ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ଜାତୀୟ ପତାକାର ଡିଜାଇନର୍ ପିଙ୍ଗାଲି ଭେଙ୍କେୟାଙ୍କ ଜନ୍ମଜୟନ୍ତୀରେ କୋଟି କୋଟି ପ୍ରଣାମ।
।। ୦୨ ଅଗଷ୍ଟ ୧୮୭୬ – ୦୪ ଜୁଲାଇ ୧୯୬୩ ।।
ସେନାବାହିନୀରୁ ଅବସରପରେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିବା ପିଙ୍ଗାଲି ଭେଙ୍କେୟା ନାମକ ଜଣେ ଯୁବକ ଭାରତର ଜାତୀୟ ପତାକା ପାଇଁ ଅନ୍ୟୁନ ୩୦ଟି ଡିଜାଇନ୍ ପ୍ରସ୍ତୁତ କରିଥିଲେ । ୧୯୨୧ରେ ବେଜୱାଡାଠାରେ ପେଙ୍ଗାଲି ଭେଟିଥିଲେ ଗାନ୍ଧୀଜୀଙ୍କୁ । ଉଭୟଙ୍କ ମଧ୍ୟରେ ଭାରତୀୟ ଝଣ୍ଡା ସମ୍ପର୍କରେ ଦୀର୍ଘ ଆଲୋଚନା ହେଲା । ଏହାର ଫଳ ସ୍ୱରୂପ କେଶରୀ, ଧଳା ଓ ସବୁଜ ରଙ୍ଗର ପତାକା ଖଦି କପଡାରେ ପସ୍ତୁତ ହେବ ଓ ତାହାର କେନ୍ଦ୍ର ସ୍ଥଳରେ ଚରଖା ଚିହ୍ନ ରଖିବାକୁ ନିଷ୍ପତ୍ତି ହେଲା । କଂଗ୍ରେସ ଅଧିବେଶନରେ ପତାକା ସମ୍ପର୍କିତ ପ୍ରସ୍ତାବ ଗୃହିତ ହେଲା । ସେତେବେଳେ ଏହି ପତାକା ହୋଇଗଲା ସ୍ୱାଧୀନତା ସଂଗ୍ରାମର ଦିଗବାରେଣୀ । ଲାହୋରରେ ଅନୁଷ୍ଠିତ କଂଗ୍ରେସ ଅଧିବେସନରେ ଜାନୁଆରୀ ୨୬କୁ ପୂର୍ଣ୍ଣ ସ୍ୱରାଜ ବା ସ୍ୱାଧୀନତା ଦିବସଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା ଏବଂ ତଦନୁଯାୟୀ ଦେଶର କୋଣ ଅନୁକୋଣରେ ତ୍ରିରଙ୍ଗା ଝଣ୍ଡା ଉଡାଇ ଲୋକେ ପୂର୍ଣ୍ଣ ସ୍ୱାଧୀନତା ଲାଗି ସଙ୍କଳ୍ପ ପାଠ କଲେ । ଲବଣ ସତ୍ୟାଗ୍ରହରୁ ଭାରତଛାଡ ଆନ୍ଦୋଳନ ପର୍ଯ୍ୟନ୍ତ ବିଭିନ୍ନ ସଂଗ୍ରାମରେ ଏହି ତ୍ରିରଙ୍ଗା ଝଣ୍ଡା ଥିଲା ସଂଗ୍ରାମୀମାନଙ୍କ ପ୍ରେରଣାର ଉତ୍ସ ।
୧୯୩୦ର ଲବଣ ସତ୍ୟାଗ୍ରହ କାଳରେ ହୋଇଥିବା ଦାଣ୍ଡି ଅଭିଯାନର ନେତୃତ୍ୱ ନେଇଥିଲେ ଗାନ୍ଧୀ । ତାଙ୍କ ପରେ ଆବାସ ତୟାବ୍ଜୀ ଓ ସରୋଜିନୀ ନାଇଡୁ ଏହି ସତ୍ୟାଗ୍ରହର ନେତୃତ୍ୱ ନେବେବୋଲି ଘୋଷଣା କରି ସେମାନଙ୍କ ହାତରେ ଗୋଟିଏ ଗୋଟିଏ ତ୍ରିରଙ୍ଗା ଝଣ୍ଡା ଧରାଇଦେଲେ ଗାନ୍ଧୀଜୀ । ଏ ଝଣ୍ଡାର ଟେକ ସେ କେତେବେଳ ପର୍ଯ୍ୟନ୍ତ ରଖିପାରିବେ ବୋଲି ସରୋଜିନୀ ପଚାରିବାରେ ଗାନ୍ଧୀଜୀ କହିଥିଲେ, ‘ଯେ ପର୍ଯ୍ୟନ୍ତ ବ୍ରିଟିଶ୍ ପୋଲିସ ତୁମ ହାତକଚଟି ଭାଙ୍ଗି ନ ଦେଇଛି ସେପର୍ଯ୍ୟନ୍ତ ତୁମେ ଏ ଝଣ୍ଡାର ଟେକ ରଖିଥିବ ।’ ଏଠାରେ ଉଲ୍ଲେଖନୀୟ ଯେ ବ୍ରିଟିଶ୍ ଆଇନ୍ ଭାଙ୍ଗି ସତ୍ୟାଗ୍ରହୀମାନେ ଯେଉଁ ଲୁଣ ମାରିବେ ତାହା ସେମାନଙ୍କ ସ୍ୱାଭିମାନର ପ୍ରତୀକ ବୋଲି ସ୍ମରଣ କରାଇ ଜୀବନ ଚାଲିଗଲେ ବି ସତ୍ୟାଗ୍ରହୀ ମୁଠେଇ ଧରିଥିବା ଲୁଣକୁ ନ ଛାଡିବା ପାଇଁ ଗାନ୍ଧୀ କହିଥିଲେ । କେବଳ ସରୋଜିନୀ ନୁହଁନ୍ତି ଦେଶର କୋଣ ଅନୁକୋଣରେ ସେତେବେଳେ ତ୍ରିରଙ୍ଗା ଝଣ୍ଡା ଉଡାଇ ହଜାର ହଜାର ସତ୍ୟାଗ୍ରହୀ ଗୁଳି, ଲାଠିକୁ ମୁକାବିଲା କରି ଲୁଣ ମାରିଲେ ।