ଆତ୍ମବଳ ଜାଗୃତ କରୁଥିବା ମନ୍ତ୍ର -“ବନ୍ଦେ ମାତରମ୍‌’

“ବନ୍ଦେ ମାତରମ’୍‌, ଏହି ଶବ୍ଦଗୁଡ଼ିକ ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ, ଏକ ସଂକଳ୍ପ। “ବନ୍ଦେ ମାତରମ’, ଏହି ଗୋଟିଏ ଶବ୍ଦ ହେଉଛି ଭାରତ ମାତାଙ୍କ ପ୍ରତି ଏକ ଭକ୍ତି, ଭାରତ ମାତାଙ୍କ ପ୍ରତି ଏକ ଆରାଧନା। “ବନ୍ଦେ ମାତରମ’, ଏହି ଗୋଟିଏ ଶବ୍ଦ ଆମକୁ ଇତିହାସରେ ଫେରାଇ ନେଇଯାଏ। ଏହା ଆମର ବର୍ତ୍ତମାନକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ, ଏବଂ ଆମର ଭବିଷ୍ୟତକୁ ନୂତନ ସାହସ ଦିଏ ଯେ ଏପରି କୌଣସି ସଂକଳ୍ପ ନାହିଁ ଯାହାକୁ ହାସଲ କରାଯାଇପାରିବ ନାହିଁ। ଏପରି କୌଣସି ଲକ୍ଷ୍ୟ ନାହିଁ ଯାହାକୁ ଆମେ ଭାରତୀୟମାନେ ହାସଲ କରିପାରିବା ନାହିଁ।
ପ୍ରତ୍ୟେକ ଗୀତ, ପ୍ରତ୍ୟେକ କବିତାର ନିଜସ୍ୱ ମୂଳ ଭାବନା, ନିଜସ୍ୱ ମୂଳ ବାର୍ତ୍ତା ଅଛି। “ବନ୍ଦେ ମାତରମ୍‌’ର ମୂଳ ଭାବନା କ’ଣ? “ବନ୍ଦେ ମାତରମ୍‌’ର ମୂଳ ବିଷୟବସ୍ତୁ ହେଉଛି ଭାରତ, ଭାରତ ମାତା। ଭାରତର ଶାଶ୍ୱତ ସଂକଳ୍ପନା । ଏହ ଏପରି ଏକ ସଂକଳ୍ପନା ଯାହା ମାନବତାର ପ୍ରାରମ୍ଭରୁ ନିଜକୁ ଆକାର ଦେବା ଆରମ୍ଭ କରିଥିଲା। ଭାରତର ଏହି ଧାରଣା ହେଉଛି ଏହାର ପଛରେ ଥିବା ଆଦର୍ଶଗତ ଶକ୍ତି। ଅସ୍ଥିର ଦୁନିଆଠାରୁ ଅଲଗା ହୋଇ ନିଜର ସ୍ୱାଧୀନ ଅସ୍ତିତ୍ୱର ଅନୁଭବ ଏହି ସଫଳତା, ଏହି ଲକ୍ଷବଦ୍ଧ, ଲିପିବଦ୍ଧ ଏବଂ କେବଳ ସେତେବେଳେ ହୃଦୟର ଗଭୀରତାରୁ, ଅଭିଜ୍ଞତାର ସାରରୁ, ଭାବନାର ଅସୀମତାରୁ ବନ୍ଦେ ମାତରମ୍ ଭଳି ଏକ ରଚନା ଉଭା ହୁଏ। ତେଣୁ ସେହି ଗୋଲାମୀର କାଳଖଣ୍ଡରେ ବନ୍ଦେ ମାତରମ୍ ଏହି ସଂକଳ୍ପର ଉଦ୍‌ଘୋଷ ହୋଇଗଲା । ସେହି ଉଦ୍‌ଘୋଷ ଭାରତ ସ୍ୱାଧୀନତାର ଥିଲା। ଭାରତ ମାତାଙ୍କ ହାତରେ ଥିବା ଦାସତ୍ୱର ଶିକୁଳି ଭାଙ୍ଗିଯିବ ଏବଂ ତାଙ୍କ ସନ୍ତାନମାନେ ନିଜ ଭାଗ୍ୟର ବିଧାତା ହେବେ।
ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଥରେ କହିଥିଲେ, “ବଙ୍କିମଚନ୍ଦ୍ରଙ୍କ ଆନନ୍ଦମଠ କେବଳ ଏକ ଉପନ୍ୟାସ ନୁହେଁ; ଏହା ସ୍ୱାଧୀନ ଭାରତର ଏକ ସ୍ୱପ୍ନ।’ ଆନନ୍ଦମଠରେ ବନ୍ଦେ ମାତରମ୍ ର ପ୍ରସଙ୍ଗ, ବନ୍ଦେ ମାତରମ୍ ର ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦ, ଏହାର ପ୍ରତ୍ୟେକ ଭାବନାର ଗଭୀର ପ୍ରଭାବ ଥିଲା ଏବଂ ଏବେ ବି ରହିଛି। ଏହି ଗୀତ ନିଶ୍ଚିତ ଭାବରେ ଦାସତ୍ୱର ସମୟରେ ରଚିତ ହୋଇଥିଲା, କିନ୍ତୁ ଏହାର ଶବ୍ଦ କେବେବି କିଛି ବର୍ଷର ଦାସତ୍ୱର ଛାୟାରେ ସୀମିତ ନଥିଲା। ସେହି ଶବ୍ଦ ଗୁଡିକ ଦାସତ୍ୱର ସ୍ମୃତିରୁ ମୁକ୍ତ ରହିଛି । ତେଣୁ, “ବନ୍ଦେ ମାତରମ୍‌’ ପ୍ରତ୍ୟେକ କାଳଖଣ୍ଡରେ ପ୍ରାସଙ୍ଗିକ; ତେଣୁ ଏହା ଅମରତ୍ୱ ହାସଲ କରିଛି।
“ବନ୍ଦେ ମାତରମ୍‌’ର ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ସମାଜରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୁରୁତ୍ୱ ଆଣିବାର ଏହି ପ୍ରୟାସ ପ୍ରଶଂସନୀୟ। ୨୩ ଜୁନ୍ ୧୭୫୭ରେ ନବାବ ସିରାଜ-ଉଦ୍‌-ଦୌଲା ଏବଂ ଲର୍ଡ କ୍ଲାଇଭଙ୍କ ମଧ୍ୟରେ ବଙ୍ଗଳାର ପଲାସି ଯୁଦ୍ଧରେ ବ୍ରିଟିଶମାନଙ୍କ ଦ୍ୱାରା ଭାରତ ପରାଜିତ ହେବା ପରେ ଭାରତର ସ୍ୱାଧୀନତାର ସୂର୍ଯ୍ୟ ଅସ୍ତ ହୋଇଥିଲା। ଏହି ପରାଜୟ ପରେ, ଭାରତର ଅବଶିଷ୍ଟ ଅଂଶ ମଧ୍ୟ ବ୍ରିଟିଶ ଶାସନ ଅଧୀନରେ ଆସିଲା ଏବଂ ଆମେ ଗୋଲାମ ହୋଇଗଲୁ। ଆମର ପରିସ୍ଥିତି ବର୍ଣ୍ଣନା କରି ପ୍ରସିଦ୍ଧ ରୁଷୀୟ ଦାର୍ଶନିକ ଟଲଷ୍ଟୟ କହିଥିଲେ, “ମାତ୍ର ୩୦,୦୦୦ ଲୋକଙ୍କୁ ଆଣି ଗୋଟିଏ ବାଣିଜ୍ୟ କମ୍ପାନୀ ୨୦କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶକୁ ପରାଧିନ କରିଥିଲା’ା
ପରାଧିନତା ସମୟରେ ଆମ ଦେଶର ଦୁର୍ଦ୍ଦଶା ଦେଖି ଭାରତ ମାତାଙ୍କୁ ଦାସତ୍ୱରୁ ମୁକ୍ତ କରିବାର ଇଚ୍ଛା ସମାଜ ବୁଝିବାକୁ ଲାଗିଲା। ସମାଜର ବିଭିନ୍ନ ବର୍ଗରେ ମଧ୍ୟ ସ୍ୱାଧୀନତା ପାଇଁ ଶଙ୍ଖନାଦ ଆରମ୍ଭ ହୋଇଗଲା। ମାତା କାଳୀଙ୍କ ଅନୁଗାମୀ ଏବଂ ଗୁରୁ ଗୋରଖନାଥଙ୍କ ପରମ୍ପରା ସହିତ ଜଡିତ ସନ୍ଥମାନେ ପ୍ରତ୍ୟେକ ଗାଁରେ “ଅଳଖ ନିରଞ୍ଜନ’ ଘୋଷଣା କରି ସ୍ୱାଧୀନତାର ଦେବୀଙ୍କୁ ଜାଗ୍ରତ କରିଥିଲେ। ସାନ୍ତାଳ ଜନଜାତିରେ ଜନ୍ମଗ୍ରହଣ କରିଥିବା ଦୁଇ ଭାଇ ସିଦ୍ଧ ଏବଂ କାନୁ, ୧୦,୦୦୦ ସାନ୍ତାଳଙ୍କ ସହିତ ୧୮୮୫ ମସିହାରେ ଘୋଷଣା କରିଥିଲେ, “ଆମେ ଆମର ଭୂମିର ମାଲିକ ହେବୁ ଏବଂ ଆମର ସରକାର ଗଠନ କରିବୁ।’ ଏହାସହିତ ବ୍ରିଟିଶ ବିରୁଦ୍ଧରେ ୧୮୫୭ ର ସଂଗଠିତ ସଶସ୍ତ୍ର ଆନ୍ଦୋଳନର ସୂତ୍ରପାତ ମଧ୍ୟ ହୋଇଥିଲା।
୨୭ ଜୁନ୍ ୧୯୩୮ ରେ ସମାଜରେ ପ୍ରଜ୍ଜ୍ୱଳିତ ଦେଶପ୍ରେମର ପରିବେଶରେ ଜଣେ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ, ଯାହାଙ୍କ ନାମ ଥିଲା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ। ଦେବନାଗରୀ, ବଙ୍ଗଳା ଏବଂ ଇଂରାଜୀ ଭାଷାର ବିଦ୍ୱାନ ଥିଲେ ବଙ୍କିମ ବାବୁ । ତାଙ୍କୁ ଜେସୋରରେ (ବର୍ତ୍ତମାନ ବାଂଲାଦେଶ) ଡେପୁଟି କଲେକ୍ଟର ଭାବରେ ନିଯୁକ୍ତ କରାଯାଇଥିଲା। ବ୍ରିଟିଶମାନଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ନିର୍ଯାତନା ଦେଖିବା ପରେ ସେ ସାହିତ୍ୟ ମାଧ୍ୟମରେ ସମାଜକୁ ଜାଗ୍ରତ କରିବାର ସଂକଳ୍ପ ନେଇଥିଲେ । ସେ ଶ୍ରୀ କୃଷ୍ଣଚରିତ୍ର, ଦୁର୍ଗେଶ ନନ୍ଦିନୀ, ରାଜ ସିଂହ ଏବଂ ଚନ୍ଦ୍ରଶେଖର ସମେତ ଅନେକ ପ୍ରବନ୍ଧ,ଲେଖା ଏବଂ ଉପନ୍ୟାସ ଲେଖିଥିଲେ। ତାଙ୍କର ସମସ୍ତ ଲେଖା ମାଧ୍ୟମରେ ସେ ବ୍ରିଟିଶ ଶାସନର ଅତ୍ୟାଚାର ଓ କଠୋର ନିର୍ଯ୍ୟାତନା ତଥା କୁପ୍ରଥାଗୁଡ଼ିକୁ ସମାଜର ସମ୍ମୁଖକୁ ଆଣିବା ପାଇଁ କାର୍ଯ୍ୟ କରିଥିଲେ।
ବିଶ୍ୱ ପ୍ରସିଦ୍ଧ ସନ୍ୟାସୀ ବିଦ୍ରୋହ ଉପରେ ଆଧାରିତ ଏହି ଉପନ୍ୟାସଗୁଡ଼ିକ ମଧ୍ୟରୁ ଗୋଟିଏ “ଆନନ୍ଦମଠ’ ଏକ କୃତି ଲୋକପ୍ରିୟ ହୋଇଗଲା, ଯେଉଁଥିରେ ଜାତୀୟ ସଙ୍ଗୀତ “ବନ୍ଦେ ମାତରମ୍‌’ ଅନ୍ତର୍ଭୁକ୍ତ ଥିଲା। ଆନନ୍ଦମଠରେ ବର୍ଣ୍ଣିତ “ବନ୍ଦେ ମାତରମ୍‌’, ଯାହାକୁ ସନ୍ୟାସୀମାନେ ଭାରତ ମାତାର ପ୍ରଶଂସା ଭାବରେ ଗାନ କରନ୍ତି, ତାହା ଲାଲଗୋଲାକୁ କେନ୍ଦ୍ର କରି ମୁର୍ଶିଦାବାଦ ଏବଂ ନଦିଆ (ବଙ୍ଗଳା) ଜିଲ୍ଲାରେ ଅବସ୍ଥିତ।
ବନ୍ଦେ ମାତରମ୍ ଗୀତଟି ୭ ନଭେମ୍ବର ୧୮୭୫ ରେ ରଚିତ ହୋଇଥିଲା। ଏହି ଶୁଭ ଦିନଟି ଭାରତୀୟ କାଳଗଣନାରେ କାର୍ତ୍ତିକ ମାସ ଶୁକ୍ଳପକ୍ଷର ନବମ ଦିନ ଥିଲା। ଯେହେତୁ ଏହି ଶୁଭ ଦିନଟି ଅକ୍ଷୟ ନବମୀ, ଏହା ଜଗଦ୍ଧାତ୍ରୀଙ୍କ ପୂଜାର ଦିନ। ୧୮୯୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର “ବନ୍ଦେ ମାତରମ୍‌’ ଗୀତ ଗାଇଥିଲେ। ଏହା ରାଗ ମଲହାରରେ ଉପସ୍ଥାପିତ ହୋଇଥିଲା। ୧୮୯୬ ପରେ କଂଗ୍ରେସ ଅଧିବେଶନରେ “ବନ୍ଦେ ମାତରମ୍‌’ ଗାନ ଏକ ପରମ୍ପରା ହୋଇଗଲା।
