ସୌମେନ୍ଦ୍ର ଜେନା
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ନ ଦେବାକୁ କେନ୍ଦ୍ରକରି ଭାରତରେ ବିରୋଧୀ ଦଳ ଲୋକେ କାହିଁ କେତେ କଣ ଆଲୋଚନା କଲେ । ପ୍ରଧାନମନ୍ତ୍ରୀଙ୍କୁ ଡୋନାଲ୍ଡ ଟ୍ରମ୍ପ ନିମନ୍ତ୍ରଣ ନକରି ଚୀନର ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରି ମୋଦିଙ୍କ ଗୁରୁତ୍ୱ ହ୍ରାସ କଲେ ବୋଲି କହିଲେ । ଦ୍ୱିତୀୟବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ଦୁଇଦେଶର ସଂପର୍କ ପୂର୍ବାପେକ୍ଷା ଦୁର୍ବଳ ହେବ ବୋଲି ପ୍ରଚାର କରାଗଲା । କିନ୍ତୁ ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ପ୍ରଥମେ ଯେଉଁ ବିଶ୍ୱ ନେତୃବୃନ୍ଦଙ୍କୁ ଆମେରିକାକୁ ଆଲୋଚନା ପାଇଁ ନିମନ୍ତ୍ରଣ କଲେ ସେମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ରହିଥିଲେ । ତଦନୁସାରେ ଫେବୃଆରୀ ୧୩ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଅନେକ ସଂଶୟ ଦୂର କରିବାପାଇଁ ସକ୍ଷମ ହୋଇଛନ୍ତି । ଟ୍ରମ୍ପଙ୍କ ଆତିଥ୍ୟ ମୋଦିଙ୍କ ପାଇଁ ପୂର୍ବବତ୍ ରହିଛି । ସେଥିରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଇତି ମଧ୍ୟରେ ଟ୍ରମ୍ପ ମୋଦିଙ୍କ ନୀତିକୁ ଆମେରିକାରେ ଲାଗୁକରିବା ପାଇଁ ନିଜର ନୀତି ପ୍ରସ୍ତୁତ କରିଛନ୍ତି । ଅନେକ କଠୋର ଘୋଷଣା ମଧ୍ୟ କରିଛନ୍ତି ।
ଏକଥା ସତ ଯେ ୨୦୨୦ରେ ଟ୍ରମ୍ପ ଷଡଯନ୍ତ୍ରପୂର୍ଣ୍ଣ ନିର୍ବାଚନରେ ବାଇଡେନଙ୍କଠାରୁ ପରାସ୍ତ ହେବାପରେ ଅନେକ ଆତ୍ମସମୀକ୍ଷା କରିଛନ୍ତି । ନିର୍ବାଚନରୁ ତାଙ୍କୁ ଦୂରେଇ ରଖିବା ପାଇଁ ଚରିତ୍ରକୁ କେନ୍ଦ୍ର କରି ମାମଲାଠାରୁ ଆରମ୍ଭକରି ଦୁର୍ନୀତି ପର୍ଯ୍ୟନ୍ତ ମାମଲା ମଧ୍ୟ ଆସିଛି । ସେସବୁ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁନର୍ବାର ନିଜକୁ ରିପବ୍ଲିକାନ ଦଳର ସର୍ବଶ୍ରେଷ୍ଠ ପ୍ରାର୍ଥୀ ଭାବେ ପ୍ରମାଣିତ କରିବାପରେ ହତ୍ୟାର ଶିକାରରୁ ଅଳ୍ପକେ ବର୍ତ୍ତିଛନ୍ତି । ବାଇଡେନ ଯେପରି ନିଜ ଶାସନ କାଳରେ ଇସଲାମିଷ୍ଟ,ଜିହାଦୀ, କମ୍ୟୁନିଷ୍ଟମାନଙ୍କ ପ୍ରଭାବ ବୃଦ୍ଧି କରିବାକୁ ସଂଖ୍ୟାଧିକ ଅନୁପ୍ରବେଶକାରୀଙ୍କୁ ଆମେରିକାରେ ପ୍ରବେଶ କରିବାର ସୁଯୋଗ ଦେଇ ଦେଶକୁ ଏକ ଧର୍ମଶାଳାରେ ପରିଣତ କରିଥିଲେ ଟ୍ରମ୍ପ ସେଥିରେ ବ୍ରେକ୍ କଷିଛନ୍ତି । ଆମେରିକାରେ ଆମେରିକାବାସୀଙ୍କ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେବା ସହ ସେମାନଙ୍କ ଧନ-ଜୀବନ ଓ ରୋଜଗାରର ସୁରକ୍ଷାକୁ ଜୋର୍ ଦେଇଛନ୍ତି । ଆମେରିକାର ଅର୍ଥନୀତିକୁ ଦୁର୍ବଳ କରି ଅଧିକରୁ ଅଧିକ ବିଦେଶରୁ ହେଉଥିବା ଆମଦାନୀକୁ ହ୍ରାସ କରିବାପାଇଁ ମୋଦିଙ୍କ ‘ଆତ୍ମନିର୍ଭର ଭାରତ’ ଅଭିଯାନ ପରି ଆମେରିକା -କୈନ୍ଦ୍ରିକ ଉତ୍ପାଦନ ଉପରେ ଅଧିକ ଜୋର ଦେଇଛନ୍ତି । ମୋଦିଙ୍କ ଦୁର୍ନୀତିମୁକ୍ତ ପ୍ରଶାସନିକ ଅଭିଯାନ ପରି ଆମେରିକାର ପ୍ରଶାସନରେ ସ୍ୱଚ୍ଛତା ଆଣିବାକୁ ଚେଷ୍ଟା କରିଛନ୍ତି । ମୋଦିଙ୍କ ସଦୃଶ ନିର୍ବାଚନରେ ସମ୍ବିଧାନର ହତ୍ୟା, ଗଣତନ୍ତ୍ରର ହତ୍ୟାପରି ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସାମ୍ନା କରିଛନ୍ତି । ପୃଥିବୀରେ ଅନେକ ଦେଶରେ ଗଣତନ୍ତ୍ରକୁ ହତ୍ୟା କରିବାକୁ ବାଇଡେନ କିପରି ୟୁକ୍ରେନ ମାମଲାକୁ ଅସ୍ତ୍ର କରି ବିଶ୍ୱକୁ ଅସ୍ଥିର କରିଛନ୍ତି ତାହା ମଧ୍ୟ ସେ ଖୋଲି କହିଛନ୍ତି । ଗାଜାରେ ସନ୍ତ୍ରାସବାଦୀଙ୍କୁ କଣ୍ଡୋମ ଯୋଗାଇଥିବା ବାଇଡେନ କିପରି ଆଫ୍ରିକାରୁ ଏସିଆ, ୟୁରୋପରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ଆମେରିକାର ବିଦେଶନୀତିକୁ ଦୁର୍ବଳ କରିଥିଲେ ଟ୍ରମ୍ପ ତାହା ପ୍ରକାଶ କରିଛନ୍ତି । ଗୋଟିଏ ପଟେ ଆଫଗାନିସ୍ଥାନ, ଶ୍ରୀଲଙ୍କା, ମ୍ୟାନମାର, ବଙ୍ଗଳାଦେଶରେ ଅସ୍ଥିରତା ସୃଷ୍ଟି କରିଥିବା ବାଇଡେନଙ୍କ ଷଡଯନ୍ତ୍ରକୁ ମୋଦି ସାମ୍ନା କରିବା ସହ ଶ୍ରୀଲଙ୍କା ଓ ଆଫଗାନିସ୍ଥାନ ପରି ରାଷ୍ଟ୍ରର ସ୍ଥିରତା ପାଇଁ ଅନେକ ସାହାଯ୍ୟ କରିଛନ୍ତି । ଦକ୍ଷିଣ ଏସିଆର ସ୍ଥିରତାକୁ ସୁଦୃଢ କରିବାପାଇଁ କେଉଁଠି ଆର୍ôଥକ ସହାୟତା, କୂଟନୀତିକ ସହାୟତା, କେଉଁଠି ରାଷ୍ଟ୍ରମୁଖ୍ୟଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଆସିଛନ୍ତି । ମୋଦିଙ୍କ ଏପ୍ରକାର ବିଦେଶନୀତି ଟ୍ରମ୍ପଙ୍କୁ ଅନେକ ପ୍ରଭାବିତ କରିଛି । ଭାରତର ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ଗୋଟିଏ ପଟେ ଚୀନ-ଆମେରିକା ମଧ୍ୟରେ ତିକ୍ତତା, କାନାଡା-ଆମେରିକା ବାକ୍ଯୁଦ୍ଧ, ମେକ୍ସିକୋ-ଆମେରିକା ମଧ୍ୟରେ ସୀମା କଟକଣା ଜାରି ଥିଲାବେଳେ ମୋଦି ଆମେରିକା ଗସ୍ତରେ ଯାଇ ଭାରତର ସାଂପ୍ରତିକ ସ୍ଥିତି, ବିଶ୍ୱପ୍ରତି ଦୃଷ୍ଟିକୋଣ, ଆଗାମୀ ଦିନର ଆହ୍ୱାନ ବିଷୟରେ ଅଧିକ ସ୍ପଷ୍ଟ କରିଛନ୍ତି ।
ମୋଦିଙ୍କ ସ୍ୱାଗତ ପାଇଁ ଆମେରିକାରେ ରେଡକାର୍ପେଟ ବିଛାଯାଇଥିଲା । ମୋଦି ଭାରତର ପ୍ରତିରକ୍ଷା, ବାଣିଜ୍ୟ, ଶିଳ୍ପର ବିକାଶ, ଟେକ୍ନୋଲୋଜୀ ଅଧିଗ୍ରହଣ ପରି ବିଷୟକୁ ସବୁ ସମୟରେ ଗୁରୁତ୍ୱ ଦେଲାପରି ଚଳିତଥର ମଧ୍ୟ ଦେଇଥିଲେ । ବାଣିଜ୍ୟିକ ସନ୍ତୁଳନ ପାଇଁ ଟ୍ରମ୍ପଙ୍କ ସହ ସକାରାତ୍ମକ ଆଲୋଚନା କରିଥିଲେ । ଟ୍ରମ୍ପଙ୍କ ସହଯୋଗୀ ଏଲନ୍ ମସ୍କ, ବିବେକ ରାମସ୍ୱାମୀ, ତୁଳସୀ ଗବାର୍ଡ, ଜେଡି ଭାନ୍ସ, କ୍ରିସ ପଟେଲଙ୍କ ସମେତ ବ୍ୟାବସାୟିକ ଓ ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ନେତୃବୃନ୍ଦଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ହ୍ୱାଇଟ ହାଉସଠାରେ ଟ୍ରମ୍ପ ମୋଦିଙ୍କୁ ସାକ୍ଷାତ କରିବା ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦିଙ୍କୁ ସ୍ୱାଗତ କରି ବନ୍ଧୁ ବୋଲି କହିଥିଲେ । ଗୁଜରାଟର ମୋଟେରାଠାରେ ଥିବା କ୍ରିକେଟ ଷ୍ଟାଡିୟମରେ ତାଙ୍କୁ ସ୍ୱାଗତ କରାଯିବା ବିଷୟକୁ ମନେପକାଇଥିଲେ । ସନ୍ତୁଳିତ ବାଣିଜ୍ୟ ଉପରେ ଦୁଇନେତା ଆଲୋଚନା କରିବାପରେ ତୈଳ, ଗ୍ୟାସ, ପ୍ରତିରକ୍ଷା ସାମଗ୍ରୀ ଦ୍ୱାରା କରାଯିବାକୁ ରାଜି ହୋଇଥିଲେ ।
ମୋଦି ତାଙ୍କ ଭାଷଣରେ ସମୃଦ୍ଧି ପାଇଁ ଦୁଇରାଷ୍ଟ୍ର କାର୍ଯ୍ୟକରିବାକୁ ପ୍ରତିଶ୍ରୁତି ଦେଇଥିଲେ । ୨୦୩୦ସୁଦ୍ଧା ଦୁଇଦେଶର ବାଣିଜ୍ୟ ୫୦୦ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଘୋଷଣା କରିଥିଲେ । ଭାରତର ଆଣବିକ ଶକ୍ତି ବୃଦ୍ଧି ପାଇଁ ଆମେରିକା ସହଯୋଗ କରିବାକୁ ରାଜି ହୋଇଛି । ଆଗାମୀ ଦିନରେ ମିଳିତ ପ୍ରତିରକ୍ଷା ଉତ୍ପାଦନ ପାଇଁ ଦୁଇରାଷ୍ଟ୍ର ରାଜି ହୋଇଛନ୍ତି । ଯୋଗାଣ ପାଇଁ ଦୁଇଦେଶ ମିଳିତ ଉତ୍ପାଦନ ଚେନ୍ ସୃଷ୍ଟି ପାଇଁ ସହମତି ପ୍ରକାଶ କରିଥିଲେ । ସେମିକଣ୍ଡକ୍ଟର, ବାଇଓ ଟେକ୍ନୋଲୋଜୀ, କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ କାର୍ଯ୍ୟକରିବାକୁ ଦୁଇରାଷ୍ଟ୍ର ଏକମତ ହୋଇଥିଲେ । ଲିଥିୟମ ଏବଂ ଅନ୍ୟାନ୍ୟ ଆବଶ୍ୟକ ମୂଲ୍ୟବାନ ଖଣିଜ ପଦାର୍ଥ ବିଷୟରେ ଦୁଇ ଦେଶ କାର୍ଯ୍ୟକରିବେ । ଗଣତନ୍ତ୍ର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଦୁଇଦେଶ କ୍ୱାଡରେ ରହି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କାର୍ଯ୍ୟ କରିବେ । ଆଇ୨ୟୁ୨ ଢାଞ୍ଚାରେ ଦୁଇଦେଶର ସରକାର ଆଲୋଚନା ଜାରି ରଖିବେ । ଲସ୍ ଏଞ୍ଜେଲସ୍ ଏବଂ ବୋଷ୍ଟନରେ ଭାରତ ନୂଆ କନସଲ ଖୋଲିବ । ଇସ୍ରୋ ଏବଂ ନାସା ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା । ଦୁଇଦେଶ ମଧ୍ୟରେ ୨୦୨୪-୨୫ରେ ଆମେରିକା ତୁଳନାରେ ଭାରତ ୨୩.୨୬ ବିଲିଅନ ଡଲାର ଅଧିକ ରପ୍ତାନୀ ଆମେରିକାକୁ କରିଥିଲା । ଭାରତରେ ଆମେରିକାର ଦାମୀ ମୋଟର ସାଇକେଲ ଏବଂ କାରର ବିକ୍ରିପାଇଁ ସରକାର ଆମଦାନୀ ଶୁଳ୍କ ହ୍ରାସ ଘୋଷଣା କରିଥିବାରୁ ଆଗାମୀ ଦିନରେ ଆମେରିକାର କାର ଏବଂ ମୋଟର ସାଇକେଲ ଭାରତରେ ଅଧିକ ବିକ୍ରି ହେବାର ସମ୍ଭାବନା ରହିଛି । ଦ୍ୱିପାକ୍ଷିକ ବାଣିଜ୍ୟକୁ ଦେଖିଲେ ଆମେରିକାକୁ ଭାରତ ୨୦୧୯-୨୦ରେ ୫୩,୬୮୮.୭୭ ମିଲିଅନ, ୨୦୨୦-୨୧ରେ ୫୧,୬୨୩.୧୪ ମିଲିଅନ, ୨୦୨୧-୨୨ରେ ୭୬,୧୬୭.୦୧ ମିଲିଅନ, ୨୦୨୨-୨୩ରେ ୭୮,୫୪୨.୬୦ ମିଲିଅନ, ୨୦୨୩-୨୪ରେ ୭୭,୫୧୫.୦୩ମିଲିଅନ୍, ୨୦୨୪-୨୫ ରେ ୫୨,୮୯୪.୯୪ ବିଲିଅନ ଡଲାରର ରପ୍ତାନୀ କରିଥିବା ସମୟରେ ଆମେରିକାରୁ ଭାରତକୁ ଆମଦାନୀ ମିଲିଅନ ଡଲାର ହିସାବରେ ୨୦୧୯-୨୦ରେ ୩୫,୮୧୯.୮୭, ୨୦୨୦-୨୧ରେ ୨୮,୮୮୮.୧୦, ୨୦୨୧-୨୨ରେ ୪୩,୩୧୪.୦୭, ୨୦୨୨-୨୩ରେ ୫୦,୮୬୩.୮୭, ୨୦୨୩-୨୪ରେ ୪୨,୧୯୫.୪୯,୨୦୨୪-୨୫ ରେ (ଏପ୍ରିଲ-ନଭେମ୍ବର) ୨୯,୬୩୨.୨୦ ମିଲିଅନ ଡଲାର ରହିଛି । ମୋଟ ବାଣିଜ୍ୟ ଦେଖିଲେ ୨୦୧୯-୨୦ରେ ୮୮,୯୦୮.୬୫ ମିଲିଅନ, ୨୦୨୦-୨୧ରେ ୮୦,୫୧୧.୨୪ ମିଲିଅନ, ୨୦୨୧-୨୨ରେ ୧୧୯,୪୮୧.୦୮ ମିଲିଅନ, ୨୦୨୨-୨୩ରେ ୧୨୯,୪୦୪.୪୭ ମିଲିଅନ, ୨୦୨୩-୨୪ରେ ୧୧୯,୭୧୦.୫୨ ମିଲିଅନ ଏବଂ ୨୦୨୪-୨୫ (ଏପ୍ରିଲ -ନଭେମ୍ବର) ମଧ୍ୟରେ ୮୨,୫୨୭.୧୪ ମିଲିଅନ ଡଲାର ହୋଇଥିଲା । ସେମିତି ଦ୍ୱିପାକ୍ଷିକ ପ୍ରତିରକ୍ଷା ବାଣିଜ୍ୟ ମିଲିଅନ ଡଲାର ହିସାବରେ ଦେଖିଲେ ଭାରତରୁ ଆମେରିକାକୁ ରପ୍ତାନୀ ୨୦୧୯-୨୦ରେ ୪୩.୭୨, ୨୦୨୦-୨୧ରେ ୬୮.୫୪, ୨୦୨୧-୨୨ରେ ୭୩.୯୭, ୨୦୨୨-୨୩ରେ ୬୦.୫୬,୨୦୨୩-୨୪ରେ ୫୩.୧୦, ୨୦୨୪-୨୫ (ଏପ୍ରିଲ-ନଭେମ୍ବର) ମଧ୍ୟରେ ୪୨.୮୮ ମିଲିଅନ ଡଲାର ହୋଇଛି । ସେହି ସମୟରେ ଆମେରିକାରୁ ଭାରତକୁ ପ୍ରତିରକ୍ଷା ଆମଦାନୀ ୨୦୧୯-୨୦ରେ ୦.୮୬, ୨୦୨୦-୨୧ରେ ୧.୪୬, ୨୦୨୧-୨୨ରେ ୦.୯୭, ୨୦୨୨-୨୩ରେ ୦.୫୭,୨୦୨୩-୨୪ରେ ୨.୨୭, ୨୦୨୪-୨୫ (ଏପ୍ରିଲ -ନଭେମ୍ବର) ମଧ୍ୟରେ ୧.୭୨ ମିଲିଅନ ଡଲାର ହୋଇଛି । ୨୦୧୬ରୁ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଛି । ୨୦୧୮ରୁ ଏହି ସହଯୋଗ ରଣନୀତିକ ବାଣିଜ୍ୟ ସ୍ୱୀକୃତି -୧ମ ଶ୍ରେଣୀର ହୋଇଥିଲା । ଏହାଦ୍ୱାରା ଭାରତ ଅନେକ ପ୍ରକାର ସାମଗ୍ରୀ ଲାଇସେନ୍ସ ମୁକ୍ତ ଭାବେ ପାଇବା ସହ ଟେକ୍ନୋଲୋଜୀ ମଧ୍ୟ ଲାଭ କରିବ । ଜାଭେଲିନ ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର ଏବଂ ଷ୍ଟ୍ରାଇକର ପ୍ରତିରକ୍ଷା ଆକ୍ରମଣଯାନର ଉତ୍ପାଦନ ଭାରତରେ କରାଯିବା ଲାଗି ସ୍ଥିର ହୋଇଛି । ଆମେରିକା ଭାରତକୁ ଏଫ୍-୩୫ ଶ୍ରେଣୀର ଯୁଦ୍ଧ ବିମାନ ଦେବାଲାଗି ଉଦ୍ୟମ କରୁଥିବାବେଳେ ଭାରତ ସେସବୁର