ଶିକ୍ଷା ବିକାଶ ସମିତିର ସ୍ୱତନ୍ତ୍ର କବାଡି ଓ ଖୋ ଖୋ ଅଫିସିଆଲ କର୍ମଶାଳା ସମ୍ପନ୍ନ

କଟକ: ସରସ୍ୱତୀ ଶିଶୁ ମନ୍ଦିର ଓ ବିଦ୍ୟା ମନ୍ଦିର ସମୂହର ଅଖିଳ ଭାରତୀୟ ସଙ୍ଗଠନ ବିଦ୍ୟା ଭାରତୀଙ୍କର ଓଡିଶା ପ୍ରାନ୍ତୀୟ ଶାଖା ଶିକ୍ଷା ବିକାଶ ସମିତି ପକ୍ଷରୁ କବାଡି ଓ ଖୋ ଖୋ ଖେଳର ପରିଚାଳକମାନଙ୍କର ଏକ ସ୍ୱତନ୍ତ୍ର କୋଚିଂ ଶିବିର ବାଲେଶର ଠାରେ ଆୟୋଜିତ ହୋଇଯାଇଛି । ପୂର୍ବୋତ୍ତର ସମ୍ଭାଗ କାର୍ଯ୍ୟାଳୟଠାରେ ଆୟୋଜିତ ଏହି ୪ ଦିବସୀୟ କର୍ମଶାଳାରେ ବିଦ୍ୟା ଭାରତୀଙ୍କର ଅଖିଳ ଭାରତୀୟ କବାଡି ସଂଯୋଜକ ବିଭୂତି ଭୂଷଣ ଦାଶ ଓ ଶିକ୍ଷା ବିକାଶ ସମିତିଙ୍କର ସହ ପ୍ରାନ୍ତ ଖେଳକୁଦ ପ୍ରମୁଖ ଦିଲୀପ କୁମାର କର ଯୋଗ ଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଯଥାକ୍ରମେ କବାଡି ଓ ଖୋଖୋ ଖେଳ ପରିଚାଳନା ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରିଥିଲେ । ଜୁଲାଇ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି କର୍ମଶାଳା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରସ୍ୱତୀ ଶିଶୁ/ବିଦ୍ୟା ମନ୍ଦିର ମାନଙ୍କରେ କାର୍ଯ୍ୟରତ ଥିବା ଆଚାର୍ଯ୍ୟ/ ଆଚାର୍ଯ୍ୟାମାନଙ୍କ ମଧ୍ୟରୁ ପ୍ରତି ଜିଲ୍ଲାରୁ ଜଣେ କବାଡି ଓ ଜଣେ ଖୋଖୋ ଖେଳ ପାଇଁ ପ୍ରଶିକ୍ଷାର୍ଥୀଙ୍କୁ ଡକାଯାଇଥିଲା । କବାଡି ଓ ଖୋଖୋ ଖେଳ ପରିଚାଳନା ର ସମସ୍ତ ନିୟମ ବିଷୟରେ ପ୍ରଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ଦିଆଯାଇଥିବା ବେଳେ ଆଗାମୀ ଦିନରେ ସେମାନେ ନିଜ ନିଜ ବିଦ୍ୟାଳୟର କବାଡି ଓ ଖୋଖୋ ଟିମ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା । ଶିକ୍ଷା ବିକାଶ ସମିତିଙ୍କର ପ୍ରାନ୍ତ ଖେଳକୁଦ ସଂଯୋଜକ ସଂଜୟ କୁମାର ମିଶ୍ର ଓ ପ୍ରାନ୍ତ ତଥା କ୍ଷେତ୍ରୀୟ ଶାରୀରିକ ଶିକ୍ଷା ସଂଯୋଜକ ବଳରାମ ସାହୁ, ବାଲେଶ୍ୱର ଜିଲ୍ଲାର ବିଭାଗ ନିରୀକ୍ଷକ ବିଜନ କୁମାର ଜେନା, ଭଦ୍ରକ ଜିଲ୍ଲାର ବିଭାଗ ନିରୀକ୍ଷକ ସୁବ୍ରତ କୁମାର ମୁଖାର୍ଜୀ ପ୍ରମୁଖ ପୂର୍ଣ୍ଣ ସମୟ ଉପସ୍ଥିତ ରହି ଏହି କର୍ମଶାଳାର ସଫଳ ଆୟୋଜନରେ ସମସ୍ତ ପ୍ରକାର ସହଯୋଗ ଓ ମାର୍ଗଦର୍ଶନ କରିଥିଲେ । ପ୍ରତିଦିନ ପୂର୍ବାହ୍ନରେ ଆୟୋଜିତ ବନ୍ଦନା ଓ ସଂଧ୍ୟାରେ ଆୟୋଜିତ ସଂଧ୍ୟା ବନ୍ଦନା କାର୍ଯ୍ୟକ୍ରମରେ ଏସପି ପାହ୍ୟାକୁ ପଦୋନ୍ନତି ପାଇ ମଧ୍ୟ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଏସପି ପଦରେ କାର୍ଯ୍ୟରତ ଥିବା ପି.କେ.ଦଳେଇଙ୍କ ସମେତ ଶିକ୍ଷା ବିକାଶ ସମିତିଙ୍କର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ତାରକ ଦାସ ସରକାର, ନୂଆପଡା ଜିଲ୍ଲା ବିଭାଗ ନିରୀକ୍ଷକ ଯୁବରାଜ କୁଦାଇ, ପୂର୍ବୋତ୍ତର ସମ୍ଭାଗ(ବାଲେଶ୍ୱର) ସଂଯୋଜକ ବିଭୂତି ଭୂଷଣ ପାଇକରାୟ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ପ୍ରଶିକ୍ଷାର୍ଥୀମାନଙ୍କୁ ସାରଗର୍ଭକ ମାର୍ଗଦର୍ଶନ କରି ଭାଗ ନେଇଥିବା ଖେଳରେ ଜଣେ ଜଣେ ସଫଳ କୋଚ୍ ହେବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଚଳିତ ଜୁଲାଇ ୧୩ ଓ ୧୪ ତାରିଖ ଦୁଇ ଦିନଧରି କଟକ କେଶବଧାମସ୍ଥିତ ଆବାସିକ ସରସ୍ୱତୀ ବିଦ୍ୟାମନ୍ଦିରଠାରେ ଶିକ୍ଷା ବିକାଶ ସମିତିଙ୍କର ପ୍ରାନ୍ତୀୟ ଖୋଖୋ ପ୍ରତିଯୋଗିତା ଓ ବାଲେଶ୍ୱର ଜିଲ୍ଲା ନୀଳଗିରିଠାରେ ଜୁଲାଇ ୨୭ରୁ ୨୯ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରାନ୍ତ କବାଡି ଓ ଭଲିବଲ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଥିବାରୁ ଅଧିକରୁ ଅଧିକ ଟିମ୍ ଯୋଗଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Leave a Reply

Your email address will not be published. Required fields are marked *