ଗାଜାବାସୀଙ୍କୁ ଇସ୍ରାଏଲର ଅପିଲ-ହମାସ ମୁଖ୍ୟକୁ ମାରିଦେଲେ ବନ୍ଦ ହୋଇଯିବ ଯୁଦ୍ଧ !

ନୂଆଦିଲ୍ଲୀ: ହମାସକୁ ମାଟିରେ ମିଶାଇଦେବା ଲକ୍ଷ୍ୟରେ ଗାଜା ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଏହାରି ମଧ୍ୟରେ ଗାଜାବାସୀଙ୍କ ପାଇଁ ଇସ୍ରାଏଲର ଏକ ଅଜବ ଅପିଲ ବେଶ୍ ଆଲୋଚନା କାରଣ ପାଲଟିଛି । ଇସ୍ରାଏଲ ସେନାର କହିବା ଅନୁଯାୟୀ, ଯଦି ଗାଜାର ଲୋକେ ହମାସ ମୁଖ୍ୟ ୟାହ୍ୱା ସିନୱାରଙ୍କୁ ହତ୍ୟା କରିଦେବେ ତେବେ ଯୁଦ୍ଧ ଶେଷ ହୋଇଯିବ । ସୂଚନାଥାଉକି, ଇସ୍ରାଏଲର ସେନା ସ୍ଥଳ ଏବଂ ଆକାଶ ମାର୍ଗରୁ ଆକ୍ରମଣ କରୁଛି । କିନ୍ତୁ ହମସାର ଆତଙ୍କୀମାନେ ସୁଡ଼ଙ୍ଗ ମଧ୍ୟରେ ଲୁଚିଛନ୍ତି । ସୁଡ଼ଙ୍ଗରେ ସେମାନଙ୍କ ପାଖରେ ବିପୁଳ ମାତ୍ରାରେ ଗୋଳା ବାରୁଦ ମଧ୍ୟ ରହିଛି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରବକ୍ତା ୟାଓବ ଗାଲେଣ୍ଟ କହିଛନ୍ତି ‘‘ଆମକୁ ହମାସ ମୁଖ୍ୟଙ୍କ ବିଷୟରେ ସୂଚନା ମିଳିବା ମାତ୍ରେ ଆମେ ତାଙ୍କୁ ଶେଷ କରିଦେବୁ, କିନ୍ତୁ ଯଦି ଏହା ପୂର୍ବରୁ ଗାଜାର କେହି ବ୍ୟକ୍ତିଙ୍କୁ ଆମ ଠାରୁ ପ୍ରଥମେ ସିନୱାର ମିଳିଯାଉଛନ୍ତି, ଆଉ ଯଦି ସେ ତାଙ୍କୁ ମାରିଦେଉଛନ୍ତି । ତା’ହେଲେ ଏହାଦ୍ୱାରା ଯୁଦ୍ଧ ଶୀଘ୍ର ଶେଷ ହୋଇଯିବ ।’’ ସୂଚନାଥାଉକି, ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବ ପରଠାରୁ ଯୁଦ୍ଧ ଆରମ୍ଭ ହୋଇଥିଲା । ଯାହା ଏବେ ଏକ ମାସରେ ପହଞ୍ଚିବାକୁ ଯାଉଛି । ମିଳିତ ଜାତିସଂଘ ଏବଂ ବିଭିନ୍ନ ଦେଶରେ ଏହି ସଙ୍କଟକୁ ଏଡ଼ାଇବା ପାଇଁ କୌଣସି ସାଧାରଣ ସହମତି ମଧ୍ୟ ହୋଇପାରିନାହିଁ । ହମାସ ଆତଙ୍କବାଦୀ ୧୪୦୦ ଇହୁଦୀଙ୍କୁ ମାରିବା ସହ ୨୪୦ ନାଗରିକଙ୍କୁ ବନ୍ଦୀ କରିଥିଲେ । ଏହା ପରେ ଗାଜାରେ ଆକ୍ରମଣ କରିଥିଲା ଇସ୍ରାଏଲ ଆଉ ଏପର୍ଯ୍ୟନ୍ତ ୯୫୦୦ ଲୋକଙ୍କ ମୃତ୍ୟୁ ହେଲାଣି । ଇସ୍ରାଏଲ ସେନା ଗାଜାରେ ପଶି ଆକ୍ରମଣ କରୁଛନ୍ତି । ଅବଶ୍ୟ ହମାସ ଆତଙ୍କୀ ସୁଡ଼ଙ୍ଗରୁ ବାହାରି ପାଲଟା ଆକ୍ରମଣ କରୁଛନ୍ତି । ଅନେକ ଦେଶ ସିଜ୍‌ଫାୟାର ପାଇଁ କହିଥିଲେ ବି ଇସ୍ରାଏଲ ସେମାନଙ୍କ ପରାମର୍ଶ ମାନିନାହିଁ । ହମାସକୁ ନଷ୍ଟ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି କହିଛି ଇସ୍ରାଏଲ ।

Leave a Reply

Your email address will not be published. Required fields are marked *