ମୌଳିକ ଚିନ୍ତାନାୟକ- ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ

ସେପ୍ଟେମ୍ବର ୨୫ ଜନ୍ମଜୟନ୍ତୀ ଅବସରରେ
ମୌଳିକ ଚିନ୍ତାନାୟକ- ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ
ସର୍ବେଶ୍ୱର ବେହେରା
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଣେ ମୌଳିକ ଚିନ୍ତାନାୟକ, ଶ୍ରେଷ୍ଠ ରାଜନୀତିଜ୍ଞ ଓ କୁଶଳୀ ସଙ୍ଗଠକ ଥିଲେ । ସେ ୧୯୧୬ ସେପ୍ଟେମ୍ବର ୨୫ ତାରିଖରେ ଏକ ସାଧାରଣ ପରିବାରରେ ଜନ୍ମ ହୋଇ ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରିବା ପରେ ୧୯୪୨ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ଭାବେ ଯୋଗ ଦେଇଥିଲେ। ତାଙ୍କର ଅଦ୍ୱିତୀୟ ପ୍ରତିଭା ଓ ବ୍ୟବହାର କୁଶଳତା ଯୋଗୁଁ ସଙ୍ଗଠନରେ ସେ ଅତ୍ୟନ୍ତ ପ୍ରିୟପାତ୍ର ହୋଇଥିଲେ । ୧୯୫୧ ଅକ୍ଟୋବର ୨୧ ତାରିଖରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନସଂଘ ପ୍ରତିଷ୍ଠା କରିଥିଲେ । ସଂଘର ତତ୍କାଳୀନ ସରସଂଘଚାଳକ ଶ୍ରୀ ମାଧବ ସଦାଶିବ ଗୋଲୱାଲକର (ଶ୍ରୀଗୁରୁଜୀ)ଙ୍କୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ସଙ୍ଗଠନ ବୃଦ୍ଧି ପାଇଁ କାର୍ଯ୍ୟକର୍ତ୍ତା ଦେବାକୁ ଅନୁରୋଧ କରିଥିଲେ। ଶ୍ରୀଗୁରୁଜୀଙ୍କ ପ୍ରେରଣାରେ ଦୀନଦୟାଲ ଉପାଧ୍ୟାୟ ଜନସଂଘରେ ଯୋଗ ଦେଇଥିଲେ । ଜନସଂଘର ପ୍ରଥମ ଅଧିବେଶନ ୧୯୫୨ ମସିହାରେ କାନପୁର ଠାରେ ଅନୁଷ୍ଠିତ ହୋଇଥିଲା । ଏହିଠାରେ ଦୀନଦୟାଲଜୀଙ୍କୁ ଜନସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରୂପେ ନିଯୁକ୍ତ କରାଗଲା । ତାଙ୍କ ନେତୃତ୍ୱରେ ଜନସଂଘ ସ୍ୱଳ୍ପକାଳ ମଧ୍ୟରେ ଏକ ରାଷ୍ଟ୍ରୀୟ ରାଜନୈତିକ ଦଳ ରୂପେ ପ୍ରତିଷ୍ଠା ଲାଭ କରିଥିଲେ । ସଙ୍ଗଠନର କାର୍ଯ୍ୟ ତୀବ୍ର ଗତିରେ ବୃଦ୍ଧି ପାଇଥିଲା ।
