ଭୁବନେଶ୍ୱର: ବାହାର ରାଜ୍ୟରେ ଅସୁରକ୍ଷିତ ଭାବେ ରହୁଥିବା ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଦ୍ଧାର କରିବା ଏବଂ ଆଇନ ଅନୁଯାୟୀ ଆବଶ୍ୟକ ସୁରକ୍ଷା ଓ ପୁନର୍ବାସ ବ୍ୟବସ୍ଥା ସହ ସେମାନଙ୍କୁ ନିଜ ପରିବାର ଓ ରାଜ୍ୟକୁ ଫେରାଇ ଆଣିବାକୁ ଅପରେସନ୍ ‘ଅନ୍ୱେଷଣ’ର ମୁଖ୍ୟ ଲକ୍ଷ୍ୟ ବୋଲି ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀମତୀ ଏସ୍ ସାଇନି କହିଛନ୍ତି।
ବାହାର ରାଜ୍ୟରେ ନିଖୋଜ, ଶିଶୁ ଶ୍ରମରେ ନିୟୋଜିତ କିମ୍ବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ଫସି ରହିଥିବା ଓଡ଼ିଆ ଶିଶୁଙ୍କୁ ଚିହ୍ନଟ, ଉଦ୍ଧାର ଓ ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’ରେ ବଡ଼ ସଫଳତା ମିଳିଛି। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ସହଯୋଗରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିଥିଲା। ୧୭ଟି ରାଜ୍ୟରୁ ମୋଟ ୧୦୧ ଜଣ ଓଡ଼ିଆ ଶିଶୁଙ୍କୁ ଚିହ୍ନଟ କରି ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଶିଶୁଙ୍କ ମଧ୍ୟରେ ୫୪ ଜଣ ବାଳକ ଥିବାବେଳେ ୪୭ ଜଣ ବାଳିକା ରହିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀମତୀ ଏସ୍ ସାଇନି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଓଡ଼ିଶା ପୋଲିସର ଡିଏସ୍ପି ପାହ୍ୟାର ଅଧିକାରୀ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଲିଗାଲ୍ କମ୍ ପ୍ରୋବେସନ୍ ଅଫିସରମାନଙ୍କୁ ନେଇ ଗଠିତ ୧୭ଟି ଟିମ୍ ୧୭ଟି ରାଜ୍ୟରେ ଏହି ଅଭିଯାନ ଚଳାଇଥିଲେ। ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ବିହାର, ଝାଡ଼ଖଣ୍ଡ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ନୂଆଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ ଓ କେରଳରେ ଏହି ଅଭିଯାନ ଚାଲିଥିଲା।ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ ଶିଶୁ ଉଦ୍ଧାର କରାଯାଇଥିବାବେଳେ କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡରୁ ୧୦ ଓ ତାମିଲନାଡୁରୁ ୧୦ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।