ସପ୍ତଦଶ ଶତାବ୍ଦୀରେ ସ୍ୱରାଜ୍ୟର ବିଗୁଲ

ସପ୍ତଦଶ ଶତାବ୍ଦୀରେ ସ୍ୱରାଜ୍ୟର ବିଗୁଲ
ବିଂଶ ଶତାବ୍ଦୀରେ ବାଲ ଗଙ୍ଗାଧର ତିଳକ ଘୋଷଣା କଲେ “ସ୍ୱରାଜ ଆମର ଜନ୍ମଗତ ଅଧିକାର, ଆମକୁ ଏହା ହାସଲ କରିବାକୁ ପଡ଼ିବ ।’ ତାଙ୍କର ଏହି ଉଦ୍‌ଘୋଷଣା ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଥିଲା । କିନ୍ତୁ ଏହାର ପ୍ରାୟ ତିନିଶହ ବର୍ଷ ପୂର୍ବରୁ ଆଉ ଜଣେ ମହାନ ଭାରତୀୟ ଯୋଦ୍ଧା, ସ୍ୱରାଜ୍ୟର ପ୍ରତିଷ୍ଠା ପାଇଁ ତାଙ୍କର ବୁଢ଼ା ଆଙ୍ଗୁଠି ଚିରି ପୁନା ନିକଟସ୍ଥ ରୋହିଡେଶ୍ୱର ମନ୍ଦିରର ଶିବଲିଙ୍ଗ ଉପରେ ରକ୍ତ ଢାଳି ଶପଥ ନେଲଥିଲେ ଓ ପରେ ସେ ଅନେକ ଦୁର୍ଗ ବିଦେଶୀ ଆକ୍ରମଣକାରୀମାନଙ୍କ କବଳରୁ ଉଦ୍ଧାରକରି ଶେଷରେ ୧୬୭୪ ମସିହାରେ ନିଜକୁ ଏକ ସ୍ୱୀଧନ – ରାଜା ବୋଲି ଘୋଷଣା କରିଥିଲେ। ତାଙ୍କର ସିଂହାସନ – ଆରୋହଣର ତିନିଶହ ବର୍ଷ ପୂର୍ତ୍ତି ଉତ୍ସବ ମହାରାଷ୍ଟ୍ରର ରାୟଗଡ଼ ଦୁର୍ଗରେ ୧୯୭୪ ମସିହାରେ ମହାସମାରୋହରେ ପାଳିତ ହୋଇଥିଲା । ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଚୌହାନ ଏହି ଉତ୍ସବର ମୁଖ୍ୟ ପୃଷ୍ଠପୋଷକ ଥିଲେ । ଏହି ମହାନ ଯୋଦ୍ଧା ଜଣକ ହେଉଛନ୍ତି ଛତ୍ରପତି ଶିବାଜୀ ମହାରାଜ । ଏବେ ଆସନ୍ତୁ ଦେଖିବା ସେ କିଭଳି କିଶୋର ଅବସ୍ଥାରୁ ସ୍ୱରାଜ୍ୟ ନିର୍ମାଣ ଆରମ୍ଭକରି ଯୁବକ ଅବସ୍ଥାରେ ସିଂହାସନ ଆରୋହଣ କରିଥିଲେ ।

ତାଙ୍କର କିଶୋର ଅବସ୍ଥାର ଘଟଣା । ଯୋଜନା ମୁତାବକ ତାଙ୍କର ଦୁଇଜଣ ସାଥୀ ସନ୍ଧ୍ୟାରେ ବାଟ ଭୁଲିଯିବାର ଅଭିନୟକରି ତୋରଣଗଡ଼ ଦୁର୍ଗରେ କିଲାଦାରକୁ ଏହି କଥା କହି ସେଠାରେ ଆଶ୍ରୟ ନେଲେ । ରାତି ଅଧରେ ଶିବାଳୀ ଓ ତାଙ୍କର କିଶୋର ସୈନ୍ୟମାନେ ତୋରଣଗଡ ଦୁର୍ଗ ନିକଟରେ ଯେତେବେଳେ ପହଞ୍ଚି ଇସାରା ଦେଲେ, ସେହି ଦୁଇଜଣ ଦୂର୍ଗର କବାଟ ଖୋଲିଦେଲେ । ସମ୍ପୂର୍ଣ ଅପସ୍ତୁତ ଅବସ୍ଥାରେ ଥିବା କିଲାଦାର ଓ ଅନ୍ୟ ସୈନ୍ୟମାନେ ଶିବାଜୀଙ୍କ ନିକଟରେ ଆତ୍ମସମର୍ପଣ କଲେ । ସ୍ୱରାଜ୍ୟର ପ୍ରଥମ ଦୁର୍ଗ ବିଜାପୁର ସୁଲତାନ କବଳରୁ ମୁକ୍ତ ହେଲା । ସୁଲତାନର ଅନ୍ୟ ଏକ ଦୁର୍ଗ ସୁଭାନ ମଙ୍ଗଳ କିଲ୍ଲାକୁ ଶିବାଜୀ ଲଢେଇ କରି ଦଖଲକୁ ଆଣିଲେ । ଏହାର କିଲାଦାର ବାଲାଜୀ ଯୁଦ୍ଧରେ ନିହତ ହେଲେ । ବିଜାପୁର ଆଦିଲସାହୀର ସୁଲତାନ ଏହି ଦୁଇଟି ଦୁର୍ଗ ହରାଇବା ପରେ ରାଗୀ ଜାଇ ତାର ଜଣେ ସେନାପତି ଆଫଜଲ ଖାଁ କୁ ଶିବାଜୀଙ୍କୁ ଜବତ କରିବା ପାଇଁ ପଠାଇଲା । ଆଫଜଲ ଖାଁ ଓ ଶିବାଜୀଙ୍କ ମଧ୍ୟରେ ଯୁଦ୍ଧ ପୂର୍ବରୁ ଏକାକି କଥା ହେବାର ପ୍ରସ୍ତାବରେ ଉଭୟ ରାଜି ହେଲେ । କିନ୍ତୁ ବିରାଟ ବପୁଥିବା ଆଫଜଲ ଖାଁ ଏହି ସୁଯୋଗରେ ଶିବାଜୀଙ୍କୁ ମାଡ଼ିବସି ହତ୍ୟା କରିବାର ଷଡଯନ୍ତ୍ର କଲା । ଶିବାଳୀ ତାଙ୍କର ଗୁପ୍ତଚର ଠାରୁ ଏହା ଆଗୁଆ ଜାଣିଥିଲେ । ତେଣୁ ଆଫଜଲ ଖାଁ ତାଙ୍କୁ ଏକାକୀ ପାଇ ଯେତେବେଳେ ମାଡ଼ିବସି ମାରିବାକୁ ଚେଷ୍ଟାକଲା, ତୁରନ୍ତ ଶିବାଜୀ ତାଙ୍କ ଅଣ୍ଟା ପଟିରେ ଲୁଚାଇ ରଖିଥିବା ବାଘ ନଖ ନାମକ ଏକ ଅସ୍ତ୍ରକାଢ଼ି ସେଥିରେ ଆଫଳଲ ଖାଁର ପେଟ ଚିରି ତାକୁ ହତ୍ୟାକଲେ । ତାର ଏ ଅବସ୍ଥା ଦେଖୁ ଆଦିଲସାହୀର ସମସ୍ତ ସୈନ୍ୟ ଛତ୍ର ରଙ୍ଗ ଦେଇ ପଳାଇଗଲେ । ଏହାପରେ ସୁଲତାନ ଆଫଜଲ ଖାଁର ପୁତ୍ର ଫାଇଜଲ ଖାଁ ନେତୃତ୍ୱରେ ହଜାର ହଜାର ସୈନ୍ୟ ଦେଇ ଶିବାଜୀଙ୍କ ସହିତ ଖୋଲା ମଇଦାନରେ ଯୁଦ୍ଧକରି ବାପାର ମୃତ୍ୟୁର ପ୍ରତିଶୋଧ ନେବାପାଇଁ ପଠାଇଲା । କିନ୍ତୁ ସେତେବେଳକୁ ଶିବାଜୀ ସହ୍ୟାଦ୍ରୀର ଜଙ୍ଗଲରେ ରହୁଥିବା ମାଓଳୀର ଯୁବକମାନଙ୍କୁ ନେଇ ଏକ ସୈନ୍ୟବାହିନୀ ଗଠନ କରି ସାରିଥିଲେ । ଫାଇଜଲ ଖାଁ ସହିତ ତାଙ୍କର ଯୁଦ୍ଧ ହେଲା ପ୍ରଥମ ମଇଦାନି ଯୁଦ୍ଧ । ଏହି ଯୁଦ୍ଧରେ ଫାଲଜଲ ଖାଁ ପରାସ୍ତ ହୋଇ କୌଣସି ମତେ ଜୀବନ ଧରି ପଳାଇଗଲେ । ହିଜାପୁର ସୁଲତାନ ଏହା ଶୁଣି ଆବାକ ହୋଇଗଲା ତଥାପି ସେ ପୁର୍ନବାର ସିଦ୍ଧିଜୋହର ନାମକ ଏକ ସେନାପତି ହାତରେ ପଇତିରିଶ ହଜାର ସୈନ୍ୟ ଦେଇ ଶିବାଜୀ ରହୁଥିବା ପହ୍ଲାଲ ଗଡ଼କୁ ଘେରାଇ କରିଦେଲା । ଶିବାଜୀ ଏହି ଅଚାନକ ଘେରାବନ୍ଦୀରୁ କିଭଳି ରକ୍ଷା ପାଇବେ ଚିନ୍ତା କଲେ । କାରଣ ତାଙ୍କ ପାଖରେ ମାତ୍ର ଛଅଶହ ସୈନ୍ୟ ଥିଲେ ଓ ଦୁର୍ଗରେ ଖାଦ୍ୟ କମ୍ ପରିମାଣରେ ଗଚ୍ଛିତ ଥିଲା । ଯୋଗକୁ ଗୋଟିଏ ଦିନ ଭିଷଣ ବର୍ଷା ହେଲା ଏବଂ ରାତିରେ ଏହା ବିକଟାଳ ରୂପ ନେଲା । ଆଦିଲସାହା ସୈନ୍ୟମାନେ ଏହି ବର୍ଷାକୁ ଦେଖୁ ତମ୍ବୁ ଭିତରେ ଥାଆନ୍ତି । ସେହି ବର୍ଷାରାତ୍ରିର ଅନ୍ଧକାରରେ ଶିବାଜୀ ତାଙ୍କ ସୈନ୍ୟମାନଙ୍କ ସହିତ ଚୁପଚାପ୍ ଖସି ବିଶାଳଗଡ଼ ଦୁର୍ଗ ପଳାଇଗଲେ । ସିଦ୍ଧିଜୋହରର ସୈନ୍ୟମାନେ ପରେ ଜାଣି ତାଙ୍କୁ ଗୋଡ଼ାଇଲେ ସତ କିନ୍ତୁ ଶିବାଜୀଙ୍କ ସେନାପତି ବାଜିପ୍ରଭୂ ଦେଶପାଣ୍ଡେ ସେମାନଙ୍କୁ ଅଟକାଇ ନିଜେ ଶହୀଦ ହେଲେ ସିନା, ଆଦିଲସାହିର ସୈନ୍ୟମାନେ ଶିବାଜୀଙ୍କୁ ଛୁଇଁ ପାରିଲେ ନାହିଁ । ଶେଷକୁ ଆଦିଲସାହିର ସୁଲତାନ ହତାଶ ହୋଇଗଲା । ସେ ଆଉରଙ୍ଗଜେବଙ୍କୁ ପତ୍ର ଲେଖିଲା ସେ କିଛି ନକଲେ ଦାକ୍ଷିଣାତ୍ୟରେ କାଫେରମାନଙ୍କର ରାଜ୍ୟ ପ୍ରତିଷ୍ଠା ହେବ । ଏହି ଚିଠି ପାଇ ଆଉରଙ୍ଗଜେବ ତୁରନ୍ତ ଶାୟମ୍ଭୁ ଖାଁକୁ ଏକ ଲକ୍ଷ ସୈନ୍ୟ ଦେଇ ଶିବାଜୀଙ୍କୁ ଜବତ କରିବାପାଇଁ ପଠାଇଲେ । ଶାୟସ୍ତ ଖାଁର ସୈନ୍ୟମାନେ ପୁନା ସହରରେ ଡେରା ପକାଇଲେ ଓ ସେ ନିଜେ ଲାଲମହଲ ଦୁର୍ଗରେ ରହିଲା । ଶିବାଜୀ ଦିନେ ରାତ୍ରୀରେ ତାଙ୍କର କିଛି ସୈନ୍ୟଧରି ପହରାଦାର ବେଶରେ ପୁନା ସହରରେ ପ୍ରବେଶ କଲେ । ସେମାନେ ଏମିତି ବେଶରେ ଥଲେ ଯେ, ସମସ୍ତେ ତାଙ୍କୁ ଶାୟସ୍ତ ଖାଁର ଜଗୁଆଳୀ ସୈନ୍ୟ ବୋଲି ଭାବିଲେ ଓ କେହି ସନ୍ଦେହ କଲେ ନାହିଁ । ରାତି ଅଧରେ ସେମାନେ ଲାଲମହଲ ଦୁର୍ଗ ନିକଟରେ ପହଞ୍ଚିଲେ । ଦୁର୍ଗର ରୋଷେଇ ଦୁଆର ଦେଇ ସେମାନେ ଦୁର୍ଗରେ ପଶି ଶାୟସ୍ତ ଖାଁକୁ ଆକ୍ରମଣ କଲେ । ସ୍ତ୍ରୀ ଲୋକମାନେ ଶାୟସ୍ତ ଖାଁ କୁ ଘେରିଯିବାରୁ ସେ ଝରକା ବାଟେ ଖସି ପଳାଇଲା ସତ, କିନ୍ତୁ ଶିବାଜୀଙ୍କ ଖଣ୍ଡା ଚୋଟରେ ତାର ତିନୋଟି ଆଙ୍ଗୁଠି କଟିଗଲା । ତାକୁ ରକ୍ଷା କରିବାକୁ ଯାଇ ତାର ପୁଅ ଓ ସ୍ତ୍ରୀ ମିଲେ ।
ଏସବୁ ଦେଖୁ ଆଉରଙ୍ଗଜେବ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ତାଙ୍କର ଶକ୍ତିଶାଳୀ ରାଜପୁତ ସେନାପତି ଜୟସିଂହକୁ ଏକ ଲକ୍ଷ ସୈନ୍ୟଦେଇ ଶିବାଜୀଙ୍କ ସହିତ ଯୁଦ୍ଧ ପାଇଁ ପଠାଇଲେ । ଚତୁର ଶିବାଜୀ ଜୟସିଂ ସହିତ ଯୁଦ୍ଧ ନକରି ସନ୍ଧି କଲେ । ସନ୍ଧି ଅନୁଯାୟୀ ସେ ପୁରନ୍ଦର ସହିତ ୨୩ଟି ଦୁର୍ଗ ଜୟସିଂହକୁ ଅର୍ପଣ କଲେ ଓ ଆଉରଙ୍ଗଜେବଙ୍କ ନିମନ୍ତ୍ରଣ ପାଇ ତାଙ୍କ ସହିତ କଥା ହେବାପାଇଁ ପୁଅ ସମ୍ଭୁଜୀଙ୍କୁ ନେଇ ଆଗ୍ରା ଗଲେ । ଆଉରଙ୍ଗଜେବ ଶିବାଜୀଙ୍କ ସହିତ କିଛି କଥାବାର୍ତ୍ତା ନକରି ବିଶ୍ୱାସଘାତକତା କରି ଆଗ୍ରାଦୁର୍ଗରେ ତାଙ୍କୁ ବନ୍ଦି କରି ରଖିଲେ । ଶିବାଜୀ ସେଠୁ ଖସି ଆସିବାର ଯୋଜନା କଲେ । ବନ୍ଦୀ ଅବସ୍ଥାରେ ଖୁବ୍ ଅସୁସ୍ଥତାର ଛଳନା କଲେ ଓ ମୃତ୍ୟୁ ପୂର୍ବରୁ ମିଠାଇ ବାଣ୍ଟିବା ପାଇଁ ଆଉରଙ୍ଗଜେବଙ୍କ ଠାରୁ ଜୟସିଂହଙ୍କ ପୁଅ ରାମ ସିଂହଙ୍କ ଦ୍ୱାରା ଅନୁମତି ନେଇ ଆସିଲେ । ଦିନେ ସେ ତାଙ୍କ ପୁଅ ମିଠାଇ ଟୋକେଇରେ ଲୁଚି ପଳାଇ ଆସିଲେ । ଏଥିରେ ତାଙ୍କର ବିଶିଷ୍ଟ ମରାଠା ଭୃତ୍ୟ ହିରୋଜୀ ଓ ମୁସଲମାନ ଭୃତ୍ୟ ମଦାରିମେହତର ସାହାଯ୍ୟ କରିଥିଲେ । ତାପରେ ଶିବାଜୀ ଓ ତାଙ୍କର ସାଥୀମାନେ ସନ୍ୟାସ ବେଶରେ ମଥୁରା ଦେଇ ତାଙ୍କ ଘରକୁ ଆସି ମାତା ଜୀଜାବାଇଙ୍କ ପାଖରେ ପହଞ୍ଚି ଗଲେ । ଏବେ ଶିବାଜୀଙ୍କ ଉତ୍ସାହ ଦୁଇ ଗୁଣିତ ହେଲା। ସେ ପୂର୍ବରୁ କରଣ୍ଟେ ଦ୍ୱୀପରେ ସିନ୍ଧୁ ଦୁର୍ଗ ନାମରେ ଏକ ଜଳଦୁର୍ଗ ନିର୍ମାଣ କରିଥିଲେ । ସେ ଜଳପଥରେ ବିଦେଶୀମାନଙ୍କୁ ମୁକାବିଲା କରିବାପାଇଁ କୃଷ୍ଣଜୀଙ୍କ ଦ୍ୱାର ଏହାକୁ ଆହୁରି ଦୃଢ କଲେ । ଏହାପରେ ସେ ମୋଗଲମାନଙ୍କୁ ଉଚିତ ଶିକ୍ଷା ଦେବାପାଇଁ ସୋମାନଙ୍କର ଶକ୍ତିଶାଳୀ ସିଂହଗଡ଼ ଦୁର୍ଗକୁ ଦଖଲ କରିବା ନିର୍ମିତ ତାଙ୍କର ବାଲସାଥୀ ତାହ୍ନାଜୀ ମାଲସୁଲେଙ୍କୁ ପଠାଇଲେ । ତାହ୍ନାଜୀ ତାଙ୍କର ପୋଷା ଗୋଧି ଦ୍ୱାରା ଦୁର୍ଗ ଉପରେ ଏକ କଣ୍ଟାରେ ଦଉଡିଟିଏ ବାନ୍ଧିବାକୁ ସମର୍ଥ ହେଲେ । ଅର୍ଦ୍ଧରାତ୍ରୀରେ ତାଙ୍କର ସୈନ୍ୟମାନେ ଦୁର୍ଗ ଉପରେ ଚଢ଼ି ଅନ୍ୟ ଏକ ଦଉଡ଼ିରେ ଦୁର୍ଗ ଭିତରେ ପଶି ଅଚାନକ ମୋଗଲ ସୈନ୍ୟମାନଙ୍କୁ ଆକ୍ରମଣ କଲେ । ସମସ୍ତ ମୋଗଲ ସୈନ୍ୟ ତାଙ୍କ ସେନାପତି ଉଦୟ ଭାନୁ ସହ ନିହତ ହେଲେ । ସିଂହଗଡ଼ ଦୁର୍ଗ ହାତରୁ ଚାଲିଗଲା ଖବର ପାଇ ମଧ୍ୟ ଆଉରଙ୍ଗଜେବ କିଛି କରିବା ପାଇଁ ସାହସ କଲେ ନାହିଁ । ଶିବାଜୀଙ୍କ ଏହି ବୀରୋତ୍ୱ ଦେଖି ଆଉରଙ୍ଗଜେବଙ୍କର ଜଣେ ସେନାପତି ମହମ୍ମଦ କୁଲି ଖାଁ ବହୁତ ପ୍ରଭାବିତ ହେଲେ । ଅତୀତରେ ଆଉରଙ୍ଗଜେବଙ୍କ ପାଖରେ ତାଙ୍କର ଜୀବନ ବଞ୍ଚାଇବାପାଇଁ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେ ଶିବାଳୀଙ୍କୁ ଭେଟିବାକୁ ଚାହିଁ ଥିଲେ । ସେ ସୁଯୋଗ ଆସିଲା । ଆଉରଙ୍ଗଜେବ ତାଙ୍କୁ ମହବତ ଖାଁ ସହିତ ଯାଇ ଶିବାଜୀଙ୍କ ସହିତ ଲଢ଼େଇ କରିବା ପାଇଁ ପଠାଇଲେ । ସେହି ଦୁଇଜଣ ଯାଇ ଦାକ୍ଷିଣାତ୍ୟରେ ଡେରା ପକାଇଲେ । ଦିନେ ରାତି ଅଧରେ ସେ ଶିବିରରୁ ଖସି ଯାଇ ଶିବାଜୀଙ୍କୁ ଭେଟିଲେ । ଶିବାଜୀଙ୍କ ଚେଷ୍ଟାରେ ସେ ପୁନର୍ବାର ହିନ୍ଦୁ ହୋଇ ନେତାଜୀ ପାଲଳର ନାମରେ ପରିଚିତ ହେଲେ ଓ ତାଙ୍କ ସୈନ୍ୟବାହିନୀରେ ଯୋଗଦେଲେ।
ଇତି ମଧ୍ୟରେ ଶିବାଜୀ ଦୁର୍ଗପରେ ଦୁର୍ଗ ଅଧିକାର କରିଚାଲିଲେ ଓ ନିଜକୁ ସ୍ୱାଧ୍ୱନ ରାଜା ବୋଲି ଘୋଷଣାକରି ରାଜ୍ୟଗିଷେକ ପାଇଁ ପ୍ରସ୍ତୁତ ହେଲେ । ୧୬୭୪ ଖ୍ରୀଷ୍ଟାବ୍ଦ ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶ ତିଥିରେ ଭୋର ୫ଘଟିକା ବେଳେ ଶିବାଜୀ ମହାରାଜାଙ୍କର ରାୟଗଡ଼ ଦୁର୍ଗରେ ରାଜ୍ୟାଭିଷେକ ହେଲା । ଏହି ଉତ୍ସବରେ ଇଂଲଣ୍ଡ ମହାରାଜାଙ୍କର ପ୍ରତିନିଧି ହେନେରୀ ଆକ୍‌ସିଡେନ୍ ସମେତ ଅନେକ ରାଜା ଓ ବାଦଶାହା ମାନଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଉରଙ୍ଗଜେବ ମଧ୍ୟ ତାଙ୍କର ପ୍ରତିନିଧିଙ୍କୁ ପଠାଇ ଉପହାର ଅର୍ପଣ କରିଥିଲେ । ମୋରପନ୍ତ ପେଶବା ଘୃତପୂର୍ଣ୍ଣ ସ୍ୱର୍ଣ୍ଣ କଳସୀଧରି ଠିଆ ହୋଇଥାନ୍ତି । କାଶୀର ବିଖ୍ୟାତ ପଣ୍ଡିତ ଗାଗା ଭଟ୍ଟଙ୍କ ବେଦମନ୍ତ୍ର ଓ ମା ଜୀଜାବାଇଙ୍କର ଆର୍ଶିବାଦ ସହ ଶସ୍ତ୍ର ପୂଳନ ପରେ ଶିବାଜୀ ସ୍ୱର୍ଣ୍ଣମୁକୁଟ ପିନ୍ଧି ସିଂହାସନ ଆରୋହଣ କଲେ । ସଙ୍ଗେସଙ୍ଗେ ତୋପ ଧ୍ୱନି, ଶଙ୍ଖ, ଘଣ୍ଟ ଓ ଅନ୍ୟବାଦ୍ୟ ଧ୍ୱନି ବାଢି ଉଠିଲା । ଦେଶର ସମସ୍ତ ନଦୀ ଜଳ, ତୀର୍ଥ ଜଳ ଓ ତିନି ସମୁଦ୍ରର ଜଳ ଏହି ଉତ୍ସବରେ ଅର୍ପିତ ହେଲା । ମହାରାଜ ନିଜକୁ ସ୍ୱାଧିନ ରାଜା ବୋଲି ଘୋଷଣା କରି ସ୍ୱରାଜ୍ୟ ପ୍ରତିଷ୍ଠାର ଉଦ୍‌ଘୋଷଣା କଲେ ଓ ସଂସ୍କୃତକୁ ରାଜଭାଷା ବୋଲି ଆଦେଶନାମା ଜାରି କଲେ । ଏହିପରି ଭାବେ ସପ୍ତଦଶ ଶତାବ୍ଦୀର ସ୍ୱରାଜ୍ୟ ପ୍ରତିଷ୍ଠା ପର୍ବ ଶେଷ ହେଲା ଓ ଶିବାଜୀକର ସ୍ୱପ୍ନ ସାର୍ଥକ ହେଲା ।

Leave a Reply

Your email address will not be published. Required fields are marked *