ବିଶ୍ୱ କାହିଁକି ଆଜି ଭାରତକୁ ଲୋଡେ

-ନେତାଜୀ ତାପସ କୁମାର ସାହୁ-

ବିଷ୍ଣୁ ପୁରାଣରେ ଲିଖିତ ଅଛି”ଉତ୍ତରଂ ୟତ ସମୁଦ୍ରସ୍ୟ ହିମାଦ୍ରେଶ୍ଚୈବ ଦକ୍ଷିଣମ୍ ବର୍ଷ ତଦ୍ ଭାରତଂ ନାମ ଭାରତୀ ଯତ୍ର ସନ୍ତତି” ବିଶ୍ୱରେ ଅନେକ ସଭ୍ୟତା ସମୟ ଚକ୍ରରେ ଉତ୍ଥାନ ପତନ ମଧ୍ୟ ଦେଇ ଗତି କରି ଇତିହାସ ପାଲଟି ଯାଇଥିବା ବେଳେ ସବୁଠୁ ପୁରାତନ ସଭ୍ୟତା ଭାରତ କିନ୍ତୁ ଆଜିବି ଜୀବିତ ଓ ଅମର ମଧ୍ୟ । ଏହାର କାରଣ ହେଉଛି ଭାରତର ମୂଳ ସିଦ୍ଧାନ୍ତ ପ୍ରତିଟି ଭାରତୀୟ ମଧ୍ୟରେ ପିଢି ପରେ ପିଢି ଚାଲିଆସିଛି । ଅନେକ କିଛି ଜିନିଷ ଆମ ଭାରତ ଭୂମିରୁ ହିଁ ବିକଶିତ ହୋଇ ବିଶ୍ୱକୁ ମାର୍ଗ ଦର୍ଶନ କରିଛି । ବିଶ୍ୱର ପ୍ରଥମ ବିଶ୍ୱବିଦ୍ୟାଳୟ ତକ୍ଷଶିଳା ଏବଂ ପରବର୍ତ୍ତୀ ସମୟରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଆମ ଦେଶରେ ପ୍ରତିଷ୍ଠା ହୋଇଥିଲା । ବ୍ରହ୍ମଗୁପ୍ତଙ୍କ ଦ୍ୱାରା \”ଶୂନ \”ର ଆବିଷ୍କାର,ଭାସ୍କରାଚାର୍ଯ୍ୟଙ୍କ ଦ୍ୱାରା ପୃଥିବୀର ଆବର୍ତ୍ତନ ଓ ପରିକ୍ରମଣ ସମୟ ଗଣନା, ଶୁଶ୍ରୁତଙ୍କ ଦ୍ୱାରା ସର୍ଜରୀ ଚିକିତ୍ସା, କଣାଦଙ୍କ ଦ୍ୱାରା ପରମାଣୁ ତତ୍ତ୍ୱର ଆବିଷ୍କାର, ଭରଦ୍ୱାଜ ମୁନିଙ୍କ ଦ୍ୱାରା ବିମାନ ଉଡାଣ, ଯୋଗ, ଲୁଡୁ, ସାପ ସିଡି, ଚେସ୍‌, ମାପକ ଯନ୍ତ୍ର, ଆୟୁର୍ବେଦ, ଆଲଗୋରିଦମ, ବୃକ୍ଷର ବୃଦ୍ଧି ବିଷୟରେ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କ ଗବେଷଣା, ସାର୍ ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ଆଲୋକ ସମ୍ବନ୍ଧୀୟ ଗବେଷଣା ଯାହାକି ରମଣ ପ୍ରଭାବ ନାମରେ ଆଜି ଆମେ ପଢୁଛୁ ପରି ଅନେକ ଗବେଷଣା ଆମକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ଭାରତ ହେଉଛି ବିଶ୍ୱର ତୃତୀୟ ସାମରିକ ଶକ୍ତି ସମ୍ପନ୍ନ ଦେଶ, ଚତୁର୍ଥ ସର୍ବ ବୃହତ ସ୍ଥଳ ବାହିନୀ ତଥା ପଞ୍ଚମ ଆର୍ôଥକ ମହାଶକ୍ତି । ୧୯୪୭ ମସିହା ଠାରୁ ଭାରତ ରାଜ୍ୟ ଗୋଷ୍ଠୀ ଦେଶର ସଦସ୍ୟ ଥିବା ବେଳେ ବ୍ରିକ୍ସ୍‌, ବିମ୍ ଷ୍ଟେକ ଓ ସାର୍କ୍ ର ପ୍ରମୁଖ ସଦସ୍ୟ ଥିବା ବେଳେ ଜାତିସଂଘ, ଜି ୨୦, ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ପରି ସଂଗଠନର ଆରମ୍ଭ ଦିନରୁ ସଦସ୍ୟ ରହିଛି । ବର୍ତ୍ତମାନ ଭାରତ ଜି ୨୦ର ଅଧ୍ୟକ୍ଷତା କରୁଛି । ଆନ୍ତର୍ଜାତୀୟ ସ୍ତରରେ ଭାରତ ମହାଶକ୍ତି ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା , ଛୋଟ ଛୋଟ ଦେଶକୁ ସୁରକ୍ଷା ପ୍ରଦାନ , ଶାନ୍ତି ପ୍ରତିଷ୍ଠା, ସୌର ଶକ୍ତିର ବିନିଯୋଗ, ଆତଙ୍କବାଦ ନିରୋଧୀ କାର୍ଯ୍ୟକଳାପ, ଔଷଧ ପ୍ରସ୍ତୁତ ଓ ରପ୍ତାନୀ ଦିଗରେ ବେଶ ପ୍ରଶସଂନୀୟ ଭୂମିକା ଗ୍ରହଣ କରିଛି । ବିଜ୍ଞାନ କ୍ଷେତ୍ରରେ ଇସ୍ରୋର ଗବେଷଣା ସମଗ୍ର ବିଶ୍ୱରେ ଅନେକ କିଛି ଖ୍ୟାତି ଆମକୁ ପ୍ରଦାନ କରିଛି । ପିଏସ୍‌ଏଲଭି, ମଙ୍ଗଲ ମିଶନ, ଚନ୍ଦ୍ର ମିଶନ, ସୂର୍ଯ୍ୟ ମିଶନର ଗବେଷଣାରେ ହେଉଥିବା ଖର୍ଚ୍ଚ ଅନେକ ହଲିଉଡ ଚଳଚ୍ଚିତ୍ରରେ ହେଉଥିବା ଖର୍ଚ୍ଚ ଠୁ କମ୍ ଚନ୍ଦ୍ରଯାନ- ୨ ରେ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବେଳେ \”ଅବତାର\” ଚଳଚ୍ଚିତ୍ରରେ ୩୨୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଠାରେ ହିଁ ସ୍ପଷ୍ଟ ଅନୁମେୟ ଇସ୍ରୋର ଗବେଷଣା ଉଚ୍ଚକୋଟୀର ଓ ଉତକ୍ଷେପଣ ବିଶ୍ୱର ସବୁଠାରୁ ସଫଳ ଓ ଶସ୍ତା । ଯେଉଁଥିପାଇଁ ଜର୍ମାନୀ, ଫ୍ରାନ୍ସ, ଡେନମାର୍କ, ଆର୍ଜେଣ୍ଟିନା, ଜାପାନ, ଆମେରିକା ପରି ରୁ ଉର୍ଦ୍ଧ୍ୱ ଦେଶ ନିଜର ଉପଗ୍ରହ ଇସ୍ରୋରୁ ହିଁ ମହାକାଶକୁ ପ୍ରେରଣ କରିଥାନ୍ତି । କରୋନା ମହାମାରୀ ସମୟରେ ଭାରତର ଭୂମିକାକୁ ବିଶ୍ୱ ଦରବାରରେ ଖୁବ୍ ପ୍ରଶଂସା କରାଯାଇଛି ।୧୦୦ ରୁ ଉର୍ଦ୍ଧ୍ୱ ଦେଶକୁ ୩୦୧୨ଲକ୍ଷରୁ ଉର୍ଦ୍ଧ୍ୱ ଭାକସିନ୍ ଓ ୧୫୦ ରୁ ଉର୍ଦ୍ଧ୍ୱ ଦେଶକୁ ଚିକିତ୍ସା ସୁବିଧା ଓ ସହାୟତା ପ୍ରଦାନ କରିଛି । ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜେ. ବୋଲସେନରୋ ଭାରତର ଏହି ସହାୟତାକୁ ହନୁମାନ ଯେପରି ସଞ୍ଜିବନୀ ବୁଟି ଆଣି ଲକ୍ଷ୍ମଣଙ୍କୁ ରକ୍ଷା କରିଥିଲେ ତାହା ସହ ତୁଳନା କରି ଉଲ୍ଲେଖ କରିଥିବା ବେଳେ ଆମେରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଫିଜି, ଭୁଟାନ ପରି ଅନେକ ଦେଶ ଭାରତର ଏହି \” ବସୁଧୈବ କୁଟୁମ୍ବକମ୍‌\” ବାର୍ତ୍ତାର ମହତ୍ତ୍ୱକୁ ବୁଝିଥିଲେ ।ଖାଲି ସେତିକି ନୁହେଁ \”ବନ୍ଦେ ଭାରତ \” ଓ \”ଅପରେଶନ୍ ସମୁଦ୍ର ସେତୁ\” ମିଶନରେ ଅନେକ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ମାନଙ୍କୁ ମଧ୍ୟ ଉଦ୍ଧାର କରିଛି ଭାରତ । ସେହିପରି ଚୀନର ଚକ୍ରାନ୍ତ ଯୋଗୁଁ ଅର୍ଥନୈତିକ ଦେବାଳିଆ ହୋଇ ଦୁର୍ଦ୍ଦିନରେ ଥିବା ଶ୍ରୀଲଙ୍କା ଯିଏକି ଭାରତ ସହ ସାଂସ୍କୃତିକ ତଥା ଅନାଦି କାଳରୁ ବନ୍ଧୁ ରାଷ୍ଟ୍ର, ତାକୁ ଖାଦ୍ୟ, ପାନୀୟ ଜଳ, ପେଟ୍ରୋଲ, ଜୀବନ ରକ୍ଷାକାରୀ ଔଷଧ, ସାର ଇତ୍‌୍ୟାଦି ଯୋଗାଇ ଦେଇଥିଲା । ଯେଉଁଥିପାଇଁ ଶ୍ରୀଲଙ୍କା ବାସୀ ଓ ସରକାର ଭାରତକୁ କୃତଜ୍ଞତା ଜ୍ଞାପନ କରିବା ସହ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଶ୍ରୀଲଙ୍କା ସଂସଦର ସାଂସଦ ସନତ ଜୟ ସୁରିଆ ଭାରତକୁ \”ବଡ ଭାଇ \” ସମ୍ବୋଧନ କରିଥିଲେ । ବିଶ୍ୱର ଲୋକ କେହି ଖାଦ୍ୟ ଅଭାବରୁ ଭୋକିଲା ନ ରୁହନ୍ତୁ ସେ ପାଇଁ ଭାରତ ଅନେକ ଦେଶମାନଙ୍କୁ ଖାଦ୍ୟ ରପ୍ତାନୀ କରୁଥିବା ବେଳେ ଆରବ ଦେଶ ମାନଙ୍କୁ ଭାରତ ଖାଦ୍ୟାନ୍ନ ରପ୍ତାନୀ କ୍ଷେତ୍ରରେ ବ୍ରାଜିଲକୁ ପଛରେ ପକାଇଥିବା ଶୀର୍ଷ ସ୍ଥାନ ଅଧିକାର କରିଛି, ଯାହାକି ସର୍ବ କାଳୀନ ରେକର୍ଡ । ସେହିପରି ସମଗ୍ର ବିଶ୍ୱରେ କ୍ଷୀର, ଝୋଟ, ମସଲା, ମତ୍ସ୍ୟ ଉତ୍ପାଦନ, ଧାନ, ଗହମ, ଆଖୁ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରି ପାରିଛି ଆମ ଦେଶ ।ଅନେକ ସମୟରେ ଯୁଦ୍ଧ ବିଭିଷିକା ମଧ୍ୟରେ ଭାରତ ଅନେକ ଭାରତୀୟ ମାନଙ୍କ ସମେତ ପଡୋଶୀ ରାଷ୍ଟ୍ର ତଥା ଅନ୍ୟ ଦେଶର ନାଗରିକ ମାନଙ୍କୁ ରକ୍ଷା କରିଛି । ରୁଷ୍ ଓ ୟୁକ୍ରେନ୍ ଯୁଦ୍ଧ ସମୟରେ ଅପରେଶନ୍ ଗଙ୍ଗା, ଆଫଗାନିସ୍ଥାନରେ ତାଲିବାନ ଆକ୍ରମଣ ସମୟରେ ଅପରେଶନ୍ ଦେବୀ ଶକ୍ତି, ଯୁଦ୍ଧ ବିଭୀଷିକା ତ୍ରସ୍ତ ୟମେନ୍ ରୁ ଅପରେଶନ୍ ରାହତ ତଥା ନେପାଳରେ ଭୂମିକମ୍ପ ଯୋଗୁଁ ଫସି ରହିଥିବା ଲୋକ ମାନଙ୍କୁ ଅପରେଶନ୍ ମୈତ୍ରୀ ଯୋଗେ ଉଦ୍ଧାର କରାଯାଇଛି ।ନବୀକରଣ ଯୋଗ୍ୟ ଶକ୍ତି ମୁଖ୍ୟତଃ ସୌର ଶକ୍ତିକୁ ବିନିଯୋଗ କରି ଶକ୍ତି ଉତ୍ପାଦନ ଉପରେ ଭାରତ ବର୍ତ୍ତମାନ ସମଗ୍ର ବିଶ୍ୱରେ ଗୁରୁତ୍ୱ ଆରୋପ କରୁଛି । ଏହି କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନ ଅଧିକାର କରିଛି । କ୍ରୀଡା କ୍ଷେତ୍ରରେ ଭାରତ ଅନେକ କିଛି କୀର୍ତ୍ତି ସ୍ଥାପନ କରିଛ । ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ବୋର୍ଡ ରୂପେ ବିସିସିଆଇ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଆଇପିଏଲ, ଫୁଟବଲ ଲିଗ୍‌, ବ୍ୟାଡମିଣ୍ଟନ ଲିଗ୍‌, କବାଡ଼ି ଲିଗ୍ ଯୋଗୁଁ ଅନେକ ଦେଶ ଓ ବିଦେଶର ପ୍ରତିଭା ମାନଙ୍କୁ ସେମାନଙ୍କର ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିଛି । ଟୋକିଓ ଅଲମ୍ପିକ୍ ରେ ଭାରତର ସର୍ବକାଳୀନ ରେକର୍ଡ଼ ପ୍ରଦର୍ଶନ ପ୍ରତିଟି ଭାରତୀୟ ପାଇଁ ଗର୍ବର ମୁହୂର୍ତ୍ତ ଆଣି ଦେଇଥିଲା । ସେହିପରି ଓଡ଼ିଶାରେ ହକି ବିଶ୍ୱକପ୍ ଆୟୋଜନ, ଏସିଆନ ଦୌଡ଼ କୁଦ ଆୟୋଜନ, ୧୭ରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଜି ଭାରତକୁ କ୍ରୀଡା ଆୟୋଜନ କ୍ଷେତ୍ରରେ ବିଶ୍ୱ ଦରବାରରେ ନିଜର ଦବ ଦବା ଜାହିର କରିବାରେ ସକ୍ଷମ ହୋଇପାରିଛି । ବିଶ୍ୱ ଦରବାରରେ ଆଜି ପ୍ରତିଟି କଥାରେ ଭାରତ ନିଜର ନିରକ୍ଷେପ ମତ ରଖି ବିଶ୍ୱ ଗୁରୁ ହେବା ପଥରେ ଅଗ୍ରସର ହେଉଛି । ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବା ପାଇଁ ଯେତେବେଳେ ଜାତିସଂଘରେ ପ୍ରସ୍ତାବ ଭାରତ ପକ୍ଷରୁ ଦିଆଯାଇଥିଲା, ୧୭୫ ଟି ରାଷ୍ଟ୍ର ସମର୍ଥନ କରିଥିଲେ । ସେହିପରି ଭାରତର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାନ ପାଇବା ନିମନ୍ତେ ୧୯୨ ଟି ରାଷ୍ଟ୍ର ମଧ୍ୟରୁ ୧୮୪ ଟି ରାଷ୍ଟ୍ର ସମର୍ଥନ କରିଥିବା ବେଳେ, ପୁଲୱାମା ଆକ୍ରମଣ ସମୟରେ ୪୮ଟି ରାଷ୍ଟ୍ର ମାତ୍ର ୨୪ ଘଣ୍ଟା ମଧ୍ୟରେ ଭାରତକୁ ସମର୍ଥନ ଦେବା ବହୁତ ବଡ଼ ବିଷୟ । ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱ ଶକ୍ତି ରୂପେ ଭାରତର ପ୍ରତିଟି କ୍ଷେତ୍ରରେ ପ୍ରଗତିକୁ ଭୂୟସୀ ପ୍ରଶଂସା କରିବା ସହିତ ରୁଷ୍ ୟୁକ୍ରେନ୍ ଯୁଦ୍ଧରେ ଭାରତର ହସ୍ତକ୍ଷେପ ଏବଂ ହିଂସା ମାର୍ଗକୁ ଛାଡିବା ପାଇଁ ଉଭୟ ଦେଶକୁ ନିର୍ଦ୍ଦେଶ ଦେବା ଘଟଣା ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଥିଲା ଓଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉକ୍ତି ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ଯୋଗାଇବ, ଯାହାକି ଭାରତକୁ ବିଶ୍ୱ ଗୁରୁ କରିବାରେ ସହାୟକ ହେବ \” ଭାରତ କୋଇ ଭୂମିକା ଟୁକୁଡ଼ା ନହିଁ ହେ , ୟେ ଜିତା ଜାଗତା ରାଷ୍ଟ୍ର ପୁରୁଷ ହେ ୟେ ବନ୍ଦନ କି ଧରତି ହେ, ୟେ ଅଭିନନ୍ଦନ କି ଭୂମି ହେ, ୟେ ଅର୍ପଣ କି ଭୂମି ହେ, ୟେ ତର୍ପଣ କି ଭୂମି ହେ, ଇସ୍ କି ନଦୀ ନଦୀ ହମାରେ ଲିଏ ଗଙ୍ଗା ହେ, ଇସ୍ କା କଙ୍କର କଙ୍କର ହମାରେ ଲିଏ ଶଙ୍କର ହେ, ହମ୍ ଜିଏଙ୍ଗେ ତୋ ଇସ୍ ଭାରତ କେ ଲିଏ ଔର ମରେଙ୍ଗେ ତୋ ଇସ୍ ଭାରତ କେ ଲିଏ, ଔର ମରନେ କେ ବାଦ ଗଙ୍ଗା ଜଳ ମେ ବହତି ହୁଇ ହମାରେ ଅସ୍ତିୟୋଂ କୋ କାନ ଲଗାକର ସୁନେଗା ତୋ ଏକ୍ ହି ଆୱାଜ୍ ଆଏଗୀ ଭାରତ ମାତାକୀ ଜୟ ।

– ପୂର୍ବତନ ଅଧ୍ୟାପକ,

ଉଦ୍ଭିଦ ବିଜ୍ଞାନ ବିଭାଗ,

ଡଃ ଯଦୁନାଥ ଡିଗ୍ରୀ କଲେଜ,

ବାଲେଶ୍ୱର

Leave a Reply

Your email address will not be published. Required fields are marked *