ଗୋରୁ ଗାଡ଼ି ଅଟକାଇବାରୁ ଉତ୍ତେଜନା କାର ଭଙ୍ଗାରୁଜା,୨ ଗୋଚାଲାଣକାରୀ ରେହମତ୍ ଖାନ୍ ଓରଫ ମୁନା ଓ ସରୁଜିତ୍ ଖାନ୍ ଗିରଫ
କଟକ : ଗୋ ଚାଲାଣବେଳେ ନେତାଜୀ ସେତୁରେ ଏକ ଭ୍ୟାନରୁ ୮ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି। ପରେ ପୁଲିସ ଉପସ୍ଥିତିରେ ଉଦ୍ଧାର ଗୋରୁମାନଙ୍କୁ ଗୋଶାଳାରେ ଛାଡ଼ି ଦିଆଯାଇଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଦ୍ଵୟ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ରେହମତ୍ ଖାନ୍ ଓରଫ ମୁନା ଓ ସରୁଜିତ୍ ଖାନ୍। ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଶୁକ୍ରବାର ଭୋର ସମୟରେ ଗୋରୁ ବୋଝେଇ ଏକ ଭ୍ୟାନ୍ କଟକ ସହର ଅଭିମୁଖେ ଆସୁଥିବା ଦେଖ୍ କିଛି ଯୁବକ ପିଛା କରିଥିଲେ । ଭ୍ୟାନ୍କୁ ସେମାନେ ସୁଭାଷ ସେତୁରେ ଅଟକାଇବାକୁ ସକ୍ଷମ ହୋଇଥିଲେ । ଏହି ସମୟରେ ଭ୍ୟାନକୁ ସୁରକ୍ଷା ଯୋଗାଉଥିବା ଦୁଇଟି କାରରେ ୧୦ରୁ ଊର୍ଦ୍ଧ୍ବ ଯୁବକ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ମାରପିଟ ଘଟିଥିଲା । କିଛି ସମୟ ପରେ ଗୋରୁ ଗାଡ଼ିକୁ ସୁରକ୍ଷା ଦେବାକୁ ଆସିଥିବା ଯୁବକମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ପହଞ୍ଚି ଗାଡ଼ିରୁ ଗୋରୁଙ୍କୁ ଉଦ୍ଧାର କରିଥିଲା। ସେତୁରେ ଦୁଇଟି କାର୍ ଭଙ୍ଗାରୁଜା ଅବସ୍ଥାରେ ଥିବା ଜଣାପଡ଼ିବା ପରେ ମର୍କତନଗର ପୁଲିସ ଗାଡ଼ି ଦୁଇଟିକୁ ଜବତ କରିଛି । ଗୋଟିଏ କାର୍ ଭୁବନେଶ୍ବରର ହୋଇଥିବାବେଳେ ଅନ୍ୟଟି କଟକ ଲାଲବାଗ ଥାନା ଅଞ୍ଚଳର ବୋଲି ତଦନ୍ତରୁ ଜଣାପଡ଼ିଛି । ଏ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ଇନ୍ସପେକ୍ଟର ଜଗନ୍ନାଥ ସାହୁ ସୂଚନା ଦେଇଛନ୍ତି।