ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ. ପୂ. ସରସଂଘଚାଳକ ଶ୍ରୀ ମୋହନ ଜୀ ଭାଗବତଙ୍କ ଦ୍ୱାରା ପ୍ରଦତ୍ତ ଶ୍ରୀ ବିଜୟାଦଶମୀ ଉତ୍ସବ ଉଦ୍‌ବୋଧନର ସାରାଂଶ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ. ପୂ. ସରସଂଘଚାଳକ ଶ୍ରୀ ମୋହନ ଜୀ ଭାଗବତଙ୍କ ଦ୍ୱାରା ପ୍ରଦତ୍ତ
ଶ୍ରୀ ବିଜୟାଦଶମୀ ଉତ୍ସବ ଉଦ୍‌ବୋଧନର ସାରାଂଶ
(ଆଶ୍ୱିନ ଶୁକ୍ଳ ୧୦, ଯୁଗାବ୍ଦ ୫୧୨୮ – ମଙ୍ଗଳବାର, ତାରିଖ ୨୦ ଅକ୍ଟୋବର ୨୦୨୬)
https://youtube.com/live/_AWj1UrMEHA
ସ୍ମରଣ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ କାର୍ଯ୍ୟକ୍ରମର ସମାପନ ଅବସରରେ ବିଜୟାଦଶମୀ ଉତ୍ସବ ପାଳନ କରିବା ପାଇଁ ଆମେ ଆଜି ଏଠାରେ ଏକତ୍ରିତ ହୋଇଛୁ । ଏହି ବର୍ଷ ସନ୍ଥ ଶିରୋମଣି ରବିଦାସ ଜୀ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ବର୍ଷ ଭାବେ ପାଳିତ ହେଉଛି । ସଂଘର ଶାଖାଗୁଡ଼ିକରେ ମଧ୍ୟ ଏହି ଉପଲକ୍ଷେ ସନ୍ଥ ରବିଦାସ ଜୀଙ୍କ ଜୀବନ ଓ କାର୍ଯ୍ୟ ସମ୍ପର୍କରେ ଜାଣିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ଯେତେବେଳେ ସ୍ୱଧର୍ମ ପାଳନ କରୁଥିବା ଭାରତୀୟମାନେ ବିଦେଶୀ ଆକ୍ରମଣକାରୀଙ୍କର ଅତ୍ୟାଚାରରେ ପୀଡ଼ିତ ଥିଲେ, ଠିକ୍ ସେତିକି ବେଳେ ସନ୍ଥ ରବିଦାସ ଜୀ ନିଜର ପରିଶ୍ରମ, ତପସ୍ୟା, ତ୍ୟାଗ ଏବଂ ଜୀବନର ଉଦାହରଣ ମାଧ୍ୟମରେ ସମାଜରେ ଭକ୍ତି, ସ୍ୱଧର୍ମନିଷ୍ଠା ଓ ସାମାଜିକ ସମରସତାର ଭାବନା ଜାଗ୍ରତ କରିବାର କାର୍ଯ୍ୟ କରିଥିଲେ । ତାଙ୍କ ଉପଦେଶ ଓ ଜୀବନରୁ ମିଳିଥିବା ଶିକ୍ଷା ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ତଥା ପଥପ୍ରଦର୍ଶକ । ସ୍ୱଧର୍ମ ରକ୍ଷା ପାଇଁ ଯେଉଁ ମହାପୁରୁଷମାନେ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ, ଏହି ବର୍ଷଟି ସେହିଭଳି ଦୁଇଜଣ ମହାପୁରୁଷଙ୍କୁ ମଧ୍ୟ ସ୍ମରଣ କରିବାର ବର୍ଷ । ଆର୍ଯ୍ୟ ସମାଜର ତପସ୍ୱୀ, ସନ୍ନ୍ୟାସୀ, ପ୍ରବଳ ଧର୍ମବିଶ୍ୱାସୀ, ଜ୍ଞାନୀ, ଶିକ୍ଷାବିତ୍‌, ବୀର ସ୍ୱାଧୀନତା ସଂଗ୍ରାମୀ ତଥା ଶୁଦ୍ଧି ଆନ୍ଦୋଳନର ଜନକ ସ୍ୱାମୀ ଶ୍ରଦ୍ଧାନନ୍ଦ ଜୀଙ୍କ ବଳିଦାନର ୧୦୦ ବର୍ଷ ପୂରଣ ହୋଇଛି। ଓଡ଼ିଶାର ବନାଞ୍ଚଳରେ ରହି ସେଠାକାର ଜନସମାଜର ନିଃସ୍ୱାର୍ଥ ସେବା କରିଥିବା ଏବଂ ସେହିଠାରେ ହିଁ ନିଜର ବଳିଦାନ ଦେଇଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜୀ ମହାରାଜଙ୍କ ଜନ୍ମଶତାବ୍ଦୀ ବର୍ଷ ମଧ୍ୟ ଚାଲିଛି। ଯେଉଁ ‘ସ୍ୱ’ର ସୁରକ୍ଷା ପାଇଁ ଏହି ମହାପୁରୁଷମାନେ ବଳିଦାନ ଦେଇଥିଲେ ସେହି ଆତ୍ମବୋଧକୁ ସମାଜ ମଧ୍ୟରେ ସ୍ୱଦେଶୀ ମେଳା ମାଧ୍ୟମରେ ଜାଗ୍ରତ କରିବାର ପ୍ରୟାସ କରିଥିବା ‘ହିନ୍ଦୁ ମେଳା’ର ପ୍ରେରକ ଓ ପ୍ରବର୍ତ୍ତକ, ବଙ୍ଗଭୂମିର ସ୍ୱର୍ଗୀୟ ଶ୍ରୀ ରାଜନାରାୟଣ ବସୁଙ୍କ ଜନ୍ମର ୨୦୦ତମ ବର୍ଷ ମଧ୍ୟ ଚାଲିଛି ।
ଭାରତର ଏହି ‘ସ୍ୱ’, ଅସ୍ମିତା ଓ ଜୀବନଦୃଷ୍ଟିର ଆଧାରକୁ ସଂଗଠିତ ଏବଂ ଶକ୍ତିଶାଳୀ କରିବା ପାଇଁ ସଂଘର କାର୍ଯ୍ୟ ମଧ୍ୟ ଗତ ୧୦୦ ବର୍ଷ ଧରି ଚାଲିଛି । ସଂଘର ଶତାବ୍ଦୀ ପୂର୍ତ୍ତି ଅବସରରେ ଜୀବନ ପରିବର୍ତ୍ତନର କାରକ ଭାବେ ସ୍ୱୀକୃତ ପଞ୍ଚ ପରିବର୍ତ୍ତନର ପ୍ରୟୋଗ ପ୍ରଥମେ ସ୍ୱୟଂସେବକମାନଙ୍କ ମଧ୍ୟରେ ଆରମ୍ଭ କରାଯାଇଛି ଏବଂ ପରେ ଏହା ସ୍ୱୟଂସେବକମାନେ ସମାଜ ମଧ୍ୟରେ ପ୍ରସାର କରିବେ, ସେଥିରେ ମଧ୍ୟ ଏହି ‘ସ୍ୱ’ବୋଧ ଓ ସ୍ୱଦେଶୀ ଆଚରଣର ପ୍ରଚେଷ୍ଟା ନିହିତ ।
‘ସ୍ୱ’ବୋଧର ଭିତ୍ତିଭୂମି
ଦେଶର ସମ୍ବିଧାନ ଅନୁସାରେ ଏ ଦେଶର ପ୍ରଜା ଭାବରେ, ସମସ୍ତ ବିବିଧତା ସତ୍ତ୍ୱେ ଭାବନାତ୍ମକ ଦୃଷ୍ଟିରୁ ଏକାତ୍ମ ସମାଜର ନାଗରିକ ଭାବରେ ‘ଆମେ ଭାରତର ଲୋକ’ ବୋଲି ନିଜକୁ ସମ୍ବୋଧିତ କରିଛୁ। ଏହି ଭାବନାତ୍ମକ ବନ୍ଧନକୁ କ୍ରମଶଃ ଅଧିକ ସୁଦୃଢ଼ କରିବାର ଦିଗଦର୍ଶନ ମଧ୍ୟ ସେହି ସମ୍ବିଧାନର ମାର୍ଗଦର୍ଶକ ତତ୍ତ୍ୱଗୁଡ଼ିକରେ ସ୍ପଷ୍ଟ ଭାବରେ ରହିଛି। ଏହି ଭାବନାତ୍ମକ ବନ୍ଧନ ଯେଉଁ ତତ୍ତ୍ୱର ପ୍ରତ୍ୟକ୍ଷ ଅନୁଭୂତିକୁ ଜନ୍ମ ଦେଇଥାଏ ଏବଂ ଯାହାକୁ ସ୍ପଷ୍ଟ ପରିଭାଷିତ କରୁଥିବା ବିଶ୍ୱର ଶ୍ରେଷ୍ଠ ତତ୍ତ୍ୱଜ୍ଞାନ ଆମ ପାଖରେ ରହିଥିବା ସତ୍ତ୍ୱେ ଆମର ଆଚରଣ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିକୃଷ୍ଟ ହେବା କାରଣରୁ ଆମେ ବିଶ୍ୱଗୁରୁ ପଦରୁ ତଳକୁ ଖସିଗଲୁ ଏବଂ ଆମକୁ ଶତାବ୍ଦୀ ଶତାବ୍ଦୀ ଧରି ପରାଧୀନତା ସହିବାକୁ ପଡ଼ିଲା। ଅନେକ ଅତୁଳନୀୟ ପ୍ରଚେଷ୍ଟା ଓ ବଳିଦାନ ଦ୍ୱାରା ସେହି ଦୁର୍ଦ୍ଦିନରୁ ମୁକ୍ତ ହୋଇ ଏବେ ଆମେ ପୁଣି ଥରେ ଆମର ଏକତା ଓ ପ୍ରଗତିର ପଥ ଅଗ୍ରସର ହେଉଛୁ । ତେଣୁ ଆମେ ଆମର ସମସ୍ତ ବିସ୍ମୃତିକୁ ଦୂର କରି ସେହି ତତ୍ତ୍ୱକୁ ସ୍ପଷ୍ଟ ଭାବରେ ବୁଝିବାକୁ ହେବ, ସ୍ୱୀକାର କରିବାକୁ ହେବ ଏବଂ ତଦନୁରୂପ ଗୁଣାତ୍ମକ ମାନ ଅନୁରୂପ ଜୀବନର ସମସ୍ତ କ୍ଷେତ୍ର ନିର୍ମାଣ କରିବାକୁ ହେବ। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଜଣା ପଡ଼ୁଛି ଯେ, ଦେଶର ସ୍ୱାଧୀନତା ପାଇଁ ଯେତିକି ତପସ୍ୟା ଓ ସମର୍ପଣ ଆବଶ୍ୟକ ହୋଇଥିଲା, ତାହାଠାରୁ ଆହୁରି ଅଧିକ ତପସ୍ୟା ଓ ସମର୍ପଣ ଏବେ ଆବଶ୍ୟକ ହେବ ।
