କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳନ କରାଯାଇଛି। ଏହି ଅବସରରେ ତୁଳସୀକ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜିଉଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବା ସହିତ ଚିତଉ ପିଠା ଭୋଗଲାଗି ହୋଇଥିଲା। ସ୍ଵର୍ଣ୍ଣକାର ସେବକଙ୍କ ଦ୍ଵାରା ଭଣ୍ଡାରଗୃହରୁ ସୁପର୍ଭାଇଜର୍ ଭଣ୍ଡାର ମୋହରିରଙ୍କ ଉପସ୍ଥିତିରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାରମାନ ବାହାର କରାଯାଇ ସ୍ଵର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡ଼ା ପୁଲିସ ସୁରକ୍ଷା ବଳୟରେ
ସ୍ଵର୍ଣ୍ଣକାର ସେବକ ମନ୍ଦିର କାର୍ଯ୍ୟାଳୟକୁ ଏହାକୁ ନେଇଥିଲେ। କାର୍ଯ୍ୟାଳୟରେ ସଫେଇକାର୍ଯ୍ୟ ସମ୍ପନ୍ନ କରାଯିବା ପରେ ମନ୍ଦିର ଭଣ୍ଡାର ମୋହରିରଙ୍କୁ ଏହା ହସ୍ତାନ୍ତର କରାଯାଇଥିଲା। ସକାଳ ଧୂପ ସମ୍ପନ୍ନ ପରେ ରାଜପୁରୋହିତଙ୍କ ଦ୍ଵାରା ଶୁକ୍ଳ ଲୁଗା ଅଭିମନ୍ତ୍ରିତ କରାଯାଇ ପୂଜାପଣ୍ଡା
ସେବାୟତଙ୍କଦ୍ଵାରା ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣଚିତା ଲଗାଯାଇ ରାଜାଧିରାଜ ବେଶ କରାଯାଇଥିଲା। ବେଶ ସମ୍ପନ୍ନ ପରେ ମଙ୍ଗଳାର୍ପଣ କରାଯାଇଥିଲା। ପରେ ସୁଆର ସେବାୟତଙ୍କ ଦ୍ବାରା ରୋଷଘରେ ପ୍ରସ୍ତୁତ ଅମଣିଆ ଚିତଉ ପିଠା ଓ ଖିରିକୁ ରୌପ୍ୟ ପାତ୍ରରେ ବଢ଼ାଯାଇ ଶ୍ରୀଜିଉଙ୍କ ଛାମୁରେ ରଖାଯାଇ ପୂଜାପଣ୍ଡାଙ୍କ ଦ୍ଵାରା ଭୋଗଲାଗି ହୋଇଥିଲା। ପରେ ଏହା ପାର୍ଶ୍ଵ ଦେବତାଙ୍କୁ ଅର୍ପଣ କରାଯାଇଥିଲା । ଏହି ଚିତାଲାଗି ପର୍ବ କେବଳ ମନ୍ଦିର ନୁହେଁ ମଠ ଏବଂ ଗୃହରେ ମଧ୍ୟ
ପାଳନ କରାଯାଇଥାଏ ।
ଓଡ଼ିଆ ସଂସ୍କୃତି କୁହେ, ଚିତାଲାଗି ପର୍ବ ଏକ କୃଷିଭିତ୍ତିକ ପର୍ବ କୃଷି ଓ କୃଷକର ଦେବତା ପ୍ରଭୁ ଶ୍ରୀବଳଦେବଜିଉ। ଶ୍ରାବଣ ମାସ ହେଉଛି ବର୍ଷାର ମାସ। ଏହି ମାସରେ ନଦୀ, ପୋଖରୀ, ନାଳ ଓ ବିଲରେ ପାଣି ଭର୍ତ୍ତି ହୋଇରହିଥାଏ ସେହି ସମୟରେ ଜଳଚର ପ୍ରାଣୀଙ୍କ ସଂଖ୍ୟା ବଢ଼ି ଯାଇଥାଏ। ଏମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୃହରେ ମହିଳାମାନେ ଚିତଉ ପିଠା ପ୍ରସ୍ତୁତ କରି ଗୃହ ଦେବତାଙ୍କୁ ଭୋଗ ଲଗାଇ କିଛି ପିଠା ନଦୀ, ନାଳ, ପୋଖରୀ ଓ ବିଲରେ ପକାଯିବାର ପରମ୍ପରା ରହିଛି ।