Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀଜିଉଙ୍କ ଗଜବେଶ ଦେଖି ଆତ୍ମହରା ଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଜିଉଙ୍କ ଗଜବେଶ ଦେଖି ଆତ୍ମହରା ଭକ୍ତ

ପୁରୀ: ଶ୍ରୀମନ୍ଦିର ସ୍ନାନବେଦୀରେ ଶନିବାର ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ ସାରିବା ପରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ଭକ୍ତମାନେ ହାତୀବେଶରେ ଦର୍ଶନ କରୁଛନ୍ତି । ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି । ସକାଳୁ ପ୍ରବଳ ଖରା ଓ ଗୁଳୁଗୁଳି, ଆଉ ଏହାପରେ ଅପରାହ୍ନରେ ପ୍ରବଳ ବର୍ଷାରେ ଭିଜିବା ସତ୍ତ୍ୱେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି । ନୀତିକାନ୍ତି ଅନୁଯାୟୀ, ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ସହ ଭୋର୍‌ରୁ ଶ୍ରୀଜିଉଙ୍କଧାଡ଼ି ପହଣ୍ଡି ଆରମ୍ଭ କରାଯାଇଥିଲା । ପହଣ୍ଡି ଶେଷପରେ ସ୍ନାନ ନୀତି ଆରମ୍ଭ ହୋଇଥିଲା । ଏହା ପରେ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧରପୋଛା, ଅବକାଶ, ବେଶଶେଷ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ଜଳବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ଶ୍ରୀବଳଭଦ୍ର ୩୩ ଗଡ଼ୁ, ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଛନ୍ତି । ଏହାପରେ ୩ଟାରେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ୩ଟା ୪୦ରୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହେଉଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ହୋଇଥିଲା । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିଥିଲେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହୋଇଥିଲା । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି । ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୋଟ ୬୮ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ରହିଛନ୍ତି ।

Leave a Reply