ବେଦ ହେଉଛି ମଣିଷ ସମାଜର ସମ୍ବିଧାନ

(ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିର ସାଧାରଣ ସଭା)

ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ପ୍ରାଦେଶିକ ସାଧାରଣ ସଭା କେଶବଧାମ କଟକଠାରେ ଉଦଘାଟିତ ହୋଇଯାଇଅଛି।ଶିକ୍ଷା ବିକାଶ ସମିତିର ସଭାପତି ଡଃ କିଶୋର ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ସୃତିନ୍ଯାଶର ଅଧ୍ୟକ୍ଷ ପୂଜ୍ଯ ଶୁଦ୍ଧାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ‘ବେଦ ହେଉଛି ମଣିଷ ସମାଜର ସମ୍ବିଧାନ’ ବୋଲି ମତବ୍ୟକ୍ତ କରିଥିଲେ।ବିଦ୍ଯାଭାରତୀଙ୍କର ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ସୁସ୍ଥ ଓ ସଭ୍ୟ ସମାଜର ମୂଳଦୁଆ ସହିତ ତୁଳନା କରି ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ଯାଭାରତୀ ପରିବାରର ଦିବଂଗତ ଆତ୍ମା, ଶହୀଦ ହୋଇଥିବା ବୀର ଜବାନମାନଙ୍କର ମହାନ୍ ଆତ୍ମା ଓ ନିକଟରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କ ସଦଗତି କାମନା କରି ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିଙ୍କର ଉପସଭାପତି ଶ୍ରୀଯୁକ୍ତ କମଳାକାନ୍ତ ମିଶ୍ର ଏକ ମିନିଟ ନୀରବ ପ୍ରାର୍ଥନା ଶ୍ରଦ୍ଧାଞ୍ଜଳି ସ୍ବରୂପ ଉପସ୍ଥାପନା କରିଥିଲେ।ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କର ସମ୍ପାଦକ ଡଃ ସରୋଜ କୁମାର ହାତୀ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହିତ ବିଗତ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।ସହସମ୍ପାଦକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ପକ୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ।ଶିକ୍ଷା ବିକାଶ ସମିତିଙ୍କର ସଂଗଠନ ମନ୍ତ୍ରୀ ମାନନୀୟ ତାରକା ଦାସ ସରକାର ସାଧାରଣ ସଭାର ପ୍ରସ୍ତାବନା ରଖିଥିଲେ।ସ.ଶି.ବି.ମ. ନୂଆବଜାରର ଶିଶୁ ଭାଇଭଉଣୀମାନେ ସଭାକାର୍ଯ୍ଯ ଆରମ୍ଭରେ ସାମୂହିକ ସଙ୍ଗୀତ ଗାନ କରିଥିଲେ। ବିଶିଷ୍ଟ ଅତିଥି ଭାବରେ ବିଦ୍ଯାଭାରତୀ ପୂର୍ବ କ୍ଷେତ୍ରର ମନ୍ତ୍ରୀ ଡଃ ଲକ୍ଷ୍ମୀକାନ୍ତ ମହାରଣା, ସହମନ୍ତ୍ରୀ ଶ୍ରୀଯୁକ୍ତ ହେମନ୍ତ କୁମାର ପାଣିଗ୍ରାହୀ, ସଦସ୍ୟ ମାନନୀୟ ବିଜୟ ଶଙ୍କର କୁଲକର୍ଣୀ,ଶିକ୍ଷା ବିକାଶ ସମିତିଙ୍କର ସହସମ୍ପାଦକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ଯନାରାୟଣ ପଟ୍ଟନାୟକ,ସଦସ୍ୟ ଶ୍ରୀଯୁକ୍ତ କିରଣ କୁମାର ପାଣି ଓ ପ୍ରାନ୍ତ ଶୋଧ ବିଭାଗର ଡଃ ତରୁଲତା ଦେବୀ ଉପସ୍ଥିତ ଥିଲେ।ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିଙ୍କର ସଙ୍କୁଳ ସଂଯୋଜକ,ସଂକୁଳ ପ୍ରମୁଖ, ଜିଲ୍ଲା ,ସମ୍ଭାଗ ଓ ପ୍ରାନ୍ତର ସମସ୍ତ ମୋଟ ୩୦୦ରୁ ଉର୍ଦ୍ଧ୍ବ କାର୍ଯକର୍ତ୍ତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶିକ୍ଷା ବର୍ଷ ୨୦୨୪-୨୫ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ।ଆସନ୍ତା ତା୨୩.୦୬.୨୦୨୪ରେ କାର୍ଯ୍ୟକ୍ରମର ସମାରୋପ ହେବ।ବିଦ୍ଯାଭାରତୀ ଶିକ୍ଷା ବିକାଶ ସମିତିଙ୍କର ପୂର୍ବ ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା ମଞ୍ଚ ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *