ନମସ୍ତେ ନମସ୍ତେ ମା’ଗୋ କମଳା ଦୁଲଣୀ

-ଅନୁପମା ଭୂୟାଁ-

ମାର୍ଗଶୀର ମାସରେ ପଡ଼ୁଥିବା ଗୁରୁବାର ଯେପରି ନିଷ୍ଠାରେ ପାଳନ କରାଯାଏ ତହିଁରୁ ଓଡ଼ିଆଙ୍କର ସାମାଜିକ ଚାଲିଚଳଣ ଅନ୍ୟମାନଙ୍କ ଠାରୁ ବାରି ହୋଇପଡ଼େ । ଏମିତି କେଉଁଠି କରୁଣା ତ କେଉଁଠି କଠୋରତାର ସୁନ୍ଦର କାହାଣୀ, ମଣିଷର ଜୀବନ କାହାଣୀ କହେ ମାର୍ଗଶୀର ମାସ ଗୁରୁବାର ପର୍ବ । ଓଡ଼ିଆଙ୍କର ଏକାନ୍ତ ନିଜସ୍ୱ ଖାଣ୍ଟି ଓଡ଼ିଆ ପର୍ବ ମାର୍ଗଶୀର ଗୁରୁବାର ବା ମାଣବସା ଗୁରୁବାର ଓଷା । ମାଣବସା ଗୁରୁବାର ଓଡ଼ିଶାର ଓ ଓଡ଼ିଆଙ୍କର ଏକାନ୍ତ ନିଜସ୍ୱ ପର୍ବ । ଏଥିରେ ଝୋଟି, ଧାନଶିଖା, ଆଙ୍ଗୁଠି ଚିତା ଯେଭଳି ଓଡ଼ିଆଙ୍କର ନିଜସ୍ୱ, ଏଥିରେ ପିଠାପଣା, ପୂଜା ସବୁ ଓଡ଼ିଆଙ୍କର ଓଡ଼ିଆ ଜାତିର ପୂର୍ବ ସମୃଦ୍ଧି, ପୂର୍ବ ବଡ଼ିମାର ନିଦର୍ଶନ । ଏ ପୂଜାରେ ଜାତି ଅଜାତି ନାହିଁ । ବ୍ରାହ୍ମଣଠାରୁ ଚଣ୍ଡାଳ ଯାଏ ସବୁ ଓଡ଼ିଆ ଘରେ ଏ ପର୍ବ ପାଳନ କରାଯାଏ । ମହାଲକ୍ଷ୍ମୀଙ୍କର ପୂଜା ପ୍ରତ୍ୟେକ ହିନ୍ଦୁ ଘରରେ କରାଯାଏ । ମା\’ ମହାଲକ୍ଷ୍ମୀ ଭାରତର ଅନ୍ୟସ୍ଥାନ ମାନଙ୍କରେ କେବଳ ଧନଦାତ୍ରୀ ଦେବୀ ରୂପେ ଅଧିଷ୍ଠିତା ହେଉଥିଲେ ମଧ୍ୟ ଓଡ଼ିଶାରେ ଓଡ଼ିଆମାନଙ୍କର ମାଣବସା ଗୁରୁବାର ପୂଜା କେବଳ ଧନଧାନ୍ୟର କଥା କହେ ନାହିଁ ବରଂ ଏହାକୁ ପ୍ରାପ୍ତ କରିବା ପାଇଁ ଆବଶ୍ୟକ ହେଉଥିବା ନିଷ୍ଠାକୁ ବି ନିଖୁଣ ଭାବେ ବର୍ଣ୍ଣନା କରେ । ସାମାଜିକ ଜୀବନରେ ଜାତି ଜାତି ମଧ୍ୟରେ ଥିବା ଫରକ ଭଗବତ ଆରାଧନା ନିତକଟରେ ତୁଚ୍ଛ ବୋଲି ଏହା ପ୍ରମାଣିତ କରେ । ଖାଲି ସେତିକି ନୁହେଁ ଏହି ପର୍ବ ଅନୁଶାସନର ପରିଧି ମଧ୍ୟରୁ ମହାପ୍ରଭୁ ବି ବାଦ ନୁହଁନ୍ତି ବୋଲି ପ୍ରମାଣିତ କରେ । ଲକ୍ଷ୍ମୀ ପୂଜା ସାରା ଭାରତର ହିନ୍ଦୁ ସମାଜରେ ପ୍ରଚଳିତ । ମାଣବସା ମଧ୍ୟ ଅନ୍ୟ ଅନ୍ୟ ପ୍ରଦେଶରେ ପ୍ରଚଳିତ ଅଛି । କିନ୍ତୁ ଆମ ମାର୍ଗଶୀର ମାସ ଗୁରୁବାର ମାଣବସା, ଭଳି ଚାରି ବା ପାଞ୍ଚଚାପାଳି ମାଣବସା ଓଡ଼ିଆଙ୍କ ବ୍ୟତୀତ ଅନ୍ୟ କେଉଁଠି ହୁଏ ନାହିଁ । ଏହି ମାଣବସା ଭୋଗ ଆମ ଓଡ଼ିଆଙ୍କର ନିଜସ୍ୱ ରାନ୍ଧଣାର ନିଦର୍ଶନ । ଓଡ଼ିଆଙ୍କ ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳା ଶାଗ, ରାଇ ସୋରିଷ ଶାଗ ରାଇ, ଚିତଉ, ଚକୁଳି, ଖିରିସା ପାଣି, ବିରି ଗେଟେଇ, ଅଟକାଳି, ସରପୁଳି, ଦୁଧପୁଳି, ବଡ଼ି ପକା ମହୁର, ବେସର, ନଡ଼ିଆ ବଡ଼ିପକା ଶାଗ, କର୍ପୂର ମରିଚ ପକା ଛେନା, ନଡ଼ିଆ ଚକଟା କାକରା ପିଠା, ଆରିସା ପିଠା, ମୁଗ ପୁଳି, ମୁଗ କାନ୍ତି ଏଭଳି ରାନ୍ଧଣା ଓଡ଼ିଆଙ୍କ ଘର ଛଡ଼ା ଅନ୍ୟ ଆଡ଼େ ହୁଏ ନାହିଁ । ଘରୋଇ ପରିବେଶରେ ଜଣେ ଗୃହିଣୀ ଯେପରି ରାନ୍ଧିବାଢ଼ି ଘରଦ୍ୱାର ସଫା ସୁତୁରା ରଖି ଚଳିବା କଥା, ସେଇ ପରିବେଶ ସେଇ ରୂପରେ ଲକ୍ଷ୍ମୀଙ୍କୁ କଳନା କରାଯାଇଛି । ଘରମାନଙ୍କରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ଘଟିଲେ ବୟସ୍କା ମହିଳାମାନେ ଲକ୍ଷ୍ମୀଛାଡ଼ି ଅଲକ୍ଷଣୀ ବୋଲି ଗାଳି କରନ୍ତି । ତେଣୁ ଧନଧାନ୍ୟ ସ୍ନେହ ବାତ୍ସଲ୍ୟ, ଦୟା କ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି । ଘରର ଶ୍ରୀ ସମୃଦ୍ଧି ପରିଷ୍କାର ପରିଚ୍ଛନ୍ନତା ହେଉଛି ଲକ୍ଷ୍ମୀବ୍ରତର ପ୍ରଧାନ ବୈଶିଷ୍ଟ । ମାର୍ଗଶୀର ମାସ ଆସିବା ମାତ୍ରେ ସହର ମଫସଲ ସର୍ବତ୍ର ସ୍ତ୍ରୀମାନଙ୍କ ଭିତରେ ଗୋଟାଏ ଚହଳ ସୃଷ୍ଟି ହୁଏ । ସହରରେ ବେଶୀ ମାଟି ଘର ନାହିଁ । ଅନୁପମା ଭୂୟାଁ ସିମେଣ୍ଟ ଘରେ ବୁଧବାର ଦିନ ଧୋଇ ପୋଛି ଚିତା ଲେଖାଯାଏ । କିନ୍ତୁ ଗାଁ ଗହଳରେ ସ୍ତ୍ରୀଲୋକମାନେ ମାଟି ଗୋବରରେ ଘରଦ୍ୱା, କାନ୍ଥବାଡ଼ ଲିପା ପୋଛା କରନ୍ତି । ଅରୁଆ ଚାଉଳ ବଟା ପିଠଉ, ଢ଼ାଉ ହଳଦିଆ ମାଟି ସଂଗ୍ରହ କରି କେତେ ରଙ୍ଗରେ ହାତି, ମୟୂର, ଓଲଟ ଶୁଆ, ଧାନଶିଖା ଜାତି ଜାତିକା ଆଙ୍ଗୁଠି ଚିତାମାନ ଲେଖନ୍ତି । ଦେଖିଲେ ଆଖି ଲାଖିରହେ । ମାର୍ଗଶୀର ମାସରେ ପଡ଼ୁଥିବା ଚାରି କି ପାଞ୍ଚ ପାଳି ଗୁରୁବାର ଯେପରି ନିଷ୍ଠାରେ ପାଳନ କରାଯାଏ ତହିଁରୁ ଓଡ଼ିଆଙ୍କର ସାମାଜିକ ଚାଲିଚଳଣ ଅନ୍ୟମାନଙ୍କଠାରୁ ବାରି ହୋଇପଡ଼େ । ଏଥି ସହିତ ସମାଜରେ ଏବଂ ପୁରୁଷଙ୍କ ଜୀବନରେ ନାରୀଙ୍କ ଭୂିକା ବି ବର୍ଣ୍ଣନା କରାଯାଇଛି ଅତ୍ୟନ୍ତ ନିଚ୍ଛକ ଭାବେ । ଘରଣୀ ହେଉଛି ଘର । ଘରଣୀ ବିନା ଘରର କଳ୍ପନା କରାଯାଇ ପାରେ ନାହିଁ । ଏପରି କି ଘରଣୀ ବିନା ମହାପ୍ରଭୁ ଜଗନ୍ନାଥ ମଧ୍ୟ ବାର ଦୁଆର ବୁଲି ଭିକ ମାଗିବାକୁ କିଭଳି ବାଧ୍ୟ ହେଇଛନ୍ତି ତାହା ଏହି ପୁରାଣରେ ବର୍ଣ୍ଣନା କରାଯାଇଛି । ଜାତି, ଅଜାତି, ଗୋରା, କଳା ବର୍ଣ୍ଣ ଭେଦରେ ଯେଉଁ ସମାଜ ଆଜି ନଷ୍ଟଭ୍ରଷ୍ଟ, ଜଗନ୍ନାଥ ସଂସ୍କୃତିର ଉଚ୍ଚ ଆଦର୍ଶ ଲକ୍ଷ୍ମୀ ପୁରାଣରେ ପ୍ରକଟିତ ହୋଇଛି । ଏ ବ୍ରତରେ ଜାତି ଭେଦ ନାହିଁ । ସ୍ୱୟଂ ମହାଲକ୍ଷ୍ମୀ ବ୍ରାହ୍ମଣଠାରୁ ଚଣ୍ଡାଳଯାଏଁ ଦ୍ୱାରେ ଦ୍ୱାରେ ବୁଲିଛନ୍ତି । ଯେଉଁଠି ନିଷ୍ଠା ପବିତ୍ରତା ଦେଖିଛନ୍ତି ସେଇଠି ସନ୍ତୁଷ୍ଟ ହୋଇ ଆପେ ଯାଚି ବରଦାନ କରିଛନ୍ତି । ଅନ୍ୟ ଦୃଷ୍ଟି କୋଣରୁ ଦେଖିଲେ କର୍ତ୍ତବ୍ୟନିଷ୍ଠା ପରିଶ୍ରମ ହିଁ ଜୀବନକୁ ଯଶ, ଗୌରବ, ଧନରତ୍ନ, ଶ୍ରୀ ସମୃଦ୍ଧିରେ ମଣ୍ଡିତ କରେ ଏହି ସୂଚନା ବାଣ୍ଟେ ଓଡ଼ିଆର ମାଣବସା ଗୁରୁବାର । ମାଣବସା ଗୁରୁବାର ପୁରାଣ ଯେତିକି ଚିତାକର୍ଷକ ସେତିକ ଶିକ୍ଷଣୀୟ ।

Leave a Reply

Your email address will not be published. Required fields are marked *