ବଙ୍ଗଳାରୁ ସୃଷ୍ଟି ହୋଇଥିବା ସ୍ୱାଧୀନତା ଆନ୍ଦୋଳନକୁ ବିଭାଜିତ କରିବା ପାଇଁ, ଇଂରେଜମାନେ ବଙ୍ଗ ବିଭାଜନ ଯୋଜନା କାର୍ଯ୍ୟକାରୀ କଲେ, ଯାହାକୁ ସେମାନେ ୧୬ ଅକ୍ଟୋବର ୧୯୦୫ରେ ଘୋଷଣା କରିଥିଲେ। । ବଙ୍ଗଳାର ପ୍ରଭାବ ତଥା ବଙ୍ଗୀୟ କ୍ରାନ୍ତିକାରୀଙ୍କ ପ୍ରଭାବ କମ୍ କରିବା ସହିତ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟିକରିବା ହେଉଛି ବଙ୍ଗଭଙ୍ଗର ଉଦ୍ଦେଶ୍ୟ । ବିଭାଜନ ପୂର୍ବରୁ ମଧ୍ୟ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ୭ ଅଗଷ୍ଟ ୧୯୦୫ରେ କଲିକତା ଟାଉନ ହଲରେ ଏକ ସଭା ଆୟୋଜନ କରିଥିଲେ, ଯେଉଁଠାରେ ଉପସ୍ଥିତ ସମସ୍ତେ ସମାନ ସ୍ଲୋଗାନ ଦେଇଥିଲେ: “ବନ୍ଦେ ମାତରମ’୍‌। ୧୬ ଅକ୍ଟୋବରର ଦୁଃଖ ଦିବସ ଅବସରରେ ଆନନ୍ଦ ମୋହନ ବସୁ ଏବଂ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କ ନେତୃତ୍ୱରେ ୫୦,୦୦୦ ଲୋକ ଖାଲି ପାଦରେ ୩.୫ କିଲୋମିଟର ଚାଲି କଲିକତାର କେନ୍ଦ୍ରୀୟ ମଇଦାନକୁ “ବନ୍ଦେ ମାତରମ୍‌’ ଗାନ କରି ଯାଇଥିଲେ। ମନ୍ମଥ ନାଥ ମିଶ୍ରଙ୍କ ନେତୃତ୍ୱରେ, “ବନ୍ଦେ ମାତରମ୍‌’ ସଂପ୍ରଦାୟ ଗଠନ କରାଯାଇଥିଲା। ବ୍ରିଟିଶ ଦଣ୍ଡ ବିରୁଦ୍ଧରେ ପ୍ରତିବାଦରେ ଜଣେ ଯୁବକ ୫୦୦ ଥର “ବନ୍ଦେ ମାତରମ୍‌’ ଲେଖିଥିଲେ। କ୍ରାନ୍ତିକାରୀମାନେ ଚାବୁକ ମାଡ଼ ସହ୍ୟ କରି “ବନ୍ଦେ ମାତରମ’୍ ଗାନ କରୁଥିଲେ। ଫଳସ୍ୱରୂପ, ବ୍ରିଟିଶମାନେ “ବନ୍ଦେ ମାତରମ୍‌’ ଗାନ ଉପରେ ନିଷେଧ କରିଥିଲେ। “ବନ୍ଦେ ମାତରମ୍‌’ କେବଳ ସମଗ୍ର ଦେଶ ପାଇଁ ନୁହେଁ ବରଂ ସ୍ୱାଧୀନତା ନିମନ୍ତେ ବିଦେଶରେ କାମ କରୁଥିବା କ୍ରାନ୍ତିକାରୀମାନଙ୍କ ପାଇଁ ମଧ୍ୟ ମନ୍ତ୍ର ପାଲଟିଥିଲା। ୧୪ ଏପ୍ରିଲ ୧୯୦୬ରେ ହଜାର ହଜାର ଲୋକ “ବନ୍ଦେ ମାତରମ୍‌’ ବ୍ୟାଜ୍ ପିନ୍ଧି ଆସାମର ବିହୁ ମହୋତ୍ସବରେ ଯୋଗ ଦେଇଥିଲେ। ୨୨ ଡିସେମ୍ବର ୧୯୦୮ରେ ଦଶମ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଜନ୍ମବାର୍ଷିକୀରେ ଲଣ୍ଡନର ଇଣ୍ଡିଆ ହାଉସରେ “ବନ୍ଦେ ମାତରମ୍‌’ ଗାନ କରାଯାଇଥିଲା। ୨୨ ଅଗଷ୍ଟ ୧୯୦୭ରେ ମ୍ୟାଡାମ୍ କାମା ଷ୍ଟିୱାର୍ଟଷ୍ଟାଉନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ “ବନ୍ଦେ ମାତରମ୍‌’ ଗାନ କରିଥିଲେ। କାନାଡା ଏବଂ ଆମେରିକାର କ୍ରାନ୍ତିକାରୀମାନେ ପରସ୍ପରକୁ ଭେଟିବା ସମୟରେ ଅନ୍ୟ ସମ୍ବୋଧନ ଛାଡି “ବନ୍ଦେ ମାତରମ୍‌’ କହିବାକୁ ଆରମ୍ଭ କରିଥିଲେ। ଭଗିନୀ ନିବେଦିତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ପତାକାରେ “ବନ୍ଦେ ମାତରମ୍‌’ ଲେଖାଯାଇଥିଲା। ମହର୍ଷି ଅରବିନ୍ଦ “ବନ୍ଦେ ମାତରମ୍‌’ ଖବରକାଗଜ ପ୍ରକାଶ କରିବାରୁ ବ୍ରିଟିଶମାନେ ତାଙ୍କୁ ଦଣ୍ଡ ଦେଇଥିଲେ। ମହାନ କବି ସୁବ୍ରମଣ୍ୟମ୍ ଦ୍ୱାରା “ବନ୍ଦେ ମାତରମ୍‌’ ତାମିଲରେ, ମହାତ୍ମା ଗାନ୍ଧୀ ଦ୍ୱାରା “ଗୁଜୁରାଟି୍‌’ରେ ଏବଂ ତେଲୁଗୁ, କନ୍ନଡ, ମାଲାୟଲମ ଏବଂ ଉର୍ଦ୍ଦୁ ସମେତ ଅନ୍ୟାନ୍ୟ ଭାଷାରେ ଅନୁବାଦ କରାଯାଇଥିଲା। ଆରଏସଏସ ପ୍ରତିଷ୍ଠାତା ଡକ୍ଟର ହେଡଗେୱାରଙ୍କ ଦ୍ୱାରା ନାଗପୁରର ନୀଳ ସିଟି ସ୍କୁଲର ନିରୀକ୍ଷଣ ସମୟରେ ବ୍ରିଟିଶ ନିରୀକ୍ଷକଙ୍କୁ “ବନ୍ଦେ ମାତରମ୍‌’ ସହିତ ସ୍ୱାଗତ କରାଯାଇଥିଲା। ଏହି କାରଣରୁ, “ବନ୍ଦେ ମାତରମ୍‌’ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ମନ୍ତ୍ର ହୋଇଗଲା।
ସ୍ୱାଧୀନତା ସହିତ “ବନ୍ଦେ ମାତରମ୍‌’ ମଧ୍ୟ ସ୍ୱଦେଶୀ ପାଇଁ ଏକ ମନ୍ତ୍ର ହୋଇଗଲା। ବଙ୍ଗ ବିଭାଜନ ଘୋଷଣା ଦିନ, ରବିନ୍ଦ୍ରନାଥ ଟାଗୋର ରାଖୀ ବାନ୍ଧି ସ୍ୱଦେଶୀ ପାଇଁ ଏକ ପ୍ରତିଜ୍ଞା ନେଇଥିଲେ। ସେହି ଦିନ, ସେ “ବିଦେଶୀ ସାମଗ୍ରୀକୁ ଘୃଣା କରି ସ୍ୱଦେଶୀକୁ ଗ୍ରହଣ କରିବା’ ପାଇଁ ପ୍ରତିଜ୍ଞା କରିଥିଲେ। ବିଦେଶୀ ସାମଗ୍ରୀର ହୋଲି ଜାଳିବା ସମୟରେ, “ଓମ୍ ବନ୍ଦେ ମାତରମ୍ ରାଷ୍ଟ୍ରାୟ ସ୍ୱାହା’ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା। ସ୍ୱଦେଶୀର ପ୍ରଚାର ପାଇଁ ଗୋଟିଏ ଦିନରେ ୭୦,୦୦୦ ଟଙ୍କାର ଦାନ ମିଳିଥିଲା। ସ୍ୱଦେଶୀ ପ୍ରତିଜ୍ଞା ନେବା ସମୟରେ ମହିଳାମାନେ ସେମାନଙ୍କ ବିବାହରେ ତାଳରେ ତିଆରି