ରାଷ୍ଟ୍ରର ସର୍ବାଙ୍ଗୀଣ ଉନ୍ନତି ପାଇଁ ରାଜନୈତିକ ଦଳର ଭୂମିକା ଓ ସେଥିରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ଉପରେ ସେ ସ୍ପଷ୍ଟ ମତପୋଷଣ କରୁଥିଲେ । ସେ ସ୍ପଷ୍ଟ କରୁଥିଲେ ଯେପରି ସମାଜ ସେପରି ସରକାର ଗଠନ ହେବ । ଏଣୁ ବ୍ୟକ୍ତି ନିର୍ମାଣ ଓ ଜନମତ ଉପରେ ସେ ସର୍ବଦା ସ୍ପଷ୍ଟ ମତ ଦେଉଥିଲେ । ତାଙ୍କ ମତରେ, ସମଗ୍ର ଭାରତବର୍ଷ ଏକ ଓ ଅଖଣ୍ଡ । ଏହା ଆମର ମାତୃଭୂମି, ଆମେ ତାହାର ସନ୍ତାନ । କେତେକ ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କରି ଶରୀର କରିହୁଏ ନାହିଁ ବରଂ ଶରୀରର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି । ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ସ୍ୱତନ୍ତ୍ର ନୁହେଁ, ଶରୀରର ଅସ୍ତିତ୍ୱ ପାଇଁ ଏହି ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିକ କାର୍ଯ୍ୟ କରିଥାଆନ୍ତି । ଠିକ୍ ସେହିପରି ରାଷ୍ଟ୍ରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ଯଥା ବିଭିନ୍ନ ବର୍ଗ, ସମ୍ପ୍ରଦାୟ, ଭାଷା, ରାଜ୍ୟଗୁଡ଼ିକ ରାଷ୍ଟ୍ରର ହିତ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ଏ ସମ୍ବନ୍ଧରେ ଜନମତ ସ୍ପଷ୍ଟ ହେବା ଆବଶ୍ୟକ ଓ ଏହି କାର୍ଯ୍ୟ ସମସ୍ତ କାର୍ଯ୍ୟକର୍ତ୍ତା କରିବା ଉଚିତ ।
