ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ନଭେମ୍ବର ୨ରୁ ୪ ତାରିଖ ଯାଏଁ ଇନ୍ଦୋରରେ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ‘ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ’ ବୈଠକ ମଧ୍ୟପ୍ରଦେଶର ମାଳବା ପ୍ରାନ୍ତ ଅନ୍ତର୍ଗତ ଇନ୍ଦୋର ସହରରେ ଆଗାମୀ ଯୁଗାବ୍ଦ ୫୧୨୮, ବିକ୍ରମ ସମ୍ବତ ୨୦୮୩, କାର୍ତ୍ତିକ କୃଷ୍ଣ ଅଷ୍ଟମୀ, ନବମୀ ଓ ଦଶମୀ ତିଥି ଅର୍ଥାତ୍ ୨, ୩ ଓ ୪ ନଭେମ୍ବର ୨୦୨୬ରେ ଅନୁଷ୍ଠିତ ହେବ।
ଏହି ବୈଠକରେ ସଂଘର ସରସଂଘଚାଳକ ଡ. ମୋହନ ଜୀ ଭାଗବତ, ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଜୀଙ୍କ ସମେତ ସମସ୍ତ ୬ ଜଣ ସହ ସରକାର୍ଯ୍ୟବାହ ଏବଂ ଅନ୍ୟ ଅଖିଳ ଭାରତୀୟ କାର୍ଯ୍ୟ ବିଭାଗର ପ୍ରମୁଖମାନେ ଉପସ୍ଥିତ ରହିବେ। ଏଥିସହ କାର୍ଯ୍ୟକାରିଣୀର ସଦସ୍ୟମାନେ ମଧ୍ୟ ଯୋଗଦେବେ।
ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ସଂଘ ରଚନାରେ ଗଠିତ ସମସ୍ତ ୪୬ଟି ପ୍ରାନ୍ତର ପ୍ରାନ୍ତ ସଂଘଚାଳକ, କାର୍ଯ୍ୟବାହ, ପ୍ରଚାରକ ଏବଂ ସହ ପ୍ରାନ୍ତ ସଂଘଚାଳକ, ସହ ପ୍ରାନ୍ତ କାର୍ଯ୍ୟବାହ ଓ ସହ ପ୍ରାନ୍ତ ପ୍ରଚାରକମାନେ ଯୋଗଦେବା ଆଶା କରାଯାଉଛି। ସେହିପରି ସଂଘର ସମସ୍ତ ୧୧ଟି କ୍ଷେତ୍ରର ସଂଘଚାଳକ, କାର୍ଯ୍ୟବାହ, ପ୍ରଚାରକ ଏବଂ ସହ କ୍ଷେତ୍ର ସଂଘଚାଳକ, ସହ କ୍ଷେତ୍ର କାର୍ଯ୍ୟବାହ ଓ ସହ କ୍ଷେତ୍ର ପ୍ରଚାରକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ।
ସମ୍ପ୍ରତି ସମାପ୍ତ ହୋଇଥିବା ପବିତ୍ର ବିଜୟାଦଶମୀ ଅବସରରେ ଗତ ଏକ ବର୍ଷ ଧରି ଦେଶବ୍ୟାପୀ ଚାଲିଥିବା ସଂଘର ଶତାବ୍ଦୀ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମର ଶୃଙ୍ଖଳା ପୂର୍ଣ୍ଣ ହୋଇଛି। ଚଳିତ ବର୍ଷର ବିଜୟାଦଶମୀ ଉତ୍ସବରେ ପୂଜନୀୟ ସରସଂଘଚାଳକ ଜୀ ନିଜ ଉଦ୍ବୋଧନରେ ଉପସ୍ଥାପନ କରିଥିବା ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ଅନୁପାଳନ ଓ ପରବର୍ତ୍ତୀ କାର୍ଯ୍ୟଧାରା ସମ୍ପର୍କରେ ବୈଠକରେ ଆଲୋଚନା ହେବ। ଏଥିସହ ଶତାବ୍ଦୀ ବର୍ଷରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରାଯିବ।
ବର୍ତ୍ତମାନ ସମୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବୈଠକରେ ବ୍ୟାପକ ଆଲୋଚନା ହେବା ଆଶା କରାଯାଉଛି। ଏଥିରେ ନୂତନ ଗଣମାଧ୍ୟମରେ ପ୍ରସାରିତ ବିଷୟବସ୍ତୁ (କଣ୍ଟେଣ୍ଟ), ନିଶାଦ୍ରବ୍ୟ ସମସ୍ୟା, ବାହ୍ୟ ଶକ୍ତିଗୁଡ଼ିକର ହସ୍ତକ୍ଷେପ, ବିଶ୍ୱ ପରିଦୃଶ୍ୟ ଆଦି ବିଷୟ ସାମିଲ ରହିବ।