Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏଲଓସିରେ ଅତ୍ୟାଧୁନିକ ବଙ୍କରରେ ରହି ପାରିବେ ପର୍ଯ୍ୟଟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏଲଓସିରେ ଅତ୍ୟାଧୁନିକ ବଙ୍କରରେ ରହି ପାରିବେ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ରହି ପାରିବେ ପର୍ଯ୍ୟଟକ । ଏଲଓସି ନିକଟ ଜିରୋ ଲାଇନରେ ନିର୍ମାଣ ହେଉଛି ଅତ୍ୟାଧୁନିକ ବଙ୍କର । ୨୦୨୧ ଫେବ୍ରୁଆରୀ ୨୫ ପରେ ଏଲଓସିରେ ଗୁଳିଗୋଳା ମାଡ଼ ଥମିବା ପରେ ପର୍ଯ୍ୟଟନ ଲାଗି ନୂଆ ରାସ୍ତା ଫିଟିଛି । ରାଜ୍ୟ ପ୍ରଶାସନ ଏଲଓସିରେ ଅତ୍ୟାଧୁନିକ ବଙ୍କର ନିର୍ମାଣ କରୁଥିବା ବେଳେ ଆଗକୁ ଏଥିରେ ପର୍ଯ୍ୟଟକ ରହି ପାରିବେ । ଏବେ ଏଭଳି ୨ଟି ଅତ୍ୟାଧୁନିକ ବଙ୍କର ସାମ୍ବା ଜିଲ୍ଲାରେ ଏଲଓସି ନିକଟରେ ନିର୍ମାଣ କରାଯାଇଛି । ଜମିର ୨୦ ଫୁଟ୍ ତଳେ ନିର୍ମିତ ଏହି ବଙ୍କରରେ ଏସି ସହ ସ୍ମାର୍ଟ ଟିଭି ଓ ଆଲମାରି ରଖା ଯାଇଛି । ଚଳିତବର୍ଷ ଏଭଳି ୩୭୦ଟି ବଙ୍କର ନିର୍ମାଣ କରାଯିବା ଲକ୍ଷ୍ୟ ରଖା ଯାଇଛି । ତେବେ ଏହି ଅତ୍ୟାଧୁନିକ ବଙ୍କରରେ ରାତିଟିଏ ରହିବାକୁ ପର୍ଯ୍ୟଟକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ସ୍ଥିର ହୋଇ ନାହିଁ । ସାମ୍ବା ଡେପୁଟି କମିଶନର ଅଭିଶେକ ଶର୍ମାଙ୍କ ଅନୁସାରେ, ଏବେ ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଗତବର୍ଷ ସୀମାରେ ଥିବା କିଛି ଗାଁକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆ ଯାଇଥିଲା । ପର୍ଯ୍ୟଟକଙ୍କ ଚଳପ୍ରଚଳ ଦେଖି ଏଭଳି ବଙ୍କର ନିର୍ମାଣ ଲାଗି ନିଷ୍ପତ୍ତି ନିଆ ଯାଇଥିଲା । ଏବେ ପର୍ଯ୍ୟଟଙ୍କ ବଙ୍କର ବାବଦରେ ପଚାରୁଛନ୍ତି । ଯଦି ଭବିଷ୍ୟତରେ କେବେ ପାକିସ୍ତାନ ପଟୁ ଗୁଳିମାଡ଼ ହୁଏ ତ ସ୍ଥାନୀୟ ଲୋକ ରହିବା ଲାଗି ବଙ୍କରକୁ ଖୋଲି ଦିଆଯିବ । ଏଠାରେ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମରେ ରହି ପାରିବେ । ବଙ୍କରରେ ଲାଇବ୍ରେରୀ ସହ ଛୋଟ ଜିମ୍ ମେସିନ୍ ରଖା ଯାଇଛି । ପାଣି ଓ ବିଦ୍ୟୁତ୍ ବିତରଣ କୌଣସି ବି ସ୍ଥିତିରେ ବନ୍ଦ ହେବ ନାହିଁ । ତେବେ ଏସବୁ ବଙ୍କର ପାକିସ୍ତାନ ପଟୁ ଗୁଳିମାଡ଼ ସମୟରେ ଗାଁ ଲୋକ ବ୍ୟବହାର କରୁଥିଲେ । ଗୁଳିମାଡ଼ ବନ୍ଦ ହେବା ପରେ ଏସବୁର ରକ୍ଷଣାବେକ୍ଷଣ ହେଉ ନଥିଲା । ଏବେ ସେସବୁକୁ ପର୍ଯ୍ୟଟନ ସହ ଯୋଡ଼ିବାକୁ ଯୋଜନା ହୋଇଛି । ଆଗାମୀ ବର୍ଷେ ମଧ୍ୟରେ ଏଲଓସି ଆସୁଥିବା ପର୍ଯ୍ୟଟକ ବଙ୍କରରେ ରହିବାର ସୁବିଧା ପାଇବେ । ଏବେ ୨ ପ୍ରକାରର ବଙ୍କର ନିର୍ମାଣ କରାଯାଉଛି । ଗୋଟିଏ ହେଉଛି ବ୍ୟକ୍ତିଗତ, ଅନ୍ୟଟି ସାମୁଦାୟିକ । ବ୍ୟକ୍ତିଗତ ବଙ୍କର ୧୬୦ ବର୍ଗ ଫୁଟରେ ନିର୍ମାଣ ହୋଇଥିବା ବେଳେ ସାମୁଦାୟିକ ବଙ୍କର ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ରହିଛି । ଏଥିରେ ଗୋଟିଏ ସମୟରେ ୪୦ ଜଣ ଲୋକ ରହି ପାରିବେ ।

Leave a Reply