ଏସ୍‌ଆଇଆର: ନୂଆ ବିବାଦ, ପୁରୁଣା ପ୍ରକ୍ରିୟା

ଗୋଲଖ ଚନ୍ଦ୍ର ଦାସ

ଆଜିକାଲି ଆପଣମାନେ ଶୁଣୁଥିବେ ଯେ ‘ଏସ୍‌ଆଇଆର’ ହେଉଛି ‘ଭୋଟ୍ ଚୋରି’। ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ଆରମ୍ଭ କରିବା ପରେ ଏହାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଛି। ବିରୋଧୀ ଦଳଗୁଡ଼ିକ ଏହାକୁ ଭୋଟରଙ୍କ ଅଧିକାର ଛଡ଼ାଇବାର ପ୍ରୟାସ ବୋଲି ଅଭିଯୋଗ କରୁଥିବାବେଳେ, ନିର୍ବାଚନ ଆୟୋଗର ଯୁକ୍ତି ହେଉଛି ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବା ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ।
ଭାରତରେ ଭୋଟର ତାଲିକାର ସଂଶୋଧନ କୌଣସି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଏପରି ସଂଶୋଧନ କରାଯାଇଛି। ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ, ଏକାଧିକ ସ୍ଥାନରେ ଥିବା ନାମ, ସ୍ଥାନାନ୍ତରିତ ଭୋଟରଙ୍କ ନାମ ଏବଂ ଅଯୋଗ୍ୟ ନାମ ରହିଯିବା ଭଳି ସମସ୍ୟା ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଆପଣ ଭାରତର ରାଜନୈତିକ ଇତିହାସ ପୃଷ୍ଟା ଖେଳାନ୍ତୁ । ସତ କ’ଣ ନିଶ୍ଚୟ ବୁଝି ପାରେବ । ‘ଏସଆଇଆର’ କ’ଣ ? ଏହା କେବେ ଆରମ୍ଭ ହୋଇଥିଲା ? ଏହା ସପକ୍ଷରେ କିଏ କେତେବେଳେ କ’ଣ ସବୁ କହିଛନ୍ତି ତାହା ସବୁ ଜାଣି ପାରିବେ । ଆଜି ଯେଉଁମାନେ ବିରୋଧ କରୁଛନ୍ତି ସେହିମାନଙ୍କ ସମୟରେ ହିଁ ‘ଏସଆଇଆର’ ଆରମ୍ଭ ହୋଇଛି । ତାଙ୍କରି ଦଳର ନେତାମାନେ ହିଁ ସବୁବେଳେ ‘ଏସଆଇଆର’ ଭଲ ବୋଲି ବାରମ୍ବାର ମନ୍ତବ୍ୟ ଦେଇ ଆସିଛନ୍ତି । ବର୍ତ୍ତମାନର ସରକାର କିଛି ନୂଆ କଥା କରିନାହାଁନ୍ତି । ଆଜିର ‘ଏସଆଇଆର’ ହେଉଛି ସେହି ପୁରୁଣା ବୋତଲ ଆଉ ତାଉପରେ ଲାଗିଛି ନୂଆ ଠିପି । ସେତେବେଳର ‘ଏସଆଇଆର’ ଯାହା ବର୍ତ୍ତମାନର ‘ଏସଆଇଆର’ ତାହା । ଏହା ହେଉଛି ମତଦାତା ତାଲିକାର ଗଭୀର ଯାଞ୍ଚ ଓ ଶୁଦ୍ଧୀକରଣ ପ୍ରକ୍ରିୟା। ସ୍ୱାଧୀନତା ପରଠାରୁ ଏହି ପ୍ରକ୍ରିୟା ୧୨ ଥର ହୋଇଛି, ଯେଉଁଥିରେ ସର୍ବାଧିକ ଥର କଂଗ୍ରେସର ପ୍ରଧାନମନ୍ତ୍ରୀ ଥିଲେ।୧୯୫୨–୧୯୫୬, ୧୯୫୭, ୧୯୬୧, ୧୯୬୫,୧୯୬୬, ୧୯୮୩–୧୯୮୪,୧୯୮୭–୧୯୮୯, ୧୯୯୨–୧୯୯୩, ୧୯୯୫,୨୦୦୨–୨୦୦୩,୨୦୦୪,୨୦୨୫ ମସିହାରେ ‘ଏସଆଇଆର’କରାଯାଇଥିଲା।
ଏବେ ଆଲୋଚନା କରିବା ପ୍ରକୃତରେ ‘ଏସଆଇଆର’ କ’ଣ ? ଭାରତରେ ଭୋଟର ତାଲିକାକୁ ଦୁଇଟି ପଦ୍ଧତିରେ ସଂଶୋଧନ କରାଯାଏ। ସଂକ୍ଷିପ୍ତ ସଂଶୋଧନ ଏହା ପ୍ରାୟ ପ୍ରତିବର୍ଷ କରାଯାଏ। ଏଥିରେ ପୂର୍ବରୁ ଥିବା ଭୋଟର ତାଲିକା ପ୍ରକାଶ କରାଯାଏ। ଲୋକମାନେ ନୂଆ ନାମ ଯୋଡ଼ିବା କିମ୍ବା ଭୁଲ ଥିବା ନାମ, ଠିକଣାର ସଂଶୋଧନ କରାଯାଏ। ଏହି ପ୍ରକ୍ରିୟାରେ ପ୍ରତ୍ୟେକ ଘରକୁ ଯାଇ ଯାଞ୍ଚ କରାଯାଏ ନାହିଁ। ଅନ୍ୟଟି ହେଲା ସ୍ୱତନ୍ତ୍ର ଗଭୀର ସଂଶୋଧନ ଏହି ପ୍ରକ୍ରିୟାରେ ଭୋଟର ତାଲିକାକୁ ବ୍ୟାପକ ଭାବେ ପୁନଃଯାଞ୍ଚ କରାଯାଏ। ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ନିଯୁକ୍ତ ବୁଥ୍ ସ୍ତରୀୟ ଅଧିକାରୀ ପ୍ରତ୍ୟେକ ଘରକୁ ଯାଇ ସେଠାରେ ପ୍ରକୃତରେ କେଉଁମାନେ ରହୁଛନ୍ତି, ତାହା ଯାଞ୍ଚ କରନ୍ତି।
‘ଏସଆଇଆର’ହେଉଛି ଆଇନରେ ଥିବା ଏକ ବିଶେଷ କ୍ଷମତା ଅନୁଯାୟୀ ନିର୍ଦ୍ଦେଶିତ ଗଭୀର ସଂଶୋଧନ ପ୍ରକ୍ରିୟା। ଏହାର ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି, ଯାହା ପରସ୍ପର ଠାରୁ ଭିନ୍ନ ହେଲେ ମଧ୍ୟ ଉଭୟ ଗୁରୁତ୍ୱପୂର୍ଣ୍ଣ । ଭୋଟର ତାଲିକାରେ ରହିବା ଅଯୋଗ୍ୟ ନାମଗୁଡ଼ିକୁ ହଟାଇବା ଏବଂ ତାଲିକାରୁ ବାଦ୍ ପଡ଼ିଥିବା ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମକୁ ତାଲିକାରେ ସାମିଲ କରିବା।
ଏହା ଭାରତର ନିର୍ବାଚନ ଆୟୋଗ ଦ୍ୱାରା କରାଯାଉଥିବା ଭୋଟର ତାଲିକାର ଏକ ବିଶେଷ ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା। ‘ଏସଆଇଆର’ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ବିଶ୍ୱସନୀୟ କରିବା। କିନ୍ତୁ ପ୍ରଶ୍ନ ହେଉଛି ନିୟମିତ ଭାବେ ଭୋଟର ତାଲିକା ସଂଶୋଧନ ହେଉଥିବା ସତ୍ତ୍ୱେ ଏବେ ପୁଣି ଏପରି ଏକ ବ୍ୟାପକ ପ୍ରକ୍ରିୟାର ଆବଶ୍ୟକତା କାହିଁକି ପଡ଼ିଲା?
ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଯାଉଥିବାରୁ ପୁରୁଣା ଭୋଟର ତାଲିକାରେ ତ୍ରୁଟି ରହିପାରେ। ସ୍ଥାନାନ୍ତର ପରେ ପୁରୁଣା ସ୍ଥାନରୁ ନାମ ନ କଟିଲେ ଏକାଧିକ ଥର ନାମ ରହିବାର ସମ୍ଭାବନା ରହେ। ମୃତ୍ୟୁ ସମ୍ପର୍କିତ ସୂଚନା ଅପଡେଟ୍ ନ ହେଲେ ତାଲିକାରେ ନାମ ରହିଯାଇପାରେ। ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ନାଗରିକଙ୍କ ନାମ ସଠିକ୍ ଭାବେ ସାମିଲ କରିବା। ଭାରତୀୟ ନାଗରିକତା ଓ ଆଇନଗତ ଯୋଗ୍ୟତା ଆଧାରରେ ଭୋଟର ତାଲିକାର ଶୁଦ୍ଧତା ରକ୍ଷା କରିବା। ଏଥିପାଇଁ ଏହି ପ୍ରକ୍ରିୟାର ଆବଶ୍ୟକତା କାହିଁକି ପଡ଼ିଲା ବୋଲି କୁହାଯାଉଛି ।
ତେବେ ପୁଣି ପ୍ରଶ୍ନ ଉଠୁଛି ପୂର୍ବରୁ ହେଉଥିବା ସଂଶୋଧନ ଯଥେଷ୍ଟ ନଥିଲା କି? ଏହା ହିଁ ମୁଖ୍ୟ ପ୍ରଶ୍ନ। ସାଧାରଣତଃ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା, ଠିକଣା ବଦଳାଇବା ଓ ମୃତ ବ୍ୟକ୍ତିଙ୍କ ନାମ ବାଦ୍ ଦେବା ପାଇଁ ନିୟମିତ ସଂଶୋଧନ ହୋଇଥାଏ। କିନ୍ତୁ ‘ଏସଆଇଆର’ରେ ଘରକୁ ଘର ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ଭଳି ଅଧିକ ବ୍ୟାପକ ପଦକ୍ଷେପ ନିଆଯାଏ। ଅଧିକାଂଶ ରାଜ୍ୟରେ ଶେଷ ଥର ପାଇଁ ୨୦୦୨ରୁ ୨୦୦୪ ମଧ୍ୟରେ ଏହି ଗଭୀର ସଂଶୋଧନ କରାଯାଇଥିଲା। ନିୟମିତ ଭାବେ ଭୋଟର ତାଲିକାରୁ ଅଯୋଗ୍ୟ ନାମ ହଟାଇବାର ପ୍ରକ୍ରିୟା ଠିକ୍ ଭାବେ ଚାଲୁନଥିଲା ଏବଂ ତାହାର ପ୍ରଭାବ ତାଲିକାରେ ଦେଖିବାକୁ ମିଳିଥିଲା। ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରଶ୍ନ କରିଥିଲେ ଯେ, ଯଦି ପ୍ରତିବର୍ଷ ଭୋଟର ତାଲିକାକୁ କେବଳ ପୂର୍ବ ତାଲିକାରୁ “କପି-ପେଷ୍ଟ” କରାଯାଏ, ତେବେ କ’ଣ ହେବ? । ଏହି ପ୍ରଶ୍ନ ହିଁ ‘ଏସଆଇଆର’ର ଆବଶ୍ୟକତା ପଛରେ ଥିବା ମୁଖ୍ୟ ଯୁକ୍ତିକୁ ଦର୍ଶାଉଛି।
‘ଏସଆଇଆର’ର କାର୍ଯ୍ୟବେଳେ BLOମାନେ ପୂର୍ବରୁ କିଛି ତଥ୍ୟ ପୂରଣ କରାଯାଇଥିବା ଫର୍ମ ପ୍ରତ୍ୟେକ ପଞ୍ଜୀକୃତ ଭୋଟରଙ୍କ ଘରକୁ ନେଇଯାଆନ୍ତି। ଭୋଟର ଫର୍ମରେ ଦସ୍ତଖତ କରି ତାହାକୁ ଫେରାଇ ଦିଅନ୍ତି। ରାଜନୈତିକ ଦଳଗୁଡ଼ିକ ଏହି ପ୍ରକ୍ରିୟା ଉପରେ ନଜର ରଖିବା ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (BLA — Booth Level Agent ନିଯୁକ୍ତ କରିଥାନ୍ତି। ଏହା ପେର ଯେଉଁ ଭୋଟରମାନେ ଫର୍ମ ଫେରାଇ ଦିଅନ୍ତି, ସେମାନଙ୍କ ନାମ ଚିଠା ତାଲିକାରେ ରହେ। ଯେଉଁମାନଙ୍କୁ ଖୋଜି ପାଇବା ସମ୍ଭବ ହୁଏ ନାହିଁ, ସେମାନଙ୍କ ନାମକୁ ASDD ଶ୍ରେଣୀରେ ଚିହ୍ନିତ କରାଯାଏ। ASDD ଅର୍ଥ ହେଉଛି: A- Absent: ଅନୁପସ୍ଥିତ,S – Shifted: ସ୍ଥାନାନ୍ତରିତ, D -Dead: ମୃତ,D-Duplicate: ଏକାଧିକ ସ୍ଥାନରେ ଥିବା ନାମ । ଏହି ନାମଗୁଡ଼ିକୁ ଏକ ସାର୍ବଜନୀନ ତାଲିକାରେ ପ୍ରକାଶ କରାଯାଏ। ଏହା ପରେ ଦାବି ଓ ଆପତ୍ତି କାର୍ଯ୍ୟ ପ୍ରାୟ ଏକ ମାସ ଧରି ଚାଲେ । ଫର୍ମ ୬: ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ପାଇଁ। ଫର୍ମ ୭: ତାଲିକାରେ ଥିବା କୌଣସି ନାମକୁ ନେଇ ଆପତ୍ତି ଉଠାଇବା ପାଇଁ। ଫର୍ମ ୮: ତାଲିକାରେ ଥିବା ତଥ୍ୟରେ ସଂଶୋଧନ କରିବା ପାଇଁ। ସନ୍ଦେହଜନକ ମାମଲାଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନୋଟିସ୍ ଦିଆଯାଏ ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଯିଏ ସାଧାରଣତଃ ଜଣେ ଉପଖଣ୍ଡସ୍ତରୀୟ ଅଧିକାରୀ, ତାଙ୍କ ସମ୍ମୁଖରେ ଶୁଣାଣି କରାଯାଏ। ଏହା ପରେ ଚୁଡାନ୍ତ ମତଦାତା ତାଲିକା ପ୍ରକାଶ କରାଯାଏ ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଏହାର ନକଲ ଦିଆଯାଏ। ଯଦି କୌଣସି ଅପିଲ ଥାଏ ତାହାକୁ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ, ତା’ପରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏବଂ ଶେଷରେ ନ୍ୟାୟାଳୟରେ ଅପିଲ୍ କରାଯାଇପାରିବ।
ବିଭିନ୍ନ ରାଜନୈତିକ ଦଳମାନେ ଦାବି କରୁଛନ୍ତି ଯେ,୧୩ କୋଟି ଭୋଟରଙ୍କ ନାମ ବାଦ୍ ଦିଆଯାଇଛି । ୧୩ କୋଟି ସଂଖ୍ୟାଟି କେଉଁଠାରୁ ଆସିଛି? କଂଗ୍ରେସ କାର୍ଯ୍ୟକାରିଣୀ କମିଟି ୧୩ କୋଟିରୁ ଅଧିକ” ନାମ ପୁନଃ ସାମିଲ କରିବାକୁ ଦାବି କରିଛି। ବିରୋଧୀ ଦଳର ବରିଷ୍ଠ ନେତାମାନେ ମଧ୍ୟ ୧୩ କୋଟି ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା କହିଛନ୍ତି । ପ୍ରକୃତରେ ଏହି ଘଟଣା କଣ ସତ୍ୟ ? ଏହି ସଂଖ୍ୟାଟି ବାସ୍ତବରେ ରହିଛି। କିନ୍ତୁ ପ୍ରଶ୍ନ ହେଉଛି, ଏହା କେଉଁ ବିଷୟକୁ ଗଣନା କରୁଛି? ନିର୍ବାଚନ କମିଶନଙ୍କ ‘ଏସଆଇଆର’ତଥ୍ୟ ଅନୁଯାୟୀ ତାହ ହେଉଛି-ସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଚାଲିଯାଇଥିବା୬.୩ କୋଟି, ଅନୁପସ୍ଥିତ କିମ୍ବା ଖୋଜି ପାଇ ନଥିବା ୩.୦ କୋଟି, ମୃତ ୨.୮ କୋଟି, ଏକାଧିକ ଥର ନାମ ପଞ୍ଜୀକୃତ ୧.୦ କୋଟି । ଡ୍ରାଫ୍ଟ ପର୍ଯ୍ୟାୟରେ ଚିହ୍ନଟ ହୋଇଥିଲେ ମଧ୍ୟ ସମସ୍ତ ନାମ ଚୂଡ଼ାନ୍ତ ଭାବେ ବାଦ୍ ଦିଆଯାଇନାହିଁ। ଅନ୍ୟ ସ୍ଥାନକୁ ଚାଲିଯାଇଥିବା୬.୩ କୋଟି ଭୋଟର ସେମାନେ ତଥାପି ଭୋଟର ଅଟନ୍ତି; ନୂଆ ଠିକଣାରେ ନାମ ପଞ୍ଜୀକୃତ କରିପାରିବେ।, ଅନୁପସ୍ଥିତ ଥିବା ୩.୦ କୋଟି ଭୋଟର ଯେକୌଣସି ସମୟରେ ଫର୍ମ ୬ ମାଧ୍ୟମରେ ପୁନଃ ଆବେଦନ କରିପାରିବେ। ଏହା ହେଉଛି ପ୍ରକ୍ରିୟା । କିନ୍ତୁ ରାଜନୈତିକ ଦଳମାନେ ଏହି ଘଟଣାକୁ ନେଇ ରୁଟି ସେକିବାରେ ବ୍ୟସ୍ତି ।
ୟୁପିଏ ସରକାରଙ୍କ ସମୟରେ କେନ୍ଦ୍ର ଆଇନମନ୍ତ୍ରୀ ଥିବା କପିଲ ସିବଲଙ୍କ ସଂସଦୀୟ ଭାଷଣର ଏକ ଭିଡିଓ କ୍ଲିପ୍ ନିକଟରେ ପ୍ରସାରିତ ହୋଇଛି। ସେଥିରେ ସେ ସଂସଦକୁ ବୁଝାଇଥିଲେ ଯେ, ତିନୋଟି ପରିସ୍ଥିତିରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଏ। ଜଣେ ଭୋଟର ଅନ୍ୟ ଏକ ନିର୍ବାଚନମଣ୍ଡଳୀକୁ ସ୍ଥାନାନ୍ତର ହେଲେ। ବାସସ୍ଥାନ ପରିବର୍ତ୍ତନ ପରେ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିଲେ। ଭୋଟରଙ୍କ ମୃତ୍ୟୁ ହୋଇଥିଲେ। ସେ ଆହୁରି କହିଥିଲେ ଯେ, ଯଦି କୌଣସି ଭୋଟରଙ୍କ ନାମ ଭୁଲ୍‌ରେ ବାଦ୍ ପଡ଼ିଯାଏ, ତେବେ ସେ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଯାଇ ପୁନର୍ବାର ନାମ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ବର୍ତ୍ତମାନ ଆଲୋଚନାରେ ଥିବା ପ୍ରାୟ ୧୩ କୋଟି ନାମ ବାଦ୍ ପଡ଼ିବା ସମ୍ପର୍କିତ ତଥ୍ୟରେ ମଧ୍ୟ ସ୍ଥାନାନ୍ତରିତ, ଦୋହରା ନାମ ଏବଂ ମୃତ ଭୋଟରଙ୍କ ନାମ ଭଳି ବର୍ଗଗୁଡ଼ିକ ଅନ୍ତର୍ଭୁକ୍ତ। ସେତେବେଳେ ସିବଲ ଯେଉଁ ପ୍ରତିକାର ବ୍ୟବସ୍ଥା ବିଷୟରେ କହିଥିଲେ, ତାହାର ଏକ ଉଦାହରଣ ହେଉଛି ବର୍ତ୍ତମାନ ପ୍ରଚଳିତ ଫର୍ମ-୬ ମାଧ୍ୟମରେ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ।
କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁର ୨୦୨୫ ସେପ୍େଟମ୍ବରରେ ସାର୍ବଜନୀନ ଭାବେ ଦେଶବ୍ୟାପୀ ଭୋଟର ତାଲିକାର ବିଶେଷ ଗହନ ସଂଶୋଧନ କୁ ସମର୍ଥନ କରିଥିଲେ। ୨୦୨୫ ଅଗଷ୍ଟରେ ବେଙ୍ଗାଲୁରୁର ମହାଦେବପୁରା ଅଞ୍ଚଳକୁ ନେଇ ରାହୁଲ ଗାନ୍ଧୀଙ୍କ ‘ଭୋଟ୍ ଚୋରି’ ସମ୍ପର୍କିତ ଉପସ୍ଥାପନାରେ ଜାଲ୍‌, ଦୋହରା ଏବଂ ଏକାଧିକ ଠିକଣାରେ ପଞ୍ଜୀକୃତ ଭୋଟରଙ୍କ ନାମ ସମ୍ପର୍କରେ ଅଭିଯୋଗ ଉଠାଯାଇଥିଲା। ୨୦୨୫ ଡିସେମ୍ବରରେ ଲୋକସଭାରେ ହୋଇଥିବା ବିତର୍କ ସମୟରେ ମଧ୍ୟ ସେ ଦୋହରା ଭୋଟରଙ୍କ ପ୍ରସଙ୍ଗ ଉଠାଇଥିଲେ । ଦୋହରା ଓ ଜାଲ୍ ନାମ ଚିହ୍ନଟ କରିବା ହେଉଛି ଘରକୁ ଘର ଯାଇ ଯାଞ୍ଚ କରିବାର ଏକ ପ୍ରମୁଖ ଉଦ୍ଦେଶ୍ୟ। କିନ୍ତୁ ଏକ ପଟେ ଭୋଟର ତାଲିକାରେ ବହୁ ସଂଖ୍ୟାରେ ଜାଲ୍ ନାମ ଥିବା ଅଭିଯୋଗ କରିବା ଏବଂ ଅନ୍ୟ ପଟେ ତାଲିକାରୁ ଏପରି ନାମ ହଟାଇବା ପ୍ରକ୍ରିୟାକୁ ବିରୋଧ କରିବା ମଧ୍ୟରେ ଏକ ଯୁକ୍ତିଗତ ଅସଙ୍ଗତି ରହିଛି।
ବିହାରରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲ ପାଇଁ ନିର୍ଦ୍ଧାରିତ ସମୟସୀମାର ୧୪ ଦିନ ପରେ ମଧ୍ୟ କୌଣସି ରାଜନୈତିକ ଦଳ ଗୋଟିଏ ବି ଦାବି କିମ୍ବା ଆପତ୍ତି ଦାଖଲ କରି ନଥିଲା। ଅନ୍ୟପକ୍ଷରେ, ଭୋଟରମାନେ ସିଧାସଳଖ ୨୩,୦୦୦ରୁ ଅଧିକ ଦାବି ଦାଖଲ କରିଥିଲେ । ପରେ ସୁପ୍ରିମକୋର୍ଟ ରାଜନୈତିକ ଦଳଗୁଡ଼ିକୁ ତାଲିକାରୁ ବାଦ୍ ପଡ଼ିଥିବା ଭୋଟରମାନଙ୍କୁ ଦାବି ଦାଖଲ କରିବାରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ଅଧିକ ସମାଲୋଚନା କରୁଥିବା ଦଳଗୁଡ଼ିକ ସମେତ ପ୍ରତ୍ୟେକ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଭୋଟରଙ୍କୁ ଏହି ପ୍ରତିକାର ବ୍ୟବସ୍ଥା ବ୍ୟବହାର କରିବାରେ ସହଯୋଗ କରିପାରିବେ।
କେରଳମ୍‌ର କଂଗ୍ରେସ ମେଣ୍ଟ ସରକାରର ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା କହିଛନ୍ତି କେରଳରେ ‘ଏସଆଇଆର’ ଉପଯୋଗୀ ସାବ୍ୟସ୍ତ ହୋଇଛି, କାରଣ ପୂର୍ବରୁ ସିପିଏମ୍ ଜାଲ୍ ଭୋଟ୍ ଦେବାର ବ୍ୟବସ୍ଥା କରୁଥିଲା। କେରଳମ୍ ମୂଭାଟ୍ଟୁପୁଝା, କଂଗ୍ରେସ ବିଧାୟକ,ମାଥ୍ୟୁ କୁଝାଲନାଡନ୍‌ମତରେ ‘ଏସଆଇଆର’ ଦ୍ୱାରା ସିପିଆଇଏମ୍ ପରିଚାଳିତ ଜାଲ୍ ଭୋଟରମାନଙ୍କୁ ଭୋଟର ତାଲିକାରୁ ହଟାଯାଇଥିଲା, ଯାହାର ଲାଭ ତାଙ୍କୁ ମଧ୍ୟ ମିଳିଥିଲା। ତାମିଲନାଡୁର କଂଗ୍ରେସ-ଟିଭିକେ ମେଣ୍ଟ ସରକାରର ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଓ ପରିବାର କଲ୍ୟାଣ ମନ୍ତ୍ରୀ କେ.ଜି. ଅରୁଣରାଜ ଏସଆଇଆର କରାଇବା ଆବଶ୍ୟକ ଏବଂ ମହତ୍ୱପୂର୍ଣ୍ଣ ବୋଲି କହିଛନ୍ତି । କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ତଥା ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଏସଆଇଆର ସମ୍ପର୍କରେ କହିଥିଲେ, “ଯଦି କେହି ଏହି ଦେଶରେ ବେଆଇନ ଭାବେ ରହୁଛନ୍ତି, ତେବେ ତାଙ୍କୁ ହଟାଇ ଦିଆଯିବା ଉଚିତ।”ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମ୍ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ୍ ୨୦୧୫ ମସିହାରେ କହିଥିଲେ ଯେ ଦିଲ୍ଲୀରେ ୧୧ ଲକ୍ଷ ନକଲି ଭୋଟର ଅଛନ୍ତି।
ଯେଉଁ ଫର୍ମ-୭କୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଛି, ତାହା ନାମ ବାଦ୍ ଦେବାର ଏକ ଆଇନସମ୍ମତ ପ୍ରକ୍ରିୟା। ଦେଶର ମୋଟ ୯୫ କୋଟି ମତଦାତାଙ୍କ ମଧ୍ୟରୁ କେବଳ ୨୯ ଲକ୍ଷ ମତଦାତାଙ୍କ ନାମ ଫର୍ମ- ୭ ମାଧ୍ୟମରେ ବାଦ୍ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୨୯ ଲକ୍ଷ ଫର୍ମ ମଧ୍ୟରେ ବିଜେପି, କଂଗ୍ରେସ, ଟିଏମ୍‌ସି, ଜେଡିୟୁ, ବିଏସ୍‌ପି-ଆରଜେଡି ଆଦି ସମସ୍ତ ରାଜନୈତିକ ଦଳ ଏବଂ ନିଜେ ମତଦାତାମାନେ ଦେଶବ୍ୟାପୀ ପୂରଣ କରିଥିବା ଫର୍ମ ଅନ୍ତର୍ଭୁକ୍ତ ଅଛି । ଏଥର ଯେଉଁ ରାଜ୍ୟଗୁଡ଼ିକରେ ଏସଆଇଆର ପ୍ରକ୍ରିୟା ହୋଇଛି, ସେଠାରେ ମତଦାତାମାନଙ୍କୁ ଏହି ପ୍ରକ୍ରିୟା ପାଇଁ ଅତି କମ୍‌ରେ ୧୦୦ ଦିନରୁ ୧୫୮ ଦିନ (୪ରୁ ୫ ମାସ) ସମୟ ମିଳିଛି। ଦେଶର ୯୫ କୋଟି ମତଦାତାଙ୍କ ମଧ୍ୟରୁ ୮୨ କୋଟି (୮୮%) ମତଦାତା ଏହି ପ୍ରକ୍ରିୟା ଅନୁଯାୟୀ ନିଜର ଗଣନା ଫର୍ମ ପୂରଣ କରି ମତଦାତା ତାଲିକାରେ ନିଜ ନାମ ପଞ୍ଜୀକୃତ କରାଇଛନ୍ତି ଏବଂ ଦେଶର ଜଣେ ଦାୟିତ୍ୱବାନ ମତଦାତା ହେବାର ପରିଚୟ ଦେଇଛନ୍ତି। ସମଗ୍ର ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୯ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ଏହି ପ୍ରକ୍ରିୟା ହୋଇଛି। ଏଥିରେ ବିଭିନ୍ନ ସରକାରଙ୍କର ପ୍ରାୟ ୧୧ ଲକ୍ଷରୁ ଅଧିକ ସରକାରୀ ଅଧିକାରୀ ଏହି ପ୍ରକ୍ରିୟାର ତଦାରଖ ଓ ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ବିଜେପିର ୯ ଲକ୍ଷରୁ ଅଧିକ ବିଏଲଏ-୨ ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକର ବିଏଲଏ-୨ଙ୍କୁ ମିଶାଇ ପ୍ରାୟ ୩୫ ଲକ୍ଷରୁ ଅଧିକ ରାଜନୈତିକ ଦଳ ଦ୍ୱାରା ଅଧିକୃତ ପଦାଧିକାରୀ ଏହି ପ୍ରକ୍ରିୟାରେ ଭାଗ ନେଇଛନ୍ତି। ଅର୍ଥାତ୍ ୪୬ ଲକ୍ଷ ଲୋକ ଏହି ‘ଏସଆଇଆର’ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏହି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ବିରୋଧୀ ଦଳ କ’ଣ ନିଜ ଦଳର ଲକ୍ଷ ଲକ୍ଷ କର୍ମୀଙ୍କ ଉପରେ ହିଁ ଭୋଟ ଚୋରିର ଅଭିଯୋଗ ଲଗାଉଛି? କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ବାରମ୍ବାର ମତଦାତା ତାଲିକା ଉପରେ ପ୍ରଶ୍ନ ଉଠାଉଥିଲେ। କିନ୍ତୁ ଏବେ ଯେତେବେଳେ ମତଦାତା ତାଲିକାକୁ ଶୁଦ୍ଧ କରିବାର ପ୍ରକ୍ରିୟା ଚାଲିଛି ସେମାନେ ଏହାକୁ ବିରୋଧ କରୁଛନ୍ତି। ଏହା କେତେଦୂର ଯୁକ୍ତି ଯୁକ୍ତ ।
୪୨ ଜଣ ପୂର୍ବତନ ବିଚାରପତି ଏକ ଖୋଲା ଚିଠିରେ ଦସ୍ତଖତ କରିଥିଲେ। ଏଥିରେ ନିର୍ବାଚନ କମିଶନ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ଲଗାଯାଉଥିବା ଅଭିଯୋଗକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ବିନା ଠୋସ୍ ପ୍ରମାଣରେ ଲଗାଯାଉଥିବା ‘ଭୋଟ୍ ଚୋରି’ ଅଭିଯୋଗ ଉପରେ ସେମାନେ ପ୍ରଶ୍ନ ଉଠାଇଥିଲେ। ଏଥିସହ ଆଇନ ଅନୁଯାୟୀ କରାଯାଉଥିବା ସ୍ୱତନ୍ତ୍ର ଗଭୀର ସଂଶୋଧନ ପ୍ରକ୍ରିୟାକୁ ସମର୍ଥନ କରିଥିଲେ। ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିରୋଧରେ ବାରମ୍ବାର ଅଭିଯୋଗ ଆଣିବା ଦ୍ୱାରା ଏହି ସଂସ୍ଥାଗୁଡ଼ିକ ଉପରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଇପାରେ ବୋଲି ପୂର୍ବତନ ବିଚାରପତିମାନେ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *