ଭାବମୟ ପରିବେଶରେ ଚୁଡ଼ାକୁଟି ସରସ୍ୱତୀ ଶିଶୁମନ୍ଦିରରେ ଜନ୍ମାଷ୍ଟମୀ


ଧାମନଗର : ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ (ଜନ୍ମାଷ୍ଟମୀ) ପାଳନ କରାଯାଇଛି । ଏହି ପବିତ୍ର ଉତ୍ସବ ପାଳନ ଅବସରରେ ଶିଶୁ ମନ୍ଦିରର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣ ଓ ପରମ ପ୍ରେମମୟୀ ଶ୍ରୀରାଧାଙ୍କ ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପିଲାମାନେ ବିଭିନ୍ନ ବେଶ ପରିପାଟୀ ସହିତ ରଙ୍ଗ ବେରଙ୍ଗର ପାଟ, ମୟୂଚନ୍ଦ୍ରିକା, ମୁକୁଟ, ବଂଶୀ ଓ ଚିତ୍ରିତ ମାଟିଗରା ବ୍ୟବହାର କରି ରାଧା କୃଷ୍ଣ ବେଶରେ ସୁସଜ୍ଜିତ ହୋଇଥିଲେ । ଶିଶୁ ମନ୍ଦିରର ପ୍ରତିଷ୍ଠାତା ତଥା ସାମ୍ବାଦିକ ବିବେକାନନ୍ଦ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି ଭକ୍ତି ଓ ଭାବମୟ କାର୍ଯ୍ୟକ୍ରମରେ ଧାମନଗର ବ୍ଲକ ସହକାରୀ କୃଷି ଅଧିକାରୀ ଦେବାଶିଷ ତ୍ରିପାଠୀ, ସାମ୍ବାଦିକ ସନ୍ତୋଷ ମହାପାତ୍ର, ସଞ୍ଜୀବ ମହାନ୍ତି, ବିଶ୍ୱଜିତ ପଲାଇ, ଦୀନକୃଷ୍ଣ ମହାପାତ୍ର, ସମାଜ ସେବୀ ଜନ୍ମେଜୟ ପାଗଳ ଆଦି ବିଚାରକ ଭାବେ ଯୋଗଦେଇ କୁନି କୁନି ପିଲା ମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା ଚୟନ କରିଥିଲେ ।ଆଜିର କୃତି ପ୍ରତିଯୋଗୀଙ୍କୁ ବିଦ୍ୟା ମନ୍ଦିରର ଆସନ୍ତା ବାର୍ଷିକ ଉତ୍ସବରେ ସମ୍ମାନିତ ଓ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଅବସରରେ ରାଧା କୃଷ୍ଣ ବେଶଧାରୀ ପିଲା ମାନଙ୍କୁ ନେଇ ସ୍ଥାନୀୟ ରାମ ମନ୍ଦିରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପରେ ରାମ ମନ୍ଦିରର କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଘଣ୍ଟ,ଘଣ୍ଟା, ଝାଞ୍ଜ, ମୃଦଙ୍ଗ ବାଦ୍ୟ ତାଳରେ ରାଧାକୃଷ୍ଣ ବେଶଧାରୀ କୁନି ପିଲାମାନଙ୍କୁ ବଜାର ପରିକ୍ରମା କରାଯାଇଥିଲା ।ଶିଶୁ ମନ୍ଦିରର ଗୁରୁଜୀ ସଞ୍ଜୟ କୁମାର ସେଠୀ, ଗୁରୁମା ମାମିନା ରାଣୀ ପାଲ, ଗୋପିକା ରାଣୀ ଦେ, ପ୍ରମିଳା ବେହେରା, ପ୍ରିତିଜିନ୍ତା ମହାପାତ୍ର, ସରିତା ନାୟକ, ଜୟଶ୍ରୀ ବେହେରା, ପ୍ରିୟଙ୍କା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶ୍ରୀହରି ଜନ୍ମୋତ୍ସବ ପାଳନ ପୂର୍ବକ ଏହି ଭାବ ଓ ପ୍ରେମମୟ କାର୍ଯ୍ୟକ୍ରମରେ ଅବିଭାବକ ଏବଂ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *