ରୋହିଙ୍ଗିଆ ଓ ବାଂଲାଦେଶୀ ମୁସଲମାନମାନଙ୍କୁ ବିତାଡିତ କରିବା ଲାଗି ଭାରତ ରକ୍ଷା ମଞ୍ଚର ବିଶାଳ ସମାବେଶ

ଭୁବନେଶ୍ୱର: ଓଡ଼ିଶା ସମେତ ଭାରତର ବିଭିନ୍ନ ପ୍ରଦେଶରେ ରୋହିଙ୍ଗିଆ ଓ ବାଂଲାଦେଶୀ ମୁସଲମାନମାନେ ଆସି ବେଇଆଇନ୍ ଭାବେ ସ୍ଥାୟୀ ବସବାସ କରିବାରେ ଲାଗିଲେଣି । ଦିନରେ ସେମାନେ ଫେରିବାଲା ଓ ଅନ୍ୟାନ୍ୟ ବ୍ୟବସାୟ ତଥା କାରିଗର ଭାବେ କାମ କରୁଥିବାବେଳେ ରାତିରେ ସେମାନେ ଚୋରି, ତସ୍କରୀ, ଡକାୟତି ଭଳି ବହୁ ଜଘନ୍ୟ ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ହେଉଛନ୍ତି । ଏମାନଙ୍କୁ ତୁରନ୍ତ ଚିହ୍ନଟ କରି ରାଜ୍ୟ ତଥା ଦେଶରୁ ବିତାଡ଼ିତ କରିବା ଲାଗି ‘ଭାରତ ରକ୍ଷା ମଞ୍ଚ’ ପକ୍ଷରୁ ବିଶାଳ ଜନ ସମାଗମ କରି ଦାବି କରାଯାଇଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ସ୍ଥାନୀୟ ଲୋୟର ପିଏମ୍ଜି ଠାରେ ମଞ୍ଚର ରାଷ୍ଟ୍ରୀୟ ମହାସଚିବ ଅଶୋକ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ ଏହି ଅନୁଷ୍ଠାନର ଜାତୀୟ ତଥା ରାଜ୍ୟସ୍ତର ନେତାମାନେ କହିଥିଲେ ଯେ ରୋହିଙ୍ଗିଆ ଓ ବାଂଲାଦେଶୀ ମୁସଲମାନମାନେ ଭାରତରେ ଜନ ଅସ୍ଥିରତା ଭଳି ମନ୍ଦ ଉଦେ୍ଦ୍ୟଶ ରଖି ଅନୁପ୍ରବେଶ କରୁଛନ୍ତି । ଏହା ଅତ୍ୟନ୍ତ ଉଦ୍ବେଗର ବିଷୟ । ମଞ୍ଚର ପ୍ରତିଷ୍ଠାତା ଓ ରାଷ୍ଟ୍ରୀୟ ସଂଯୋଜକ ସୂର୍ଯ୍ୟକାନ୍ତ କେଲକର କହିଲେ, ଭାରତର କେରଳ ଓ ପଶ୍ଚିମବଙ୍ଗ ଭଳି କେତେକ ପ୍ରଦେଶରେ ବର୍ତ୍ତମାନ ହିନ୍ଦୁମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ଏହି ଅବସରରେ ଶ୍ରୀ ଆଚାର୍ଯ୍ୟ ସ୍ୱାମୀ ଲକ୍ଷଣାନନ୍ଦଙ୍କ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଥିଲେ । ମଞ୍ଚର ସଭାପତି ସତ୍ୟନାରାୟଣ ଜାଟିୟା, ପୂର୍ବତନ ନାଭାଲ କମାଣ୍ଡର ଭୂଷଣ ଦିୱାନ, ଗବେଷକ ଅନୀଲ ଧୀର, ଶିବ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଜେନା, ସୁରେନ୍ଦ୍ର ମହାନ୍ତି, ମମତା ପଣ୍ଡା ପ୍ରମୁଖ ବହୁ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ । ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ପୁରଞ୍ଜନ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *