ଶହୀଦ ଯତୀନ୍ଦ୍ରନାଥ ଦାସ

ଶହୀଦ ଯତୀନ୍ଦ୍ରନାଥ ଦାସ ୧୯୦୪ ମସିହା ଅକ୍ଟୋବର ୨୭ ତାରିଖରେ କଲିକତାର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଯତୀନ୍ଦ୍ରନାଥ ମଧ୍ୟ ଅନ୍ୟ ଯୁବକଙ୍କ ପରି, ଗାନ୍ଧୀଜୀଙ୍କ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ଆନ୍ଦୋଳନରେ ଯୋଗ ଦେଇଥିଲେ। ଦେଶରୁ ବିଦେଶୀ ସାମଗ୍ରୀ ବର୍ଜନ ସମୟରେ, ସେ ପ୍ରଥମ ଥର ପାଇଁ ଏକ ବିଦେଶୀ ପୋଷାକ ଦୋକାନରେ ଧାରଣା ଦେଉଥିବା ସମୟରେ ଗିରଫ ହୋଇଥିଲେ ଏବଂ ଛଅ ମାସ ପାଇଁ ଜେଲ ଯାଇଥିଲେ।

କୁହାଯାଏ ଯେ ଥରେ ଆପଣଙ୍କ ହୃଦୟରେ ସ୍ୱାଧୀନତାର ଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇଗଲେ, ଆପଣ ଅନ୍ୟ କୌଣସି ଜିନିଷରେ ଧ୍ୟାନ ଦେଇପାରିବେ ନାହିଁ। ଯତୀନ୍ଦ୍ରନାଥଙ୍କର ମଧ୍ୟ ଏହିପରି ଅବସ୍ଥା ଥିଲା। ଏହି କ୍ରମରେ ସେ କ୍ରାନ୍ତିକାରୀ ସଚିନ୍ଦ୍ରନାଥ ସାନ୍ୟାଲଙ୍କୁ ଭେଟି କ୍ରାନ୍ତିକାରୀ ସଂସ୍ଥା , “ହିନ୍ଦୁସ୍ତାନ ରିପବ୍ଲିକନ୍ ଆସୋସିଏସନ୍‌” ରେ ଯୋଗ ଦେଇଥିଲେ।

ଯତୀନ୍ଦ୍ରନାଥ ଦେଶର ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ, ଏବଂ ହୁଏତ ଏହି କାରଣରୁ ସେ ହିନ୍ଦୁସ୍ତାନ ରିପବ୍ଲିକନ୍ ଆସୋସିଏସନ୍‌ର ସଦସ୍ୟମାନଙ୍କ ମଧ୍ୟରେ ପ୍ରସିଦ୍ଧ ହୋଇଥିଲେ। ଏହି ସମୟରେ, ସେ ବୋମା ତିଆରି କରିବା ମଧ୍ୟ ଶିଖିଥିଲେ ଏବଂ କଂଗ୍ରେସ ସେବା ଦଳରେ ସୁଭାଷ ଚନ୍ଦ୍ର ବୋଷଙ୍କ ନିକଟତର ହୋଇଥିଲେ। ସୁଭାଷ ଚନ୍ଦ୍ରଙ୍କ ସଂସ୍ପର୍ଶରେ ଆସିବା ପରେ, ସେ ଭଗତ ସିଂହଙ୍କୁ ଭେଟିଥିଲେ, ଏବଂ ଯତୀନ୍ଦ୍ରନାଥ ହିଁ କେନ୍ଦ୍ରୀୟ ସଭାରେ ଭଗତ ସିଂହ ଫିଙ୍ଗିଥିବା ବୋମା ତିଆରି କରିଥିଲେ।

୧୯୨୫ ମସିହାରେ ଯତୀନ୍ଦ୍ରନାଥଙ୍କୁ ଦ୍ୱିତୀୟ ଥର ପାଇଁ ଜେଲ ପଠାଯାଇଥିଲା। ଏଥର ଦକ୍ଷିଣେଶ୍ୱର ବୋମା ମାମଲା ଏବଂ କାକୋରି ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତି ପାଇଁ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ, ବ୍ରିଟିଶ ସାମରିକ ଅଦାଲତରେ ତାଙ୍କ ବିରୁଦ୍ଧରେ ପ୍ରମାଣ ଅଭାବରୁ ତାଙ୍କୁ ମୁକ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ ଯତୀନ୍ଦ୍ରନାଥଙ୍କୁ ଜେଲରେ ବ୍ରିଟିଶମାନେ ପ୍ରବଳ ନିର୍ଯାତନା ଦେଇଥିଲେ, ଯାହା ଫଳରେ ସେ ୨୧ ଦିନର ଅନଶନ କରିଥିଲେ। ଏହି ଅନଶନ ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବରେ ଖରାପ କରିଥିଲା, ଯାହା ଫଳରେ ବ୍ରିଟିଶ ସରକାର ତାଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ।

ଜେଲରୁ ମୁକ୍ତ ହେବା ପରେ, ଯତୀନ୍ଦ୍ରନାଥ ସୁଭାଷ ଚନ୍ଦ୍ରଙ୍କ ସହଯୋଗୀ ଭାବରେ ସକ୍ରିୟ ରହିଥିଲେ, କ୍ରାନ୍ତିକାରୀ ମାନଙ୍କ ପାଇଁ ବୋମା ତିଆରି କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ। ଲାହୋର ଷଡ଼ଯନ୍ତ୍ର ମାମଲାରେ ସମ୍ପୃକ୍ତି ପାଇଁ ତାଙ୍କୁ ୧୯୨୯ ମସିହାରେ ପୁନଃ ଗିରଫ କରାଯାଇଥିଲା।

ଲାହୋର ଜେଲ ପ୍ରଶାସନ କ୍ରାନ୍ତିକାରୀ ଏବଂ ଅହିଂସା ଆନ୍ଦୋଳନକାରୀଙ୍କ ମଧ୍ୟରେ ଭେଦଭାବ କରୁଥିଲେ । କ୍ରାନ୍ତିକାରୀ କଏଦୀମାନେ ୧୩ ଜୁଲାଇ ୧୯୨୯ ରେ ଅନଶନ କରି ଏହାର ପ୍ରତିବାଦ କରିଥିଲେ। ଜତୀନ୍ଦ୍ର ମଧ୍ୟ ଏହି ଅନଶନରେ ଯୋଗ ଦେଇଥିଲେ। ଯେପର୍ଯ୍ୟନ୍ତ ଜେଲ ପ୍ରଶାସନ କ୍ରାନ୍ତିକାରୀ ମାନଙ୍କ ସହିତ ସାଧାରଣ ବ୍ୟବହାର ଏବଂ ସୁବିଧା ଯୋଗାଇ ନଦେବ ସେ ପର୍ଯ୍ୟନ୍ତ ତାଙ୍କର ଅନଶନ ଭାଙ୍ଗିବେ ନାହିଁ ବୋଲି ସେ ଶପଥ ନେଇଥିଲେ। ଜତୀନ୍ଦ୍ରଙ୍କର ପୂର୍ବରୁ 21 ଦିନ ଜେଲରେ ଅନଶନ କରିବାର ଅଭିଜ୍ଞତା ଥିଲା, ତେଣୁ ସେ ଅଟଳ ରହିଥିଲେ। କିନ୍ତୁ , ଏହି ସମୟ ମଧ୍ୟରେ, ଜେଲ ପ୍ରଶାସନ ଅନଶନକାରୀଙ୍କ ଅନଶନକୁ ଭାଙ୍ଗିବା ପାଇଁ ଜବରଦସ୍ତି ନାକ ପଟେ କ୍ଷୀର ପୁରାଇବାର ଚେଷ୍ଟା କରିଥିଲେ l ତାଙ୍କର ଏହି ଚେଷ୍ଟାରେ ଯତୀନ୍ଦ୍ରନାଥଙ୍କ ଫୁସପୁସକୁ କ୍ଷୀର ଚାଲିଗଲା ଏବଂ ସେ ନିମୋନିଆରେ ପୀଡ଼ିତ ହେଲେ । କିନ୍ତୁ ଅସୁସ୍ଥ ହେବା ସତ୍ତେ ସେ ଅନଶନରେ ଅଟଳ ରହିଲେ ।

ବ୍ରିଟିଶମାନଙ୍କ ଦ୍ୱାରା ଏହି ନିର୍ଯାତନା ସତ୍ତ୍ୱେ, ଯତୀନ୍ଦ୍ରନାଥ ଦାସ ନିଜ ସଂକଳ୍ପରେ ଅଟଳ ରହିଥିଲେ ଏବଂ କିଛି ନ ଖାଇ ନ ପିଇ ଦୁଇ ମାସ ପର୍ଯ୍ୟନ୍ତ ଅନଶନ ଜାରି ରଖିଥିଲେ। କିନ୍ତୁ ଶେଷରେ, ତାଙ୍କର ଦୃଢ଼ ନିଷ୍ପତ୍ତି ଜୀବନ ଉପରେ ବିଜୟୀ ହୋଇଥିଲା। 13 ସେପ୍ଟେମ୍ବର, 1929 ରେ, ଅନଶନର 63 ତମ ଦିନରେ, ଯତୀନ୍ଦ୍ରନାଥ ଜେଲରେ ଶହୀଦ ହୋଇଥିଲେ । ଜତିନ୍ଦ୍ରନାଥଙ୍କ ପାର୍ଥିବ ଶରୀରକୁ ଟ୍ରେନ ଯୋଗେ ଲାହୋରରୁ କଲିକତା ଅଣାଯାଇଥିଲା। ଟ୍ରେନ ଯେଉଁଠାରେ ଅଟକିଥିଲା, ଭାରତ ମାତାର ଏହି ସାହସୀ ପୁତ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। କୁହାଯାଏ ଯେ କଲିକତାରେ ଜତିନ୍ଦ୍ରନାଥଙ୍କ ଅନ୍ତିମ ସଂସ୍କାରରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇଥିଲେ ଏବଂ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏକ ଧାଡି ଲମ୍ବିତ ହୋଇଥିଲା। ଯତୀନ୍ଦ୍ରନାଥଙ୍କ ଅନ୍ତିମ ଯାତ୍ରା ସମୟରେ, ସମଗ୍ର କଲିକତା “ଜତୀନ ଦାସ ଅମର ରହେ” ….ଇନକଲାବ ଜିନ୍ଦାବାଦ ଭଳି ନାରାରେ ପ୍ରତିଧ୍ୱନିତ ହୋଇଥିଲା। ସ୍ୱାଧୀନ ଭାରତ ସର୍ବଦା ଭାରତ ମାତାର ଏହି ପ୍ରଥମ ଅନଶନକାରୀଙ୍କୁ ମନେ ରଖିବ, ଯିଏ ଜେଲରେ ଶହୀଦ ହୋଇଥିଲେ।

Leave a Reply

Your email address will not be published. Required fields are marked *