ଭାରତ ଭଳି ମତ, ପନ୍ଥ, ସମ୍ପ୍ରଦାୟ, ପ୍ରଦେଶ, ଜାତି, ଭାଷା, ଖାଦ୍ୟପାନୀୟ, ରୀତିନୀତି ଆଦି ବିବିଧତାରେ ଭରା ଦେଶରେ ଯେଉଁ ବିଚାର ଏହି ସବୁ ବିବିଧତାକୁ ସ୍ୱୀକାର କରେ, ସମ୍ମାନ ଦିଏ ଏବଂ ନିଜର ବୋଲି ବିଚାର କରେ, ସେହି ବିଚାର ହିଁ ଆମ ଏକତାର ଆଧାର ହୋଇପାରେ । ସୌଭାଗ୍ୟବଶତଃ ସନାତନ କାଳରୁ ଭାରତରେ ପ୍ରଚଳିତ ପରମ୍ପରା, ଯାହା ଭିନ୍ନଭିନ୍ନ ଆଧ୍ୟାତ୍ମିକ ମହାପୁରୁଷମାନଙ୍କ ପ୍ରତ୍ୟକ୍ଷ ଅନୁଭୂତି ଦ୍ୱାରା ନିରନ୍ତର ସ୍ପଷ୍ଟ ଓ ସୁଦୃଢ଼ ହୋଇ ଆସିଛି, ତାହା ଆମକୁ ସୁଚାଇଥାଏ ଯେ ଯେଉଁପରି ସୃଷ୍ଟିରେ ବିବିଧତା ସ୍ୱାଭାବିକ କିନ୍ତୁ ପରିବର୍ତ୍ତନଶୀଳ, ଠିକ୍ ସେହିପରି ସାମଗ୍ରିକ ଅସ୍ତିତ୍ୱର ଏକତା ମଧ୍ୟ ଶାଶ୍ୱତ, ଅଚଳ ଏବଂ ଅଟଳ ସତ୍ୟ ଅଟେ । ଚିନ୍ତନଶୀଳ ପ୍ରାଣୀ ହୋଇଥିବାରୁ ମନୁଷ୍ୟ ସେହି ଏକତାକୁ ନିଜ ଭିତରେ ଏବଂ ସମଗ୍ର ଜଗତରେ ଅନୁଭବ କରିପାରେ । ଏପରି କରିବା ଦ୍ୱାରା ହିଁ ଶାଶ୍ୱତ ଓ ନିତ୍ୟ ସୁଖର ସନ୍ଧାନରେ ଥିବା ଜୀବମାତ୍ରର ଯାତ୍ରା ସଫଳ ଓ ସମ୍ପୂର୍ଣ୍ଣ ହୁଏ।
“ଏହି ସତ୍ୟର ବିବିଧ ପକ୍ଷକୁ
ବେଦରେ ଗାଇଛୁ ଆମେ,
ପାଖରେ ବସାଇ ଉପନିଷଦରେ
ଏହି ତତ୍ତ୍ୱକୁ ବୁଝିଛୁ ଆମେ ।
ମନ୍ଦିର-ମଠ-ଗୁରୁଦ୍ୱାରା ଯାଇ
ଏହି ତତ୍ତ୍ୱଜ୍ଞାନ ପାଇବୁ ଆମେ ।”
ସମସ୍ତ ବିବିଧତାର ସମ୍ମାନ, ସ୍ୱୀକୃତି, ସୁରକ୍ଷା ତଥା ଯାହା କିଛି ପରିବର୍ତ୍ତନଶୀଳ ଅଥବା ସମୟୋପଯୋଗୀ ତାହାର ଗ୍ରହଣୀୟତା–ଏହା ହିଁ ସନାତନ ଦୃଷ୍ଟିର ପରିଣାମ।
ଯେଉଁ ସମୟରେ ଭାରତୀୟମାନଙ୍କ ମଧ୍ୟରେ ଏହି ଭାବନା ସର୍ବୋପରି ରହିଛି, ସେହି ସମୟରେ ସବୁ ଦୃଷ୍ଟିରୁ ଭାରତ ବିଶ୍ୱର ଆଦର୍ଶ ରାଷ୍ଟ୍ର ଭାବେ ଛିଡା ହୋଇଛି। ଆଉ ଯେତେବେଳେ ଆତ୍ମବିସ୍ମୃତି, ବିଘଟନ ଓ ପରସ୍ପର ସମ୍ପର୍କର ବିଚ୍ଛିନ୍ନତା କାରଣରୁ ଆମେ ଦୁର୍ବଳ, ସଂକୀର୍ଣ୍ଣ, ଅହଂକାରୀ ଅଥବା ଭୟଭୀତ ହୋଇ ଏହି ଆଚରଣ ତ୍ୟାଗ କରିଛୁ, ସେତେବେଳେ ଆମର ଦୁର୍ଗତି ହୋଇଛି । ଆମକୁ ଆମର ଅସ୍ତିତ୍ୱ ଓ ଅସ୍ମିତାର ଏହି ଆଧାରକୁ ପୁଣିଥରେ ସ୍ମରଣ କରି ସଂଗଠିତ ହେବାକୁ ଏବଂ ପରସ୍ପରର ହିତ ପାଇଁ ପ୍ରତିବଦ୍ଧ ହେବାକୁ ପଡ଼ିବ।
ସଂଘ ଶତାବ୍ଦୀର କାର୍ଯ୍ୟକ୍ରମ
ଶତାବ୍ଦୀ ପୂର୍ତ୍ତି ଅବସରରେ ସଂଘର ଶାଖା ଓ ସ୍ୱୟଂସେବକମାନଙ୍କ ସମ୍ପର୍କ ବିସ୍ତାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏଥିସହିତ ଭାରତ, ହିନ୍ଦୁ ଏବଂ ସଂଘ ସମ୍ପର୍କରେ ସମଗ୍ର ଦେଶରେ ଓ ବିଶ୍ୱରେ ବ୍ୟାପକ ଜନଜାଗରଣର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
ଏପର୍ଯ୍ୟନ୍ତ ମିଳିଥିବା କାର୍ଯ୍ୟକ୍ରମଗୁଡିକର ବିବରଣୀ—
ସମ୍ପର୍କ ଅଭିଯାନ ମାଧ୍ୟମରେ ୪,୬୧,୫୨୭ଟି ଗ୍ରାମ ଏବଂ ୪୧,୦୭୬ଟି ସହରାଞ୍ଚଳ ବସ୍ତିରେ ୧୦,୧୯,୮୮,୫୧୧ଟି ଘର ସମ୍ପର୍କ କରାଯାଇଛି । ୧,୧୧୭ଟି ଜିଲ୍ଲାରେ ହୋଇଥିବା ପ୍ରବୁଦ୍ଧ ନାଗରିକ ଗୋଷ୍ଠୀଗୁଡ଼ିକରେ ୪,୨୬,୪୯୭ ଜଣ ନାଗରିକ (ମହିଳା ଓ ପୁରୁଷ) ଉପସ୍ଥିତ ଥିଲେ। ସେହିପରି ୫,୦୩୬ଟି ଖଣ୍ଡରେ ସଦ୍‌ଭାବନା ବୈଠକ ଅନୁଷ୍ଠିତ ହୋଇଛି । ୩୪,୧୮୭ଟି ମଣ୍ଡଳରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଯୁବ ସମ୍ମିଳନୀମାନଙ୍କରେ ୩୯,୨୫,୨୨୫ ଜଣ ଯୁବକ–ଯୁବତୀ ଉପସ୍ଥିତ ଥିଲେ ।
ସଂଘର କିଛି କାର୍ଯ୍ୟକର୍ତ୍ତା ପାଶ୍ଚାତ୍ୟଜଗତର ତଥାକଥିତ ବିକଶିତ ଦେଶଗୁଡ଼ିକରେ ମଧ୍ୟ ସେଠାକାର ସମାଜ ମଧ୍ୟରେ ଭାରତ, ହିନ୍ଦୁତ୍ୱ ଓ ସଂଘ ସମ୍ପର୍କରେ ସଠିକ୍ ସୂଚନା ଦେବା ଉଦ୍ଦେଶ୍ୟରେ ପ୍ରବାସ କରିଛନ୍ତି ଏବଂ ସେଠାରେ ଆମ ସନାତନ, ସର୍ବସଦ୍‌ଭାବପୂର୍ଣ୍ଣ ଭାରତୀୟ ସଂସ୍କୃତି ଓ ହିନ୍ଦୁ ସମାଜର ସର୍ବସମାବେଶୀ ସ୍ୱଭାବ ଏବଂ ସଂଘର ଉଦ୍ଦେଶ୍ୟ ତଥା କାର୍ଯ୍ୟ ସମ୍ପର୍କରେ ସଠିକ୍ ଓ ବାସ୍ତବ ସୂଚନା ପ୍ରସ୍ତୁତ କରିଛନ୍ତି । ବିଶ୍ୱରେ ଭାରତକୁ ନେଇ ଉତ୍ସୁକତା ବଢ଼ିଛି । ଭୌତିକ ଭାବେ ସମୃଦ୍ଧ ହୋଇଥିଲେ ମଧ୍ୟ ଜଡ଼ବାଦ, ବ୍ୟକ୍ତିବାଦ ଏବଂ ସଂଯମହୀନ ଉପଭୋକ୍ତାବାଦ ଉପରେ ଆଧାରିତ ଅସମ୍ପୂର୍ଣ୍ଣ ଦୃଷ୍ଟିକୋଣ କାରଣରୁ ସେହି ଦେଶଗୁଡ଼ିକ ଚିନ୍ତାରେ ଅଛନ୍ତି । ବିବିଧତାକୁ କିପରି ସମ୍ଭାଳିବାକୁ ହେବ, ବିକାଶ ଓ ପରିବେଶକୁ କିପରି ସାଥିରେ ନେଇ ଚାଲିବାକୁ ହେବ, ଯେଉଁମାନେ ଆମ ଭଳି ନୁହନ୍ତି ସେମାନଙ୍କ ସହିତ ନିଜଭଳି ବ୍ୟବହାର କିପରି କରିବାକୁ ହେବ, ପରିବାର ଜୀବନ ଏବଂ ନୂତନ ପିଢ଼ିରେ ସଂସ୍କାରର ଅବକ୍ଷୟକୁ କିପରି ରୋକିବାକୁ ହେବ -ଏହି ସମସ୍ତ ସମସ୍ୟାଗୁଡ଼ିକର ଉତ୍ତର ସେମାନଙ୍କ ପାଖରେ ନାହିଁ। ଏହି କାରଣରୁ ଆଜି ସମଗ୍ର ବିଶ୍ୱ ରାଜନୈତିକ ଉତ୍ତେଜନା, ଆର୍ôଥକ ଅନିଶ୍ଚିତତା, ପରିବେଶ ସଙ୍କଟ ଓ କର୍ତ୍ତୃତ୍ୱର ଲଢ଼େଇ ମଧ୍ୟରେ ବିନାଶକୁ ଦେଖୁଛି । ସେମାନେ ଜାଣନ୍ତି ଭାରତ ନିକଟରେ ଏହି ସମସ୍ତ ସମସ୍ୟାର ସମାଧାନ ରହିଛି । ତେଣୁକରି ଆମ କାର୍ଯ୍ୟକର୍ତ୍ତାମାନଙ୍କ କଥା ସେମାନେ ଧ୍ୟାନ ପୂର୍ବକ ଶୁଣଛନ୍ତିି ଏବଂ ଏହାକୁ ନେଇ ଆଲୋଚନା ମଧ୍ୟ ଆରମ୍ଭ କରିଛନ୍ତି । ଦେଶ ଓ ବିଶ୍ୱରେ ସଂଘ ଶତାବ୍ଦୀ ଅବସରରେ ଆରମ୍ଭ ହୋଇଥିବା ସମସ୍ତ ପ୍ରକାରର ସଂବାଦ ଭବିଷ୍ୟତରେ ମଧ୍ୟ ନିରନ୍ତର ଚାଲିରହୁ, ଏଥିପାଇଁ ଯୋଜନା ପ୍ରସ୍ତୁତ କରିବାରେ କାର୍ଯ୍ୟକର୍ତ୍ତାମାନେ ଲାଗିଛନ୍ତି ।
ପଞ୍ଚ ପରିବର୍ତ୍ତନର ପାଞ୍ଚଟି ପ୍ରଚେଷ୍ଟା ଯଥା–ସମରସତା, ପରିବାର ପ୍ରବୋଧନ, ପରିବେଶ, ସ୍ୱବୋଧ ଓ ସ୍ୱଦେଶୀ, ଏବଂ ନାଗରିକ କର୍ତ୍ତବ୍ୟକୁ ସମାଜର ସମସ୍ତ ବର୍ଗ ଓ ସ୍ତରରେ ସ୍ୱାଗତ କରାଯାଇଛି । ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏହାର ଆବଶ୍ୟକତା ଅନୁଭବ କରାଯାଇଛି। ଏହା କେବଳ ବର୍ଷକର କାର୍ଯ୍ୟକ୍ରମ ନୁହେଁ; ବରଂ ଜୀବନରେ ଆଚରଣଗତ ପରିବର୍ତ୍ତନ ଆଣିବାର ଏକ ଶୈଳୀ। ପ୍ରତ୍ୟକ୍ଷ ଅଭ୍ୟାସ, ଅଭ୍ୟାସରୁ ସ୍ୱଭାବ ନିର୍ମାଣ କରୁଥିବା ଏହି କାର୍ଯ୍ୟକୁ ଜୀବନର ସମସ୍ତ କ୍ଷେତ୍ରରେ ନିରନ୍ତର ଜାରି ରଖିବାକୁ ହେବ, ତେବେ ଯାଇ ପରିବର୍ତ୍ତନ ଆସିବ। ସଂସ୍କାର ଆଧାରିତ ବିଶ୍ୱଦୃଷ୍ଟିସମ୍ପନ୍ନ ଏହି ଧାର୍ମିକ ଜୀବନ ପଦ୍ଧତିର ଅଭ୍ୟାସ ଆମ ସମାଜରେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ପରମ୍ପରାକ୍ରମେ ଚାଲିି ଆସିଛି ।
ବିବେକପୂର୍ଣ୍ଣ ଆଚରଣର ଆବଶ୍ୟକତା
ବର୍ତ୍ତମାନ ସମୟରେ ଦିନକୁ ଦିନ ପରିବାରର ବୟସ୍କମାନଙ୍କଠାରୁ, ବିଦ୍ୟାଳୟର ପାଠ୍ୟକ୍ରମରୁ ଓ ସାମାଜିକ ପରିବେଶରୁ ଏହି ସଂସ୍କାର ମିଳିବାରେ ହ୍ରାସ ଅନୁଭୂତ ହେଉଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରଗତି ଯୋଗୁଁ ଆଜି ସମସ୍ତ ପ୍ରକାରର ସୂଚନା ଓ ଖବର ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତଙ୍କ ପାଖରେ ପହଞ୍ଚିପାରୁଛି। ଅନେକ ଦେଶରେ ନୂତନ ପିଢ଼ି ଏହି ମାଧ୍ୟମରୁ ମିଳୁଥିବା ସୂଚନା ଗୁଡିକର ଉଚିତ–ଅନୁଚିତ ତଥ୍ୟ ବିବେଚନା ନକରି ଯଥାବତ୍ ଗ୍ରହଣ କରୁଛି। ଏହାର ଦୁଷ୍ପରିଣାମ ଅନୁଭବ କରିବା ପରେ ସେହି ଦେଶଗୁଡ଼ିକ ଏବେ ଏହି ମାଧ୍ୟମଗୁଡ଼ିକ ଉପରେ କିଛିକିଛି ଅନୁଶାସନ ଓ ନିୟନ୍ତ୍ରଣ ଲାଗୁ କରିଛନ୍ତି। ବିଶେଷକରି ଆମ ଦେଶରେ ମଧ୍ୟ ‘ଓଟିଟି ପ୍ଲାଟଫର୍ମ’କୁ ନେଇ ଏଭଳି ଆବଶ୍ୟକତା ଅନୁଭବ କରାଯାଉଛି। ଶାସନ–ପ୍ରଶାସନ ଏହା ଉପରେ ବିଚାର କରିବା ଉଚିତ। ଏଥି ସହିତ ସୂଚନା ଯଦି ଅବାଧ ଭାବରେ ମିଳୁଥାଏ ତଥାପି ଉଚିତ ଓ ଅନୁଚିତ ମଧ୍ୟରେ ବିବେଚନା କରିବାର ଶିକ୍ଷା ନୂଆ ପିଢ଼ିକୁ ଦେବାକୁ ହେବ। ଏହି ବିବେକ ଅଭାବରୁ ବ୍ୟକ୍ତିଗତ, ପାରିବାରିକ ଓ ସାମାଜିକ ଜୀବନରେ ଅନେକ ପ୍ରକାରର ଦୁଷ୍ପରିଣାମ ଦେଖିବାକୁ ମିଳୁଛି। ଏହି ବିବେକ ଅଭାବରୁ ହିଁ ସାରା ବିଶ୍ୱରେ ନୂତନ ପିଢ଼ି ନିଶାଦ୍ରବ୍ୟ ଅଭ୍ୟାସର ଶିକାର ହେଉଛି। ନିଶା ହେଉଛି ଏକ ଗମ୍ଭୀର ରାଷ୍ଟ୍ରୀୟ ସମସ୍ୟା ଏବଂ ଏହାର ନିରାକରଣ ପାଇଁ ସମୟ ଥାଉଥାଉ ଶାସନ–ପ୍ରଶାସନ ଓ ସମାଜ ଦ୍ୱାରା ପ୍ରଚେଷ୍ଟା କରିବା ଜରୁରୀ। ବର୍ତ୍ତମାନର ଅଭିଭାବକମାନଙ୍କୁୁ ଏହି ବିବେକ ନୂତନ ପିଢ଼ିକୁ ଦେବାକୁ ହେବ ଏବଂ ଏପରି ଅଭ୍ୟାସରେ ପକାଉଥିବା ସମସ୍ତ କୁପ୍ରବୃତ୍ତିଠାରୁ ନୂତନ ପିଢ଼ିକୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। ଏହି ଦୃଷ୍ଟିରୁ ଭାରତରେ ଏ ସମସ୍ୟାର ନିରାକରଣ ନିମନ୍ତେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ସାଥିରେ ନେଇ ସାରା ଦେଶରେ ଏକ ଦେଶବ୍ୟାପୀ ପ୍ରତିରୋଧ ଗଢ଼ି ତୋଳିବା ପାଇଁ ସ୍ୱୟଂସେବକମାନେ ପ୍ରୟାସ କରିବେ।
ଆଗାମୀ ସମୟରେ ପରମ ବୈଭବସମ୍ପନ୍ନ ବିଶ୍ୱଗୁରୁ ଭାରତ ନିର୍ମାଣର ଗୁରୁ ଦାୟିତ୍ୱ ନୂତନ ପିଢ଼ିର କାନ୍ଧ ଉପରେ ପଡିବାକୁ ଯାଉଛି। ଏହି ଆହ୍ୱାନକୁ ସ୍ୱୀକାର କରି ସଫଳତାର ସହିତ ଏହାର ମୁକାବିଲା କରିବା ପାଇଁ ଆମର ଯୁବପିଢ଼ିକୁ ସମସ୍ତ ଦୃଷ୍ଟିରୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ସନ୍ତୁଳିତ ଓ ସମଗ୍ର ବିକାଶର ଦୃଷ୍ଟି
ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରଗତି ମନୁଷ୍ୟକୁ ଭୌତିକ ଦୃଷ୍ଟିରୁ ସୁଖୀ ଜୀବନ ଜୀଇଁବାରେ ଏବଂ ଜୀବନରେ ଜ୍ଞାନ ଓ ତର୍କ ଆଧାରରେ ନିଜ ଆଚରଣକୁ ସୁଧାରିବାରେ ସାହାଯ୍ୟ କରେ। ତେଣୁ ନୂଆ ଜ୍ଞାନ–ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସ୍ୱାଗତ ଓ ସ୍ୱୀକାର ହେବା ଉଚିତ। କିନ୍ତୁ ଏହା ମଧ୍ୟ ମନେ ରଖିବା ଆବଶ୍ୟକ ଯେ ପ୍ରଯୁକ୍ତିବିଦ୍ୟା ହେଉଛି କେବଳ ଏକ ସାଧନ ମାତ୍ର। କେବଳ ଉପଭୋଗବାଦୀ ବା ଜଡ଼ବାଦୀ ଦୃଷ୍ଟିକୋଣକୁ ନେଇ ବିକାଶ କରାଗଲେ ସୁଖ–ସୁବିଧା ମିଳିବା ଅପେକ୍ଷା ତାହାଠାରୁ ଅଧିକ କ୍ଷତି ହୋଇଥାଏ। ଏଇ ନିକଟରେ ନେପାଳରେ ଯେଉଁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଘଟିଲା ଏବଂ ହଜାର ହଜାର ମଣିଷଙ୍କ ଜୀବନ ହାନି ହେଲା, ତାହାର ମୂଳରେ କେଉଁଠି ନା କେଉଁଠି ସମଗ୍ର ହିମାଳୟ ଅଞ୍ଚଳରେ ଚାଲିଥିବା ଏକପାଖିଆ ବିକାଶର ପରିଣାମ ରହିଛି। ଯାହା ଭାରତ, ତିବ୍ଦତ, ଭୁଟାନ, ଚୀନ ଆଦି ଅନେକ ଦେଶକୁ ପ୍ରଭାବିତ କରୁଛି । ଏତେ ବଡ଼ ମାନବୀୟ କ୍ଷତିର ଦୁଃଖ ଆମେ ସମସ୍ତେ ଅନୁଭବ କରୁଛୁ। ବିପର୍ଯ୍ୟୟ ପରେ ପୀଡ଼ିତମାନଙ୍କୁ ରିଲିଫ୍ ପହଞ୍ଚାଇବା ଭଳି କାର୍ଯ୍ୟରେ ଆମେ ସମସ୍ତେ ଲାଗୁଛୁ; ଏଥିସହ ବିକାଶର ଏକ ସାମଗ୍ରିକ ଓ ସନ୍ତୁଳିତ ଦୃଷ୍ଟିକୋଣ ରହିବା ମଧ୍ୟ ଆବଶ୍ୟକ ମନେ ହୁଏ । ମନୁଷ୍ୟ ସାଧନକୁ ଉପଯୁକ୍ତ ଦିଗରେ ବ୍ୟବହାର କରୁଥିବା ଏବଂ ତାହାର ବ୍ୟବହାର ଉଚିତ କି ଅନୁଚିତ ତାହା ନିର୍ଦ୍ଧାରଣ କରୁଥିବା ପ୍ରାଣୀ । ତେଣୁ ଜ୍ଞାନ ବା ପ୍ରଯୁକ୍ତିବିଦ୍ୟା ସହିତ ଏହାର ଉଚିତ ବ୍ୟବହାର ନିମନ୍ତେ ବିବେକ ଆଚରଣ କରିବା ଏବଂ ବ୍ୟବହାରରେ ନୈତିକ ଓ ଭୌତିକ ଅନୁଶାସନ ମଧ୍ୟ ଶିକ୍ଷାକରି ତାକୁ ଆଚରଣରେ ଆଣିବାକୁ ପଡ଼ିବ। ନଚେତ୍ ପରମାଣୁର ଗଠନ ସମ୍ପର୍କରେ ଜ୍ଞାନରୁ ସ୍ୱଚ୍ଛ ଶକ୍ତି ଅପେକ୍ଷା ଜୀବନ ସଂହାରକ ଅସ୍ତ୍ର ଅଧିକ ବାହାରିବ ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ଅତ୍ୟନ୍ତ ଉପଯୋଗୀ ପ୍ରଯୁକ୍ତିରୁ ମଧ୍ୟ ମନୁଷ୍ୟକୁ ଭ୍ରମିତ କରୁଥିବା ଓ ଠକୁଥିବା ମିଥ୍ୟା ଉପକ୍ରମମାନ ବାହାରି ଆସିବ। ନିଜର ସମଗ୍ରତା ଓ ଏକାତ୍ମତା କାରଣରୁ ଭାରତର ସନାତନ ଜୀବନଦୃଷ୍ଟିରେ ନିହିତ ସମନ୍ୱୟ ଓ ସଂଯମର ସଂସ୍କାର ଥିବା ଆମ ସଂସ୍କୃତିକୁ ସମଗ୍ର ବିଶ୍ୱ ଦେଖିବାକୁ ଚାହେଁ। ଆମର ପୂର୍ବଜମାନେ ଏହାକୁ ‘ସା ପ୍ରଥମା ସଂସ୍କୃତିର୍ବିଶ୍ୱବାରା’ ବୋଲି ସମ୍ବୋଧିତ କରିଥିଲେ। ଏହି ଦୃଷ୍ଟିକୋଣ ଆଧାରରେ ସମଗ୍ର ଓ ଏକାତ୍ମ ବିକାଶର ନିଜସ୍ୱ ଏକ ନୂଆ ପ୍ରତିମାନ ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ଭାବରେ ଭାରତକୁ ହିଁ ପ୍ରସ୍ତୁତ କରିବାକୁ ହେବ ।
ହିନ୍ଦୁଭାବ ଓ ହିନ୍ଦୁ ସ୍ୱଭାବ -ଏକତାର ଆଧାର
ଆମ ରାଷ୍ଟ୍ରର ଚେତନା ହେଉଛି ଏହି ସନାତନ ଦୃଷ୍ଟି, ଯାହାକୁ ଆଜି ଆମ ଭାରତୀୟମାନଙ୍କ ସହିତ ସମଗ୍ର ବିଶ୍ୱ ‘ହିନ୍ଦୁଦୃଷ୍ଟି’ ବୋଲି ଜାଣେ । ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପୂଜାପଦ୍ଧତି, ଖାଦ୍ୟପେୟ, ଚାଲିଚଳଣ, ସାମାଜିକ ବା ରାଜନୈତିକ ମତବାଦ, ଜାତି, ଭାଷା ବା ପ୍ରଦେଶ ପାଇଁ ଅନିବାର୍ଯ୍ୟ ନୁହେଁ । ବରଂ ଆଧ୍ୟାତ୍ମିକତା, ମାନବିକତା ଏବଂ ବିଶ୍ୱବନ୍ଧୁତ୍ୱ ହିଁ ଏହାର ଲକ୍ଷଣ । ଭାରତୀୟମାନଙ୍କ ମଧ୍ୟରେ ଏହି ଭାବ ଅନ୍ତର୍ନିହିତ ରହିଥିବାରୁ ହିଁ ‘ଭା’ ଅର୍ଥାତ୍ ଜ୍ଞାନର ଆଲୋକରେ ରତ ଆମ ‘ଭାରତ’ଏହି ଭାରତୀୟତାର ଏକ ପରିଭାଷା ହୋଇ ପାରିଛି। ସମଗ୍ର ବିଶ୍ୱକୁ ଯୋଡ଼ିପାରୁଥିବା ତଥା ଯୋଡ଼ିବାକୁ ଚାହୁଁଥିବା ଏହି ହିନ୍ଦୁଭାବର ସ୍ମରଣ ଓ ପୋଷଣ ଭାରତର ପ୍ରଗତି ଓ ଏକତା ପାଇଁ ଅନିବାର୍ଯ୍ୟ । ଭାରତରେ ଏହି ହିନ୍ଦୁ ଭାବର ରୂପ ହେଉଛି ଦୃଢ ଭାରତଭକ୍ତି, ପୂର୍ବ ପରମ୍ପରା ପ୍ରତି ଗୌରବ ଓ ଆଦର୍ଶ, ଏବଂ ଭାରତର ସନାତନ ସଂସ୍କୃତିର ମୂଲ୍ୟବୋଧ ଅନୁଯାୟୀ ନିଜ ଜୀବନକୁ ଗଢ଼ି ଚାଲିବାର ପ୍ରକ୍ରିୟା । ପ୍ରାଚୀନ କାଳରୁ ଭାରତଭୂମିରେ ବାସ କରୁଥିବା ଜନସମୁଦାୟ ଏହି ଦୃଷ୍ଟିକୋଣକୁ ନେଇ ଏକ ସମାଜ ଭାବରେ ଜୀବନଯାପନ କରିଆସିଛି।
ଆମ ସମସ୍ତ ଭାରତବାସୀଙ୍କ ଏକତା–ସ୍ୱାଭାବିକ ତଥା ନିଃସର୍ତ୍ତ
ଆମ ସମସ୍ତଙ୍କର ପାରସ୍ପରିକ ସମ୍ପର୍କ ଓ ଦେଶ ସହ ଆମର ସମ୍ବନ୍ଧ ହେଉଛି ଏକ ଜୀବନ୍ତ ସମ୍ପର୍କ, ତେଣୁ ଏହା ହୃଦୟର ସମ୍ପର୍କ ହୋଇଥିବାରୁ ନିଃସର୍ତ୍ତ।
“ତୋ’ର ବୈଭବ ଅମର ହେଉ ମା,
ଆମେ ଚାରିଦିନ ରହୁ ନ ରହୁ ।ା ”
ଏହା ହେଉଛି ପ୍ରତିଦାନ ବିହୀନ ସମର୍ପଣ । ଏଥିରେ ସ୍ୱାର୍ଥ, ଆତ୍ମୀୟତା ବା ରକ୍ତସମ୍ପର୍କରେ କୌଣସି ସର୍ତ୍ତ ନଥାଏ । ଏଥିରେ କେବଳ ସେହି ସମ୍ପର୍କର ଆଧାରରେ ଦୃଢ଼ ରହିବାକୁ ହୁଏ । ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରାଷ୍ଟ୍ର ପ୍ରତି ଏପରି ହିଁ ସମ୍ପୂର୍ଣ୍ଣ ଓ ନିଃସର୍ତ୍ତ ସମର୍ପଣ ରହିଥିଲା । ଯେଉଁଥିପାଇଁ ବ୍ରିଟିଶ ସରକାରକୁ ଭାରତ ଛାଡ଼ିବାକୁ ବାଧ୍ୟ ହେବାକୁ ପଡ଼ିଲା ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏହି ହିନ୍ଦୁଭାବକୁ ଜାଗ୍ରତ କରି ସମଗ୍ର ସମାଜକୁ ଏକ ସୁସଂଗଠିତ ଓ ଶକ୍ତିଶାଳୀ ସମାଜରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛି। ସାମର୍ଥ୍ୟବିନା ବ୍ୟକ୍ତିଜୀବନରୁ ବିଶ୍ୱଜୀବନ ପର୍ଯ୍ୟନ୍ତ ଅବଧାରଣା, ପ୍ରତିଷ୍ଠା ଓ ସୁରକ୍ଷା ସମ୍ଭବ ନୁହେଁ । ତେଣୁ ସଂଗଠିତ ଓ ଶକ୍ତିଶାଳୀ ହିନ୍ଦୁ ସମାଜର କଥା କହିବା ଅଥବା ଏଥିପାଇଁ କାମ କରିବା କଦାପି ସର୍ବପନ୍ଥ ସମାଦର ଭାବନା, ରାଷ୍ଟ୍ରୀୟ ଭାବାତ୍ମକ ଏକାତ୍ମତାର ବିରୋଧୀ ନୁହେଁ। ଏ କଥା ବୁଝିବା ଆବଶ୍ୟକ ଯେ ହିନ୍ଦୁ ସମାଜର ଚିନ୍ତା ଓ ସ୍ୱଭାବ ସମାବେଶୀ ହୋଇଥିବାରୁ ଏପରି କାର୍ଯ୍ୟ ଆମ ସମସ୍ତଙ୍କ ଭାବନାତ୍ମକ ଏକାତ୍ମତା, ସଦ୍‌ଭାବନା ଓ ସଦାଚାରକୁ ହିଁ ସୁଦୃଢ କରିବ । ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏହି ସ୍ୱଭାବ ଓ ସଂସ୍କାର ହିଁ କ୍ୟାପ୍‌ଟେନ ସ୍ମିତ ମଚ୍ଛାରଙ୍କୁ ନିଜ ପ୍ରାଣକୁ ବାଜି ଲଗାଇ ମାନବିକତା ଆଧାରରେ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିବାର ପ୍ରେରଣା ଦେଇଥାଏ ।
ସଦ୍‌ଭାବପୂର୍ଣ୍ଣ ବ୍ୟବହାର ଆବଶ୍ୟକ
ଏହା କେବଳ ବିଚାର ବା ଉପଦେଶର କଥା ନୁହେଁ, ବରଂ ଏଭଳି ଭାବନା ଆମ ସମସ୍ତଙ୍କ ଆଚାର ବିଚାରରେ ପ୍ରକାଶ ପାଇବା ଆବଶ୍ୟକ । ପ୍ରକୃତି ଓ ପରିବେଶର ବିଭିନ୍ନ ରୂପରେ ସୁସଜ୍ଜିତ ଆମର ଭାରତ ହେଉଛି ବିଶାଳ ରାଷ୍ଟ୍ର । ଭିନ୍ନଭିନ୍ନ ମତ, ପନ୍ଥ, ପ୍ରଦେଶ, ଭାଷା, ଜାତି, ଖାଦ୍ୟପେୟ ଓ ରୀତିନୀତି ମାନୁଥିବା ବିଭିନ୍ନ ଗୋଷ୍ଠୀରେ ବିଭକ୍ତ କିନ୍ତୁ ସମାଜ ଏକ । ପରସ୍ପର ବ୍ୟବହାରରେ, ମନ, ବଚନ ଓ କର୍ମରେ ସଦ୍‌ଭାବନା ଓ ଆପଣାର ଭାବ ରହିବା ଏବଂ ଦେଖାଯିବା ଉଚିତ। ଅତୀତର ଇତିହାସରୁ ଆମ ମନରେ ସୃଷ୍ଟି ହୋଇଥିବା ପରସ୍ପର ପ୍ରତି ଆଶଙ୍କାର ଭାବ ଆମକୁ ପରସ୍ପରଠାରୁ ଦୂରେଇ ରଖେ। ଇତିହାସର ସେହି ତଥ୍ୟଗୁଡ଼ିକୁ ସ୍ୱୀକାର କରି ମଧ୍ୟ ଆମ ମନର ଗଣ୍ଠି ଖୋଲିଯାଉ, ଆଉ ନୂଆ ଗଣ୍ଠି ନ ପଡ଼ୁ ଆମର ଆଚରଣ ଏଭଳି ହେବା ଆବଶ୍ୟକ। ଛୋଟ ଛୋଟ କଥାରେ ଆମକୁ ପ୍ରରୋଚିତ କରି ଝଗଡ଼ା ସୃଷ୍ଟି କରୁଥିବା ବା କରାଉଥିବା ଲୋକମାନଙ୍କଠାରୁ ଦୂରେଇ ରହିବା ଉଚିତ। ଏତେ ବିଶାଳ ଓ ବିବିଧତାପୂର୍ଣ୍ଣ ସମାଜରେ ଏପରି ପରିବେଶ ସୃଷ୍ଟି ହେବାକୁ ସମୟ ଲାଗିବ। କିନ୍ତୁ ଦେଶ ଓ ବିଶ୍ୱର କଲ୍ୟାଣ ଚାହୁଁଥିବା ସମସ୍ତଙ୍କୁ ଧୈର୍ଯ୍ୟର ସହିତ ନିଜକୁ ଏବଂ ସମାଜକୁ ସମ୍ଭାଳି ନେଇ କାର୍ଯ୍ୟ କରିଚାଲିବାକୁ ପଡ଼ିବ। ସମାଜର ଲୋକମାନଙ୍କ ସହିତ ଆଚାର ବ୍ୟବହାର କଲାବେଳେ, ସାଧାରଣ ବ୍ୟକ୍ତିଠାରୁ ଆରମ୍ଭ କରି ଶାସନ–ପ୍ରଶାସନର ବ୍ୟକ୍ତିବିଶେଷ ପର୍ଯ୍ୟନ୍ତ, ଆମର ବ୍ୟବହାର ଭଦ୍ର ଓ ଆତ୍ମୀୟତାପୂର୍ଣ୍ଣ ହେବା ଜରୁରୀ । ବିଶେଷକରି କୌଣସି ନିର୍ଦ୍ଦିଷ୍ଟ ଅଭିଯାନ ବା ନୀତିକୁ ସମାଜରେ ଲାଗୁ କରିବାବେଳେ, ନାଗରିକଙ୍କ ସମ୍ମାନ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଏଠି ସେଠି ଘଟୁଥିବା କିଛି ଅବାଞ୍ଛିତ ବା ଅପ୍ରତ୍ୟାଶିତ ଘଟଣା ଯେଉଁଥିରେ ସଂଘର ନା ସମ୍ପର୍କ ଅଛି, ନା ସମର୍ଥନ ରହିଛି ତାହାକୁ ନେଇ ସଂଘର ବିଚାର ଅଥବା ସଦ୍‌ଭାବନା ସମ୍ପର୍କୀତ ପ୍ରାମାଣିକତା ଉପରେ ସନ୍ଦେହ ସୃଷ୍ଟି କରିବାର ପ୍ରୟାସ ମଧ୍ୟ ଅନେକ କ୍ଷେତ୍ରରେ ହୋଇଥାଏ। ସଂଘ କାର୍ଯ୍ୟର ଆଧାର ହେଉଛି ଶୁଦ୍ଧ ସାତ୍ତ୍ୱିକ ପ୍ରେମ। ସ୍ୱୟଂସେବକମାନଙ୍କ ସମର୍ପଣ, ସେବା ଓ ପରିଶ୍ରମ କାରଣରୁ ସଂଘର କାର୍ଯ୍ୟ ଚାଲିଥାଏ। ସଂଘକୁ ନିଜ ପାଇଁ କିଛି ଦରକାର ନାହିଁ। ଏକ ବିଚାରକୁ ନେଇ ତାହାର ପ୍ରତିଷ୍ଠା । ଏଥିପାଇଁ ଶ୍ରଦ୍ଧା ଓ ବିଶ୍ୱାସର ସହିତ ସ୍ୱୟଂସେବକମାନେ ଲକ୍ଷ୍ୟ ପୂରଣ ନହେବା ପର୍ଯ୍ୟନ୍ତ କାମ କରିଚାଲିବେ।
ଆପଣମାନେ ଭଲ ଭାବରେ ବୁଝୁଥିବା ଉପରୋକ୍ତ କଥାଗୁଡ଼ିକୁ ମୁଁ ଏଥିପାଇଁ ପୁଣିଥରେ କହୁଛି ଯେ, ଯେଉଁଥିରେ ବିବେକବାନ ଲୋକମାନେ ମଧ୍ୟ ବିଚଳିତ ହୋଇଯିବେ ଏଭଳି ପରିସ୍ଥିତି ସୃଷ୍ଟି କରାଯାଉଛି। ଭାରତ ସମେତ ସମଗ୍ର ବିଶ୍ୱରେ ଯେଉଁ ଭଦ୍ର, ମଙ୍ଗଳମୟ, ସାଂସ୍କୃତିକ ଓ ମାନବୀୟ ସଂସ୍କାର ରହିଛି, ତାହାକୁ ସମ୍ପୂର୍ଣ୍ଣଭାବେ ନଷ୍ଟ, ଭ୍ରଷ୍ଟ ଓ ଧ୍ୱଂସ କରିବାର ଆସୁରୀ ସଂକଳ୍ପ ନେଇ ପାଶ୍ଚାତ୍ୟ ଜଗତରୁ ଏକ ଝଡ଼ ବହିଚାଲିଛି। ବିଶ୍ୱର କଥିତ ପ୍ରଗତିଶୀଳ ଦେଶଗୁଡ଼ିକ ମଧ୍ୟ ଏଥିରେ ଅସହାୟ ଓ ପୀଡ଼ିତ। କିନ୍ତୁ ଗତ କିଛି ଦଶନ୍ଧିରେ ଭାରତ ନିଜସ୍ୱ ଶକ୍ତି ଓ ଉତ୍ତମନୀତି କାରଣରୁ ଧୀରେ ଧୀରେ ବିଶ୍ୱରେ ନିଜ ସ୍ଥିତି ଦୃଢ କରି ଚାଲିଛି। ଭାରତୀୟ ସମାଜର ପୁରୁଷାର୍ଥ, ସୁଦୃଢ଼ ନୀତି, ନେତୃତ୍ୱ, ଦେଶାଭିମାନ ଏବଂ ବିଶ୍ୱ ପ୍ରତି ନିଜର ଦାୟିତ୍ୱବୋଧର ଜାଗରଣ କାରଣରୁ ଏବେ ସମସ୍ତ କ୍ଷେତ୍ରରେ ସଫଳତା ମିଳୁଛି। ଭାରତର ଏହି ପ୍ରଗତି ଯୋଗୁଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅରାଜକତା ସୃଷ୍ଟି କରି ନିଜ ସ୍ୱାର୍ଥ ପୂରଣରେ ସହାୟକ ହୋଇପାରୁଥିବା ଅନୁଗତମାନଙ୍କୁ ସେଠାରେ ପ୍ରତିଷ୍ଠିତ କରାଇବାର ଷଡ଼ଯନ୍ତ୍ର କରୁଥିବା ଏହି ଶକ୍ତିମାନଙ୍କ ଖେଳ ଖୁବଶୀଘ୍ର ବନ୍ଦ ହେବ।
ଏହି ବସ୍ତୁସ୍ଥିତିକୁ ଏ ଆସୁରୀ ଶକ୍ତିମାନେ ଭଲଭାବେ ଜାଣନ୍ତି। ତେଣୁ ସେମାନଙ୍କ ପାଇଁ ଭାରତ ହିଁ ନିର୍ଣ୍ଣାୟକ ଓ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଏବଂ ଅନ୍ତିମ ତଥା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳ। ଭାରତ, ହିନ୍ଦୁ ଓ ସଂଘକୁ କିପରି ଭାଙ୍ଗିହେବ ଏହିଭଳି ଚିନ୍ତା କରି ଯୋଜନା ପ୍ରସ୍ତୁତି ପୂର୍ବକ ସେମାନେ କାମ କରିଚାଲିଛନ୍ତି। ସେହି ସ୍ୱଭାବର କିଛି ଦୁଷ୍ଟପ୍ରବୃତ୍ତିର ଲୋକ ଏଥିରେ ସହାୟତା କରିବାକୁ ମଧ୍ୟ ମିଳିଯାଆନ୍ତି। କ୍ଷମତାଲୋଭୀ, ସ୍ୱାର୍ଥୀ ଓ ବିବେକହୀନ କିଛି ମହତ୍ୱାକାଂକ୍ଷୀ ନେତା ମଧ୍ୟ ଏଥିରେ ସାମିଲ ହୁଅନ୍ତି। ଆମର ଏତେ ବିଶାଳ ସମାଜରେ ସମସ୍ୟା ରହିବା ତ ସ୍ୱାଭାବିକ। ବ୍ୟବସ୍ଥାରେ ମଧ୍ୟ ଅନେକ ତ୍ରୁଟି ଥାଇପାରେ। ଏହାର ପରିଣାମ ସ୍ୱରୂପ ଆନ୍ଦୋଳନ ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ଆନ୍ଦୋଳନ ସମାଧାନ ଦେବା ପାଇଁ ହେବା ଉଚିତ। ଆନ୍ଦୋଳନ କରୁଥିବା ସମାଜର କୌଣସି ଗୋଷ୍ଠୀ ହେଉ ଅଥବା ଶାନ୍ତି ଓ ସୁବ୍ୟବସ୍ଥା ରକ୍ଷା ପାଇଁ କାର୍ଯ୍ୟ କରୁଥିବା ଶାସନ–ପ୍ରଶାସନ ହେଉ କିମ୍ବା ରାଜନୈତିକ ନେତାମାନେ ହୁଅନ୍ତୁ ଆମର ଏହି ଅଖଣ୍ଡ ସମାଜରେ ଆମ କାର୍ଯ୍ୟକଳାପକୁ ନେଇ କୌଣସି ପ୍ରକାରର ମତଭେଦ, ଦ୍ୱେଷ, ରୋଷ, ମନୋମାଳିନ୍ୟ ବା ବିଭାଜନ ସୃଷ୍ଟି ହେବା ଉଚିତ ନୁହେଁ। ଭାବନା ତୀବ୍ରତର ହେଲେ ମଧ୍ୟ ଆମର କାର୍ଯ୍ୟକଳାପ ସମ୍ବିଧାନ ଓ ଆଇନର ମର୍ଯ୍ୟାଦା ମଧ୍ୟରେ ରହିବା ଏବଂ ଆଲୋଚନା ଓ ଆଚରଣ ଭଦ୍ରତାର ସୀମା ମଧ୍ୟରେ ହେବା ଆବଶ୍ୟକ। ଭୋଟ ହାସଲ, ଶସ୍ତା ଲୋକପ୍ରିୟତା ବା ରାଜନୈତିକ ଲାଭର ଲୋଭ ଆମର ବିବେକ ଓ ସଦ୍‌ଭାବନା ଉପରେ ପ୍ରଭାବୀ ନ ହେଉ, ଏହାକୁ ନେଇ ନିଶ୍ଚିତ ରୂପେ ଚିନ୍ତା କରିବାକୁ ପଡ଼ିବ।
ସମାଜର ଉଦ୍ୟମରୁ ସମାଧାନ
ସମାଜର ସମସ୍ତ ସମସ୍ୟା କେବଳ ଶାସନ ହିଁ ସମାଧାନ କରିପାରିବ ଅଥବା କେବଳ ଆନ୍ଦୋଳନ ଦ୍ୱାରା ହିଁ ସମସ୍ୟାର ସମାଧାନ ହୋଇପାରିବ ଏଭଳି ଦୃଷ୍ଟାନ୍ତ ମଧ୍ୟ ନାହିଁ। ସମାଜର ସକ୍ରିୟତା ଓ ପରସ୍ପର ଆଲୋଚନା ମାଧ୍ୟମରେ ମଧ୍ୟ ସମସ୍ୟାର ସମାଧାନ ବାହାରିପାରେ।
ସଂଘର ସ୍ୱୟଂସେବକମାନେ ସମାଜରେ ଏପରି ସାମାଜିକ ଉଦ୍ୟମ ଗଢ଼ି ତୋଳିବାର ପ୍ରୟାସ କରିଥାନ୍ତି। ଗ୍ରାମାଞ୍ଚଳର ବିଦ୍ୟାଳୟଗୁଡ଼ିକୁ ଧ୍ୟାନରେ ରଖି ସ୍ୱୟଂସେବକମାନଙ୍କ ଏପରି ପ୍ରଚେଷ୍ଟାର ଅନୁଭବ ଖୁବ୍ ଉତ୍ସାହଜନକ। ୨୧ଟି ପ୍ରାନ୍ତର ୨୧୦ଟି ଜିଲ୍ଲାର ପ୍ରାୟ ୧୨୯୬ଟି ବିଦ୍ୟାଳୟରେ ଦେଖାଯାଇଛି ଯେ ଯେଉଁଠାରେ ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସ୍ୱୟଂସେବକମାନଙ୍କ ସହଯୋଗ ରହିଛି, ସେଠାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷାର ସ୍ତର ଓ ଅଭିଭାବକଙ୍କ ଅଂଶଗ୍ରହଣରେ ସୁଧାର ଆସିଛି। ଶିକ୍ଷା ସହାୟତା ଓ ମୌଳିକ ସୁବିଧା ସହିତ ଖେଳ, ସାଂସ୍କୃତିକ ଏବଂ ମୂଲ୍ୟାଧାରିତ କାର୍ଯ୍ୟକଳାପରେ ମଧ୍ୟ ସମାଜର ଯୋଗଦାନ ରହିଛି। ଗ୍ରାମବାସୀଙ୍କ ସାମୂହିକ ପ୍ରଚେଷ୍ଟା ଆଧାରରେ ଗ୍ରାମଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ହଜାର ହଜାର ଗ୍ରାମରେ ପ୍ରୟାସ ଚାଲିଛି। ସ୍ୱୟଂସେବକମାନଙ୍କ ଦ୍ୱାରା ଦେଶବ୍ୟାପୀ ଚାଲୁଥିବା ସମସ୍ତ ସେବା କାର୍ଯ୍ୟରେ ଦେଶବାସୀଙ୍କ ମଧ୍ୟରେ ସ୍ୱାଭିମାନ, ସ୍ୱାବଲମ୍ବନ ଏବଂ ରାଷ୍ଟ୍ରଜୀବନରେ ସହଯୋଗ ଓ ଅଂଶଗ୍ରହଣର ଭାବନାକୁ ଦୃଢ଼ କରିବା ସହିତ ତାହାକୁ ବାସ୍ତବ ରୂପ ଦେବାର ଶକ୍ତି ଓ କ୍ଷମତା ପ୍ରାପ୍ତି ପାଇଁ ଏଭଳି ପ୍ରୟାସ ହୋଇଥାଏ।
ସଚେତନତାର ଆବଶ୍ୟକତା
ଏହି ପ୍ରଚେଷ୍ଟା ପଛରେ ଭାବନା ରହିଛି ଯେ ଦେଶ ଓ ସମାଜକୁ ଚଳାଇବାର ଦାୟିତ୍ୱ ମଧ୍ୟ ଆମର । କାରଣ ଏହି ଦେଶ ଓ ସମାଜ ମୋର ନିଜର, ଏହି ଆତ୍ମୀୟତାର ପ୍ରେରଣା ଏଥିରେ ରହିଥାଏ। ଆନ୍ଦୋଳନ ପଛରେ ମଧ୍ୟ ଏହି ଭଳି ପ୍ରେରଣା ରହିବା ଉଚିତ। କିନ୍ତୁ ଯେତେବେଳେ ଏହା ହୋଇ ନଥାଏ ଏବଂ ଆନ୍ଦୋଳନ ରାଜନୀତିର ଏକ ସାଧନ ହୋଇଯାଏ ଯେତେବେଳେ କୌଣସି ବ୍ୟକ୍ତି, ଗୋଷ୍ଠୀ ବା ବିଚାର ପ୍ରତି ବିରୋଧୀ ଓ ଶତ୍ରୁଭାବ ନେଇ ଚାଲେ, ସେତେବେଳେ ଭାରତକୁ ଦୁର୍ବଳ କରିବାକୁ ଚାହୁଁଥିବା ଶକ୍ତିମାନେ ଏହାର ଲାଭ ଉଠାଇଥାନ୍ତି।
ମତଭେଦକୁ ଅଧିକ ଗଭୀର କରି ମନଭେଦ ସୃଷ୍ଟି କରିବା, ସମସ୍ୟା ଆଳରେ ଅନ୍ୟାୟର ଶିକାର ହୋଇଥିବାର ଭାବନା ସୃଷ୍ଟି କରିବା, ଦେଶର ବ୍ୟବସ୍ଥା ପ୍ରତି ଅବିଶ୍ୱାସ ସୃଷ୍ଟି କରିବା, କଳହ, ଉଗ୍ର ଅସନ୍ତୋଷ, ବିଚ୍ଛିନ୍ନତା, ଅବ୍ୟବସ୍ଥା ଓ ଅରାଜକତାର ପରିବେଶ ସୃଷ୍ଟି କରିବା ଏହା ହେଉଛି ସେମାନଙ୍କର କାର୍ଯ୍ୟପଦ୍ଧତି। ଭାରତକୁ ଚାପରେ ରଖିବାକୁ ଚାହୁଁଥିବା ବିଶ୍ୱର ଶକ୍ତିମାନେ ମଧ୍ୟ ଏଥିରେ ନିଜର ଖେଳ ଖେଳନ୍ତି। ଶ୍ରୀମତୀ ଆଶା ଭୋଁସଲେ ଜୀ ଗାଇଥିବା ଏକ ପୁରୁଣା ମରାଠୀ ଗୀତର ଶେଷ ପଂକ୍ତିଗୁଡ଼ିକ ମନେ ପଡ଼େ—
“ବିଶ୍ୱାସେ ସରଳ ଲୋକେ ମତାଇ
ନିଜ ମଧ୍ୟେ ଭେଦଭାବ ବଢ଼ାଇ
ଅନ୍ଧାରେ ଆଘାତ କରେ ଦୁଷ୍ଟତା ।”
ତେଣୁ—
“ଚିତ୍ତେ ନିତ୍ୟ ରଖ ସାବଧାନତା,
ଦୃଷ୍ଟି କେନ୍ଦ୍ରେ ରହୁ ଲକ୍ଷ୍ୟୋନ୍ମୁଖତା ।”
ଏକଥା ସ୍ପଷ୍ଟ ଯେ, ଏଭଳି ବିଭେଦ ସୃଷ୍ଟିକାରୀ ପ୍ରବୃତ୍ତିମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ବୁଦ୍ଧିଭ୍ରମର ଶିକାର ନହୋଇ ଆମ ମଧ୍ୟରେ ପରସ୍ପର ସଦ୍‌ଭାବନାକୁ ସୁରକ୍ଷିତ ରଖିବାକୁ ପଡ଼ିବ। ନିଜେ ସଜାଗ ରହି କୌଣସି ପ୍ରକାରର ଉଦ୍‌ବେଗ ବା ଉତ୍ତେଜନାର ଶିକାର ନହୋଇ, ଭାରତକୁ ବିଶ୍ୱଗୁରୁ ପଦରେ ଦେଖିବାର ଆମର ଆକାଂକ୍ଷା ଓ ଲକ୍ଷ୍ୟକୁ ସଦା ମନେ ରଖି ଆମକୁ ପ୍ରୟାସରତ ରହିବାକୁ ପଡ଼ିବ। ଆତ୍ମୀୟତା, ଅନୁଶାସନ ଏବଂ ନିଜ ରାଷ୍ଟ୍ରୀୟ ଧ୍ୟେୟ ପ୍ରତି ନିଷ୍ଠା ଉପରେ ଦୃଢ଼ତାର ସହିତ ଛିଡା ହୋଇଥିବା ସମାଜ ହିଁ ଏକତା ଏବଂ ଅପରାଜେୟ ଶକ୍ତି ହାସଲ କରିଥାଏ। ସଂଘର ଅନୁଭବ ରହିଛି ଯେ ଆମ ସମାଜ ପ୍ରାଚୀନ କାଳରେ ଅସ୍ତିତ୍ୱରେ ନିହିତ ଏକତାର ସତ୍ୟକୁ ସାକ୍ଷାତ୍ ଅନୁଭବ କରିଥିଲା । ଆମ ସମାଜ ସମୟ ସମୟରେ ସେହି ଏକତାର ଅନୁଭୂତିକୁ ବିଶ୍ୱକୁ ପ୍ରଦାନ କରିବା ପାଇଁ ସବୁକିଛି ସ୍ୱୀକାର କରି ସମ୍ମାନ ଓ ପ୍ରତିଷ୍ଠା ପ୍ରଦାନକାରୀ ବହୁଆୟାମୀ ଅଥଚ ଏକରସ ଜୀବନ ବଞ୍ଚିଛି ।
ଏକତାର ସୂତ୍ରକୁ ନେଇ ଦୃଢ଼ ରୁହନ୍ତୁ
ଯେତେବେଳେ ସମାଜର ଏହି ଜୀବନଦର୍ଶନକୁ ଆମେ ମନେ ରଖିଛୁ, ସେତେବେଳେ ଆମେ ସମସ୍ତେ ବିଜୟୀ ହୋଇଛୁ। ଯେତେବେଳେ ଲର୍ଡ କର୍ଜନ୍ ଦ୍ୱାରା ହିନ୍ଦୁ ଓ ମୁସଲମାନଙ୍କୁ ଅଲଗା କରିବା ପାଇଁ ବଙ୍ଗ ବିଭାଜନ କରିବାର ମସୁଧା ହୋଇଥିଲା, ସେତେବେଳେ ସାମ୍ପ୍ରଦାୟିକ ଆଧାରରେ ଗୋଟିଏ ଭୂମି ଓ ଗୋଟିଏ ସମାଜକୁ ବିଭାଜିତ କରିବାର ବିରୋଧ ଆମ ସମାଜ ଦୃଢ଼ ଭାବରେ କରିଥିଲା। ଫଳରେ ବ୍ରିଟିଶ ଶାସନକୁ ନିଜର ବିଭାଜନ ପ୍ରସ୍ତାବ ଫେରାଇ ନେବାକୁ ପଡ଼ିଥିଲା।
ସେହି ଏକତା ଓ ଦେଶଭକ୍ତିର ପ୍ରତୀକ ଭାବରେ ସେ ସମୟରେ ‘ବନ୍ଦେ ମାତରମ୍‌’ର ବହୁଳ ପ୍ରଚାର ହୋଇଥିଲା ଓ ବିଭାଜନ ରଦ୍ଦ ହୋଇଥିଲା। ହେଲେ ୧୯୪୭ରେ ଏଭଳି ସ୍ଥିତି କାହିଁକି ହୋଇପାରିଲା ନାହିଁ? କାରଣ ଆମ ମନରେ ଏଭଳି ବିଚାର ପୁରାଇ ଦିଆଗଲା ଯେ, ଆମେ ହେଉଛୁ ବିଶିଷ୍ଟ, ଆମେ ଅଲଗା । ଆମେ ଅଲଗା ଦେଖାଯାଉଛୁ, ତେଣୁ ଆମେ ବାସ୍ତବରେ ଏକ ନୁହଁ, ଅଲଗା। ଯେଉଁମାନେ ଆମକୁ ବିଭାଜିତ କରି ପରସ୍ପରର ଶତ୍ରୁ ଭାବରେ ଦେଖିବାକୁ ଚାହୁଁଥିଲେ, ସେମାନେ ଏହି ବିଚାରକୁ ଆମ ମନରେ ସ୍ଥାପିତ କରିଦେବାର ସଫଳ ହେଲେ । ସାମ୍ପ୍ରଦାୟିକ କଟ୍ଟରପନ୍ଥୀ ବିଚାରଧାରାର ପ୍ରଭାବରେ ଆମେ ମଧ୍ୟ ଏହି ମନୋଭାବ ଗ୍ରହଣ କଲୁ ଯେ ଆମେ ଅଲଗା ଦେଖାଯାଉଛୁ, ତେଣୁ ବାସ୍ତବରେ ଆମେ ଏକ ନୁହେଁ, ଅଲଗା। ବିଛିନ୍ନତାବାଦ, ରାଜନୈତିକ ପ୍ରଭୁତ୍ୱର ଲୋଭ ଏବଂ ସ୍ୱାର୍ଥସାଧନର ମିଳିତ ଉନ୍ମାଦରେ ଆମକୁ ଏକ କରି ରଖୁଥିବା ଆଧାରଗୁଡ଼ିକୁ ଆମେ କ୍ରମଶଃ ଅସ୍ୱୀକାର କରିଚାଲିଲୁ। ତୁଷ୍ଟିକରଣର ମାନସିକତା କାରଣରୁ ଆମକୁ ବିଭାଜିତ କରୁଥିବା ଏହି ମାନସିକତାକୁ ଆହୁରି ଅଧିକ ଶକ୍ତି ମିଳିଲା। ଶେଷରେ ଦେଶର ବିଭାଜନ ହେଲା, କିନ୍ତୁ ଯେଉଁ ଶାନ୍ତି ଓ ଅଲଗା ସ୍ୱତନ୍ତ୍ର ଅସ୍ତିତ୍ୱ ସୁଖର ଆଶା ଦେଖାଇ ଏହି ଦୁଷ୍ଟ ବିଭାଜନକାରୀ ଖେଳ ଖେଳାଯାଇଥିଲା, ହେଲେ ସେ ସୁଖ ଓ ଶାନ୍ତି ମିଳିଲା ନାହିଁ। ବରଂ ସୀମାରେ ଏବଂ ଦେଶ ଭିତରେ ସବୁଦିନ ପାଇଁ ଅଶାନ୍ତି, ପରସ୍ପର ଅବିଶ୍ୱାସ, ଅସୁରକ୍ଷା ଓ ଛୋଟ ଛୋଟ କଥାକୁ ନେଇ କଳହ କରିବା ପ୍ରବୃତ୍ତି ଆମେ ଆପଣେଇ ନେଲୁ। ବଙ୍ଗଭଙ୍ଗର ବିଭାଜନକାରୀ ଷଡ଼ଯନ୍ତ୍ରକୁ ପରାସ୍ତ କରିଥିବା ‘ବନ୍ଦେ ମାତରମ୍‌’ ଆଜି ମଧ୍ୟ ସେହି ଏକତାର ପ୍ରେରଣା ଦେବାରେ ଶକ୍ତିଶାଳୀ। ଏହା ଆମର ରାଷ୍ଟ୍ରଗୀତ। ଏହାକୁ ସ୍ୱାଭିମାନର ସହିତ, ଉଚ୍ଚ ସ୍ୱରରେ ଏବଂ ସମ୍ପୂର୍ଣ୍ଣ ଭାବରେ ଗାଇବାରେ କୌଣସି ସଂକୋଚ ବା ବିରୋଧ ରହିବା ଉଚିତ ନୁହେଁ।
ଭାରତ ମାତା ପ୍ରତି ମାତୃଭୂମି ଭାବରେ ଭକ୍ତି, ଆମର ସମାନ ଭାରତୀୟ ପୂର୍ବଜମାନଙ୍କ ଜୀବନ ପ୍ରତି ଗୌରବ ଓ ତାଙ୍କ ଅନୁକରଣ, ଏବଂ ଆମର ସନାତନ ଭାରତୀୟ ସଂସ୍କୃତିର ବିଶ୍ୱମାନବୀୟ ମୂଲ୍ୟବୋଧ ଅନୁଯାୟୀ ନିଜ ଜୀବନକୁ ଗଢ଼ି ତୋଳିବା, ଏହି ତିନିଟି କଥା ଆମ ସମସ୍ତଙ୍କୁ ସର୍ବଦା ଏକ କରି ରଖିଆସିଛି। କୌଣସି ପନ୍ଥ, ପ୍ରାନ୍ତ, ଭାଷା, ଜାତି ଆଦି ବିବିଧତା ନୁହଁନ୍ତି ବରଂ ସେମାନଙ୍କର ଆଧାର ଏଗୁଡ଼ିକର ଉର୍ଦ୍ଧ୍ୱରେ । ଏଗୁଡ଼ିକର ନିତ୍ୟ ଅଭ୍ୟାସ ଦ୍ୱାରା ଏହାକୁ ବୁଝିବା ଏବଂ ସେମାନଙ୍କୁ ମାନସିକ ରୂପରେ ଗ୍ରହଣ କରିବା ଦ୍ୱାରା ପ୍ରତ୍ୟେକଙ୍କ ବିଶିଷ୍ଟତା ଦୃଢ଼ ହେବା ସହ ଆମର ଏକତା ଦୃଢ଼ ହୋଇଥାଏ । ନିଜର ଛୋଟ ଛୋଟ ପରିଚୟ ଉପରେ ବିପଦର ଆଶଙ୍କା ବା ସେଗୁଡ଼ିକର ଅହଂକାରରେ ଭ୍ରମିତ ହୋଇ ଆମର ଏକତାର ଏହି ଆଧାରଗୁଡ଼ିକୁ ଛାଡ଼ି ପୁର୍ନବାର ସେହି ଭୁଲ କରିବା ଉଚିତ ନୁହେଁ।
ନିଜ ନିଜର ଛୋଟ ଅହଂକାର, ନିଜର ତଥା ଅନ୍ୟମାନଙ୍କର ଉପାସନା ସମ୍ପର୍କରେ ପୋଷଣ କରିଥିବା ଭ୍ରମ ଏବଂ ବିବିଧତାକୁ ବିଚ୍ଛିନ୍ନତାବାଦ ଭାବିବାର ପ୍ରବୃତ୍ତି ଆମକୁ ତ୍ୟାଗ କରିବାକୁ ହିଁ ପଡ଼ିବ। ଭାରତପ୍ରତି ଭକ୍ତିଭାବ, ପୂର୍ବଜଙ୍କୁ ନେଇ ଗୌରବ ଏବଂ ଭାରତୀୟ ସଂସ୍କୃତିରେ ଆସ୍ଥା ଆମ ସମସ୍ତଙ୍କୁ ଯୋଡ଼ିଥିବା ଏହି ତ୍ରିସୂତ୍ରକୁ ମନରେ ଗ୍ରହଣ କରି ଦେଶ ପାଇଁ ଜୀଇଁବାର ପଥରେ ଅଗ୍ରସର ହେବାକୁ ପଡ଼ିବ।
ଭାରତର ବୈଶ୍ୱିକ ଦାୟିତ୍ୱ ଓ ଆମର କର୍ତ୍ତବ୍ୟ
ଯେଉଁ ସମସ୍ୟାଗୁଡ଼ିକୁ ନେଇ ଆଜି ବିଶ୍ୱ ପୀଡ଼ିତ ଓ ଆତଙ୍କିତ, ସେଗୁଡ଼ିକର ମୂଳରେ ରହିଛି ଜୀବନଦୃଷ୍ଟିର ଅସମ୍ପୂର୍ଣ୍ଣତା । ଅନ୍ୟଥା ପୁରୁଷାର୍ଥ କ୍ଷେତ୍ରରେ ଅବଶିଷ୍ଟ ବିଶ୍ୱଠାରୁ ଆମେ ମଧ୍ୟ ଅନେକ କିଛି ଶିଖିପାରିବା। ସେହି କଥାଗୁଡ଼ିକ ଶିଖିବା ସହିତ ନିଜ ରାଷ୍ଟ୍ରୀୟତାର ସ୍ପଷ୍ଟ ସ୍ୱରୂପକୁ ବୁଝି ତାହାକୁ ଗ୍ରହଣ କରି,ଏକତା ଓ ଗୁଣବତ୍ତାକୁ ସଂରକ୍ଷିତ ରଖି ଆମକୁ ସଂଗଠିତ ପୁରୁଷାର୍ଥରେ ଲାଗିଯିବାକୁ ହେବ। ଧର୍ମତତ୍ତ୍ୱ ଆଧାରରେ ବିକାଶର ପଥକୁ ସର୍ବାଙ୍ଗ ପରିପୂର୍ଣ୍ଣକରି ସମଗ୍ର ବିଶ୍ୱକୁ ସୁଖ ଓ ଶାନ୍ତିର ନୂଆ ପଥ ଦେଖାଇ ପାରୁଥିବା ଭାରତ ନିର୍ମାଣ କରିବାକୁ ପଡ଼ିବ। ରାଷ୍ଟ୍ରୀୟ ମୂଲ୍ୟବୋଧ ଆଧାରରେ ସମଗ୍ର ବିଶ୍ୱକୁ ନିଜ ଉଦାହରଣ ଦ୍ୱାରା ଏକ ନୂତନ ବିକାଶର ପଥ ଦେବାକୁ ହେବ। ଆମେ ଜୀବନରେ ଯାହାକିଛି କରିବୁ, ଗୁଣବତ୍ତାରେ ତାହା ଉତ୍କୃଷ୍ଟ ହେବ, ସମାଜ ଓ ଦେଶର ସୁରକ୍ଷା, ଏକାତ୍ମତା, ସାମାଜିକ ନ୍ୟାୟ ଓ ପ୍ରଗତି–ପ୍ରତିଷ୍ଠା ପାଇଁ ଉପଯୁକ୍ତ ହେବ ଏହି ସଜାଗତା ଆମକୁ ରଖିବାକୁ ପଡ଼ିବ। ଭାରତର ପରମ ବୈଭବ ଓ ବିଶ୍ୱଗୁରୁ ପଦ ଆମ ପ୍ରତ୍ୟେକଙ୍କ ପୁରୁଷାର୍ଥ ଦ୍ୱାରା ହିଁ ସିଦ୍ଧ ହେବ। ଏଥିପାଇଁ ଅନ୍ୟ କୌଣସି ବିକଳ୍ପ ବା ଭିନ୍ନ ମାର୍ଗ ନାହିଁ। ନିଜର ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଓ ବ୍ୟବସାୟିକ ଜୀବନରେ ପ୍ରତିଦିନ ଛୋଟ ଛୋଟ ସତ୍‌କାର୍ଯ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣି ସାଧାରଣରୁ ସାଧାରଣ ବ୍ୟକ୍ତି ମଧ୍ୟ ନିଜ କର୍ତ୍ତବ୍ୟ ପାଳନ କରିପାରେ। ପଞ୍ଚ ପରିବର୍ତ୍ତନର ପ୍ରୟାସଗୁଡ଼ିକ ଏବଂ ସ୍ୱୟଂସେବକମାନଙ୍କ ଦ୍ୱାରା ଚାଲୁଥିବା କାର୍ଯ୍ୟକଳାପ ଏହି ପଦ୍ଧତିରେ ବ୍ୟକ୍ତିକୁ ଦେଶସେବା ଓ ଦେଶଭକ୍ତି ମାର୍ଗରେ ଆଗକୁ ବଢ଼ାଇଥାଏ। ସଂଘକାର୍ଯ୍ୟର ଶତାବ୍ଦୀ ପୂର୍ତ୍ତିର କାର୍ଯ୍ୟକ୍ରମ ଓ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପରେ ସଂଘ ସମାଜର ଏପରି ସଂଗଠିତ, ପୁରୁଷାର୍ଥୀ ଓ ବିଜୟଶାଳୀ ଶକ୍ତି ଗଢ଼ି ତୋଳିବା ଦିଗରେ ଅଗ୍ରସର ହେବ ।
“ସାଧିବାକୁ ହେବ କେଶବ ଦର୍ଶିତ ଧ୍ୟେୟର ସ୍ୱପ୍ନ,
ଧ୍ୟେୟ ପୂରଣର ହିତେ ସମର୍ପିତ ହେଉ ଆମର ଜନ୍ମ।
ଲକ୍ଷ୍ୟପଥିକ ଅଗଣିତ ପାଦ ଆଗେଇ ଚାଲିବ ଯେବେ
ତୃପ୍ତ ହେବେ ମାଆ ବିଶ୍ୱେ ସମ୍ମାନ ଲଭିବେ ଯେବେ।”
ଭାରତ ମାତା କୀ ଜୟ

Leave a Reply

Your email address will not be published. Required fields are marked *