ବଙ୍ଗଳା ଶାଢ଼ି ଏବଂ କାଚ ନୁହେଁ ଶଙ୍ଖରେ ତିଆରି ସ୍ୱଦେଶୀ ଚୁଡ଼ି ପିନ୍ଧିବାକୁ ପ୍ରତିଜ୍ଞା କରିଥିଲେ। ବ୍ରିଟିଶ ନିର୍ମିତ ସାମଗ୍ରୀର ପ୍ରତିବାଦରେ ଭାରତରେ ସ୍ୱଦେଶୀ କମ୍ପାନୀଗୁଡ଼ିକ ତିଆରି ହେବା ଆରମ୍ଭ ହୋଇଥିଲା। ଉଦାହରଣ ସ୍ୱରୂପ ସ୍ୱଦେଶୀ ନାଭିଗେସନ୍ ଭଳି ଅନେକ କମ୍ପାନୀ ତୁତୁକୁଡି (ତାମିଲନାଡୁ) ରେ ପ୍ରତିଷ୍ଠା ହୋଇଥିଲା। ଲୋକମାନ୍ୟ ତିଲକ ବନ୍ଦେ ମାତରମ୍ ଏବଂ ସ୍ୱଦେଶୀର ଆଧାର ହୋଇଥିଲେ। ବୀର ସାବରକର ବନ୍ଦେ ମାତରମ୍ ବନ୍ଦେମାତରମ କହି ବିଦେଶୀ ସାମଗ୍ରୀ ହୋଲି ଜଳାଇ ଥିଲେ। ଲାଲା ଲାଜପତ ରାୟ ବନ୍ଦେ ମାତରମ୍ ନାରା ଦେଇ ଲାଠି ମାଡ଼ ଖାଇଥିଲେ। ବର୍ତ୍ତମାନ ଆନନ୍ଦମଠରୁ ବାହାରି ବନ୍ଦେ ମାତରମ୍ ସମଗ୍ର ଦେଶର ସ୍ୱାଧୀନତା ଏବଂ ସ୍ୱଦେଶୀର ମନ୍ତ୍ର ହୋଇଗଲା।
ଇଂରେଜ ଷଡ଼ଯନ୍ତ୍ରର ପରିଣାମ ଧୀରେ ଧୀରେ ସ୍ପଷ୍ଟ ହୋଇଗଲା। ଦେଶପ୍ରେମୀଙ୍କୁ ପ୍ରେରଣା ଦେଉଥିବା ମନ୍ତ୍ରକୁ କେତେକ ଲୋକ ମୂର୍ତ୍ତିପୂଜା ଭାବରେ ଦେଖିବାକୁ ଲାଗିଲେ। କାକିନାଡାରେ ୧୯୨୩ ମସିହାରେ କଂଗ୍ରେସ ଅଧିବେଶନରେ ତତ୍କାଳୀନ ଅଧ୍ୟକ୍ଷ ମହମ୍ମଦ ଅଲି କହିଥିଲେ ଯେ ଇସଲାମରେ ମୂର୍ତ୍ତିପୂଜା ଓ ସଂଗୀତ ସ୍ୱୀକାର ନୁହେଁ, ସେଥିପାଇଁ ସେ ବନ୍ଦେମାତରମକୁ ବିରୋଧ କରିଥିଲେ। ବଦରୁଦ୍ଦୀନ ତୈୟବ, ମହମ୍ମଦ ରହୀମତୁଲ୍ଲା ସୟାନୀ, ନବାବ ସୈୟଦ ମହମ୍ମଦ ବହାଦୂର,ଡ.ଏମ.ଏ.ଅଂସାରୀଙ୍କ ପରି ମୁସଲମାନ ଅଧ୍ୟକ୍ଷମାନେ କେବେ ବନ୍ଦେମାତରମକୁ ବିରୋଧ କରିନଥିଲେ । ୧୯୧୫ ମସିହାରେ ନିରନ୍ତର ଭାବରେ ବନ୍ଦେ ମାତରମ୍ ଗାନ କରୁଥିବା ମହାନ ଦେଶପ୍ରେମୀ ବିଷ୍ଣୁ ଦିଗମ୍ବର ପଲୁସ୍କର ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ କରି କହିଥିଲେ ଯେ ଏହା କୌଣସି ବ୍ୟକ୍ତିଙ୍କର ନୁହେଁ, କଂଗ୍ରେସ ଦଳର ମଞ୍ଚ। ତଥାପି ଏହା ବିରୋଧ କଂଗ୍ରେସ ନେତୃତ୍ୱକୁ ହାର ମାନିବାକୁ ବାଧ୍ୟ କରିଥିଲା। ପୂର୍ଣ୍ଣ ବନ୍ଦେ ମାତରମ୍ ବଦଳରେ ସେମାନେ କେବଳ ଦୁଇଟି ପଦ ଗାଇବା ଆରମ୍ଭ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଏକ ଚିଠିରେ ଜଣାଇ ଦିଆଗଲା ଯେ କେବଳ ଦୁଇଟି ପଦ ଗାଇବା