ବର୍ଦ୍ଧିତ ବେତନ, ସ୍ଥାୟୀ ଅବସର ଭତ୍ତା ଆଦି ଏକାଧିକ ଦାବି ନେଇ ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ମାଲକାନଗିରି- ବର୍ଦ୍ଧିତ ବେତନ, ସ୍ଥାୟୀ ଅବସର ଭତ୍ତା ଆଦି ଏକାଧିକ ଦାବି ନେଇ ଜୁଲାଇ 8 ତାରିଖ ଦିନ ଭାରତୀୟ ମଜଦୁର ସଂଘ ସଂଲଗ୍ନ ଆଶାକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ପୂର୍ବାହ୍‌ଣରେ ଶତାଧିକ ଆଶାକର୍ମୀ ପ୍ରଥମେ ସିଡିଏମଓ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ।  ସିଡିଏମଓଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହାପରେ ଏକ ପଦଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଥିଲେ। 

ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ଥ କାର୍ଯ୍ୟରତ ସମସ୍ତ ଆଶାକର୍ମୀଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉ। ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ବେତନ, ପ୍ରତି ମାସର ୧୦ ତାରିଖ ଦିନ ବେତନ ପ୍ରଦାନ କରିବା, ଆଶା ଭଉଣୀମାନଙ୍କ ଉପରେ ହେଉଥିବା ନିର୍ଯାତନା, ଅତ୍ୟାଚାର ଓ ଦୁର୍ବ୍ୟବହାର ତଥା ଅସଦାଚରଣ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ,  ପ୍ରତି ଗାଁରେ ଅଙ୍ଗନବାଡି କେନ୍ଦ୍ରକୁ ଲାଗି ଆଶା ଗୃହ ନିର୍ମାଣ କରିବା,  ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଆଶାକର୍ମୀଙ୍କୁ ଏଏଏମରେ ପଦୋନ୍ନତି ପ୍ରଦାନ କରିବା, କାର୍ଯ୍ୟ ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା, ଅବସର କାଳୀନ ଗ୍ରାଚୁଏଟି ବାବଦକୁ ୧୦ ଲକ୍ଷ ଟଙ୍କା ଓ ମାସିକ ଭତ୍ତା ୫ ହଜାର ଟଙ୍କା ପ୍ରଦାନ କରିବା, ସେବା ପ୍ରଦାନ ପାଇଁ ୫ଜି ମୋବାଇଲ ପ୍ରଦାନ କରିବା ଆଦି ରହିଛି। 

Leave a Reply

Your email address will not be published. Required fields are marked *