Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାରବାଟୀ ଦୁର୍ଗରୁ ୩ଟି ମନ୍ଦିରର ଭଗ୍ନାବଶେଷ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାରବାଟୀ ଦୁର୍ଗରୁ ୩ଟି ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

କଟକ: ବାରବାଟୀ ଦୁର୍ଗ ଖନନରୁ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୬ ମାସ ଧରି ଏହି ଖନନ ଚାଲିଥିବାବେଳେ ଇତିମଧ୍ୟରେ ଦୁର୍ଗ ଭିତରୁ ତିନିଟି ନୂଆ ମନ୍ଦିରର ଭଗ୍ନାବଶେଷ ମିଳିଛି । ସେଥିରୁ ଗୋଟିଏ ମନ୍ଦିର ନବମ ଶତାବ୍ଦୀର । ଅନ୍ୟ ଦୁଇଟି ମନ୍ଦିର ଦ୍ୱାଦଶ ଶତାବ୍ଦୀ ଓ ଏହାର ପରବର୍ତ୍ତୀ ସମୟର ବୋଲି ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ ଖନନରୁ କଟକର ନୌବାଣିଜ୍ୟ କାରବାରର ବ୍ୟାପକତା ସଂପର୍କରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଖଳନ ପ୍ରକ୍ରିୟାରୁ ବିଭିନ୍ନ ଦେଶର ବହୁ ସାମଗ୍ରୀ ମିଳିଛି । ଏଥିରୁ ପ୍ରମାଣିତ ହେଉଛି, ନୌବାଣିଜ୍ୟ କାରବାରରେ ବେଶ୍ ଆଗୁଆ ଥିଲା କଟକ । କେବଳ ବାଲି, ଜାଭା, ସୁମାତ୍ରା, ଇଣ୍ଡୋନେସିଆ ଭଳି ଦେଶ ସହ ନୁହେଁ ବରଂ ଚୀନ୍‌, ଭିଏତନାମ, ଆରବ ଦେଶ ସମେତ ଦକ୍ଷିଣ-ପୂର୍ବ ଏସିଆର ବହୁ ଦେଶ ସହ ନୌବାଣିଜ୍ୟ କାରବାର କରୁଥିଲା ଏହି ସହର । ଦେଢ଼ ହଜାର ବର୍ଷ ତଳେ କଟକ ଆକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟିରୁ ବେଶ୍ ସମୃଦ୍ଧ ଥିଲା ବୋଲି ଦୁର୍ଗ ଖନନରୁ ଅନେକ ପ୍ରମାଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ହସ୍ତଗତ ହୋଇଛି । ଗତ ୬ ମାସ ଧରି ଚାଲିଥିବା ଖନନରୁ ଅନେକ ନୂଆ ସାମଗ୍ରୀ ହାସଲ ହୋଇଥିବା ଏଏସ୍‌ଆଇର ମୁଖ୍ୟ ଅଧିକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡକ୍ଟର ଡି. ଗଡ଼ନାୟକ ସୂଚନା କହିଛନ୍ତି । ସେ କହିଛନ୍ତି, ଦୁର୍ଗ ଖଳନରୁ ନବମ ଶତାଦ୍ଦୀର ଚାଇନା ପାତ୍ର, ଆରବ ଦେଶର ବିଭିନ୍ନ ସାମଗ୍ରୀ ଆଦି ପ୍ରାପ୍ତ ହୋଇଛି । ସେହିପରି ଚୀନ୍ ଭାଷାର କେତେକ ଲେଖା ମଧ୍ୟ ମିଳିଛି । ଏତଦ୍‌ବ୍ୟତୀତ ବାରବାଟୀ ଦୁର୍ଗ ମଧ୍ୟରେ ତିନୋଟି ମନ୍ଦିର ଥିବାର ପ୍ରମାଣ ମିଳିଛି । ଗୋଟେ ମନ୍ଦିର ନବମ ଶତାଦ୍ଦୀ ଅର୍ଥାତ୍ ସୋମବଂଶୀ ରାଜାଙ୍କ ସମୟର ହୋଇଥିଲାବେଳେ ଅନ୍ୟ ଏକ ମନ୍ଦିର ୧୨ତମ ଶତାଦ୍ଦୀ ଅର୍ଥାତ୍ ଗଙ୍ଗବଂଶୀଙ୍କ ସମୟର ଏବଂ ଅନ୍ୟ ଏକ ମନ୍ଦିର ସୂର୍ଯ୍ୟବଂଶୀ ରାଜାଙ୍କ ସମୟର । ମନ୍ଦିର ତିଆରିରେ ବ୍ୟବହୃତ ବଉଳମାଳିଆ ପଥର, ବାଲିପଥର ଆଦି ମିଳିଛି । ମନ୍ଦିର ସମ୍ମୁଖରେ ଲାଗିଥିବା ଗୌରୀ-ଶଙ୍କର ମୂର୍ତ୍ତି ମଧ୍ୟ ମିଳିଛି । ଦୁର୍ଗରେ ଥିବା ନବତଳ ପ୍ରସାଦ ସମ୍ପର୍କରେ କିଛି ସାମଗ୍ରୀ ଖନନରୁ ମିଳିଛି । ଅବୁଲ୍ ଫଜଲଙ୍କ ଦ୍ୱାରା ଲିଖିତ ଆଇନ-ଆକବରୀ ପୁସ୍ତକରେ ଏହି ବହୁତଳ ପ୍ରାସାଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ ହୋଇଛି । ଏହି ନଅ ମହଲା ପ୍ରାସାଦରେ ବିଭିନ୍ନ ମହଲା ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା ଖଳନ ସ୍ଥାନରୁ ଶଙ୍ଖ, ବହୁ ପରିମାଣର କଉଡ଼ି ଆଦି ମିଳିଛି । ତେବେ ଏହି ଖନନ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି । ପାଣି ଭର୍ତ୍ତି ହୋଇଯାଉଥିବାରୁ ଖନନରେ ସାମାନ୍ୟ ସମସ୍ୟା ଦେଖାଯାଉଛି । କିନ୍ତୁ ଯେତିକି ଯେତିକି ତଳକୁ ଖୋଳା ଯାଉଛି ସେତିକି ସେତିକି ପୁରୁଣା କୀର୍ତ୍ତିରାଜି ମିଳିବାରେ ଲାଗିଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ଏଏସ୍‌ଆଇ ଦ୍ୱାରା ବାରବାଟୀ ଦୁର୍ଗ ଖନନ କରାଯାଉଛି । ପ୍ରଥମେ ୧୯୭୯ ମସିହାରେ ଖନନ ଆରମ୍ଭ ହୋଇଥିଲା । କିଛିବର୍ଷ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ପୁନର୍ବାର ୧୯୯୫ରୁ ୯୬ ଗୋଟେ ବର୍ଷ ପର୍ଯ୍ୟନ୍ତ ଖନନ ଚାଲିଲା । ପରେ ୨୦୦୩ ରୁ ୨୦୦୬ ଏବଂ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ଦୁର୍ଗ ଖଳନ କରାଯାଇଥିଲା । ଲମ୍ବା ବ୍ୟବଧାନ ପରେ ଗତବର୍ଷ ଅକ୍ଟୋବରରୁ ପୁଣି ଥରେ ଖନନ ଆରମ୍ଭ ହୋଇଛି ।

Leave a Reply