ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ପାଣିଗ୍ରାହୀଙ୍କ ସ୍ମୃତିରେ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଗରିମାମୟ ପରିବେଶରେ ସମ୍ପନ୍ନ

ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ପାଣିଗ୍ରାହୀଙ୍କ ସ୍ମୃତିରେ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଗରିମାମୟ ପରିବେଶରେ ସମ୍ପନ୍ନ

ମୁମ୍ବାଇ:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ସ୍ୱୟଂସେବକ, ପାର୍ଲେ ବିଭାଗର ପୂର୍ବତନ ବିଭାଗ କାର୍ଯ୍ୟବାହ, ଉତ୍କଳ ଜାଗୃତି ସେବା ସଂଘ (UJSS), ମୁମ୍ବାଇର ପ୍ରତିଷ୍ଠାତା ଟ୍ରଷ୍ଟି ଏବଂ ଶ୍ରୀଜଗନ୍ନାଥ ସେବା ମଣ୍ଡଳ, ସାକୀନାକାର ପୂର୍ବତନ ସଂଯୋଜକ ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ପାଣିଗ୍ରାହୀଙ୍କ ପବିତ୍ର ସ୍ମୃତିରେ ଅଗଷ୍ଟ ୨ ତାରିଖ ଦିନ ସାକୀନାକାସ୍ଥିତ କିଶୋର ବାଗ ହଲ୍‌ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଭାବଗମ୍ଭୀର, ସୁଶୃଙ୍ଖଳ ଓ ଗରିମାମୟ ପରିବେଶରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ପାଣିଗ୍ରାହୀ ୨୬ ଜୁନ ୧୯୭୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗତ ୩୧ ଜୁଲାଇ ୨୦୨୬ରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ଓଡିଶାରେ ମଧ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି ।

ଏହି ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତ ପାଣିଗ୍ରାହୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ଶ୍ରୀମଦ୍‌ଭଗବଦ୍‌ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ, ପୁଷ୍ପାଞ୍ଜଳି ଓ ସାମୂହିକ ପ୍ରାର୍ଥନାରୁ ହୋଇଥିଲା। ପରବର୍ତ୍ତୀ ସମୟରେ ବକ୍ତାମାନେ ସ୍ୱର୍ଗତ ପାଣିଗ୍ରାହୀଙ୍କ ରାଷ୍ଟ୍ରଭକ୍ତି, ସଂଗଠନ ନିଷ୍ଠା, ସମାଜସେବା, ନିଷ୍କାମ କର୍ମଯୋଗ ଏବଂ ଆଦର୍ଶ ଜୀବନଧାରାକୁ ସ୍ମରଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପ୍ରାୟ ୩୦୦ରୁ ଅଧିକ ସ୍ୱୟଂସେବକ, ସମାଜବନ୍ଧୁ, ମୁମ୍ବାଇର ବିଭିନ୍ନ ଅଞ୍ଚଳର ଓଡ଼ିଆ ସମାଜର ସଦସ୍ୟ, ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସେବାମୂଳକ ସଂଗଠନର ପ୍ରତିନିଧିଙ୍କ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ, ଜିଲ୍ଲା, ବିଭାଗ ଓ ନଗର ସ୍ତରର ବରିଷ୍ଠ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବିଧାୟକ ଓ ନଗରସେବକ ଏହି ସଭାରେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ବକ୍ତାମାନେ ସ୍ୱର୍ଗତ ଶ୍ରୀ ପାଣିଗ୍ରାହୀଙ୍କ ରାଷ୍ଟ୍ରସେବା, ସଂଗଠନ ଗଠନ, ସମାଜକଲ୍ୟାଣ ଏବଂ ପ୍ରବାସୀ ଓଡ଼ିଆ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବାରେ ତାଙ୍କର ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। ତାଙ୍କ ସମର୍ପିତ ଜୀବନ, ସରଳ ବ୍ୟକ୍ତିତ୍ୱ ଓ ସେବାଭାବ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ।
ସଭାର ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଚରଣରେ ଦିବଙ୍ଗତ ପୁଣ୍ୟାତ୍ମାଙ୍କ ସଦ୍‌ଗତି କାମନା କରାଯିବା ସହିତ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଶକ୍ତି, ଧୈର୍ଯ୍ୟ ଓ ସାହସ ପ୍ରଦାନ ନିମନ୍ତେ ସାମୂହିକ ପ୍ରାର୍ଥନା କରାଯାଇଥିଲା।

ଉତ୍କଳ ଜାଗୃତି ସେବା ସଂଘ (UJSS), ମୁମ୍ବାଇ ଓ ଶ୍ରୀଜଗନ୍ନାଥ ସେବା ମଣ୍ଡଳର ମିଳିତ ଉଦ୍ୟମରେ ସମଗ୍ର ମୁମ୍ବାଇର ପ୍ରବାସୀ ଓଡ଼ିଆ ସମାଜ ଏବଂ ବିଭିନ୍ନ ଓଡ଼ିଆ ସାମାଜିକ, ସାଂସ୍କୃତିକ ଓ ସେବାମୂଳକ ସଂଗଠନଙ୍କ ସକ୍ରିୟ ସହଯୋଗରେ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ସମଗ୍ର ଓଡ଼ିଆ ସମାଜର ଏହି ସାମୂହିକ ଉପସ୍ଥିତି ସ୍ୱର୍ଗତ ଶ୍ରୀ ରାଧାଶ୍ୟାମ ପାଣିଗ୍ରାହୀଙ୍କ ପ୍ରତି ଥିବା ଗଭୀର ସମ୍ମାନ, ସ୍ନେହ ଓ କୃତଜ୍ଞତାର ଏକ ଉଜ୍ଜ୍ୱଳ ପ୍ରତୀକ ହୋଇ ରହିଲା।

Leave a Reply

Your email address will not be published. Required fields are marked *