍ଟପେଟା ଛକ ନିକଟ ଜଳସେଚନ ବିଭାଗ କାର୍ଯ୍ୟାଳୟ ପାଖ ଏବଂ ଏମ୍‌ସିଜି ମେଡିକାଲ ପଡିଆରୁ ପଥ ସଞ୍ଚଳନ ବାହାରି ସମସ୍ତେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ଗଣବେଶଧାରୀ ସ୍ୱୟଂସେବକମାନେ ଘୋଷବାଦ୍ୟ ଓ ଭଗବା ଧ୍ଵଜ ସହ ପରିକ୍ରମା କରିବା ବେଳେ ବିଭିନ୍ନ ସ୍ଥାନରେ ଫୁଲ, ଦୀପ ସହ ସ୍ବାଗତ କରାଯାଇ ଥିଲା। ପରେ ବିଶ୍ଵବିଦ୍ୟାଳୟ ପଡିଆରେ ହୋଇଥିବା ସଭାରେ ନିୟୁଦ୍ଧ, ଦଣ୍ଡ ଯୁଦ୍ଧ, ଯୋଗାସନ ଆଦି ଶାରୀରିକ ପ୍ରଦର୍ଶନ କରିଥିଲେ। ଆର୍‌ଏସ୍ଏସ୍ ଗଞ୍ଜାମ ବିଭାଗ ସଂଘଚାଳକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଭଗବାନ ତ୍ରିପାଠୀ, ଜିଲ୍ଲା ସଂଘଚାଳକ ତଥା ଅବସରପ୍ରାପ୍ତ ହୋମିଓପାଥିକ କଲେଜ ଅଧ୍ୟକ୍ଷ ଡା. ପ୍ରଶାନ୍ତ କୁମାର ପତି ମଞ୍ଚାସୀନ ଥିଲେ । ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଡକ୍ଟର୍ସ ଫୋରମ୍ ସଭାପତି ଡା. ଶଙ୍କର୍ଷଣ ପାତ୍ର ମୁଖ୍ୟ ଅତିଥି ଏବଂ ଆର୍‌ଏସ୍ଏସ୍ ଓଡ଼ିଶା ପୂର୍ବପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ମୁଖ୍ୟ ବକ୍ତା ଥିଲେ । ନଗର କାର୍ଯ୍ୟବାହ ସୁରେଶ ବିଷୋୟୀ ଅତିଥି ପରିଚୟ କରାଇଥିଲେ ।

ମୁଖ୍ୟ ଅତିଥି କହିଥିଲେ ଯେ- ସୁସ୍ଥ ରାଷ୍ଟ୍ର ସକାଶେ ସୁସ୍ଥ ସଂସ୍କୃତି ଓ ସୁସ୍ଥ ମାନସିକତା ଆବଶ୍ୟକ। ଅନେକ କ୍ଷେତ୍ରରେ ଲୋକେ ନିଜକୁ ରାଜ୍ୟ, ଧର୍ମ, ଜାତି ଆଧାରରେ ପରିଚୟ ଦେଉଛନ୍ତି ସିନା ଭାରତୀୟ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି। ସଂସ୍କାର ବ୍ୟକ୍ତି ଠାରୁ, ତାର ପରିବାରରୁ ଆରମ୍ଭ କରି ମାନସିକତା ବଦଳାଇଲେ ରାଷ୍ଟ୍ର ସମୃଦ୍ଧ ହେବ।

ମୁଖ୍ୟ ବକ୍ତା କହିଥିଲେ ଯେ- ସମାଜରେ ଭିନ୍ନ ଭିନ୍ନ ବିଚାରଧାରା ରହିଛି । କିନ୍ତୁ ଆର ଏସ୍ ଏସ୍ ସକାଶେ ଦେଶଭକ୍ତି ସର୍ବାଦୌ ଓ ସର୍ବାଗ୍ରେ ବିଚାର ଅଟେ । ବ୍ୟକ୍ତି ନିର୍ମାଣର ପ୍ରଥମ ପାହାଚ ହେଉଛି ରାଷ୍ଟ୍ର ଭକ୍ତ । ଦେଶକୁ ଆରାଧ୍ୟା ମୂର୍ତ୍ତିମନ୍ତ ପ୍ରତୀକ ବୋଲି ଶାଖାସ୍ଥାନରେ ସ୍ୱୟଂସେବକଙ୍କୁ ଶିକ୍ଷା ଦିଆଯାଏ। ସେଥିପାଇଁ ନିଜ ଇଚ୍ଛାରେ ଦେଶସେବା କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ ସ୍ଵୟଂସେବକ। ସେଥିପାଇଁ ତାକୁ ସମାଜସେବା, ଅନୁଶାସନ, ସମର୍ପଣର ଭାବ ଆଦି ଗୁଣର ଶିକ୍ଷା ପ୍ରଦାନ କରାଯାଏ। ସେଥିପାଇଁ ସଂଘ ଆଜି ବିଶ୍ୱର ସର୍ବବୃହତ୍ ରାଷ୍ଟ୍ରବାଦୀ ସ୍ଵେଚ୍ଛାସେବୀ ସଙ୍ଗଠନ ହୋଇପାରିଛି ।

Leave a Reply

Your email address will not be published. Required fields are marked *