ତାଙ୍କ ମତରେ ଭାରତର ଜୀବନ ପଦ୍ଧତି ପାଶ୍ଚାତ୍ୟ ଆଦର୍ଶ ଠାରୁ ଭିନ୍ନ । ପାଶ୍ଚାତ୍ୟର ସମସ୍ତ ଆଦର୍ଶ ଡାରୱିନଙ୍କ ଚିନ୍ତନ ତଥା ଜୀବନ ସଂଘର୍ଷ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ସେମାନଙ୍କ ମତରେ ଶରୀର-ମନ-ବୁଦ୍ଧି-ଆତ୍ମା ସହିତ ସଂଘର୍ଷ ହୁଏ । ସୃଷ୍ଟି-ପ୍ରକୃତି ସହିତ ସଂଘର୍ଷ ହୁଏ, ପ୍ରକୃତି ପୁରୁଷ ସହିତ ସଂଘର୍ଷ ଆଦି ପରିଲକ୍ଷିତ ହୁଏ । ଭାରତୀୟ ସଂସ୍କୃତି ସଂଘର୍ଷର ନୁହେଁ, ସମନ୍ୱୟ ଓ ସହଯୋଗର । ବ୍ୟକ୍ତି ଓ ସମାଜ ମଧ୍ୟରେ କୌଣସି ସଂଘର୍ଷ ନାିହଁ । ସମଷ୍ଟି ସହିତ ଏକାତ୍ମତା ହିଁ ବ୍ୟକ୍ତିକୁ ପୂର୍ଣ୍ଣ ବିକଶିତ କରିଥାଏ । ବ୍ୟକ୍ତି ହିଁ ସମଷ୍ଟିର ପୂର୍ଣ୍ଣତାର ମାଧ୍ୟମ ଓ ମାନଦଣ୍ଡ । ଏଣୁ ଭାରତୀୟ ରାଜନୀତିର ବିଚାର ଭାରତର ସଂସ୍କୃତି ଓ ଜୀବନ ଦର୍ଶନ ଠାରୁ ଭିନ୍ନ ହୋଇ ପାରିବ ନାହିଁ । ଭାରତୀୟ ସଂସ୍କୃତି ଏକାତ୍ମବାଦୀ ।
ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଦୀନଦୟାଲଜୀ କହୁଥିଲେ, ଆର୍ଥିକ କ୍ଷେତ୍ରରେ ମନୁଷ୍ୟ, ଶ୍ରମ ଓ ମେସିନ୍ ଗୁରୁତ୍ୱପୂର୍ଣ୍ଣ । ଏହି ତିନିଟିର ସମନ୍ୱୟ ଉପରେ ଅର୍ଥବ୍ୟବସ୍ଥା ପର୍ଯ୍ୟବସିତ । ବ୍ୟକ୍ତି ମେସିନକୁ ପରିଚାଳିତ କରିବା ଆବଶ୍ୟକ । କିନ୍ତୁ ଆଜି ମେସିନ ମନୁଷ୍ୟକୁ ପରିଚାଳନା କରୁଛି । ମେସିନର ପ୍ରେମରେ ମନୁଷ୍ୟ ନିଜର ଭୌତିକ ଆବଶ୍ୟକତାର ତୃପ୍ତି ପାଇଁ କାର୍ଯ୍ୟ କରୁଛି । ଭୌତିକ ସମୃଦ୍ଧି ଦ୍ୱାରା ମନୁଷ୍ୟ ସୁଖୀ ହୋଇ ପାରିବ ନାହିଁ । ସମ୍ପୂର୍ଣ୍ଣ ମାନବ ଜୀବନ ଉତ୍ପାଦନ, ବିତରଣ ଓ ଉପଭୋଗର ଉପଯୁକ୍ତ ସମନ୍ୱୟ ଉପରେ ନିର୍ଭରଶୀଳ । ମନୁଷ୍ୟ ଯେଉଁ ଉତ୍ପାଦନ କରୁଛି, ତା’ର ଠିକ୍ ବିତରଣ ହେବା ଆବଶ୍ୟକ ଓ ତଦନୁସାରେ ମନୁଷ୍ୟ ଠିକ୍ ଭାବରେ ଉପଭୋଗ କରିବା ଆବଶ୍ୟକ । ଏହି ତିନିଟିର ସମନ୍ୱୟ ଦ୍ୱାରା ସମାଜ ବ୍ୟବସ୍ଥା ସୁଦୃଢ଼ ହେବ । ମନୁଷ୍ୟ କେବଳ ଭୌତିକ ଆବଶ୍ୟକତା ପୂରଣ ଦ୍ୱାରା ସନ୍ତୁଷ୍ଟ ହୋଇ ପାରିବ ନାହିଁ । ମନୁଷ୍ୟ ମଧ୍ୟ ଜଣେ ଆଧ୍ୟାତ୍ମିକ । ଧର୍ମ, ଅର୍ଥ, କାମ ଓ ମୋକ୍ଷ ଏହି ଚାରି ପୁରୁଷାର୍ଥ ଉପରେ ଆଧାରିତ ଜୀବନାଦର୍ଶ ମନୁଷ୍ୟ ଜୀବନକୁ ଶୃଙ୍ଖଳିତ କରିଥାଏ । ଏହି ଜୀବନ ଦର୍ଶନରେ ଜୀବନର ବିଚାର ଭାଗମାପ କରି ନୁହେଁ, ବରଂ ସମ୍ପୂର୍ଣ୍ଣ ଜୀବନକୁ ଏକ ଓ ଅଭିନ୍ନ ରୂପେ ବିଚାର କରାଯାଇଥାଏ ।
ଭାରତର ସ୍ୱଭାବ ଅନ୍ୟ ରାଷ୍ଟ୍ରର ସ୍ୱଭାବ ଠାରୁ ବହୁତ ଅଲଗା । ରାଷ୍ଟ୍ରରେ ବାସ କରୁଥିବା ନାଗରିକମାନଙ୍କର ଧ୍ୟେୟ-ଭୂତ ଅଭିବ୍ୟକ୍ତି ହିଁ ରାଷ୍ଟ୍ରର ଅସ୍ତିତ୍ୱ । ରାଷ୍ଟ୍ରର ଜନସାଧାରଣଙ୍କ ଗୋଟିଏ ଜୀବନ ଲକ୍ଷ୍ୟ ରହିବା ଆବଶ୍ୟକ । ଗୋଟିଏ ବିଚାର ଆଦର୍ଶ ରହିବା ଆବଶ୍ୟକ । ସେମାନେ ବସବାସ କରୁଥିବା ଭୂଖଣ୍ଡକୁ ମାତୃଭୂମି ରୂପେ ସ୍ୱୀକାର କରୁଥିବା ଆବଶ୍ୟକ । ଏସବୁ ବିଶେଷତ୍ୱ ଥିଲେ ତାହାକୁ ରାଷ୍ଟ୍ର ରୂପେ କୁହାଯିବ । ଯେପରି ମନୁଷ୍ୟର ଆତ୍ମା ଅଛି, ସେହିପରି ରାଷ୍ଟ୍ରର ମଧ୍ୟ ଆତ୍ମା ଥାଏ । ଦୀନଦୟାଲଜୀ ଏହାକୁ ‘ଚିତି’ ରୂପେ ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ ଚିତି ହେଉଛି ସମାଜର ଜନ୍ମଜାତ ପ୍ରକୃତି । ବ୍ୟକ୍ତି ରାଷ୍ଟ୍ରର ଆତ୍ମାକୁ ପରିପ୍ରକାଶ କରିବା ଦିଗରେ ଏକ ମୁଖ୍ୟ ସାଧନ । ବ୍ୟକ୍ତି ରାଷ୍ଟ୍ରର ପ୍ରତିନିଧିତ୍ୱ କରିଥାଏ । ନିଜର ଉଦ୍ଦେଶ୍ୟ ପୂର୍ଣ୍ଣ ପାଇଁ ରାଷ୍ଟ୍ର ଯେତେସବୁ ସଂସ୍ଥାକୁ ଜନ୍ମଦିଏ, ଉପକରଣ ରୂପେ ବ୍ୟକ୍ତି ତା’ର ପ୍ରତିନିଧିତ୍ୱ କରିଥାଏ । ବ୍ୟକ୍ତି ମଧ୍ୟ ସମଷ୍ଟିର ପ୍ରତିନିଧିତ୍ୱ କରିଥାଏ । ଏଣୁ ପ୍ରତ୍ୟେକ ବ୍ୟକ୍ତିର ବହୁମୁଖୀ ବ୍ୟକ୍ତିତ୍ୱ ରହିଛି । ଏଥିରେ କୌଣସି ପାରିପାଶ୍ୱର୍ିକ ସଂଘର୍ଷ ନାହିଁ, ବରଂ ଏକାତ୍ମତା, ସମନ୍ୱୟ ଏବଂ ସାମଞ୍ଜସ୍ୟ ରହିଛି । ଏହାକୁ ସମସ୍ତେ ହୃଦୟଙ୍ଗମ କରିବା ଆବଶ୍ୟକ ।
