ଆଜିର ବାର୍ତ୍ତା

ଆଜିର ବାର୍ତ୍ତା

ବିଶ୍ୱକର୍ମା ପୂଜା ହେଉଛି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ଏକ ପବିତ୍ର ଜୟନ୍ତୀ ଏବଂ ପୂଜାନୁଷ୍ଠାନ, ଯାହା ପ୍ରତିବର୍ଷ ଭାଦ୍ରବ ମାସର ସଂକ୍ରାନ୍ତି ବା କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଏ।

ଭଗବାନ ବିଶ୍ୱକର୍ମାଙ୍କୁ ସୃଷ୍ଟି ଓ ନିର୍ମାଣର ଦେବତା ଭାବେ ପୂଜା କରାଯାଏ। ଏହି ଦିନ କାରଖାନା, ଅଫିସ, କାର୍ଯ୍ୟାଳୟ ଏବଂ ବିଭିନ୍ନ ଶିଳ୍ପାଞ୍ଚଳରେ ଯନ୍ତ୍ରପାତି, ଗାଡ଼ିମୋଟର ଓ କାରିଗରୀ ସରଞ୍ଜାମକୁ ଭକ୍ତିର ସହ ପୂଜା କରାଯାଏ।

ଏହି ପର୍ବ ଶ୍ରମିକ, କାରିଗର ଏବଂ ଇଞ୍ଜିନିୟରମାନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ପାଇଁ ଉଦ୍ଦିଷ୍ଟ। ଭଗବାନ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ଆପଣଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ସର୍ବଦା ବଜାୟ ରହୁ। ଆପଣଙ୍କ ସମସ୍ତ କାର୍ଯ୍ୟ ଶୁଭ ଓ ସଫଳ ହେଉ, ପରିବାରରେ ଖୁସି ଓ ମଙ୍ଗଳ ଭରି ରହୁ।

ପ୍ରତି ଯୁଗର ଶେଷ ସମୟରେ, ପରମାତ୍ମା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ସୃଷ୍ଟିର ପୁନଃନିର୍ମାଣ ବା ନବୀକରଣ କରନ୍ତି। ବର୍ତ୍ତମାନର ଜଡ଼ବାଦୀ ସଂସାରରେ କେବଳ ଭୌତିକ ସାଧନ ସାମଗ୍ରୀ କିମ୍ବା ବୈପ୍ଳବିକ ଉଦ୍ଭାବନ ଅପେକ୍ଷା ଆଧ୍ୟାତ୍ମିକ ଚରିତ୍ର ନିର୍ମାଣ, ଦୈବୀ ସଂସ୍କାର ଓ ସତ୍ୟଯୁଗୀ ଦୈବୀ ସଂସାରର ନିର୍ମାଣ ଅତ୍ୟନ୍ତ ଆବଶ୍ୟକ।

ଏହି ଅଦ୍ୱିତୀୟ ଓ ମହାନ କର୍ତ୍ତବ୍ୟକୁ ବର୍ତ୍ତମାନ ସ୍ୱୟଂ ପରମପିତା ପରମାତ୍ମା ନିରାକାର ଜ୍ୟୋତିର୍ବିନ୍ଦୁ ଶିବ, ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ପ୍ରତ୍ୟକ୍ଷ ରୂପେ ସମ୍ପାଦନ କରୁଛନ୍ତି। ପ୍ରଜାପିତା ବ୍ରହ୍ମା ହିଁ ପ୍ରକୃତ ସଂକଳ୍ପ-ସ୍ରଷ୍ଟା “ବିଶ୍ୱକର୍ମା” ରୂପେ ନିଜ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ସୁବର୍ଣ୍ଣ ଯୁଗର ପୁନଃ ପ୍ରତିଷ୍ଠା କରୁଛନ୍ତି।

ଆମେ ସମସ୍ତେ ସେହି ପରମାତ୍ମାଙ୍କର ତଥା ପ୍ରଜାପିତା ବ୍ରହ୍ମା (ବିଶ୍ୱକର୍ମା)ଙ୍କର ଆଧ୍ୟାତ୍ମିକ ସନ୍ତାନ। ତେଣୁ ଏହି ନବସୃଷ୍ଟି ନିର୍ମାଣର ପବିତ୍ର କାର୍ଯ୍ୟରେ ଆମେ ମଧ୍ୟ ସହଯୋଗୀ। ଆସନ୍ତୁ, ଚଳିତ ବିଶ୍ୱକର୍ମା ପୂଜାରେ କେବଳ ଫୁଲ-ଧୂପର ଆରତି କିମ୍ବା ପ୍ରସାଦ ବଣ୍ଟନରେ ସୀମିତ ନରହି, ନିଜ ଅନ୍ତରରେ ଦୈବୀ ସଂସ୍କାର ଧାରଣ କରି ଏକ ଶ୍ରେଷ୍ଠ ଦୈବୀ ସଂସାର ଗଠନରେ ନିଜର ମହତ୍ ଯୋଗଦାନ ଦେବା।

Leave a Reply

Your email address will not be published. Required fields are marked *