Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାନୁଆରୀ ୨୨ଠାରୁ ନୂଆ ଯୁଗର ଆରମ୍ଭ ହୋଇଛି: ମୋଦୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାନୁଆରୀ ୨୨ଠାରୁ ନୂଆ ଯୁଗର ଆରମ୍ଭ ହୋଇଛି: ମୋଦୀ

ଲକ୍ଷ୍ନୌ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ସମ୍ଭଲରେ କଳ୍କି ଧାମର ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କଲ୍କି ଧାମ ମନ୍ଦିରର ଭୂମି ପୂଜନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାନୁଆରୀ ୨୨ ପରଠାରୁ ନୂଆ ଯୁଗର ଆରମ୍ଭ ହୋଇଛି । ଭୂମି ପୂଜନ ପରେ ସମାରୋହରେ ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ୨୨ ଜାନୁଆରୀ (ରାମ ମନ୍ଦିର ପ୍ରତିଷ୍ଠା) ପରଠାରୁ ନୂଆ ଯୁଗ ଆରମ୍ଭ ହୋଇଛି । ଆଜି ଆଉ ଏକ ପବିତ୍ର ସ୍ଥାନରେ ମନ୍ଦିର ନିର୍ମାଣ ନେଇ ମୂଳଦୂଆ ପଡିଲା । ଆଚାର୍ଯ୍ୟ ଏବଂ ସାଧୁମାନଙ୍କ ଉପସ୍ଥିତିରେ ମହାନ କଲ୍କି ଧାମର ଭୂମି ପୂଜନ କରିବାର ସୌଭାଗ୍ୟ ପାଇଲି । ମୁଁ ନିଶ୍ଚିତ ଯେ, ଭାରତୀୟଙ୍କ ଧାର୍ମିକ ବିଶ୍ୱାସର ଆଉ ଏକ ପବିତ୍ର ସ୍ଥାନ ହେବ କଲ୍କି ଧାମ । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆଜି ମଧ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ, ତେଣୁ ଏହି ଦିନ ଆହୁରି ପବିତ୍ର ଏବଂ ପ୍ରେରଣାଦାୟକ । ଏହି ଅବସରରେ ମୁଁ ସମ୍ମାନର ସହ ଛତ୍ରପତି ଶିବାଜୀ ମହାରାଜଙ୍କ ପାଦତଳେ ପ୍ରଣାମ କରୁଛି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏହି ସମାରୋହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଉପସ୍ଥିତ ଥିଲେ । ଏଥିସହ ଦେଶର ବିଭିନ୍ନ ସ୍ଥାନରୁ ୧,୧୦୦ ସାଧୁ-ସନ୍ଥମାନେ ମଧ୍ୟ ଭୂମି ପୂଜନ ସମାରୋହରେ ଯୋଗ ଦେଇ ମନ୍ତ୍ରଧ୍ୱନି ଉଚ୍ଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆମେ ଏକ ନୂତନ ଭାରତ ଦେଖିଛୁ । ବିକାଶ ପଥରେ ଭାରତ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢୁଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ତରରେ ସମ୍ମାନିତ କରାଯାଉଛି । ଦେଶର ସବୁ ସୀମା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

Leave a Reply