“ଅଶୋକ ସିଂଘଲ ଜୀ— ଜଣେ କର୍ମଯୋଗୀ’

“ଅଶୋକ ସିଂଘଲ ଜୀ— ଜଣେ କର୍ମଯୋଗୀ’
— ଦତ୍ତାତ୍ରେୟ ହୋସବାଲେ
ସରକାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ଭାରତ ପାଇଁ ଏହା ଯୁଗ-ନିର୍ମାଣର ସମୟ। ସମ୍ପୂର୍ଣ୍ଣ ଦେଶ ଏକ ନୂତନ ଆତ୍ମବିଶ୍ୱାସର ସହ ନୂତନ ଭାରତ ନିର୍ମାଣର ସଂକଳ୍ପ ନେଉଛି । ଭାରତ ଆତ୍ମଗ୍ଲାନିରୁ ବାହାରି ଆତ୍ମଗୌରବ ଆଡ଼କୁ ଅଗ୍ରସର ହେଉଛି ଏବଂ ଏହାର "ସ୍ୱବୋଧ'  ଜାଗ୍ରତ ହେଉଛି। ଏହି ପରିବର୍ତ୍ତନକୁ ଭାରତର ପୁନରୁତ୍ଥାନ କୁହାଯାଇପାରେ । ଯେଉଁ ମହାପୁରୁଷମାନଙ୍କର ଅକ୍ଲାନ୍ତ ପ୍ରଚେଷ୍ଟା ଫଳରେ ଭାରତର ସ୍ୱବୋଧ ଜାଗ୍ରତ ହେଲା ଏବଂ ହିନ୍ଦୁ ସମାଜରେ ଆତ୍ମବିଶ୍ୱାସର ସଞ୍ଚାର ହେଲା, ସେମାନଙ୍କ ମଧ୍ୟରେ ମାନନୀୟ ଅଶୋକ ସିଂଘଲ ଜୀଙ୍କ ନାମ ଆଗ ଧାଡ଼ିରେ ରହେ । ତାଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବା ପାଇଁ ସମାଜ ତାଙ୍କୁ ବିଭିନ୍ନ ନାମରେ ସମ୍ବୋଧିତ କରିଛି— କିଏ ତାଙ୍କୁ "ହିନ୍ଦୁ ହୃଦୟ ସମ୍ରାଟ' ତ କିଏ ‘ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା’, ‘ହିନ୍ଦୁ ପୁନରୁତ୍ଥାନର ନାୟକ’ ତଥା ‘ରାଷ୍ଟ୍ର ଜାଗରଣ ଅଭିଯାନର ସେନାପତି’ ବୋଲି କହୁଛନ୍ତି । କିନ୍ତୁ ଯଦି ଅଶୋକ ଜୀଙ୍କ ବ୍ୟକ୍ତିତ୍ୱର ପରିଚୟ କେବଳ ଗୋଟିଏ ଶବ୍ଦରେ ଦେବାକୁ ହୁଏ, ତାହା ହେଉଛି - କର୍ମଯୋଗୀ ।
ନିଷ୍କାମ ଭାବନାରେ ସେ କର୍ମ କରୁଥିଲେ। କୌଣସି କାର୍ଯ୍ୟରେ ସଫଳତା ମିଳିଲେ ତାହାର ଶ୍ରେୟ ନିଜେ ନ ନେଇ ଈଶ୍ୱରଙ୍କୁ ଠାରେ ତାହା ସମର୍ପଣ କରିଦେଉଥିଲେ ଏବଂ ସଫଳତା ଠାରୁ ମିଳୁଥିବା ପ୍ରସିଦ୍ଧିରୁ ନିଜକୁ ଦୂରେଇ ରଖୁଥିଲେ । ପ୍ରସିଦ୍ଧିର ଶିଖରରେ ପହଞ୍ଚିବା ପରେ ମଧ୍ୟ ସେ କେବେ ପ୍ରସିଦ୍ଧିର କାମନା ରଖି ନଥିଲେ । ତାଙ୍କ ଉପସ୍ଥିତିରେ ଯଦି ତାଙ୍କର ପ୍ରଶଂସା ହେଉଥିଲା ତାହା ତାଙ୍କୁ ଠିକ୍ ଲାଗୁ ନଥିଲା । ମାନ-ଅପମାନ, ଯଶ-ଅପଯଶରୁ ଊର୍ଦ୍ଧ୍ୱକୁ ଉଠି ନିଜ କର୍ତ୍ତବ୍ୟ-ପଥରେ ସମଭାବରେ ନିରନ୍ତର ଚାଲିବା ହିଁ ଜଣେ କର୍ମଯୋଗୀ ତଥା ଜଣେ ସଚ୍ଚା ସ୍ୱୟଂସେବକର ପରିଚୟ । ଏହି ସବୁ ଗୁଣ ଅଶୋକଜୀଙ୍କ ଜୀବନରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା।

ପ୍ରତିଭାର ରାଷ୍ଟ୍ରକାର୍ଯ୍ୟ ପାଇଁ ସମର୍ପଣ
ଅଶୋକଜୀ ବିଲକ୍ଷଣ ପ୍ରତିଭାର ଅଧିକାରୀ ତଥା ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ମେଧାବୀ ଛାତ୍ର ଥିଲେ । କିନ୍ତୁ ତାଙ୍କର ଜ୍ଞାନର ପ୍ରତିଭା ବ୍ୟକ୍ତିଗତ ଜୀବନର ଉନ୍ନତି ପାଇଁ ନଥିଲା, ପରନ୍ତୁ ରାଷ୍ଟ୍ରର ଉତ୍ଥାନ ପାଇଁ ସମର୍ପିତ ଥିଲା । ସେ ଏକ ପ୍ରତିଷ୍ଠିତ ଏବଂ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଭାଇ ଭାରତୀୟ ପୋଲିସ ସେବାରେ କାର୍ଯ୍ୟକରି ଉତ୍ତର ପ୍ରଦେଶର ପୋଲିସ ମହାନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ଏବଂ ତାଙ୍କର ଅନ୍ୟ ଭାଇମାନେ ସଫଳ ବ୍ୟବସାୟୀ ଓ ଶିଳ୍ପପତି ହୋଇ ପାରିଥିଲେ । ସ୍ୱୟଂ ଅଶୋକ ଜୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଧାତୁ ବିଜ୍ଞାନ (ଗରଗ୍ଧବକ୍ଷକ୍ଷଙ୍କକ୍ସଶଚ୍ଚ)ରେ ଇଞ୍ଜିନିୟରିଂ ଶିକ୍ଷା ପ୍ରାପ୍ତ କରିଥିଲେ । ତାଙ୍କ ପାଖରେ ବ୍ୟକ୍ତିଗତ ଜୀବନର ପ୍ରଗତି ପାଇଁ ଅନେକ ସୁଯୋଗ ଥିଲା, କିନ୍ତୁ ସେ ନିଜ ଜୀବନକୁ ରାଷ୍ଟ୍ର ପ୍ରତି ସମ୍ପୂର୍ଣ୍ଣ ରୂପେ ସମର୍ପିତ କରିଦେଇଥିଲେ। ସେ ମୂଳରୁ ଆଧ୍ୟାତ୍ମିକ ବିଚାରର ବ୍ୟକ୍ତି ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ପରି ସେ ମଧ୍ୟ ନିଜ ପାଇଁ କିଛି ପାଇବାର ଆଶା ନରଖି ସମାଜ ଏବଂ ରାଷ୍ଟ୍ର ପାଇଁ ନିଜ ଜୀବନ ସମର୍ପିତ କରିଦେଇଥିଲେ । ତାଙ୍କ ସାଧନାର କେନ୍ଦ୍ର ନିଜ ବଦଳରେ ସମାଜ ଏବଂ ରାଷ୍ଟ୍ର ଥିଲା ।
ସଂଘ ସଂସ୍କାର ଦ୍ୱାରା ନିର୍ମାଣ ହୋଇଥିବା ବ୍ୟକ୍ତିତ୍ୱ
ଅଶୋକଜୀ ଛାତ୍ରଜୀବନରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମ୍ପର୍କରେ ଆସିଥିଲେ । ପ୍ରାରମ୍ଭିକ ଜୀବନରେ ତାଙ୍କୁ ପୂଜନୀୟ ପ୍ରଫେସର ରାଜେନ୍ଦ୍ର ସିଂହ “ରଜ୍ଜୁ ଭୈୟା’ଙ୍କ ମାର୍ଗଦର୍ଶନର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ମାନନୀୟ ଭାଉରାଓ ଦେବରସ ଜଣେ କୁଶଳୀ ଶିଳ୍ପୀ ଭାବରେ ତାଙ୍କ ବ୍ୟକ୍ତିତ୍ୱକୁ ଗଢ଼ିତୋଳିଥିଲେ । ତାଙ୍କୁ ପୂଜନୀୟ ଗୁରୁଜୀଙ୍କ ମାର୍ଗଦର୍ଶନ ମଧ୍ୟ ନିରନ୍ତର ପ୍ରାପ୍ତ ହୋଇଥିଲା।ତାଙ୍କର ସମର୍ପଣଭାବ, କର୍ମଠତା, ଦୃଢ଼ ସଂକଳ୍ପ, ପରିଚାଳନା ଦକ୍ଷତା, ସଂଗଠନ ଦକ୍ଷତା ଏବଂ ଦୂରଦୃଷ୍ଟିରେ ଏହି ମହାପୁରୁଷମାନଙ୍କ ମାର୍ଗଦର୍ଶନର ସ୍ପଷ୍ଟ ଛାପ ଦେଖାଯାଉଥିଲା । ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ ହେବା ମାତ୍ରେ ସେ ସଂଘର ପ୍ରଚାରକ ହୋଇଗଲେ । ତାଙ୍କୁ ଯେଉଁ ଦାୟିତ୍ୱ ବି ମିଳିଲା ସେ ତାହାକୁ ସଂପୂର୍ଣ୍ଣ ନିଷ୍ଠା ଓ ପରିଶ୍ରମର ସହିତ ତୁଲାଇଥିଲେ । ଏପରିି ମନେ ହେଉଥିଲା ଯେମିତି ସେ ସେହି ଦାୟିତ୍ୱ ପାଇଁ ହିଁ ଗଢ଼ା ହୋଇଛନ୍ତି ।
ବିରାଟ ହିନ୍ଦୁ ସମ୍ମିଳନୀ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଦାୟିତ୍ୱ
ଯେତେବେଳେ ସେ ଦିଲ୍ଲୀ ପ୍ରାନ୍ତର ପ୍ରାନ୍ତ ପ୍ରଚାରକ ଥିଲେ (ଯେଉଁଥିରେ ଦିଲ୍ଲୀ ଏବଂ ହରିୟାଣା ଉଭୟ ପ୍ରଦେଶ ସମାହିତ ଥିଲା), ସେତେବେଳେ ମୀନାକ୍ଷୀପୁରମ୍‌ର ଧର୍ମାନ୍ତରଣ ଘଟଣା ସମଗ୍ର ସମାଜକୁ ଚିନ୍ତାରେ ପକାଇଥିଲା । ସେହି ସମୟରେ ହିନ୍ଦୁ ସମାଜର ବ୍ୟାପକ ଜାଗରଣର ଆବଶ୍ୟକତା ଅନୁଭବ କରାଯାଉଥିଲା ।ମାନନୀୟ ଅଶୋକଜୀଙ୍କୁ ଦିଲ୍ଲୀରେ “ବିରାଟ ହିନ୍ଦୁ ସମ୍ମିଳନୀ’ ଆୟୋଜନର ଦାୟିତ୍ୱ ଦିଆଯାଇଥିଲା । ଡକ୍ଟର କର୍ଣ୍ଣ ସିଂହଙ୍କ ସହିତ ସମାଜର ବିଭିନ୍ନ ବର୍ଗକୁ ସାଙ୍ଗରେ ନେଇ ସେ ଏହି ବିରାଟ ହିନ୍ଦୁ ସମ୍ମିଳନୀର ଯୋଜନାକୁ ସଫଳ କରିଥିଲେ । ପୂଜ୍ୟ ସାଧୁସନ୍ଥଙ୍କ ମାର୍ଗଦର୍ଶନରେ ସମାଜର ବିଭିନ୍ନ ବର୍ଗକୁ ଯୋଡ଼ି ଯେଉଁ କୁଶଳତାର ସହିତ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ସେଥିରୁ ଅଶୋକଜୀଙ୍କ ସଂଗଠନ-ଦକ୍ଷତାର ପରିଚୟ ସମଗ୍ର ସମାଜକୁ ମିଳିଥିଲା । ଏହି ଆୟୋଜନ ମାଧ୍ୟମରେ ସମାଜରେ ଧର୍ମାନ୍ତରୀକରଣର ଆହ୍ୱାନ ପ୍ରତି ଦାୟିତ୍ୱ-ବୋଧ ଜାଗ୍ରତ ହୋଇଥିଲା। ଏହା ପରେ ଧାର୍ମିକ ଏବଂ ସାମାଜିକ କ୍ଷେତ୍ରରେ ବ୍ୟାପକ ଜାଗରଣ ପାଇଁ ତାଙ୍କୁ ବିଶ୍ୱ ହିନ୍ଦୁ ପରିଷଦର ଦାୟିତ୍ୱ ମିଳିଥିଲା । ସେ ଏହି ଦାୟିତ୍ୱକୁ ମଧ୍ୟ ସେହି କର୍ମଠତା ଏବଂ ସମର୍ପଣଭାବର ସହିତ ତୁଲାଇଥିଲେ । ସମାଜର ପରିସ୍ଥିତିଗୁଡିକୁ ବୁଝିବା, ସେହି ଅନୁରୂପ ଚିନ୍ତା କରିବା, ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକୁ ତଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଆଦି ତାଙ୍କ କାର୍ଯ୍ୟଶୈଳୀର ବିଶେଷତା ଥିଲା ।
ସମରସ ହିନ୍ଦୁ ସମାଜ ନିର୍ମାଣ କରିବାର ପ୍ରୟାସ
ହିନ୍ଦୁ ସମାଜରେ ବହୁବର୍ଷ ଧରି ଅସ୍ପୃଶ୍ୟତା ଏକ ଗମ୍ଭୀର ସାମାଜିକ ଆହ୍ୱାନ ହୋଇ ରହିଥିଲା । ଅସ୍ପୃଶ୍ୟତା ଦୂର ନ ହେବା ପର୍ଯ୍ୟନ୍ତ ସମରସ ସମାଜର କଳ୍ପନା ପୂର୍ଣ୍ଣ ହୋଇପାରିବ ନାହିଁ । ଅଶୋକଜୀ ଏହି ବିଷୟକୁ କେବଳ ସାମୂହିକ ଭୋଜନ କିମ୍ବା ପ୍ରତୀକାତ୍ମକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ରଖିନଥିଲେ । ସେ ପୂଜନୀୟ ସନ୍ଥମାନଙ୍କୁ ହିନ୍ଦୁ ସମାଜକୁ ଏହି ବାର୍ତ୍ତା ଦେବା ପାଇଁ ଅନୁରୋଧ କରିଥିଲେ ଯେ, ଅସ୍ପୃଶ୍ୟତା ହିନ୍ଦୁ ଧର୍ମର ମୂଳ ଆଦର୍ଶ ଅନୁରୂପ ନୁହେଁ । ତାହାପରେ ସନ୍ଥମାନେ ଅନୁସୂଚିତ ସମାଜର ବସ୍ତିକୁ ଯିବା ଆରମ୍ଭ କଲେ । ଏହି ବିଷୟରେ ଅଧ୍ୟୟନ ଏବଂ ବିଚାର ବିମର୍ଶକୁ ମଧ୍ୟ ଆଗକୁ ବଢ଼ାଗଲା । ୯ ନଭେମ୍ବର ୧୯୮୯ରେ ଅଯୋଧ୍ୟାରେ ରାମ ଜନ୍ମଭୂମି ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନୁସୂଚିତ ସମାଜର ଶ୍ରୀ କାମେଶ୍ୱର ଚୌପାଲଙ୍କ ଭୂମିକା ଏହି ବ୍ୟାପକ ସାମାଜିକ ସମରସତାର ସନ୍ଦେଶ ସହିତ ଯୋଡ଼ିହୋଇ ଥିଲା । ସେଠାରେ ଅନେକ ପୂଜ୍ୟ ସନ୍ଥ ଏବଂ ଧର୍ମାଚାର୍ଯ୍ୟ ଉପସ୍ଥିତ ଥିଲେ । ସେହିପରି ବାରାଣସୀରେ ଡୋମ୍ ରାଜାଙ୍କ ଘରେ ପୂଜ୍ୟ ସନ୍ଥମାନେ ଭୋଜନ କରିବା ମଧ୍ୟ ସାମାଜିକ ସମରସତା ସନ୍ଦେଶର ଏକ ମହତ୍ତ୍ୱପୂର୍ଣ୍ଣ ଉଦାହରଣ ପାଲଟିଥିଲା । ଏହି ପ୍ରୟାସଗୁଡ଼ିକ ଦ୍ୱାରା ସମାଜରେ ଏଭଳି ବିଶ୍ୱାସ ଦୃଢୀଭୂତ ହେଲା ଯେ ସାମାଜିକ ଭେଦଭାବ ସମାପ୍ତ କରି ସମରସ ହିନ୍ଦୁ ସମାଜର ନିର୍ମାଣ କରାଯାଇପାରେ।
ରାମ ଜନ୍ମଭୂମି ଆନ୍ଦୋଳନ ଏବଂ ଅଶୋକଜୀ
ରାମ ଜନ୍ମଭୂମି ଆନ୍ଦୋଳନ ଆଧୁନିକ ଭାରତର ସବୁଠାରୁ ବ୍ୟାପକ ସାମାଜିକ-ଧାର୍ମିକ ଆନ୍ଦୋଳନଗୁଡ଼ିକ ମଧ୍ୟରୁ ଅନ୍ୟତମ ଥିଲା । ୧୯୮୦ ଦଶକରୁ ନେଇ ୨୦୧୯ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଏବଂ ତା’ପରେ ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ଏହାର ଅନେକ ମହତ୍ତ୍ୱପୂର୍ଣ୍ଣ ପର୍ଯ୍ୟାୟ ରହିଥିଲା । ରାମ-ଜାନକୀ ରଥଯାତ୍ରା, ଶିଳା-ପୂଜନ, ଚରଣ-ପାଦୁକା ପୂଜନ, ରାମଜ୍ୟୋତି ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜନଜାଗରଣ ହୋଇଥିଲା । ଏହି ସମଗ୍ର ଆନ୍ଦୋଳନରେ ଅଶୋକ ଜୀଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ୧୯୯୦ର କରସେବା ସମୟରେ ସୃଷ୍ଟି ହୋଇଥିବା ଅନେକ ପରିସ୍ଥିତି ତଥା ବହୁ କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ଆନ୍ଦୋଳନକୁ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇଥିଲା । କଠିନ ପରିସ୍ଥିତି ସମୟରେ ମଧ୍ୟ ଅଶୋକଜୀଙ୍କ ଦୃଢ଼ ବିଶ୍ୱାସ କାର୍ଯ୍ୟକର୍ତ୍ତାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିଥିଲା । ତାଙ୍କର ବିଶ୍ୱାସ ଥିଲା—“ଏହା ପ୍ରଭୁ ରାମଚନ୍ଦ୍ରଙ୍କର କାର୍ଯ୍ୟ, ପ୍ରଭୁ ରାମ ଏହି କାର୍ଯ୍ୟକୁ ନିଶ୍ଚୟ ପୂରଣ କରିବେ।”ମନ୍ଦିର ନିର୍ମାଣ କାର୍ଯ୍ୟ ତାଙ୍କ ଜୀବନକାଳ ମଧ୍ୟରେ ସଂପୂର୍ଣ୍ଣ ହୋଇ ନଥିଲା, ଯେଉଁ ଆନ୍ଦୋଳନକୁ ସେ ଦଶନ୍ଧି ଦଶନ୍ଧି ଧରି ମାର୍ଗଦର୍ଶନ, ସଂଗଠନ ନିମିତ୍ତ ଶକ୍ତି ପ୍ରଦାନ କରିଥିଲେ, ତାହାର ପରିଣାମ ତାଙ୍କ ଦେହାନ୍ତ ପରେ ସାକାର ହେଲା । ୯ ନଭେମ୍ବର ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ ହେଲା, ୫ ଅଗଷ୍ଟ ୨୦୨୦ରେ ଭୂମିପୂଜନ ହୋଇ ୨୨ ଜାନୁଆରୀ ୨୦୨୪ରେ ଶ୍ରୀରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା ଏବଂ ଆଜି ସେଠାରେ ଭବ୍ୟ ମନ୍ଦିରର ନିର୍ମାଣ ସମ୍ପନ୍ନ ହୋଇସାରିଛି ।
କେବଳ ରାମ ଜନ୍ମଭୂମି ମଧ୍ୟରେ ସୀମିତ ନଥିଲେ
ଅଶୋକଜୀଙ୍କ ପରିଚୟ ରାମ ଜନ୍ମଭୂମି ଆନ୍ଦୋଳନର ପ୍ରମୁଖ ନେତୃତ୍ୱକର୍ତ୍ତା ଭାବେ ସ୍ଥାନ ପାଇଥିଲା, କିନ୍ତୁ ତାଙ୍କ କାର୍ଯ୍ୟକ୍ଷେତ୍ରର ପରିସର ଏହାଠାରୁ ଯଥେଷ୍ଟ ବ୍ୟାପକ ଥିଲା। ରାମସେତୁର ସୁରକ୍ଷା, ଅମରନାଥ ଯାତ୍ରା, ଗୋ-ଗବେଷଣା ଓ ଗୋବଂଶ ସଂବର୍ଦ୍ଧନ, ସାମାଜିକ ସମରସତା, ବୁଦ୍ଧିଜୀବୀମାନଙ୍କୁ ହିନ୍ଦୁ ବିଚାର ସହିତ ଯୋଡ଼ିବା ତଥା ବିଭିନ୍ନ ସାମାଜିକ ଏବଂ ରାଷ୍ଟ୍ରୀୟ ବିଷୟରେ ଜନଜାଗରଣ କରିବା ଆଦି କ୍ଷେତ୍ରରେ ତାଙ୍କର ପଦକ୍ଷେପ ଏବଂ ମାର୍ଗଦର୍ଶନ ଉଲ୍ଲେଖନୀୟ । ସେ ଧାତୁ ବିଜ୍ଞାନ (ଗରଗ୍ଧବକ୍ଷକ୍ଷଙ୍କକ୍ସଶଚ୍ଚ)ର ବୈଜ୍ଞାନିକ ଥାଇ ମଧ୍ୟ ସମାଜର ପ୍ରକୃତି, ସାମର୍ଥ୍ୟ ଏବଂ ଏହାର ଆହ୍ୱାନଗୁଡ଼ିକୁ ବୁଝିବାରେ ତାଙ୍କର ଦୃଷ୍ଟିଭଙ୍ଗୀ ମଧ୍ୟ ଅତ୍ୟନ୍ତ ଗଭୀର ଥିଲା । ତାଙ୍କ କାର୍ଯ୍ୟଶୈଳୀରେ ବୈଜ୍ଞାନିକ ଦୃଷ୍ଟିକୋଣ, ସଂଗଠନ କୌଶଳ, ଆଧ୍ୟାତ୍ମିକ ଭାବ ପ୍ରତି ଆସ୍ଥା ଏବଂ ରାଷ୍ଟ୍ରଭକ୍ତିର ଅଭୂତପୂର୍ବ ସମନ୍ୱୟ ଦେଖାଯାଉଥିଲା ।
ଯୁଗଦ୍ରଷ୍ଟା କର୍ମଯୋଗୀ
ଅଶୋକଜୀଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ବିଶେଷତା ଏହା ଥିଲା ଯେ ସେ କୌଣସି କାର୍ଯ୍ୟର ସଫଳତା ପରେ ଅଟକି ଯାଉ ନଥିଲେ । ଗୋଟିଏ ଲକ୍ଷ୍ୟ ପ୍ରାପ୍ତ ହେବା ମାତ୍ରେ ସେ ପରବର୍ତ୍ତୀ ଲକ୍ଷ୍ୟ ଆଡ଼କୁ ଆଗେଇ ଯାଉଥିଲେ । ସେ ସମାଜ ସମ୍ମୁଖରେ ଆସୁଥିବା ପ୍ରତ୍ୟେକ ଆହ୍ୱାନକୁ ସ୍ୱୀକାର କରୁଥିଲେ ଏବଂ ତାହାର ସମାଧାନ ପାଇଁ ସମାଜକୁ ସଂଗଠିତ କରିବାରେ ଲାଗିପଡ଼ୁଥିଲେ । ତାଙ୍କ ପାଇଁ ସଂଗଠନ ସାଧନ ଥିଲା, ସମାଜ ସାଧ୍ୟ ଥିଲା ଏବଂ ରାଷ୍ଟ୍ରସେବା ଜୀବନର ଉଦ୍ଦେଶ୍ୟ ଥିଲା । ସେ ନିଜ ବ୍ୟକ୍ତିଗତ ଜୀବନର ସମ୍ଭାବନାଗୁଡ଼ିକୁ ତ୍ୟାଗ କରି ରାଷ୍ଟ୍ରକାର୍ଯ୍ୟକୁ ବାଛିଥିଲେ । ସେ ପ୍ରସିଦ୍ଧି ପାଇଥିଲେ, କିନ୍ତୁ ପ୍ରସିଦ୍ଧିଠାରୁ ନିଜକୁ ଅଲଗା ରଖିଥିଲେ । ସେ ନେତୃତ୍ୱ ନେଉଥିଲେ, କିନ୍ତୁ ଶ୍ରେୟ ନିଜେ ନେବାର ଆଶା ରଖିନଥିଲେ । ତାଙ୍କର ସଂଘର୍ଷ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନଥିଲା । ଏହି କାରଣରୁ ଅଶୋକ ସିଂଘଲ ଜୀଙ୍କ ଜୀବନ କେବଳ ଜଣେ ବ୍ୟକ୍ତିର ଜୀବନ ନୁହେଁ, ବରଂ ସମର୍ପଣ, ସାଧନା, ସଂଗଠନ ତଥା କର୍ମଯୋଗୀର ଏକ ପ୍ରେରଣାଦାୟୀ ଅଧ୍ୟାୟ ଅଟେ । ଭାରତର ବର୍ତ୍ତମାନର ପୁନରୁତ୍ଥାନରେ ଯେଉଁ ମହାପୁରୁଷମାନଙ୍କର ତପସ୍ୟା, ତ୍ୟାଗ ଏବଂ ପୁରୁଷାର୍ଥର ଯୋଗଦାନ ରହିଛି, ଅଶୋକଜୀ ସେମାନଙ୍କ ମଧ୍ୟରେ ଅଗ୍ରଣୀ । ସେ ହିନ୍ଦୁ ସମାଜରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ସାମାଜିକ ସମରସତା ଭାବନାକୁ ଆଗକୁ ବଢ଼ାଇବା ଏବଂ ରାଷ୍ଟ୍ରଚେତନାକୁ ସୁଦୃଢ଼ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଜୀବନ ଅର୍ପଣ କରିଦେଇଥିଲେ । ତେଣୁ ତାଙ୍କୁ କେବଳ ରାମ ଜନ୍ମଭୂମି ଆନ୍ଦୋଳନର ମହାନାୟକ ଭାବରେ ଦେଖିବା ଦ୍ୱାରା ତାଙ୍କ ବିରାଟ ବ୍ୟକ୍ତିତ୍ୱ ସୀମିତ ହୋଇଯିବ । ସେ ବାସ୍ତବରେ ଜଣେ କର୍ମଯୋଗୀ ଥିଲେ ଏପରି ଜଣେ କର୍ମଯୋଗୀ, ଯାହାଙ୍କ ଜୀବନ ଆଗାମୀ ପୀଢ଼ିକୁ ନିରନ୍ତର ପ୍ରେରଣା ଦେଉଥିବ ।

-୦୦୦-

Leave a Reply

Your email address will not be published. Required fields are marked *