ଉତ୍ପାଦନ ଭାରତରେ କରିବାକୁ ଚାହୁଁଛି । ଆମେରିକାର ଅଣ୍ଡୁରିଲ ଇଣ୍ଡଷ୍ଟ୍ରୀଜ ଓ ଭାରତର ମହିନ୍ଦ୍ରା ଗ୍ରୁପ ମିଳିତ ଭାବେ ଆଧୁନିକ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ନିର୍ମାଣ, କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ମାନବବିହୀନ ଯାନର ସୁରକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ରାଜି ହୋଇଛନ୍ତି । ସେମିତି ଆମେରିକାର ଏଲ୍-୩ ହାରିସ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ମିଳିତ ଭାବେ ଆରେ ସୁରକ୍ଷା ବ୍ୟବସ୍ଥା ନିର୍ମାଣ ପାଇଁ ଯୋଜନା କରିଛନ୍ତି । ଦୁଇଦେଶ ସାଇବର ସୁରକ୍ଷା, ପ୍ରତିରକ୍ଷା କ୍ଷେତ୍ରରେ ସ୍ଥଳ, ଆକାଶ, ସମୁଦ୍ର, ମହାକାଶରେ ସହଯୋଗ ପାଇଁ ରାଜି ହୋଇଛନ୍ତି । ୨୦୧୯ରେ ଦୁଇଦେଶର ତିନିବାହିନୀ ମଧ୍ୟରେ ମିଳିତ ଅଭ୍ୟାସକୁ ଆଗାମୀ ଦିନରେ ଭାରତରେ କରାଯିବ ।
ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଆର୍ôଥକ କରିଡର ନିର୍ମାଣ ପାଇଁ ଦୁଇଦେଶ ସହଯୋଗୀ ରହିବେ । ଏହାଦ୍ୱାରା ଭାରତ, ଇସ୍ରାଏଲ, ଇଟାଲୀ ଏବଂ ଆମେରିକା ମଧ୍ୟରେ ସଡକ, ରେଳପଥ, ସାମୁଦ୍ରିକ କେବୁଲ ମାଧ୍ୟମରେ ସଂପର୍କ ସ୍ଥାପନ ହେବ । ଏହି ମାର୍ଗ ଖୋଲିଲେ ଆର୍ôଥକ, ଶକ୍ତି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ପାଦନ ଓ ଯୋଗାଣ ବଢିବ । ଭାରତ ୨୦୨୫ ସୁଦ୍ଧା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନିଜର ମହାକାଶଚାରୀଙ୍କୁ ପଠାଇବାକୁ ଲକ୍ଷ୍ୟ ରଖିଥିବା ହେତୁ ଆମେରିକା ଏ ଦିଗରେ ସାହାଯ୍ୟ ଓ ସହଯୋଗ କରିବାକୁ ରାଜି ହୋଇଛି । ନିସାର ରାଡାର ନିର୍ମାଣଲାଗି ନାସା- ଇସ୍ରୋ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସ୍ଥିର ହୋଇଥିଲା । ଆନ୍ତର୍ଜାତିକ ଶକ୍ତି ଏଜେନ୍ସୀ (ଆଇଇଏ)ରେ ଭାରତର ସଦସ୍ୟତାକୁ ଆମେରିକା ସମର୍ଥନ କରିଛି । ବିଶ୍ୱର ଶକ୍ତି କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଏବଂ କାର୍ଯ୍ୟକାରୀ କରିବାକୁ ଦୁଇଦେଶ ଏକମତ ହୋଇଥିଲେ । ଆଗାମୀ ଦିନରେ ନୂଆଦିଲ୍ଲୀଠାରେ କ୍ୱାଡ ରାଷ୍ଟ୍ରଗୁଡିକର ରାଷ୍ଟ୍ରମୁଖ୍ୟଙ୍କ ଶିଖର ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ହେତୁ ଏଥିରେ ଯୋଗଦାନ ପାଇଁ ମୋଦି ଟ୍ରମ୍ପଙ୍କୁ ନିମନ୍ତ୍ରଣ ଦେଇଥିଲେ । ବାଣିଜ୍ୟ, ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ବହୁସ୍ତରୀୟ ଆଲୋଚନା ନିମନ୍ତେ ଆଇ୨ୟୁ୨ ଗୋଷ୍ଠୀର ବୈଠକ ହେବା ଆବଶ୍ୟକ ।
୨୦୦୮ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ଷଡଯନ୍ତ୍ରକାରୀ ତହବୁର ରାଣାକୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଭାରତ-ଚୀନ ସୀମା ବିବାଦର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥତା କରିବାକୁ ରାଜି ହୋଇଥିଲେ ମଧ୍ୟ ଭାରତ ଉକ୍ତ ମାମଲାରେ ତୃତୀୟପକ୍ଷର ସହାୟତାକୁ ବିରୋଧ କରିଥିଲା । ଆମେରିକା ସରକାର ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତକୁ ଏଫ୍-୩୫ ଯୁଦ୍ଧ ବିମାନ ସମେତ ସି-୧୩୦ ଜେ ସୁପର ହରକ୍ୟୁଲସ, ସି-୧୭ ଗ୍ଲୋବମାଷ୍ଟର-୩, ପି-୮ଆଇ ପୋସେଡନ ଯୁଦ୍ଧବିମାନ, ସିଏଚ୍-୪୭୫ ଚିନୁକ, ଏମ୍ଏଚ୍ -୬୦ଆର୍ ସି ହକ ହେଲିକପ୍ଟର, ଏଏଚ୍-୬୪ଇ ଆପାଚେ ହେଲିକପ୍ଟର, ହାର୍ପୁନ ଟ୍ୟାଙ୍କ ବିରୋଧୀ କ୍ଷେପଣାସ୍ତ୍ର, ଏମ୍ ୭୭୭ ହୋୱିଜର୍ସ ଏବଂ ଏମ୍କ୍ୟୁ-୯ବି ତୋପ ପ୍ରଭୃତି ଭାରତକୁ ଦେବାଲାଗି ଟ୍ରମ୍ପ ସରକାର ରାଜି ହୋଇ ପ୍ରସ୍ତାବ ଦେଇଛନ୍ତି ।
ବେଆଇନ ଭାବେ ପ୍ରବେଶ କରିଥିବା ଲୋକଙ୍କୁ ଆମେରିକା ଫେରାଇଲେ ଭାରତ ଗ୍ରହଣ କରିବା ପାଇଁ ରାଜି ହେବା ସହ ଯୋଗ୍ୟ ଲୋକଙ୍କୁ ଅଧିକ ଭିସା ପ୍ରଦାନ କରିବାକୁ ଆମେରିକାକୁ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ-ଆମେରିକା ବନ୍ଧୁତ୍ୱକୁ ଆଗାମୀ ଦିନରେ ସୁଦୃଢ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