ନୂତନ ଶିକ୍ଷାନୀତି ଉପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ମିଳନୀ

ବାରିପଦା :ମହାରାଜା ଶ୍ରୀରାମଚନ୍ଦ୍ର ଭଦେଓ ବିଶ୍ୱବିଦ୍ୟାଳୟରେ ନୂତନ ଶିକ୍ଷାନୀତିରେ ଉଚ୍ଚ ଶିକ୍ଷାନୁଷ୍ଠାନର ଭୂମିକା ଓ ଦାୟିତ୍ୱ ଶୀର୍ଷକରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ମହାବିଦ୍ୟାଳୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଓ ବିଶ୍ୱବ୍ୟାଙ୍କ ଦ୍ୱାରା ଉତ୍କର୍ଷତା ଏବଂ ସମାନତା ପାଇଁ ଓଡିଶା ଉଚ୍ଚ ଶିକ୍ଷା ଯୋଜନାର ଆନୁଷ୍ଠାନିକ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରାୟୋଜିତ ଏହି କର୍ମଶାଳାରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରହିତ୍ୟ କରି ନୂତନ ଶିକ୍ଷାନୀତିର ଗୁଣାତ୍ମକ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ତଥା ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟକାରୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗଦେଇ ନୂତନ ଶିକ୍ଷାନୀତି ରେ ପାରସ୍ପରିକ ସାପେକ୍ଷ ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଦିଆଯାଇ ଜାତୀୟ ଚରିତ୍ରକୁ ଦକ୍ଷ ଓ ସ୍ୱାବଲମ୍ବୀ କରିପାରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମ୍ମାନୀତ ଅତିଥି ରୂପେ ଯୋଗଦାନ କରି ଭାରତୀୟ ଶିକ୍ଷାଧାରାରେ ପ୍ରାଚୀନଠାରୁ ଆଧୁନିକ ପର୍ଯ୍ୟନ୍ତ ପରିବର୍ତିତ ଧାରା ଉପରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶିକା ପ୍ରଫେସର ସୁସ୍ମିତା କର ସ୍ୱାଗତ ଭାଷଣ ଦେଇଥିବା ବେଳେ, ସମ୍ପାଦକ ତଥା ସହଯୋଗୀ ପ୍ରଫେସର ଡ. ଆଦିତ୍ୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *