ଜାନୁଆରୀ ୨୬, ଗଣତନ୍ତ୍ର ଦିବସ ଅବସରରେ
ସମ୍ବିଧାନରେ ସମରସତା
ସର୍ବେଶ୍ୱର ବେହେରା
ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ତଥା ରାଜନୀତି ନିୟାମକ ତତ୍ତ୍ୱରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ସମ୍ବିଧାନର ଅନୁଚ୍ଛେଦ ୧୬ (୧) ଓ ୧୬ (୨)ରେ ନାଗରିକଙ୍କୁ ସେମାନଙ୍କର ଜାତି, ବର୍ଣ୍ଣ, ଲିଙ୍ଗ ତଥା ଧର୍ମ ଆଧାରରେ ଭେଦଭାବ ବିନା ସମାନ ସୁଯୋଗ ପ୍ରଦାନ କରାଯାଉଛି । ତା’ସହିତ ସମ୍ବିଧାନରେ ରାଜ୍ୟଗୁଡ଼ିକୁ ସାମାଜିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ହସ୍ତକ୍ଷେପକରି ସମାନତା ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ବିଧାନରେ ଜାତି, ଆସ୍ଥା, ସମୁଦାୟ ଓ ଭାଷା ଆଦିରେ ସମାନ ବ୍ୟବହାର ପାଇଁ ଉଲ୍ଲେଖ ଅଛି । ସେଗୁଡ଼ିକରେ କ୍ରିୟାନ୍ୱୟନ କିପରି ହେବ, ସେ ସମ୍ବନ୍ଧରେ ମଧ୍ୟ ଉଲ୍ଲେଖ ଅଛି । ନାଗରିକମାନଙ୍କର ହିତସାଧନ କିପରି ହେବ ସେଥିପାଇଁ ସମ୍ବିଧାନ ନିର୍ମାତାମାନେ ଚିନ୍ତା ବ୍ୟକ୍ତ କରି ପ୍ରଣୟନ କରିଛନ୍ତି । ସମ୍ବିଧାନର ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ନ୍ୟାୟପାଳିକା ଦ୍ୱାରା ବହୁବାର ଅନୁସୂଚିତ ଜାତି ଓ ଜନଜାତି ତଥା ଅନ୍ୟ ପଛୁଆ ବର୍ଗ ସମ୍ବନ୍ଧରେ ବିଭିନ୍ନ ରାୟ ପ୍ରକାଶ ପାଇଛି । ଏଥିରୁ ପ୍ରମାଣିତ ହେଉଛି ଯେ ଏକ ସାମାଜିକ ସମରସତା ଯୁକ୍ତ ସମାଜ ବ୍ୟବସ୍ଥା ନିର୍ମାଣ କରିବା ଭାରତୀୟ ସମ୍ବିଧାନ ଓ ଗଣତନ୍ତ୍ରର ଉଦ୍ଦେଶ୍ୟ ।
ଅସ୍ପୃଶ୍ୟତା ଓ ସାମାଜିକ ଭେଦାଭେଦ ନିରାକରଣ ପାଇଁ ମଧ୍ୟ ସମ୍ବିଧାନରେ ଉଲ୍ଲେଖ ଅଛି । ଭାରତର ସମ୍ବିଧାନ ପ୍ରତ୍ୟକ୍ଷ ଭେଦାଭେଦକୁ ଧ୍ୟାନ ଦେଇ ତା’ର ନିରାକରଣ ପାଇଁ ସୁଯୋଗ ପ୍ରଦାନ କରିଛି । ପରୋକ୍ଷ ଭେଦାଭେଦ ସମ୍ପୂର୍ଣ୍ଣ ଉଚ୍ଛେଦ କରିହେବ ନାହିଁ । ଯେପରିକି ସ୍ୱଜାତି, ସ୍ୱଗୋତ୍ର ପ୍ରତି ଆଗ୍ରହ, ଭ୍ରଷ୍ଟାଚାର ଓ କ୍ଷେତ୍ରବାଦ ଆଦି ନିର୍ମୂଳନ ନୀତି ନିର୍ଦ୍ଧାରଣକୁ ପ୍ରଭାବିତ କରିଥାଏ; କିନ୍ତୁ ଶାସନ ପ୍ରଶାସନ ଏହିପରି କେତେକ ତ୍ରୁଟିକୁ ସୁଧାର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । କେତେକ ବ୍ୟକ୍ତିଗତ ଘଟଣାକୁ ସଂସ୍ଥାଗତ ଅଭିଶାପର ପୋଷାକ ପିନ୍ଧାଇବା ଠିକ୍ ନୁହେଁ । ଗଣତନ୍ତ୍ରରେ ଏହିପରି ବହୁତ ସାମ୍ବିଧାନିକ ତଥା ଅତିରିକ୍ତ ଉପାୟ ଅଛି ଯାହା ପକ୍ଷପାତକୁ ଦୂର କରିପାରିବ । ଏଥିରେ ନ୍ୟାୟପାଳିକାର ସକ୍ରିୟତା, ଜନସ୍ୱାର୍ଥ ମାମଲା (ପିଆଇଏଲ), ଗଣମାଧ୍ୟମର ସକ୍ରିୟତା ଓ ସୂଚନା ଅଧିକାରର ଆଇନର ଉପଯୋଗ ଆଦିର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
ଭାରତୀୟ ସମ୍ବିଧାନ ଏକ ସାମାଜିକ ସମରସଯୁକ୍ତ ସମାଜ ଗଠନ ପାଇଁ ପ୍ରତିବଦ୍ଧ । ଏହା ସରକାରଙ୍କୁ ପ୍ରଚଳିତ ବିଷମତା ଦୂରୀକରଣ ପାଇଁ ବିଭିନ୍ନ ନୀତି ନିର୍ଦ୍ଧାରଣ ପାଇଁ ପ୍ରେରିତ କରିଛି । ଏଥିରେ ସବୁଠାରୁ ଲୋକପ୍ରିୟ ହେଉଛି ‘ସକାରାତ୍ମକ ପକ୍ଷପାତ’ ନୀତି । ସକାରାତ୍ମକ ପକ୍ଷପାତ ନୀତିର ଅର୍ଥ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ନିରାଶ୍ରୟ ବର୍ଗ ମଧ୍ୟରେ ଶିକ୍ଷା ଓ ରୋଜଗାରକୁ ପ୍ରାଧାନ୍ୟ ଦେବା । ସକାରାତ୍ମକ ପକ୍ଷପାତର ଉଦ୍ଦେଶ୍ୟ ହେଉଛି ଭାରତର ଦୁର୍ବଳ ଓ ପଛୁଆ ବର୍ଗକୁ ସମାଜର ମୁଖ୍ୟଧାରାରେ ସାମିଲ କରିବା । ଏଥିପାଇଁ ସେମାନଙ୍କର ଶିକ୍ଷା, ରୋଜଗାର, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ବାଧାବିଘ୍ନକୁ ଦୂର କରିବା । ସମ୍ବିଧାନ ସଭାରେ ବହୁବାର ଏ ସମ୍ବନ୍ଧରେ ଚର୍ଚ୍ଚା ଆଲୋଚନା କରାଯାଇଛି ଓ ଅନୁସୂଚିତ ଜାତି ଓ ଜନଜାତି ପାଇଁ ବହୁ ସୁବିଧା ପ୍ରଦାନ କରାଯାଇଛି ।
ସମ୍ବିଧାନ ସଭାର ସ୍ପଷ୍ଟ ମତ ଥିଲା ଯେ ସହସ୍ରବର୍ଷ ଧରି ଭେଦାଭେଦର ଶିକାର ହୋଇଥିବା ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ କେବଳ ଆରକ୍ଷଣର ସୁବିଧା ପ୍ରଦାନ କରାଯିବ, ଯେଉଁମାନେ ସାମାଜିକ ଓ ସାଂସ୍କୃତିକ ସ୍ତରରେ ପଛୁଆ ବର୍ଗରେ ପ୍ରତାଡ଼ିତ ହୋଇଥିବେ କିନ୍ତୁ ସମ୍ବିଧାନ ସଭାରେ ସଂଖ୍ୟାଲଘୁମାନଙ୍କ ପାଇଁ ଧାର୍ମିକସ୍ତରରେ ଆରକ୍ଷଣ ପ୍ରାବଧାନ ରଖିବା ପାଇଁ ଦୃଢ଼ ବିରୋଧ ହୋଇଥିଲା । ସମ୍ବିଧାନ ନିର୍ମାତାମାନେ ଦୃଢ଼ ଭାବେ ମତପୋଷଣ କରିଥିଲେ ଯେ ସଂଖ୍ୟାଲଘୁର ଅବଧାରଣା କେବଳ ସମାଜକୁ ବିଭାଜନ କରିବା ପାଇଁ ଇଂରେଜମାନଙ୍କର ପରିକଳ୍ପିତ ମାନସିକତା ଥିଲା । ସମାଜରେ ଧାର୍ମିକ ବର୍ଗୀକରଣ ଆଧାରରେ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ମଧ୍ୟରେ ବିଭାଜନ କରିବା ଏକ ସାମ୍ରାଜ୍ୟବାଦୀ ମାନସିକତା ବୋଲି ସେମାନେ ଦୃଢ଼ ମତ ଘୋଷଣା କରିଥିଲେ । ସମ୍ବିଧାନର ଧାରା ଥିଲା ୨୯ ଓ ୩୦ ମଧ୍ୟରେ ଧାର୍ମିକ ସଂଗଠନଗୁଡ଼ିକର ସାଂସ୍କୃତିକ ଓ ସାମାଜିକ ଅଧିକାରର ସୁରକ୍ଷା ପାଇଁ ପ୍ରାବଧାନ ରଖାଗଲା; କିନ୍ତୁ ଧାର୍ମିକ ଆଧାରରେ ଆରକ୍ଷଣକୁ ପ୍ରତ୍ୟାଖ୍ୟାନ କରାଗଲା ।
ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର, ସାଂସ୍କୃତିକ ଅଧିକାର, ସଂଘୀୟ ବ୍ୟବସ୍ଥା ତଥା ସର୍ବଧର୍ମ ସମଭାବ ସହିତ ପୃଥକ୍ ପୃଥକ୍ ସାମାଜିକ ତଥା ସାଂସ୍କୃତିକ ବର୍ଗଗୁଡ଼ିକ ମଧ୍ୟରେ ସମାନତା ଓ ସ୍ୱତନ୍ତ୍ରତା ଆଦିର ପ୍ରତିଷ୍ଠା ପାଇଁ ଅନେକ ଅବସର ପ୍ରଦାନ କରାଯାଉଛି । ଅନୁସୂଚିତ ଜାତି ଓ ଜନାଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗରେ ସାମାଜିକ ଓ ଆର୍ଥିକ ସ୍ତରରେ ନିଷ୍ପେଷିତ ବ୍ୟକ୍ତିମାନଙ୍କୁ ବିଶେଷ ଅଧିକାର ପ୍ରଦାନ କରାଯାଇଛି ।
ସମ୍ବିଧାନ ସଭାର ଚର୍ଚ୍ଚା ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା ଯେ ଧର୍ମ ଆଧାରରେ ଆରକ୍ଷଣ ଆଦୌ ସମୀଚୀନ ନୁହେଁ । ଉଦାହରଣ ସ୍ୱରୂପ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଥିôବା ସଦସ୍ୟ ତଜମୁଲ ହୁସେନ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା ଆଜିର ପରିପ୍ରେକ୍ଷୀରେ ଉଲ୍ଲେଖନୀୟ । ସେ ଔପନିବେଶିକ ବୈଚାରିକ ଢାଞ୍ଚାକୁ ଘୋର ବିରୋଧ କରିଥିଲେ । ସେ ମୁସଲମାନ ଓ ଅନ୍ୟାନ୍ୟ ସମ୍ପ୍ରଦାୟମାନଙ୍କୁ ସଂଖ୍ୟାଲଘୁର ସଂଜ୍ଞା ଦେବାର ମଧ୍ୟ ଘୋର ବିରୋଧ କରିଥିଲେ । ତଜମୁଲ ହୁସେନ କହିଥିଲେ “ଆମର ମୁସଲମାନମାନଙ୍କ ପାଇଁ କୌଣସି ପ୍ରକାରର ସୁଖ ସୁବିଧା ପ୍ରଦାନ କରିବାର ଆବଶ୍ୟକ ନାହିଁ । ଆମକୁ ଭାରତରେ କୌଣସି ଆରକ୍ଷଣର ସୁରକ୍ଷା କବଚର ଆବଶ୍ୟକ ନାହିଁ । ଆମେ ଦୁର୍ବଳ ନୋହୁଁ । ଆରକ୍ଷଣ ଦ୍ୱାରା ମୁସଲମାନମାନଙ୍କର ଲାଭ କମ୍ କ୍ଷତି ଅଧିକ ହେବ । ମୁସଲମାନ ସମାଜରେ ଭାରତରେ ବହୁସଂଖ୍ୟକମାନଙ୍କ ସହିତ ସମସ୍କନ୍ଧ ହୋଇ ରହିବା ଆବଶ୍ୟକ । ମୁଁ ଚାହୁଁଛି ଯେ ଏହି ନୂତନ ଅବସ୍ଥାରେ ଭାରତର ସମସ୍ତ ନାଗରିକମାନଙ୍କୁ ଏକ ଅଧିକାର ପ୍ରଦାନ କରିବା ଆବଶ୍ୟକ ଯେ ସମସ୍ତେ ଦେଶର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ । ଏଣୁ ମୁସଲମାନମାନଙ୍କୁ ଆରକ୍ଷଣ ପ୍ରଦାନ କରିବା ସେମାନଙ୍କ ପାଇଁ ଆତ୍ମଘାତୀ ହେବ ।” ଏହାର ବିସ୍ତୃତ ଭାଷଣ ‘ଦି ରାଇଟ ଟୁ ଇକ୍ୱାଲିଟି, ସମ୍ପାଦକୀୟ, କମ୍ୟୁନିଜିମ୍ କମ୍ବାକ୍ଟ’ ପୁସ୍ତକରେ ବର୍ଣ୍ଣନା କରାଯାଇଛି ।
ସମ୍ବିଧାନ ସଭାର ଉପରାଷ୍ଟ୍ରପତି ଡ.ଏନ୍.ସି. ମୁଖାର୍ଜି ଜଣେ ଖ୍ରୀଷ୍ଟିଆନ ଥିଲେ । ସେ ଉଦ୍ବୋଧନ ଦେଇ କହିଥିଲେ ଯେ “ଯଦି ଆମର ଲକ୍ଷ୍ୟ ଭାରତକୁ ଏକ ପନ୍ଥ ନିରପେକ୍ଷ ରାଷ୍ଟ୍ରରୂପେ ନିର୍ମାଣ କରିବା, ତେବେ ଧର୍ମ ଆଧାରରେ ନୁହେଁ ।” ସମ୍ବିଧାନ ସଭାର ଏହି ସ୍ପଷ୍ଟ ମତ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କେତେକ ରାଜନୀତିକ ଦଳ ସଂଖ୍ୟାଲଘୁ ସନ୍ତୁଷ୍ଟୀକରଣ ନ୍ୟାୟରେ ସଂଖ୍ୟାଲଘୁମାନଙ୍କୁ ଆରକ୍ଷଣ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ କେତେକ ରାଜ୍ୟଗୁଡ଼ିକରେ ବିଧେୟକ ସ୍ୱୀକୃତ କରୁଛନ୍ତି । ନ୍ୟାୟପାଳିକା ମଧ୍ୟ ଏ ସମ୍ବନ୍ଧରେ ବହୁବାର ଆଦେଶ ପ୍ରଦାନ କରି ଧାର୍ମିକ ଆଧାରରେ ଆରକ୍ଷଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କର ଏକ ମତ ଥିଲା ଯେ ଅନୁସୂଚିତ ଜାତି ଓ ଜନଜାତି ସହସ୍ରବର୍ଷ ଧରି ସାମାଜିକ ତଥା ଭାବନାତ୍ମକ ଭେଦାଭେଦର ଶିକାର ହୋଇଆସିଛି । ଶ୍ରୀ ଲକ୍ଷ୍ମଣ ଶ୍ରବଣ ଭାଟକର ନାମକ ଜଣେ ସଦସ୍ୟ ସମ୍ବିଧାନ ସଭାରେ ସ୍ପଷ୍ଟ ବକ୍ତବ୍ୟ ପ୍ରଦାନ କରିଥିଲେ ଯେ “ସାମ୍ପ୍ରଦାୟିକ ପ୍ରତିନିଧିତ୍ୱ ସମ୍ବିଧାନରୁ ନିର୍ମୂଳ କରିଦେବା ଆବଶ୍ୟକ ଓ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ଦଶବର୍ଷ ପାଇଁ ଆରକ୍ଷଣ ପ୍ରଦାନ କରାଯିବା ଆବଶ୍ୟକ । କାରଣ ସେମାନେ ଏଥିପାଇଁ ହକ୍ଦାର । ସେମାନେ ଦରିଦ୍ର, ବଞ୍ôଚତ, ଅଶିକ୍ଷିତ ଓ ସମାଜରେ ସେମାନଙ୍କର ସ୍ଥିତି ଓ ସାମାଜିକ ଅବସ୍ଥାକୁ ଦେଖି ଏହିପରି ସୁଖ ସୁବିଧା ପ୍ରଦାନ କରିବା ଆବଶ୍ୟକ ।” ମାର୍କସବାଦୀ ଇତିହାସରେ ଇରଫାନ ହବିବଙ୍କ ମତରେ “ଭାରତରେ ବର୍ଣ୍ଣବ୍ୟବସ୍ଥା ସମ୍ପୂର୍ଣ୍ଣ ଅମାନବୀୟ, ଯାହା ସମାଜରେ ଅସମାନତା ନିର୍ମାଣ କରୁଛି ।” ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସମ୍ବିଧାନ ସଭାରେ ଏ ସମ୍ବନ୍ଧରେ ଭାଷଣ ପ୍ରଦାନ କରି କହିଥିଲେ ଯେ “ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଆରକ୍ଷଣରେ ସୁଖ ସୁବିଧା ପ୍ରଦାନ କରିବା ଆବଶ୍ୟକ । ବହୁସଂଖ୍ୟକ ସମୁଦାୟର ଏହା ଦାୟିତ୍ୱ ହେବା ଆବଶ୍ୟକ ଯେ ନିଜର ଉଦାରତା ଦ୍ୱାରା ଅଳ୍ପସଂଖ୍ୟକମାନଙ୍କ ମଧ୍ୟରେ ବିଶ୍ୱାସର ଭାବନା ଉଦ୍ରେକ କରିବା । ସେହିଭଳି ଅଳ୍ପସଂଖ୍ୟକମାନଙ୍କର ଏପରି କର୍ତ୍ତବ୍ୟ ହେବା ଆବଶ୍ୟକ ଯେ ସେମାନେ ଅତୀତର ସମସ୍ତ ଦୋଷ ତ୍ରୁଟିକୁ ବିସ୍ମରଣ କରି ଚିନ୍ତନ କରିବା ଉଚିତ । ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ବିଭାଜନ ବିଦେଶୀ ଇଂରେଜୀମାନଙ୍କର ଏକ ଷଡ଼ଯନ୍ତ୍ର । ଏଥିପାଇଁ ଆମେ ବହୁ କଷ୍ଟ ସ୍ୱୀକାର କରିଛୁ । ଦେଶରେ ସମସ୍ତେ ଏକ ଓ ସମାନ । ସମସ୍ତ ନାଗରିକମାନଙ୍କର ଅଧିକାର ଅକ୍ଷୁଣ୍ଣ ରହିବା ଆବଶ୍ୟକ । ସମଗ୍ର ଭାରତ ଏକ ସମୁଦାୟ । ବହୁସଂଖ୍ୟକ ଓ ଅଳ୍ପସଂଖ୍ୟକ ବିଭାଜନ ବନ୍ଦ ହେବା ଆବଶ୍ୟକ ।”
ଭାରତୀୟ ସମ୍ବିଧାନର ଆବଶ୍ୟକତା ଆରକ୍ଷଣ ତନ୍ତ୍ର ସମ୍ବନ୍ଧରେ ବିଶିଷ୍ଟ ଲେଖକ ମାର୍କ ଗ୍ଲେଣ୍ଟର କହିଛନ୍ତି- “ଗୋଟିଏ ପକ୍ଷର ତାନ୍ତ୍ରିକ ସମତା ଓ ଅନ୍ୟ ପକ୍ଷର ବିଷମତାର କ୍ଷତିପୂରଣ କରିବା ପାଇଁ ନ୍ୟାୟର ପ୍ରତିବଦ୍ଧତା ଆବଶ୍ୟକ । ଏ ସମ୍ବନ୍ଧରେ ନ୍ୟାୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ବିଷମତାର ସମସ୍ୟାର ସମାଧାନ କରିବା ପାଇଁ ଆରକ୍ଷଣର ଯେଉଁ ବ୍ୟବସ୍ଥା ଅଛି, ସେଥିରେ ନ୍ୟାୟାଳୟ ତର୍ଜମା କରି ସଠିକ ପଦକ୍ଷେପ ଓ ଦିଶା ନିର୍ଦ୍ଦେଶ ପ୍ରଦାନ କରିପାରିବେ । ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନର ଦୁଇଟି ଅଙ୍ଗ ରହିଛି: ନ୍ୟାୟବ୍ୟବସ୍ଥା ଓ କାର୍ଯ୍ୟପାଳିକା । ଏହି ଦୁଇଟି ଅଙ୍ଗ ସମାନ୍ତରାଳ ହୋଇ ଚାଲିବା ଆବଶ୍ୟକ, ନଚେତ୍ ସଂଘର୍ଷ ଦେଖା ଦେବ ।
ଆଇନର ଏକ ପରିଧି ଅଛି । ତାହାର ସୀମା ଉଲ୍ଲଙ୍ଘନ କରିବା ଠିକ ନୁହେଁ । ଋକ୍ତଙ୍କବକ୍ଷସଗ୍ଧଚ୍ଚ ବଦ୍ଭୟ ଓଦ୍ଭରକ୍ତଙ୍କବକ୍ଷସଗ୍ଧଚ୍ଚ: ଞଷରକ୍ଟକ୍ସଚ୍ଚ ବଦ୍ଭୟ ଚକ୍ସବମଗ୍ଧସମର ଗ୍ରନ୍ଥରେ ଲେଖକ ଆନ୍ଦ୍ର ଇଟିଲ ମତ ବ୍ୟକ୍ତ କରିଛନ୍ତି ଯେ “ଆଇନ କାନୁନ ଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଏଥିପାଇଁ ଜନତାଙ୍କ ପ୍ରଶିକ୍ଷଣ ଆବଶ୍ୟକ । ସାଂସ୍କୃତିକ ଜୀବନର ପ୍ରତିବଦ୍ଧତା ସମ୍ବନ୍ଧରେ ଭାରତ କେତେ ଦୃଢ଼ତାର ସହ ପ୍ରଗତି କରିପାରିବ, ଏଥିପାଇଁ ସମତାର ଆଦର୍ଶ ସିଦ୍ଧ କରିବା ଆବଶ୍ୟକ ।” ଏହିପରି କୌଣସି ଦେଶର ସମ୍ବିଧାନ ସମ୍ବନ୍ଧରେ ଗ୍ୟାରେଣ୍ଟି ସଂସ୍ଥାତ୍ମକ ରଚନା ଦ୍ୱାରା କିମ୍ବା ଆଇନ ଦ୍ୱାରା ହୋଇପାରିବ ନାହିଁ । ଜନସାଧାରଣଙ୍କ ଆଇନ ପ୍ରତି ପ୍ରଶିକ୍ଷଣ ସ୍ତର ଉଚ୍ଚ କରିବା ଦ୍ୱାରା ହିଁ ଏହା ବାସ୍ତବରେ ସମ୍ଭବ ହେବ ।
ଆଡ଼ଭୋକେଟ,
ଖଟବିନ ସାହି, କଟକ
ମୋ – ୯୪୩୭୦୧୬୩୮୪
-ଠ-