ବିପିନ ବିହାରୀ ରାଉତ-
ସମସ୍ତଙ୍କ ଜୀବନର ମୂଳଲକ୍ଷ୍ୟ ଭଗବତ ସାକ୍ଷାତକାର ବା ଈଶ୍ୱରପ୍ରାପ୍ତି । ଯେଉଁ ଈଶ୍ୱରଙ୍କ ପାଇଁ ସମସ୍ତେ ଏତେ ବ୍ୟାକୁଳ, ସେ ଈଶ୍ୱର ଆମଠାରୁ ଦୂରରେ ନାହାନ୍ତି, ଆମର ଅତି ନିକଟରେ ଅଛନ୍ତି । ଆମ ଭିତରେ ବିଦ୍ୟମାନ ଅଛନ୍ତି । ଆମର ଅନ୍ତରାତ୍ମା ଯେ ସେ ଈଶ୍ୱର କହିଲେ ଭୁଲ ହେବନାହିଁ । ସେ ଈଶ୍ୱର ଏବଂ ଆମେ ଅଭିନ୍ନ । ଆମ ଭିତରେ ଯେଉଁ ଈଶ୍ୱର ଅଛନ୍ତି, ତାଙ୍କର ଶକ୍ତି ଅସୀମ । ସେ ଶକ୍ତି ଦିବ୍ୟଶକ୍ତି । ସେ ଶକ୍ତି ସୂକ୍ଷ୍ମଶକ୍ତି । ସ୍ଥୂଳଶକ୍ତି ଠାରୁ, ବସ୍ତୁଶକ୍ତି ଠାରୁ ଅଧିକ ଗୁଣ ପ୍ରଭାବଶାଳୀ । ସେ ଶକ୍ତିକୁ ଯିଏ ଲାଭ କରେ, ଏ ଦୁନିଆରେ ତାର କୌଣସି କଥାରେ ଅଭାବ ରହେନାହିଁ । ସେ ଜରା, ବ୍ୟାଧି, ମୃତ୍ୟୁକୁ ଜୟ କରି ଅମରତ୍ୱ ଲାଭ କରିପାରେ । ସେ ଈଶ୍ୱରଙ୍କ ସାକ୍ଷାତ ପାଇବା (ଆତ୍ମଚେତନାର କୈଳାସ ଶିଖର ଉପରେ ପହଞ୍ôଚବା), ତାଙ୍କର ଶକ୍ତି ଲାଭ କରିବା ମଣିଷ ଜୀବନର ଶ୍ରେଷ୍ଠତମ ଉଦ୍ଦେଶ୍ୟ । କେବଳ କଥାରେ କହିଦେଲେ, ପ୍ରବଚନ ଶୁଣିଦେଲେ, ଗୁଡ଼ାଏ ଆଧ୍ୟାତ୍ମିକ ଗ୍ରନ୍ଥ ପଢ଼ି ତତ୍ତ୍ୱଜ୍ଞାନର ଅଧିକାରୀ ହୋଇଗଲେ ସେ ଉଦ୍ଦେଶ୍ୟ ସାଧିତ ହୋଇଯିବନି । କାରଣ ସେ ସବୁ ପାଥେୟ ପଥ ନୁହେଁ । ତାତ୍ତ୍ୱିକ ଜ୍ଞାନ ଅପେକ୍ଷା ଏ ଦିଗରେ ଆମକୁ ଅଧିକ ସାହାଯ୍ୟ କରେ ବ୍ୟାବହାରିକ ଜ୍ଞାନ ସାଧନାଜନିତ ଅନୁଭୂତି । ଜଣକର ଏଇ ବ୍ୟାବହାରିକ ଜ୍ଞାନ ଏବଂ ସାଧନା ଥିଲେ ଜୀବନର ସବୁ ଅବସ୍ଥାରେ ସବୁ ସମୟରେ ଏପରିକି ପ୍ରତିଦିନ ପ୍ରତିଘଣ୍ଟା ପ୍ରତି ମିନିଟ ଏବଂ ସେକେଣ୍ଡକୁ ଜଣେ କାମରେ ଲଗାଇ ଧୀରେ ଧୀରେ ଈଶ୍ୱରଙ୍କର ସମୀପବର୍ତ୍ତୀ ହୋଇପାରିବ ଏବଂ ଜୀବନର ପ୍ରତିଟି ସମସ୍ୟା ସମାଧାନ କରିପାରିବ । କେବଳ ସେତିକି ନୁହେଁ, ଜୀବନ ସଂଗ୍ରାମରେ ଯୁଝିବା ପାଇଁ ଏବଂ ଆତ୍ମରକ୍ଷା କରିବା ପାଇଁ ଯାହା ଆବଶ୍ୟକ ତାହା ମଧ୍ୟ ତାକୁ ମିଳିଯିବ । ଜନ୍ମ-ମୃତ୍ୟୁରୂପକ ସଂସାର ଚକ୍ରରୁ ମଧ୍ୟ ସେ ମୁକ୍ତି ପାଇଯିବ । ଯୋଗ ମନୁଷ୍ୟର ଚେତନା ବିକାଶର ବିଜ୍ଞାନ ଅଟେ । ଯେଉଁଥିରେ ପଦାର୍ଥ, ଜୀବନ ଓ ଚେତନାର ସମନ୍ୱୟ ଥାଏ । ଭାରତୀୟ ପ୍ରାଚୀନତମ ଯୋଗ ପଦ୍ଧତି ଅନୁଯାୟୀ ମୂଳତଃ ଯୋଗ ହେଉଛି ୮୪ ପ୍ରକାରର । ତେବେ ତା\’ମଧ୍ୟରୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଯୋଗ ହେଉଛି ବାରଟି । ତାହାହେଲା – ଜପଯୋଗ, ପ୍ରାଣଯୋଗ, ରାଜଯୋଗ, ହଟଯୋଗ, ଲୟଯୋଗ, ଋଜୁଯୋଗ, ନାଦଯୋଗ, ଭକ୍ତିଯୋଗ, ଜ୍ଞାନଯୋଗ, କର୍ମଯୋଗ, ସ୍ୱରଯୋଗ, ମନ୍ତ୍ରଯୋଗ ଓ ତନ୍ତ୍ରଯୋଗ । ପତଞ୍ଜଳି ଯୋଗଶାସ୍ତ୍ରରୁ ଉପରୋକ୍ତ ଯୋଗର ପଦ୍ଧତି ପ୍ରଣୀତ । ରାଜଯୋଗ ହେଉଛି ଯୋଗ ମାନଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠତମ ଯୋଗ । ମନର ସମସ୍ତ ପ୍ରକାର ବୃତ୍ତିର ତରଙ୍ଗକୁ ସଂଯତ କରିଦେବା ହିଁ ରାଜଯୋଗର ଲକ୍ଷଣ । ପତଞ୍ଜଳିଙ୍କ ରାଜଯୋଗକୁ ଅଷ୍ଟାଙ୍ଗ ଯୋଗ କୁହାଯାଏ । ଦୁଃଖଶୋକରୁ ମୁକ୍ତି ପାଇବାର ରାଜମାର୍ଗ ହେଉଛି ଏହି ଯୋଗ । ଭାରତୀୟ ବିଭିନ୍ନ ପ୍ରାଚୀନ ଗ୍ରନ୍ଥରେ ଭକ୍ତିଯୋଗ, ଜ୍ଞାନଯୋଗ ଓ କର୍ମଯୋଗ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଲିପିବଦ୍ଧ ହୋଇଛି । ଶ୍ରୀମଦ ଭଗବତ ଗୀତାତ ସ୍ୱୟଂ ଯୋଗଶାସ୍ତ୍ର । ଜ୍ଞାନଯୋଗ ଅନୁସାରେ ବ୍ରହ୍ମଙ୍କ ସହିତ ଏକତ୍ର ଜ୍ଞାନ ହିଁ ମୁଖ୍ୟ । ବ୍ରହ୍ମ ଭାବରେ ସ୍ଥିତି ଲାଭ କରିବା ହିଁ ଜ୍ଞାନଯୋଗ ସାଧନାର ଲକ୍ଷ୍ୟ । କର୍ମ ହେଉଛି ବନ୍ଧନର କାରଣ । ଏଥିରୁ ମୁକ୍ତିଲାଭ କରିବା ସକାଶେ କର୍ମଯୋଗର ସାହାଯ୍ୟ ନିଆଯାଏ । ନରନାରାୟଣଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ନିଷ୍କାମ କର୍ମଯୋଗ ବୋଲାଯାଏ । ଆଧ୍ୟାତ୍ମିକ ପିପାସୁଙ୍କ ମତରେ ଭଗବତ ପ୍ରାପ୍ତିର ସର୍ବାପେକ୍ଷା ସରଳ ଓ ସୁଗମ ମାର୍ଗ ହେଉଛି ଭକ୍ତିଯୋଗ । ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତନରେ ନିର୍ମଳ ଓ ନିସ୍କପଟ ଭାବେ ଈଶ୍ୱରଙ୍କୁ ଖୋଜିବା ହିଁ ଭକ୍ତିଯୋଗ ଅଟେ । \”ମନନାତ୍ ତ୍ରାୟତେ ଇତି ମନ୍ତ୍ର\’ ଅର୍ଥାତ୍ ଯାହା ମନ ଭିତରେ ସବୁବେଳେ ଭାବି ଚାଲିଲେ ଜନ୍ମମୃତ୍ୟୁର ଚକ୍ରରୁ ରକ୍ଷା ମିଳେ ତାହା ହିଁ ମନ୍ତ୍ର । ଜପ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗ ଅଟେ । ଚିତ୍ତକୁ ଶାନ୍ତ ତଥା ମନକୁ ଏକାଗ୍ର ଓ ଅନ୍ତର୍ମୁଖୀ କରିବା ପାଇଁ ଜପ ଅତ୍ୟନ୍ତ ସରଳ ସାଧନା । ଜପର ଅଭ୍ୟାସ ପାଇଁ ଯେଉଁ ପାଞ୍ଚୋଟି ନିୟମ ରହିଛି ତାହା ହେଉଛି – ବୈଖରୀ, ଉପାଂଶୁ, ମାନସିକ, ଲିଖିତ, ଅଜପା । ଯୋଗର ବିଭିନ୍ନ ପ୍ରକାର ମଧ୍ୟରେ ଲୟ ଯୋଗର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଜୀବନରେ ସୃଷ୍ଟି, ସ୍ଥିତି ଓ ଲୟ ତିନୋଟି କ୍ରିୟା ରହିଛି । ଜୀବନର ପ୍ରଥମ ଭାଗ ସୃଷ୍ଟି ବାଲ୍ୟ ଓ କିଶୋର ବିତେ ଶିକ୍ଷା ଲାଭରେ । ପରିବାର ପ୍ରତିପୋଷଣ ପାଇଁ ଯେଉଁ ଶିକ୍ଷା ମିଳିଥାଏ ତାହା ହେଉଛି ମଧ୍ୟଭାଗ ସ୍ଥିତି ଓ ଅନ୍ତିମ ଭାଗ ଲୟ । ଅର୍ଥାତ୍ ସମସ୍ତେ ଏହି ସମୟରେ ଈଶ୍ୱର ଚିନ୍ତା କରନ୍ତି । ତେବେ ପରିଶେଷରେ ସମସ୍ତ ଭୂମିକାକୁ ତ୍ୟାଗ କରି ସ୍ୱରୂପରେ ସ୍ଥିତି ଲାଭ କରି ସେଥିରେ ଲୀନ ହେବା ହିଁ ଲୟ ଯୋଗ ଅଟେ । ହଟଯୋଗ ଶାସ୍ତ୍ର ଅନୁସାରେ \”ହ\’ର ଅର୍ଥ ପିଙ୍ଗଳା ନାଡ଼ି ବା ପ୍ରାଣ ବାୟୁ । \”ଠ\’ର ଅର୍ଥ କ୍ରୀଡ଼ାନାଡ଼ି ବା ଅପାନ ବାୟୁ । ଶରୀର ଓ ପ୍ରାଣ ଉପରେ ବିଜୟ ଲାଭ କରିବା ହଟଯୋଗ ସାଧନାର ଲକ୍ଷ୍ୟ । ମନ୍ତ୍ରଯୋଗ ପରି ଅତ୍ୟନ୍ତ ଅନ୍ୟଏକ ମହତ୍ତ୍ୱପୂର୍ଣ୍ଣ ଯୋଗ ହେଉଛି ତନ୍ତ୍ରଯୋଗ । ଉଚ୍ଚସ୍ତରର ମନ୍ତ୍ର ସାଧନ ପ୍ରଣାଳୀକୁ ହିଁ ତନ୍ତ୍ର କୁହାଯାଏ । ଯାହାର ମାର୍ଗ ହେଉଛି ବାମ ମାର୍ଗ । ସେଥିପାଇଁ ଏହାକୁ ଭୌତିକ ସିଦ୍ଧିର ମାର୍ଗ କୁହାଯାଏ । ସ୍ୱାମୀ ଶିବାନନ୍ଦଙ୍କ ମତରେ ସ୍ୱଧ୍ୟାୟ ବା ଶାସ୍ତ୍ର ଅଧ୍ୟୟନ ହେଉଛି କ୍ରିୟା ଯୋଗ । ଯାହାର ଉଦାହରଣ ହେଉଛି ଗୀତା । ଶାସ୍ତ୍ର ଅଧ୍ୟୟନ ହୃଦୟକୁ ବିଶୁଦ୍ଧ କରେ ଏବଂ ମନରେ ଉଚ୍ଚ ପବିତ୍ର ଚିନ୍ତାଧାରା ପୂର୍ଣ୍ଣ କରିଦିଏ । ସମସ୍ତ ଯୋଗର ସାରକଥା ରାଜଯୋଗ ନାମରେ ବା ଅଷ୍ଟାଙ୍ଗ ଯୋଗ ନାମରେ ସମସ୍ତଙ୍କର ଗ୍ରହଣୀୟ ହୋଇଛି । ସର୍ବୋଚ୍ଚ ଚୈତନ୍ୟ ଲାଭ କରିବା ପାଇଁ ଯୋଗ ଏକ ସୁସମ୍ବନ୍ଧ ଧାର୍ମିକ ଶୃଙ୍ଖଳା ଯାହା ଚରମ ମୁକ୍ତି ପାଇଁ ପଥ ଦେଖାଇଥାଏ । ଭାରତରେ ସମସ୍ତ ଆଧ୍ୟାତ୍ମିକ କ୍ଷେତ୍ରର ସାଧକ, ମହାପୁରୁଷ ଏବଂ ଜଣେ ଯେ କୌଣସି ଧର୍ମାବଲମ୍ବୀ ହୁଅନ୍ତୁ କିନ୍ତୁ ଯୋଗର ଶୃଙ୍ଖଳାକୁ ସମସ୍ତେ ମାନନ୍ତି । ଯୋଗର ମୌଳିକ ଅର୍ଥ ହେଉଛି ମିଳିତାବସ୍ଥା ଏବଂ ପ୍ରକୃତ ଆତ୍ମା ବା ଈଶ୍ୱରଙ୍କ ସହିତ ମିଳିତ ହେବାକୁ ଏହା ବୁଝାଇଥାଏ । ଅନ୍ୟ ଅର୍ଥରେ ସେହି ମିଳନ ଲାଭ କରିବା ପାଇଁ ଯୋଗ ଏକ ଉପାୟ ବା ପଦ୍ଧତି ।ଜ୍ଞାନଯୋଗ, କର୍ମଯୋଗ, ଭକ୍ତିଯୋଗ, ରାଜଯୋଗ, ଯେଉଁସବୁ ଯୋଗ ମନୁଷ୍ୟକୁ ଭଗବାନଙ୍କ ସହିତ ଯୋଡ଼ିଥାଏ, ଆତ୍ମାକୁ ନେଇ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ, ସେ ସବୁ ଯୋଗ ସମ୍ବନ୍ଧରେ ମଧ୍ୟ ଅନେକ କଥା କୁହାଯାଇଛି । ଆତ୍ମଜ୍ଞାନ ଲାଭ କରି ଜ୍ଞାନଯୋଗ ବାଟରେ ଯାଇ ଜଣେ ଦୂରଦର୍ଶୀ ବିବେକବାନ ହୋଇ ଉତ୍ତମ ବିଚାର, ସୂକ୍ଷ୍ମବୁଦ୍ଧି ଏବଂ ଇଚ୍ଛାଶକ୍ତି ଦ୍ୱାରା ଏ ସିଦ୍ଧିଲାଭ କରିପାରେ । ଜଣେ କର୍ମଯୋଗ ବାଟରେ ଯାଇ ଘର ସଂସାର ପ୍ରତି ନିଜର କର୍ତ୍ତବ୍ୟ ପୁରା କରି ଉତ୍ତମ କର୍ମ ଦ୍ୱାରା ଏ ସିଦ୍ଧି ଲାଭ କରିପାରେ । ଜଣେ ଭକ୍ତିଯୋଗ ବାଟରେ ଯାଇ ଭକ୍ତିଦ୍ୱାରା, ପ୍ରେମଦ୍ୱାରା, ସେବାଦ୍ୱାରା, ଗୁରୁକୃପା ଦ୍ୱାରା ଏ ସିଦ୍ଧି ଲାଭ କରିପାରେ । ଆଉ ଜଣେ ଏସବୁ ଯୋଗକୁ ଛାଡ଼ି ରାଜଯୋଗ ବାଟରେ ଯାଇ ଧ୍ୟାନ ଧାରଣା ମାଧ୍ୟମରେ ମଧ୍ୟ ଏ ସିଦ୍ଧି ଲାଭ କରିପାରେ । ଜଣେ ଗୀତାପାଠକ କେବଳ ଗୀତା ପାଠ କରି ଏ ସିଦ୍ଧି ଲାଭ କରିପାରେ ।
ଶ୍ରୀବିହାର କଲୋନୀ, କଟକ, ମୋ:୯୪୩୭୬୬୬୪୫୩
See insights and ads
All reactions:
66