Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମନ୍ତ୍ରୋଚାରଣରେ ଗିରିଗହ୍ୱର ପ୍ରକମ୍ପିତ ହୋଇଉଠିଥିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମନ୍ତ୍ରୋଚାରଣରେ ଗିରିଗହ୍ୱର ପ୍ରକମ୍ପିତ ହୋଇଉଠିଥିଲା


ଖଣ୍ଡଗିରି: ସକାଳୁ ସକାଳୁ ମନ୍ତ୍ରଧ୍ୱନିରେ ମୁଖରିତ ହୋଇ ଉଠିଥିଲା ଖଣ୍ଡଗିରି ପାହାଡ଼ର ନିର୍ଜୀବ ପ୍ରାଚୀନ ପଥରସବୁ । ଇନ୍ଦ୍ରଦେବ ଓ ଅଗ୍ନିଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାଧୁସନ୍ଥ ଯଜ୍ଞରେ ଘୃତ ନୈବେଦ୍ୟ ଆହୁତି ଦେଇ ପୂଜାର୍ଚ୍ଚନା କରିଥିଲେ । ଦିନ ତମାମ ଚାଲିଥିଲା ପୂଜା । ଦିନ ତମାମ ଭାଗବତ ପାଠ, ମନ୍ତ୍ର ଓ ନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସାଧୁସନ୍ଥଙ୍କ ସାନ୍ନିଧ୍ୟ ପାଇଁ ପହଞ୍ଚିଥିଲେ । ସ୍ଥାନୀୟ ମଠମାନଙ୍କରେ ଅନ୍ନପ୍ରସାଦ ଓ ଖିରିଭୋଗ ଲାଗି କରାଯାଇଥିଲା । ସୂର୍ଯ୍ୟାସ୍ତ ପରେ ହୋଇଥିଲା ପୂର୍ଣ୍ଣାହୁତି ପର୍ବ । ପୁଣି ଆଉଥରେ ମନ୍ତ୍ରୋଚାରଣରେ ଗିରିଗହ୍ୱର ପ୍ରକମ୍ପିତ ହୋଇଉଠିଥିଲା । ହୁହୁ ହୋଇ ଜଳୁଥିବା ହୋମନିଆଁ ପାହାଡ଼କୁ ଆଲୋକିତ କରି ଦେଇଥିଲା । ସେ ଆଲୋକ, ତା’ର ପ୍ରତିଫଳନ ଆଉ ଗଛଲତାଙ୍କ ଛାଇ ସେଠାରେ ଏକ ଅଦ୍ଭୁତ ରହସ୍ୟମୟ ପରିବେଶ ସୃଷ୍ଟି କରିଥିଲା । ସପ୍ତମୀରେ ଆରମ୍ଭ ହୋଇଥିବା ଏହି କୁମ୍ଭମେଳା ମାଘ ପୂର୍ଣ୍ଣମୀରେ ଶେଷ ହୋଇଛି । ହୋମଯଜ୍ଞ ସରିବା ପରେ ସନ୍ଥ ଶିବିରରେ ଶ୍ରଦ୍ଧାଳୁମାନଙ୍କୁ ଚରୁଅନ୍ନ ବଣ୍ଟନ କରାଯାଇଥିଲା । ନାଗା ଶିବିରରେ ଧୂମାପ୍ରସାଦ ବଣ୍ଟନ କରାଯାଇଥିଲା । ଏଠାରେ ବହୁ ଭକ୍ତ ଧୂମାପ୍ରସାଦ ଖାଇଥିଲେ । ଖଣ୍ଡଗିରି ମେଳାରେ ଖଣ୍ଡଖିରି ହେଉଛି ପ୍ରକୃତ ଭୋଗ । ଏହି ଭୋଗ ମାଘ ସପ୍ତମୀ ଦିନ ମଧ୍ୟ ଲାଗିହୁଏ ଏବଂ ବଣ୍ଟନ କରାଯାଏ । ପୂର୍ଣ୍ଣାହୁତି ପରେ ସାଧୁସନ୍ଥମାନେ ମେଲାଣି ନେଇଥିଲେ । ଭାବବିହ୍ୱଳ ପରିବେଶରେ ଶ୍ରଦ୍ଧାଳୁମାନେ ସେମାନଙ୍କୁ ବିଦାୟ ଦେଇଥିଲେ । ମା’ ବାରଭୁଜାଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ପର୍ବ ପ୍ରଥମେ ଆରମ୍ଭ ହୋଇଥିଲା । ପରେ ଅନ୍ୟସବୁ ଯଜ୍ଞକୁଣ୍ଡରେ ଏହି ପର୍ବ ସମାହିତ ହୋଇଥିଲା । ନିଜ ନିଜ ଗୁରୁଦେବଙ୍କୁ ଶ୍ରଦ୍ଧାଳୁମାନେ ଭକ୍ତିଭରା ବିଦାୟ ଦେଉଥିବାର ଦୃଶ୍ୟ ବେଶ୍ ଭାବାବେଗପୂର୍ଣ୍ଣ ଥିଲା । ନାଗାବାବାଙ୍କୁ ଭକ୍ତମାନେ କୁଣ୍ଢାଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା । କାନ୍ଦୁଥିବା ଶ୍ରଦ୍ଧାଳୁଙ୍କୁ ସାଧୁମାନେ ସାନ୍ତ୍ୱନା ଦେଉଥିଲେ । ପ୍ରାୟ ସବୁ ସାଧୁ ବିଦାୟ ନେଇଥିବାବେଳେ ଅଳ୍ପ କିଛି ସାଧୁ ରାତିକ ପାଇଁ ପାହାଡ଼ରେ ଅଟକି ରହିଥିଲେ । ସେମାନେ ଆଜି ବାହୁଡ଼ି ଯାଇଛନ୍ତି ।

Leave a Reply