ଶତାବ୍ଦୀ ଅବସରରେ ‘ସ୍ଵର ସଙ୍ଗମ’
ଶତାଧିକ ଦେଶଭକ୍ତି ଗୀତରେ ମୁଖରିତ ହେଲା ସାରଳା ଭବନ
କଟକ, ୨୫ ଅକ୍ଟୋବର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ କଟକ ବିଭାଗ ପକ୍ଷରୁ ଶତାବ୍ଦୀ ଶତକଣ୍ଠ ଗାୟନ କାର୍ଯ୍ୟକ୍ରମ ‘ସ୍ଵର ସଙ୍ଗମ’ ଆୟୋଜିତ ହୋଇଯାଇଛି। କଟକସ୍ଥିତ ସାରଳା ଭବନରେ ଆୟୋଜିତ ଏହି ସଙ୍ଗୀତମୟ କାର୍ଯ୍ୟକ୍ରମରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ସ୍ଵୟଂସେବକ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ସ୍ଵୟଂସେବକମାନେ ବିଭିନ୍ନ ତାଳ ଓ ବାଦ୍ୟଯନ୍ତ୍ରର ସାଥିରେ ଶତାଧିକ ଦେଶଭକ୍ତିମୂଳକ ଗୀତ ପରିବେଷଣ କରିଥିଲେ। ଏଥିସହ ବହୁ ସାମୂହିକ ଗୀତ ମଧ୍ୟ ଗାନ କରାଯାଇଥିଲା। ସମଗ୍ର ପରିବେଶ ଦେଶପ୍ରେମ, ଏକତା ଓ ସାଂସ୍କୃତିକ ଚେତନାରେ ମୁଖରିତ ହୋଇଉଠିଥିଲା।
କାର୍ଯ୍ୟକ୍ରମରେ ଗୀତିକାର ଶ୍ରୀ ଦିଲ୍ଲୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଭାଗ ସଂଘଚାଳକ ଡ. ଗୌତମ ମହାରଣା ଅଧ୍ୟକ୍ଷତା କରିଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସହ ପ୍ରାନ୍ତ ପ୍ରଚାରକ ଶ୍ରୀ ଅସିତ୍ କୁମାର ସାହୁ ଏବଂ ସହ ପ୍ରାନ୍ତ ବୌଦ୍ଧିକ ପ୍ରଶିକ୍ଷଣ ପ୍ରମୁଖ ଶ୍ରୀ ବିଶ୍ଵମ୍ଭର ପାଣି ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଶ୍ରୀ ଜେନା କହିଥିଲେ ଯେ, ସଙ୍ଗୀତ ଏକ ନୈସର୍ଗିକ ବିଭବ। ଏହା ମନୁଷ୍ୟଜୀବନକୁ ସରସ, ସୁନ୍ଦର ଓ ମଧୁମୟ କରିବା ସହ ଜୀବଜଗତରେ ଏକ ସୁନ୍ଦର ଅନୁଭବ ସୃଷ୍ଟି କରେ।
ମୁଖ୍ୟବକ୍ତା ଡ. ଅନିଲ କୁମାର ମିଶ୍ର ତାଙ୍କ ବୌଦ୍ଧିକରେ କହିଥିଲେ ଯେ, ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ; ଏହା ସଂସ୍କାର, ଧ୍ୟାନ ତଥା ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ସଙ୍ଗୀତର ଭାଷାକୁ ବିଶ୍ଵର ସମସ୍ତ ବ୍ୟକ୍ତି ବୁଝିପାରନ୍ତି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘରେ ଗୀତ ଗାଇବା କେବଳ ଏକ ପରମ୍ପରା ନୁହେଁ, ବରଂ ଏହା ଏକ ପ୍ରଭାବଶାଳୀ ମନୋବିଜ୍ଞାନ ଓ ସାଂସ୍କୃତିକ ପ୍ରକ୍ରିୟା ବୋଲି ସେ ମତବ୍ୟକ୍ତ କରିଥିଲେ।
ସେ ଆହୁରି କହିଥିଲେ ଯେ, ସଙ୍ଗୀତ ସ୍ଵୟଂସେବକଙ୍କ ମନ ଓ ମସ୍ତିଷ୍କରେ ଅନୁଶାସନ, ରାଷ୍ଟ୍ରପ୍ରେମ, ତ୍ୟାଗ ଓ ଆତ୍ମସମର୍ପଣର ଭାବନାକୁ ପ୍ରବଳ କରିଥାଏ। ଶାଖାରେ ଗାନ କରାଯାଉଥିବା ଗୀତ ସଙ୍ଗଠନକୁ ଶକ୍ତି ପ୍ରଦାନ କରିବା ସହ ସମାଜରେ ଏକତାର ଭାବନା ଜାଗ୍ରତ କରେ। ଗୀତ ମାଧ୍ୟମରେ ମାତୃଭୂମି ପ୍ରତି ପ୍ରେମ ଓ ସମର୍ପଣର ଭାବନା ବୃଦ୍ଧି ପାଏ ବୋଲି ସେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବିଭାଗ କାର୍ଯ୍ୟବାହ ଶ୍ରୀ ଶରତ ଚନ୍ଦ୍ର ସେନ ଆଲୋକପାତ କରିଥିଲେ। ବିଭାଗ ବୌଦ୍ଧିକ ପ୍ରଶିକ୍ଷଣ ପ୍ରମୁଖ ଶ୍ରୀ ବିଜୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ଜାତୀୟତାବାଦୀ କବି ତଥା ଲେଖକ ଶ୍ରୀ ବିପିନ ବିହାରୀ ରାଉତଙ୍କୁ ତାଙ୍କ ସାହିତ୍ୟିକ ପ୍ରତିଭା ପାଇଁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ କଟକ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।