Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ନଥି ଓଡ଼ିଆରେ ଲେଖାଯିବ କେବେ ? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ନଥି ଓଡ଼ିଆରେ ଲେଖାଯିବ କେବେ ?


ଭୁବନେଶ୍ୱର: ତା ୦୧.୦୪.୨୦୨୪ରିଖ ଓଡ଼ିଶା ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ପୂର୍ବାହ୍ନରେ ଭୁବନେଶ୍ୱର ପ୍ରମୁଖ ଛକମାନଙ୍କରେ ଥିବା ଓଡ଼ିଶାର ବିଶିଷ୍ଟ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଅବସରରେ ରାଜଭବନ ସମ୍ମୁଖ ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକ ଉତ୍କଳମଣି ଗୋପବନ୍ଧୁ ଦାସ, ପାୱାର ହାଉସଛକ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଏବଂ ଏ.ଜି. ଛକ ପାରଳା ଗଜପତି ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଏବଂ ଦେବଗଡ ରାଜା ବାସୁଦେବ ସୁଢଳ ଦେବ ପ୍ରଭୃତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଏହାପରେ ଦିବା ୧୦ଟା ସମୟରେ ସ୍ଥାନୀୟ ନୂଆଗାଁ ଠାରେ ସଭାପତି ଅଧିବକ୍ତା ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ଜନସଭା ଅନୁଷ୍ଠିତ ହୋଇ ଓଡ଼ିଶା ଦିବସର ଗୁରୁତ୍ୱ ଏବଂ ସାଂପ୍ରତିକ ସ୍ଥିତିରେ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ଭାଷାର ସୁରକ୍ଷା ତଥା ପ୍ରସାର ଦିଗରେ ହେଉଥିବା ଚରମ ଅବହେଳା ଉପରେ ଗଭୀର ବିଚାରବିମର୍ଷ ହୋଇଥିଲା । ଏହି ପ୍ରେକ୍ଷାରେ ବକ୍ତମାନେ ତାଙ୍କର ସର୍ବସମ୍ମତ ମତ ଉପସ୍ଥାପନ କରି କହିଥିଲେ ଯେ ରାଜ୍ୟ ସରକାରଙ୍କ ପୁରୀସ୍ଥିତ ତା.୨୬.୧୨.୨୦୧୭ରିଖ ଐତିହ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ତା.୦୧.୦୪.୨୦୧୮ରିଖ ଉତ୍କଳ ଦିବସ ଠାରୁ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ନଥି ଓଡ଼ିଆରେ ଲେଖାଯିବା ପାଇଁ ପୁନର୍ବାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାନଯିବା, ରାଜ୍ୟର ସମସ୍ତ ନାମଫଳକରେ ବାଧ୍ୟତାମୂଳକ ସ୍ପଷ୍ଟ ତଥା ସମ୍ମାନଜନକ ଭାବରେ ଓଡ଼ିଆ ଭାଷା ଲେଖାଯାଇ ନପାରିବା ଏବଂ ଆମ ରାଜ୍ୟର ନିମ୍ନ ବିଚାରାଳୟ ଗୁଡିକରେ, ଅନ୍ୟ ରାଜ୍ୟ ମାନଙ୍କ ପରି ଆମ ରାଜ୍ୟ ଭାଷା ଓଡ଼ିଆ ନଚାଲିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟପ୍ରତି ଆନ୍ତରିକତା ପ୍ରକାଶ କରାନଯିବା ଅତ୍ୟନ୍ତ ଦୁଃଖ ଓ ଲଜ୍ୟାର କଥା ଅଟେ ।
ପୁନଶ୍ଚ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ବା ଓଡ଼ିଶା ସହ ବିଶ୍ୱଶବ୍ଦକୁ ବାରମ୍ବାର ଯୋଡି ଖୁବ୍ ଚିତ୍କାର କରି ବକ୍ତୃତାମାନ ଦେଲେ ବା ବଡ ବଡ ଫଳକମାନ ସ୍ଥାପନ କଲେ ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ ଓଡ଼ିଶା ରାଜ୍ୟର କୌଣସି ଉନ୍ନତି ହେବ ନାହିଁ, ବରଂ ଏହା ଗୋଟିଏ ଅନ୍ଧର ନାମ ଦିବ୍ୟଲୋଚନ ଦେବା ପରି ଅସଙ୍ଗତ ବିବେଚିତ ହୋଇ ସଭ୍ୟ ସମାଜରେ ନାସିକା କୁଞ୍ଚନ ଭାବ ସୃଷ୍ଟି କରିବାଟି ସାର ହେବ ବୋଲି ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଆଜିର ମାଲ୍ୟାର୍ପଣ ଏବଂ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷାଜିଲ୍ଲା ଅଧିକାରୀ, ଡକ୍ଟର ପୀତବାସ ତ୍ରିପାଠୀ, ପ୍ରଫେସର ଡା. କାଶୀନାଥ ରଥ, ଡା. ବାନାମ୍ବର ପରିଡା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରଭାକର ପଣ୍ଡା, ତ୍ରିନାଥ ସାମନ୍ତରାୟ, ପଠାଣି ଜେନା, ଅଧିବକ୍ତା ବିକାଶ କୁମାର ତ୍ରିପାଠୀ, ଯୁଗଳ କିଶୋର ନାୟକ, ଇଂ ଶିବସୁନ୍ଦର, ଇଂ ନିଖିଳ ପ୍ରସାଦ ଦାଶ, ଅଶୋକ କୁମାର ପାତ୍ର, କାଳନ୍ଦୀ ନାୟକ, ଗଂଗାଧର ମହାପାତ୍ର, କେଶବ ପାଇଲ, ପ୍ରକାଶ ବେହେରା, ସଂଗ୍ରାମ ଭୋଇ, ମନ୍ମଥ ସମାନ୍ତରାୟ ପ୍ରଭୃତି ଯୋଗ ଦେଇଥିବା ବେଳେ ଶ୍ରୀ ଭରତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply