ସାଲେପୁର: ଗତ ୪ ଦିନ ହେଲା ଗାଁର ଆଦରର ଷଣ୍ଢ ‘ନଦୁବାବା’ଙ୍କ ଦେଖା ମିଳୁନାହିଁ। ତାଙ୍କୁ ଖୋଜି ଆଣିବା ଦାବିରେ କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଦହପଡ଼ା ଗ୍ରାମବାସୀ ସ୍ଥାନୀୟ ମଙ୍ଗଳା ମନ୍ଦିର ସମ୍ମୁଖରେ ଧାରଣା ଦେଇଛନ୍ତି। ଏଥିସହ ନଦୁବାବାଙ୍କୁ କେହି ଅପହରଣ କରିଥିବା ସନ୍ଦେହରେ ସାଲେପୁର ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି।
ଦହପଡ଼ା ଗ୍ରାମରେ ଏକ ଛୋଟ ବୁଲା ଷଣ୍ଢ ପ୍ରତି ଗ୍ରାମବାସୀଙ୍କ ଏଭଳି ଭଲପାଇବା ଦେଖିବାକୁ ମିଳିଛି। ଦୀର୍ଘଦିନ ଧରି ଗ୍ରାମବାସୀ ଷଣ୍ଢଟିକୁ ସ୍ନେହରେ ‘ନଦୁବାବା’ ବୋଲି ଡାକୁଥିଲେ। ପୂଜାପର୍ବରେ ତାଙ୍କର ପୂଜାର୍ଚ୍ଚନା କରିବା ସହ ପ୍ରତି ଘରେ ତାଙ୍କୁ ଖାଇବାକୁ ଦେଉଥିଲେ। ମହାଦେବଙ୍କ ପରମ ଭକ୍ତ ଭାବେ ମଧ୍ୟ ଗ୍ରାମବାସୀ ତାଙ୍କୁ ମାନି ଆସୁଥିଲେ।
ତେବେ ଗତ ୪ ଦିନ ହେଲା ନଦୁବାବାଙ୍କୁ ନ ଦେଖି ଗାଁର କୁନି ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। ଆଖପାଖ ଗାଁ, ବଜାର ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଷଣ୍ଢର କୌଣସି ସନ୍ଧାନ ମିଳିନାହିଁ। ଶେଷରେ ନଦୁବାବାଙ୍କୁ ଖୋଜି ତୁରନ୍ତ ଫେରାଇ ଆଣିବା ଦାବିରେ ବ୍ୟାନର ଲଗାଇ ଗ୍ରାମବାସୀ ମଙ୍ଗଳା ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି।
ଗୋଟିଏ ବୁଲା ଷଣ୍ଢ ପାଇଁ ଗ୍ରାମବାସୀଙ୍କ ଏଭଳି ଭଲପାଇବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।