ରାଷ୍ଟ୍ର ଓ ରାଜ୍ୟ ସମାନ ନୁହେଁ । ସେଥିପାଇଁ ଆମର ଏଠାରେ ରାଜ୍ୟ ସମାପ୍ତ ହୋଇଗଲା ପରେ ମଧ୍ୟ ରାଷ୍ଟ୍ର ସମାପ୍ତ ହୋଇନାହିଁ । ମହମ୍ମଦ ଇକବାଲଙ୍କ ସୁପ୍ରସିଦ୍ଧ ଗୀତ- ୟୁନାନ୍‌, ମିଶର, ରୋମା, ମିଟ୍‌ଗଏ ଜହାଁ ସେ, କୁଛ୍ ବାତ୍ ହୈ କି ହସ୍ତି ମିଟ୍‌ତି ନେହିଁ ହମାରେ… । ଇରାନ, ମିଶର, ରୋମ, ବେବିଲୋନ ଆଦି ରାଜ୍ୟଗୁଡ଼ିକ ସମାପ୍ତ ହୋଇଗଲା ପରେ ରାଷ୍ଟ୍ର ମଧ୍ୟ ସମାପ୍ତ ହୋଇଗଲା । ଆମ ଦେଶରେ ଅନେକ ବିଦେଶୀ ଆକ୍ରମଣକାରୀମାନେ ଆସି ଏଠାରେ ଶାସନ କଲେ । ତା’ ସତ୍ତ୍ୱେ ଆମର ରାଷ୍ଟ୍ର ଜୀବିତ ରହିପାରିଲା । କାରଣ ରାଜ୍ୟ ଆମ ଜୀବନର କେନ୍ଦ୍ରବିନ୍ଦୁ ନଥିଲା । ରାଜ୍ୟ ସର୍ବସ୍ୱ ଯଦି ଆମେ ଥାଆନ୍ତୁ, ତେବେ ଆମର ଅସ୍ତିତ୍ୱ ବି ସମାପ୍ତ ହୋଇଯାଇ ଥାଆନ୍ତା । ଡ. ବାବାସାହେବ ଆମ୍ବେଦକରଙ୍କ ମତରେ ଆମର ଏଠାରେ ପଞ୍ଚାୟତ ବ୍ୟବସ୍ଥା ଏତେ ସୁଦୃଢ଼ ଥିଲା, ଏଣୁ ଆମେ ଏହି ଶାସନ ପ୍ରଶାସନ ପ୍ରତି ଧ୍ୟାନ କେନ୍ଦ୍ରିତ କଲୁନାହୁଁ । ରାଜ୍ୟ ପ୍ରତି ଯେତେ ସତର୍କ ରହିବା କଥା, ସେତେ ରହିଲୁ ନାହିଁ । ଆମର ପ୍ରାଣ ସେଠାରେ ନଥିଲା । କିନ୍ତୁ ସେଠାରେ ପ୍ରାଣ ନଥିଲେ ସୁଦ୍ଧା ତା’ର ମହତ୍ତ୍ୱ ଶରୀର ଅଙ୍ଗଠାରୁ କୌଣସି ଗୁଣରେ କମ୍ ନଥିଲା । ଏଣୁ ରାଜ୍ୟ କଦାପି ସର୍ବୋପରି ନୁହେଁ ।
ରାଷ୍ଟ୍ରର ଆଦର୍ଶକୁ ବ୍ୟବହାରରେ ପରିଣତ କରିବା ଦିଗରେ ରାଜ୍ୟର ଭୂମିକା ଅଛି । ରାଷ୍ଟ୍ରର ଆଦର୍ଶ ହେଉଛି ‘ଚିତି’ । ଚିତି ବଡ଼ ମାର୍ମିକ ବିଚାର । ତା’ର ଅଭିବ୍ୟକ୍ତି ଏବଂ ବ୍ୟବହାରର ନିୟମକୁ ସେହି ରାଷ୍ଟ୍ରର ଧର୍ମ ବୋଲି କୁହାଯାଏ । ଏଣୁ ଧର୍ମର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ । ଧର୍ମ ଆମର ପ୍ରାଣ । ଧର୍ମ ନଷ୍ଟ ହେଲେ ପ୍ରାଣ ନଷ୍ଟ ହୋଇଯାଏ । ସେଥିପାଇଁ ଯିଏ ଧର୍ମ ପରିତ୍ୟାଗ କଲା, ସେ ରାଷ୍ଟ୍ରଚ୍ୟୁତ ହୋଇଗଲା । ଧର୍ମର ସମ୍ପର୍କ କେବଳ ମନ୍ଦିର, ମସଜିଦ ଓ ଗୀର୍ଜା ସହିତ ନାହିଁ । ଏହା ଉପାସନା ପଦ୍ଧତି । ଧର୍ମ ବ୍ୟାପକ । ମନ୍ଦିର ମସଜିଦ, ଗୀର୍ଜା ଘରେ ଧର୍ମାଚରଣ ଶିକ୍ଷା ପ୍ରଦାନ କରାଯାଇଥାଏ । ଯେପରି ବିଦ୍ୟାଳୟରେ ବିଦ୍ୟା ଦାନ କରାଯାଇଥାଏ । ଯେପରି ବିଦ୍ୟାଳୟ ଯାଉଥିବା ବାଳକ ମଧ୍ୟ ମୂର୍ଖ ହୋଇଥାଏ, ସେହିପରି ମନ୍ଦିର, ମସଜିଦ ଯାଉଥିବା ବ୍ୟକ୍ତି ମଧ୍ୟ ଧର୍ମହୀନ ହୋଇଥାଏ । ମନ୍ଦିର-ମସଜିଦକୁ ଯିବା ମତ, ପନ୍ଥ ବା ରିଲିଜନ୍ ଅଟେ । ଏଣୁ ରିଲିଜନ୍ ଧର୍ମ ନୁହେଁ । ଆମେ ମସଜିଦକୁ ଧର୍ମର ପର୍ଯ୍ୟାୟବାଚୀ ଶବ୍ଦ ରୂପେ ବିଚାର କରିବା ଭୁଲ । ରିଲିଜନ୍‌ର ଅର୍ଥ, ମତ, ପନ୍ଥ, ସମ୍ପ୍ରଦାୟ-ସଭା ଧର୍ମ ନୁହେଁ । ଧର୍ମ ଏକ ବ୍ୟାପକ ବସ୍ତୁ । ଏହା ଜୀବନ ଜିଇବାର ମାର୍ଗ ପ୍ରଶସ୍ତ କରେ । ଏଥିରୁ ସମାଜ, ପ୍ରକୃତି ଓ ସୃଷ୍ଟିର ଧାରଣା ହୁଏ । ଏହି ଧାରଣା କରାଉଥିବା ବସ୍ତୁ ହିଁ ଧର୍ମ । ଧର୍ମର ତତ୍ତ୍ୱ ସନାତନ ଓ ସର୍ବବ୍ୟାପୀ ।
ଦୀନଦୟାଲଜୀଙ୍କ ଉପରୋକ୍ତ ବିଚାର ଆଦିର ମଧ୍ୟ ପ୍ରାସଙ୍ଗିକତା ରହିଛି। ସଙ୍କର ଆଦର୍ଶ ସଂସ୍କୃତି ଦେଶର ଅର୍ଥବ୍ୟବସ୍ଥା ଓ ସାମାଜିକ ସଂରଚନା ସୁଧାର କରିବାର ମାଧ୍ୟମ ହେବ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ଆଜି କ୍ଷମତା କେନ୍ଦ୍ରରେ ମୁଖ୍ୟ ଅଙ୍ଗ ହୋଇଯାଇଛି । ଦେଶର ଅର୍ଥନୀତି, ରାଜନୀତି ଓ ସମାଜ ବ୍ୟବସ୍ଥା ସୁଧାର କରିବା ପାଇଁ ସେ ଯେଉଁ ମୂଳ ମନ୍ତ୍ର ପ୍ରଦାନ କରିଥିଲେ, ଆଜି ତାଙ୍କର ଅନୁଗାମୀମାନେ ଅନୁସରଣ କରିବା ଆବଶ୍ୟକ ।
ଆଡ଼ଭୋକେଟ, ଖଟବିନସାହି
କଟକ
ମୋ-୯୪୩୭୦୧୬୩୮୪
-ଠ-

Leave a Reply

Your email address will not be published. Required fields are marked *