ଜାମଦା ସରସ୍ୱତୀ ଶିଶୁମନ୍ଦିରରେ ନେହେରୁଙ୍କ ଜୟନ୍ତୀ

ମୟୂରଭଞ୍ଜ: ମଙ୍ଗଳବାର ଶିଶୁ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିରରେ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟା ସସ୍ମିତା ଟୁଡୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜାମଦା ତହସିଲ କାର୍ଯ୍ୟାଳୟର ବଡ଼ବାବୁ ତଥା ବିନୟ କୁମାର ଗିରି ଯୋଗଦେଇ ଶିଶୁମନ୍ଦିରର ନୀତିକାନ୍ତି ଅନୁସାରେ ଦୀପ ପ୍ରଜ୍ଜ୍ୱଳନ କରି ଚାରି ଯୁଗର ମହାମନ୍ତ୍ର, ଭାଗବତ, ବେଦ, ଉପନିଷେଦ, ବିଦ୍ୟାର୍ଥୀଙ୍କ ଶିକ୍ଷା, ସଚେତନତା, ଶାନ୍ତିଶୃଙ୍ଖଳା, ଆଧ୍ୟାତ୍ମିକତା, ବିକାଶ ଦିଗରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ନେହେରୁ ପିଲାବେଳରୁ ଈଶ୍ୱର ବିଶ୍ୱାସୀ ଥିଲେ । ପିତାମାତାଙ୍କ କଥାରେ ଅନୁପ୍ରାଣିତ ତଥା ଗାଢ଼ ଈଶ୍ୱର ବିଶ୍ୱାସୀ ହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅଳଙ୍କୃତ କରାଇପାରିଥିଲା । ମହାନ୍ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ରାଜନୀତିଜ୍ଞ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀକୁ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ । ନେହରୁ ପିଲାମାନଙ୍କୁ ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା କରୁଥିଲେ । ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉନ୍ନତି ଲାଗି ସବୁବେଳେ ଚିନ୍ତା କରୁଥିଲେ । ସେ କହୁଥିଲେ, ପିଲାମାନଙ୍କର ଭବିଷ୍ୟତ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ । ତେଣୁ ପିଲାଙ୍କୁ ସବୁଠୁ ଅଧିକ ଗୁରୁତ୍ୱ ମିଳିବା ଆବଶ୍ୟକ । ସେହିଭଳି ସେମାନଙ୍କୁ ଅନୁଶାସନ, ସ୍ୱଚ୍ଛତା ଭଳି ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦିଆଯିବା ଦରକାର । ଏହି ମୂଲ୍ୟବୋଧ ପିଲାମାନଙ୍କୁ ଭଲ ନାଗରିକ କରିବ ବୋଲି ବିଦ୍ୟାର୍ଥୀଗଣଙ୍କୁ ଶ୍ରବଣ କରାଇଥିଲେ । ସମ୍ମାନୀୟ ଅତିଥି ରୂପେ ଛାତ୍ରାବାସର ଗୁରୁଜୀ ପ୍ରଶ୍ନ କୁମାର ଶତପଥୀ ଯୋଗଦେଇ ଶୀର୍ଷକ କଥା ‘ଚାଚା ନେହେରୁ\’ ଉପରେ ସଂକ୍ଷିପ୍ତ ବାର୍ତ୍ତା ବିଦ୍ୟାର୍ଥୀଙ୍କୁ ଶୁଣାଇଥିଲେ । ଗୁରୁଜୀ ଯଶୋବନ୍ତ ଅତିଥିଙ୍କର ପରିଚୟ ଦେଇ ପଣ୍ଡିତ ନେହେରଙ୍କର ଜୀବନୀ ବିଷୟରେ ଆଲୋକପାତ କରିଥିଲେ । ଗୁରୁଜୀ ସୁଦର୍ଶନ ନାଏକ, ଦୀପକ ଗୁରୁଜୀ, ରାଜେନ୍ଦ୍ର ମହାନ୍ତ, କାଳୀ ଗୁରୁଜୀ, କାଶୀ ଗୁରୁଜୀ, ଭଞ୍ଜ କିଶୋର ବିରୁଆ, ପଲ୍ଲବୀ, ପମା, ଶୁଭଶ୍ରୀ, ଲକ୍ଷ୍ମୀ, ଖୋଲଣା, ବୀଜନ୍ତୀ ଅପା ଏବଂ ବିଦ୍ୟାର୍ଥୀଗଣ ବକ୍ତବ୍ୟ ଦେବା ସହ ଝୋଟି ପ୍ରତିଯୋଗିତା, ବକୃତା, ପଣକିଆ ଲେଖନ ଓ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *