ଜୁନ୍‌ ୧୩ ତାରିଖ ଠାରୁ ଖୋଲି ଦିଆଯିବ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା

ଭୁବନେଶ୍ବର: ନିଜର ପ୍ରଥମ କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ କହିଛନ୍ତି ଆଜି ୪ଟି ପ୍ରସ୍ତାବ ଗୃହୀତ ହୋଇଛି। ପ୍ରଥମ ଦୁଇଟି ପ୍ରସ୍ତାବ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ। ତୃତୀୟ ପ୍ରସ୍ତାବ ଆଧାରରେ ଚାଷୀମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରାଯିବ। ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ। ନେଇ ପ୍ରଶାସନକୁ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ କ୍ୟାବିନେଟରେ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାକୁ ଆଗାମୀ ୧୦୦ ଦିନ ଭିତରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବ। ୫୦ ହଜାର ଟଙ୍କାର ଭାଉଚର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ୪ଟି ଦ୍ବାର ଜୁନ୍‌ ୧୩ ତାରିଖ ଠାରୁ ଖୋଲି ଦିଆଯିବ। ଶ୍ରୀମନ୍ଦିରରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଭୋର ସକାଳୁ ମଙ୍ଗଳ ଆରତୀ ବେଳେ ୪ଟି ଦ୍ବାର ଖୋଲି ଦିଆଯିବ । ମହାପ୍ରଭୁଙ୍କ ୪ଟି ଦ୍ବାରକୁ ଗତ କିଛି ବର୍ଷ ହେଲା ବନ୍ଦ କରିଦିଆଯାଇଥିଲା। ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ସଂକଳ୍ପ ପତ୍ରରେ ଶ୍ରୀମନ୍ଦିରର ୪ଟି ଦ୍ବାର ଖୋଲି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ସାଢ଼େ ୪ କୋଟି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ଆସନ୍ତାକାଲି (୧୩) ମଙ୍ଗଳ ଆରତୀ ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତିରେ ‌୪ଟି ଦ୍ବାର ଖୋଲି ଦିଆଯିବ। ତିନି ଦ୍ବାର ବନ୍ଦ ରହିବା ଦ୍ବାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟବଧାନ କରାଯାଉଥିଲା। ଶ୍ରୀମନ୍ଦିରର ସଂରକ୍ଷଣ, ରକ୍ଷଣାବେକ୍ଷଣ, ବିକାଶ, ତୀର୍ଥଯାତ୍ରୀଙ୍କ ସମସ୍ୟାର ସମାଧାନ ଉ‌ପରେ ଆଲୋଚନା ହୋଇଥିଲା। କର୍ପସ ପାଣ୍ଠିରେ ୫୦୦ କୋଟି ଟଙ୍କା ରଖାଯିବ।

Leave a Reply

Your email address will not be published. Required fields are marked *