ଉଚିତ, ଏବଂ ଅନ୍ୟମାନେ ଏହା ସ୍ଥାନରେ ଅନ୍ୟ ଗୀତ ଗାଇପାରିବେ। ୧୫ ଅଗଷ୍ଟ ୧୯୪୭ରେ ଶ୍ରୀମତୀ ସୁଚେତା କୃପାଳାଣୀ ବନ୍ଦେ ମାତରମ୍ ଗାନ କରିଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ଅନୁରୋଧରେ ପ୍ରସିଦ୍ଧ ସଂଗୀତଜ୍ଞ ଓମକାରନାଥ ଠାକୁର ଆକାଶବାଣୀରେ ସମ୍ପୂର୍ଣ୍ଣ ବନ୍ଦେ ମାତରମ୍ ଗାନ କରିଥିଲେ। ବିଭିନ୍ନ ହାସ୍ୟରସପୂର୍ଣ୍ଣ ଯୁକ୍ତି ଦର୍ଶାଇ ତତ୍କାଳୀନ ନେତୃତ୍ୱ “ବନ୍ଦେ ମାତରମ୍‌’ ସ୍ଥାନରେ “ଜନ ଗଣ ମନ’ କୁ ଜାତୀୟ ସଙ୍ଗୀତ ଭାବରେ ସ୍ଥାନ ଦେଇଥିଲେ। ଏ ବିଷୟରେ ରାଜର୍ଷି ପୁରୁଷୋତ୍ତମ ଦାସ ଟଣ୍ଡନ କହିଥିଲେ, “ମୁଁ ଏପରି ଏକ କଂଗ୍ରେସ ଦଳ କଳ୍ପନା ମଧ୍ୟ କରିପାରିବି ନାହିଁ ଯିଏ “ବନ୍ଦେ ମାତରମ୍‌’କୁ ରାଷ୍ଟ୍ରଗାନ ଭାବରେ ପ୍ରତ୍ୟାଖ୍ୟାନ କରିବ।’ ଧନ୍ୟ ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଯିଏ ୨୪ ଜୁନ୍ ୧୯୫୦ରେ “ବନ୍ଦେ ମାତରମ୍‌’ ଏବଂ “ଜନ ଗଣ ମନ’ ଉଭୟକୁ ରାଷ୍ଟ୍ରଗାନ ଭାବରେ ସମ୍ମାନ ଦେଇଥିଲେ ଏବଂ ସଭାର ଶେଷରେ ସମସ୍ତେ ପରସ୍ପରକୁ “ବନ୍ଦେ ମାତରମ୍‌’ ସହିତ ସ୍ୱାଗତ କରିଥିଲେ। ଆମେ ସମସ୍ତେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଖିଛୁ: ୩୧ ଅକ୍ଟୋବର ୨୦୨୫ ରେ ସଦ୍ୟ ସମାପ୍ତ ଏକତା ପରେଡରେ ବିଭିନ୍ନ ବାଦ୍ୟଯନ୍ତ୍ର ଦ୍ୱାରା ପ୍ରଦର୍ଶିତ ବନ୍ଦେ ମାତରମ୍ ର ସଙ୍ଗୀତ ପରିବେଷଣ।
ଯେତେବେଳେ “ବନ୍ଦେ ମାତରମ୍‌’ ବଙ୍ଗଦର୍ଶନରେ ପ୍ରକାଶ ପାଇଥିଲା, କିଛି ଲୋକ ଏହାକୁ କେବଳ ଏକ ଗୀତ ବୋଲି ଭାବିଥିଲେ। ତଥାପି, ବନ୍ଦେ ମାତରମ୍ ଶୀଘ୍ର ଭାରତର ସ୍ୱାଧୀନତା ସଂଗ୍ରାମର ସ୍ୱର, କୋଟି କୋଟି ଜନତାଙ୍କ ସ୍ୱର ହୋଇଗଲା। ପ୍ରତ୍ୟେକ କ୍ରାନ୍ତିକାରୀଙ୍କ କଣ୍ଠରେ ଭାରତୀୟଙ୍କ ଭାବନାକୁ ପ୍ରକାଶ କରୁଥିବା ସ୍ୱର। ସ୍ୱାଧୀନତା ସଂଗ୍ରାମର ଏପରି କୌଣସି ଅଧ୍ୟାୟ ନାହିଁ ଯାହା କୌଣସି ନା କୌଣସି ଭାବରେ ବନ୍ଦେ ମାତରମ୍ ସହିତ ଜଡିତ ହୋଇ ନ ଥିବ। ବରିସାଲ ସମ୍ମିଳନୀରେ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚାଳନା ବେଳେ ମଧ୍ୟ, ସମାନ ମନ୍ତ୍ର, ସମାନ ଶବ୍ଦ ସେମାନଙ୍କ କଣ୍ଠରେ ଥିଲା: ବନ୍ଦେ ମାତରମ୍‌! ବୀର ସାବରକରଙ୍କ ପରି ସ୍ୱାଧୀନତା ସଂଗ୍ରାମୀ, ଯେଉଁମାନେ ଭାରତ ବାହାରେ ରହି ସ୍ୱାଧୀନତା ପାଇଁ କାମ କରିଥିଲେ, ସେମାନେ ପରସ୍ପରକୁ ଭେଟିଲେ ବନ୍ଦେ ମାତରମ୍ କହି ସ୍ୱାଗତ କରୁଥିଲେ। ଅନେକ କ୍ରାନ୍ତିକାରୀ ଫାଶୀଖୁଣ୍ଟରେ ଠିଆ ହୋଇ ବନ୍ଦେ ମାତରମ୍ ମଧ୍ୟ ଗାନ କରୁଥିଲେ। ଏପରି ଅଗଣିତ ଘଟଣା, ଅଗଣିତ ଐତିହାସିକ ତାରିଖ, ଏତେ ବିଶାଳ ଦେଶ, ବିଭିନ୍ନ ପ୍ରଦେଶ ଏବଂ ଅଞ୍ଚଳ, ବିଭିନ୍ନ ଭାଷା କହୁଥିବା ଲୋକ, ସେମାନଙ୍କର ଆନ୍ଦୋଳନ ଥିଲା, କିନ୍ତୁ ସ୍ଲୋଗାନ, ସଂକଳ୍ପ, ପ୍ରତ୍ୟେକଙ୍କ କଣ୍ଠରେ ଥିବା ଗୀତ, ପ୍ରତ୍ୟେକ ସ୍ୱରରେ ପ୍ରତିଧ୍ୱନିତ ହେଉଥିବା ଗୀତ ହେଉଛି ବନ୍ଦେ ମାତରମ୍‌। ଶ୍ରୀ ଅରବିନ୍ଦ କହିଥିଲେ ବନ୍ଦେ ମାତରମ୍ ଏକ ଗୀତ ନୁହେଁ ଏହା ଏକ ମନ୍ତ୍ର ଥିଲା। ସେ କହିଥିଲେ, “ଏହା ଏପରି ଏକ ମନ୍ତ୍ର ଯାହା ଆତ୍ମବିଶ୍ୱାସ ଜାଗ୍ରତ କରେ।” ଭିକାଜି କାମାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଭାରତୀୟ ପତାକାର ମଧ୍ୟ ମଝିରେ “ବନ୍ଦେ ମାତରମ୍‌’ ଶବ୍ଦ ଲେଖାଯାଇଥିଲା। ୧୯୨୭ ମସିହାରେ ମହାତ୍ମା ଗାନ୍ଧୀ କହିଥିଲେ, ବନ୍ଦେ ମାତରମ୍ ଆମ ସମ୍ମୁଖରେ ସମଗ୍ର ଭାରତର ଏକ ଅବିଭାଜ୍ୟ ଚିତ୍ର ଉପସ୍ଥାପନ କରେ।
ଆମ ଦେଶରେ ସାମ୍ରାଜ୍ୟବାଦୀମାନଙ୍କ ଦ୍ୱାରା ବୁଣାଯାଇଥିବା ବିଭାଜନର ବୀଜ ଏବଂ ଆମର ତତ୍କାଳୀନ ନେତୃତ୍ୱ ଯେଉଁ ଅଦୂରଦର୍ଶିତାରେ ଫସି ଯାଇଥିଲେ, ତାହା ଆଜି ବିଚ୍ଛିନ୍ନତାବାଦର ଗଛ ଭାବରେ ଆମ ସମ୍ମୁଖରେ ଠିଆ ହୋଇଛି। ଆମେ ୧୯୪୭ ରେ ଭାରତର ବିଭାଜନର ଭୟଙ୍କରତା ଦେଖିସାରିଛୁ। ଏହାକୁ ପୁନରାବୃତ୍ତି ନ ହେବା ପାଇଁ ଆମକୁ ସାଂସ୍କୃତିକ ଏକତା ଆଧାରରେ ଏକତ୍ରିତ ହେବାକୁ ପଡିବ। ବନ୍ଦେ ମାତରମ୍ ଗୀତ ସେହି ସାଂସ୍କୃତିକ ଏକତାର ଗୀତ। ବନ୍ଦେ ମାତରମ୍ ର ୧୫୦ ତମ ଜନ୍ମବାର୍ଷିକୀ ଏହି ସଂକଳ୍ପକୁ ପୂରଣ କରିବାରେ ସାହାଯ୍ୟ କରିବ। ଏହି ପବିତ୍ର ଅବସରରେ ସମଗ୍ର ଦେଶ ଆନନ୍ଦ, ଉତ୍ସାହ ଏବଂ ଶ୍ରଦ୍ଧାର ସହିତ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଗାନ କରିବା ଉଚିତ।

Leave a Reply